ବାଇପୋଲାର ଡିସଅର୍ଡର କ’ଣ? ଏହି ସମସ୍ୟା ଥିଲେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା।

ଆମ ମନ ଖୁସି ସମୟରେ ଖୁସି ଥାଏ ଏବଂ ଦୁଃଖ ସମୟରେ ଦୁଃଖୀ ହୋଇଥାଏ। ଅତ୍ୟଧିକ ଖୁସି ରହିବା କିମ୍ବା ଦୁଃଖ ସମୟରେ ଅତ୍ୟଧିକ ଭାଙ୍ଗିପଡ଼ିବା ଏକ ମାନସିକ ସମସ୍ୟା। ଏହି ଧରଣର ସମସ୍ୟାକୁ ବାଇପୋଲାର ଡିସଅର୍ଡର ବୋଲି କୁହାଯାଏ।

ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ସ୍ୱାଭାବିକ କଥା। କିନ୍ତୁ ଅସ୍ଵାଭାବିକ ପରିବର୍ତ୍ତନକୁ ବାଇପୋଲାର ଡିସଅର୍ଡର କୁହାଯାଏ। ବାଇପୋଲାର ଡିସଅର୍ଡରରେ ଶିକାର ବ୍ୟକ୍ତି ବେଳେବେଳେ ଅତ୍ୟଧିକ ଖୁସି କିମ୍ବା ଅଧିକ ଦୁଃଖିତ ହୋଇଯାଆନ୍ତି। ତାଙ୍କର ଏଭଳି ବ୍ୟବହାର ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥାଏ।

ମନେକର କୌଣସି ସାଙ୍ଗସାଥୀଙ୍କ ସହ ମଜାମଜଲିସ କରୁଥିବା ସମୟରେ ଜଣେ ବ୍ୟକ୍ତି ଅଚାନକ ଦୁଃଖି ହୋଇଯିବା ବାୟୋପୋଲାର ଡିସଅର୍ଡରକୁ ବୁଝାଏ। କହିବାକୁ ଗଲେ ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଅଚାନକ କିମ୍ବା କଥା ହେବା ସମୟରେ ଦୁଃଖିତ ବା ଖୁସି ଅନୁଭବ କରିଥାଆନ୍ତି।

ବେଳେ ବେଳେ ବାଇପୋଲାର ଡିସଅର୍ଡରରେ ବ୍ୟକ୍ତି ଅବସାଦର ଶିକାର ହୁଅନ୍ତି। ଏଥିରେ ବ୍ୟକ୍ତିଙ୍କ ମନ ଦୁଃଖ ରହିବ, ଚୁପ୍‌ଚାପ ରହିବେ, କାହା ସହ ମିଳାମିଶା କରିବେ ନାହିଁ, ନକରାତ୍ମକ ଚିନ୍ତାଧାରା ମନକୁ ଆସିଥାଏ, ସେମାନେ ନିଜକୁ ଭୁଲ ବୁଝନ୍ତି କିମ୍ବା  ମନକୁ ଆତ୍ମହତ୍ୟା କରିବା ଭଳି ଧାରଣା ଆସିଥାଏ।

ଅଧିକ ପଢ଼ନ୍ତୁ: ଖାଇବାକୁ ନେଇ ବିକୃତି ଏକ ମାନସିକ ରୋଗ

ବାଇପୋଲାର ଡିସଅର୍ଡରର ପ୍ରକାର (Types of bipolar disorder in Odia)

ବାଇପୋଲାର ମାନିଆ: ଏହି ରୋଗରେ ଶିକାର ବ୍ୟକ୍ତିଙ୍କ କଥାବାର୍ତ୍ତାରେ ପରିବର୍ତ୍ତନ ଆସିଥାଏ। ଏଥିରେ ବ୍ୟକ୍ତି ବଡ଼ ବଡ଼ କଥା କହନ୍ତି, ନିଦ କମ୍‌ ହୋଇଥାଏ, ଅନାବଶ୍ୟକ କାର୍ଯ୍ୟ କରୁଥିବେ।

ବାଇପୋଲାର ଡିପ୍ରେସନ୍‌: ଏହି ରୋଗରେ ଶିକାର ବ୍ୟକ୍ତି ଦୁଃଖୀ ରହନ୍ତି, ଏନର୍ଜି କମ୍‌ ଥାଏ, ନକରାତ୍ମକ ଚିନ୍ତାଧାରା ମନକୁ ଆସିଥାଏ।

ବାଇପୋଲାର ମିକ୍ସ: ଏଥିରେ ବ୍ୟକ୍ତି ଉଭୟ ବାଇପୋଲାର ମାନିଆ ଓ ବାଇପୋଲାର ଡିପ୍ରେସନ୍‌ ରୋଗରେ ପୀଡ଼ିତ ଥା’ନ୍ତି।

ବାଇପୋଲାର ଡିସ୍‌ଅର୍ଡରର କାରଣ (Causes of bipolar disorder in Odia)

ବାଇପୋଲାର ଡିସଅର୍ଡର ଜେନେଟିକ କାରଣରୁ ହୋଇଥାଏ। ପୂର୍ବରୁ ବାପାମା’ କିମ୍ବା ଭାଇଭଉଣୀ ବାଇପୋଲାର ଡିସଅର୍ଡରରେ ଆକ୍ରାନ୍ତ ଥାଆନ୍ତି ତେବେ ପିଲାକୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ।

ମାନସିକ ଚାପ ଯୋଗୁଁ ବାଇପୋଲାର ଡିସଅର୍ଡର ହୋଇଥାଏ।

ପରିବେଶଗତ କାରଣ ଯୋଗୁଁ ମଧ୍ୟ ବାଇପୋଲାର ଡିସ୍‌ଅର୍ଡର ହୋଇଥାଏ। ପିଲାମାନେ ରହୁଥିବା ପରିବେଶରେ ଚାପ ଏବଂ ଅନ୍ୟାନ୍ୟ ପରିବେଶ କାରକ ବାୟୋପୋଲାର ଡିସଅର୍ଡରର କାରଣ ହୋଇଥାଏ। 

ବାଇପୋଲାର ଡିସ୍‌ଅର୍ଡରର ପରୀକ୍ଷଣ (Bipolar disorder test in Odia)

ବାଇପୋଲାର ଡିସ୍‌ଅର୍ଡରରେ ଶିକାର ଥିବା ବ୍ୟକ୍ତିଙ୍କ ପରିବାରକୁ ରୋଗୀଙ୍କ ଇତିହାସ ପଚାରି ବୁଝାଯାଏ। ଏହାପରେ ଭାବନାର ଗୋଟେ ଗ୍ରାଫ୍‌ ପ୍ରସ୍ତୁତ କରାଯାଏ। ଏହାଛଡ଼ା ମାନସିକ ବିଶେଷଜ୍ଞମାନେ ରୋଗୀ ସହ କଥାବାର୍ତ୍ତା କାଉନସିଲିଂ କରନ୍ତି। ଏହାସହ ରୋଗୀଙ୍କର ସିଟି ସ୍କାନ, ଇଜି, ମଧୁମେହ ବା ରକ୍ତ ପରୀକ୍ଷା କରାଯାଏ।

mental stress

ଅଧିକ ପଢ଼ନ୍ତୁ: କାହିଁକି ବଢ଼ୁଛି ମାନସିକ ରୋଗ?

ବାଇପୋଲାର ଡିସ୍‌ଅର୍ଡରର ଚିକିତ୍ସା (Treatment of bipolar disorder)

ବାଇପୋଲାର ଡିସଅର୍ଡର ରୋଗୀଙ୍କର ସ୍ଥିର ଚିନ୍ତାଧାରା ଆଣିବା ପାଇଁ  ମୁଡ ଷ୍ଟାବିଲାଇଜର ଏବଂ ସାଇକୋଥେରାପି ଚିକିତ୍ସା କରାଯାଏ। ଏହି ଥେରାପି ସାହାଯ୍ୟରେ ରୋଗୀ ତାଙ୍କ ଚିନ୍ତାଧାରା, ଭାବନା ଏବଂ ଆଚରଣରେ ପରିବର୍ତ୍ତନ ଆସିଥାଏ। ସାଇକୋଥେରାପି ମାଧ୍ୟମରେ ରୋଗୀମାନେ ଏକ ସୁସ୍ଥ ଜୀବନଯାପନ କରିପାରନ୍ତି। 

ବାଇପୋଲାର ଡିସ୍‌ଅର୍ଡରରେ ଶିକାର ଥିବା ବ୍ୟକ୍ତିଙ୍କ ଅବସ୍ଥାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। ଯଦି ବାଇପୋଲାର ଡିସ୍‌ଅର୍ଡର ପ୍ରଥମ ଥର ପାଇଁ ହୋଇଛି, ତେବେ ୬ରୁ ୯ ମାସ ଧରି ଚିକିତ୍ସା କରାଯାଏ। ଏହି ସମସ୍ୟା ଦ୍ୱିତୀୟ ଥର ପାଇଁ ହେଲେ ୨ରୁ ୩ ବର୍ଷ ଧରି ଚିକିତ୍ସା କରିବାକୁ ପଡ଼ିଥାଏ। ଯଦି ଜଣେ ବ୍ୟକ୍ତିଙ୍କୁ ୭ ବର୍ଷ ମଧ୍ୟରେ ତିନି ଥର ବାଇପୋଲାର ଡିସ୍‌ଅର୍ଡର ହୁଏ ତାହାହେଲେ ୫ ବର୍ଷ ଧରି ଚିକିତ୍ସା କରାଯାଏ। ଏଥିରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବେ। ରୋଗ ଭଲ ହୋଇଗଲା ଭାବି କେବେ ଔଷଧ ଛାଡ଼ିବେ ନାହିଁ।

କେମିତି ରୋକିବା ବାଇପୋଲାର ଡିସଅର୍ଡର? (How to prevent bipolar disorder in Odia)

ପରିବାରରେ କାହାକୁ ବାଇପୋଲାର ଥିଲେ ତାଙ୍କ ପିଲାମାନଙ୍କୁ ସତର୍କ ରହିବାକୁ ହେବ। ପରିବାରରେ କାହାକୁ ବାଇପୋଲାରର କୌଣସି ଲକ୍ଷଣ ଦେଖାଗଲେ ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଏହାଛଡ଼ା ଆମକୁ ସବୁ ସମସ୍ୟା ସହ ମୁକାବିଲା କରିବାକୁ ପଡ଼ିବ। ସକରାତ୍ମକ ଚିନ୍ତାଧାରା ରଖିବା, ଭଲ କାମ କରିବା, ବ୍ୟାୟାମ କିମ୍ବା ମେଡିଟେସନ୍‌ କରିବା।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on  Bipolar Disorder, in Odia language, is based on an extensive interview with psychiatrist Dr. Amrit Pattojoshi.