ଭଙ୍ଗା ହାଡ଼ର ଚିକିତ୍ସା କ’ଣ? ଏନେଇ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ବୟସ ବଢ଼ିବା ସହିତ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ଛୋଟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ।
ଅଷ୍ଟିଓପୋରସିସ୍ ସମସ୍ୟାର ନିରାକରଣ (Prevention of Osteoporosis in Odia)
ବୟସ୍କ ଲୋକଙ୍କର ବୟସ ବଢ଼ିବା ସହିତ ମାଂସପେଶୀରେ ଶକ୍ତି କମିଯିବା ସହିତ ହାଡ଼ରେ ଅଷ୍ଟିଓପୋରସିସ୍ ହୋଇଥାଏ। ଅଷ୍ଟିଓପୋରସିସ୍ର ନିରାକରଣ ପାଇଁ ଦୈନନ୍ଦିନ ୨ରୁ ୩ କିଲୋମିଟର ଚାଲିବାକୁ ହେବ। ବିଭିନ୍ନ ପ୍ରକାର ବ୍ୟାୟାମ କରିବାକୁ ହେବ। କାରଣ ମାଂଶପେଶୀ ସୁଦୃଢ଼ ହେଲେ ହାଡ଼ ମଜଭୁତ ହେବ।, ଫଳରେ ଅଷ୍ଟିଓପୋରସିସ୍ ହେବାର ଆଶଙ୍କା କମିଯିବ। ଅଷ୍ଟିଓପୋରସିସ୍ ନ ହେଲେ ପ୍ରାକ୍ଚର ହେବ ନାହିଁ।
ଅଧିକାଂଶ ଲୋକ ଭାବନ୍ତି କ୍ୟାଲ୍ସିୟମ୍ ଖାଇବା ଦ୍ୱାରା ଅଷ୍ଟିଓପୋରସିସ୍ ହେବ ନାହିଁ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ଜଣେ ବ୍ୟକ୍ତି କୌଣସି ଶାରୀରିକ ପରିଶ୍ରମ, ବ୍ୟାୟାମ କରୁନାହାନ୍ତି, ତେବେ ଯେତେ କ୍ୟାଲ୍ସିୟମ୍ ଖାଇଲେ ମଧ୍ୟ ଅଷ୍ଟିଓପୋରସିସ୍ ହେବାକୁ ରୋକିପାରିବେ ନାହିଁ।
ବର୍ତ୍ତମାନ ସମୟରେ ଲୋକଙ୍କଠାରେ ଭିଟାମିନ୍ ଡି-୩ ଅଭାବ ଦେଖାଦେଉଛି। କାରଣ ଆଜିକାଲି ଲୋକ ଏସିରେ ବସି ରହୁଛନ୍ତି, ଖରାକୁ ବାହାରୁ ନାହାନ୍ତି। ଯାହାଫଳରେ ଭିଟାମିନ୍ ଡି ଅଭାବ ଦେଖାଦେଉଛି, ଯାହାକି ଅଷ୍ଟିଓପୋରସିସ୍ ହେବାର ମୂଳ କାରଣ। ତେଣୁ ପ୍ରତିଦିନ, ସକାଳେ ସୂର୍ଯ୍ୟକିରଣରେ ଚାଲନ୍ତୁ। ଯେତେ ଆପଣ ଚାଲିବେ, ଶରୀର ସୁଦୃଢ଼ ହେବ ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହେବ।
ଭିଟାମିନ୍ ଡି ଅଭାବରୁ ଅଣ୍ଟା ବିନ୍ଧା ସମସ୍ୟା ମଧ୍ୟ ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍ ଡି ଔଷଧ ସେବନ କରିପାରିବେ। କିନ୍ତୁ ଔଷଧ ଖାଇବା ଅପେକ୍ଷା ନିୟମିତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବେ, ତାହାହେଲେ ଭିଟାମିନ୍ ଡି ଅଭାବ ହେବ ନାହିଁ।
ଅଧିକ ପଢ଼ନ୍ତୁ: ଅଣ୍ଟା ବିନ୍ଧା କାହିଁକି ହୁଏ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି
ଭଙ୍ଗା ହାଡ଼ର ଚିକିତ୍ସା କେମିତି ହୁଏ? (How is broken bone treated in Odia)
ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିଲେ, ସେ ଅଙ୍ଗ ଫୁଲିଯାଏ। ଏଭଳି ହେଲେ ୪୮ ଘଣ୍ଟା ପର୍ଯ୍ୟନ୍ତ ବରଫ ସେକ ଦିଅନ୍ତୁ। ଯଦି ଜଣେ ବ୍ୟକ୍ତି ପେନ୍ କିଲର ଖାଉନାହିଁ, ତେବେ ମଧ୍ୟ ବରଫ ସେକ ଦେଲେ ଯନ୍ତ୍ରଣା ବହୁତ ମାତ୍ରାରେ କମିଥାଏ। ଯଦି ବ୍ୟକ୍ତିଙ୍କର ଫ୍ରାକ୍ଚର ବା ହାଡ଼ ଭାଙ୍ଗିଯାଇଥାଏ, ତେବେ ସ୍ଲାବ୍ ପ୍ଲାଷ୍ଟର ଦିଆଯାଇଥାଏ। ଏହାଦ୍ଵାରା ରକ୍ତସ୍ରାବ କମିଯିବା ସହିତ ରୋଗୀଙ୍କର ଯନ୍ତ୍ରଣା ମଧ୍ୟ ହେବ ନାହିଁ।
ଗୋଡ଼ ହାଡ଼ ଯୋଡ଼ି ହେବା ପାଇଁ ଦୁଇରୁ ତିନି ମାସ ସମୟ ଲାଗୁଥିବା ବେଳେହାତ ହାଡ଼ ଯୋଡ଼ିହେବା ପାଇଁ ୨ ମାସ ସମୟ ଲାଗିଥାଏ। ପ୍ଲାଷ୍ଟର ପଦ୍ଧତିରେ ଚିକିତ୍ସା ହେଲେ ଉପର ଲିମ୍ବ୍ରେ ଦୁଇ ମାସ ଓ ତଳ ଲିମ୍ବରେ ତିନି ମାସ ସମୟ ଲାଗିଥାଏ। ଯେହେତୁ ପ୍ଲାଷ୍ଟର କିଛି ମାସ ପାଇଁ ହୋଇଥାଏ, ଏଣୁ ଗଣ୍ଠିଗୁଡ଼ିକ ବଧିରା ହୋଇଯାଏ। ଫଳରେ ପ୍ଲାଷ୍ଟର ପରେ ଫିଜିଓଥେରାପି କରିବାକୁ ପଡ଼ିଥାଏ। ହେଲେ ବର୍ତ୍ତମାନ ଚିକିତ୍ସା ପଦ୍ଧତିରେ ଅପରେସନ୍ କରିବା ପରେ ପ୍ଲେଟିଂ ଏବଂ ନେଲିଂ କରାଯାଉଛି। ଫଳରେ ପ୍ଲେଟିଂ କରିବା ପର ଦିନଠାରୁ ଫିଜିଓଥେରାପି କରାଯାଉଛି। ଏହା କରିବା ଦ୍ୱାରା ରୋଗୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତି।
ଅଧିକାଂଶ ଲୋକମାନେ ଦେଶୀ ଚିକିତ୍ସା କରନ୍ତି। ଦେଶୀ ଚିକିତ୍ସାରେ ସେକ ଓ ମାଲିସ୍ ଆଦି କରାଯାଏ ଫଳରେ ଗାଙ୍ଗ୍ରିନ୍ ହୋଇଯାଏ। ଛୋଟ ଛୁଆଙ୍କର ହାଡ଼ ଭାଙ୍ଗିଲେ କେବେହେଲେ ଦେଶୀ ଚିକିତ୍ସା କରନ୍ତୁ ନାହିଁ। ଏହାଛଡ଼ା ପ୍ଲାଷ୍ଟର ଖୋଲିବା ପରେ ଛୋଟ ଛୁଆଙ୍କର ମାଲିସ୍ ବିଲ୍କୁଲ କରନ୍ତୁ ନାହିଁ। ପୂର୍ବରୁ ଲୋକେମାନେ ଫ୍ଲାଷ୍ଟର ଖୋଲିବା ପରେ ଲହୁଣୀ ମାଲିସ୍ କରୁଥିଲେ। କିନ୍ତୁ, ଏହାଦ୍ଵାରା ଉକ୍ତ ସ୍ଥାନରେ କ୍ୟାଲ୍ସିୟମ୍ ଜମା ହୋଇ ଗଣ୍ଠି ବଧିରା ହୋଇଯାଏ। ପ୍ଲାଷ୍ଟର ଖୋଲିବା ପରେ ବରଫ ସେକ ଦେଇପାରିବେ।
ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? ଏହାର ନିରାକରଣ ଏବଂ ଚିକିତ୍ସା କ’ଣ?
ପ୍ଲାଷ୍ଟର କରିବା ପରେ ସାବଧାନତା (Precaution after plastering in Odia)
ଯେହେତୁ ପ୍ଲାଷ୍ଟର ଦୁଇ ତିନି ମାସ ଧରି ହୋଇଥାଏ, ଗଣ୍ଠିଗୁଡ଼ିକ ବଧିରା ହୋଇଯାଏ। ତେଣୁ ପ୍ଲାଷ୍ଟର ଖୋଲିବା ପରେ ଫିଜିଓଥେରାପି କରାଯାଏ। ପ୍ଲାଷ୍ଟର ହୋଇଥିବା ବେଳେ ତାକୁ ଓଦା କରିବେ ନାହିଁ। ପ୍ଲାଷ୍ଟର ହୋଇଥିବା ଯୋଗୁଁ ଲୋକଙ୍କର ଉକ୍ତ ସ୍ଥାନ କୁଣ୍ଡାଇ ହୋଇଥାଏ। ଏଥିପାଇଁ ସେଟ୍ରିଜିନ୍ ଔଷଧ ଦିଆଯାଏ।
ପ୍ଲାଷ୍ଟର ହେଲା ପରେ ଯନ୍ତ୍ରଣା କମିବା ପାଇଁ ୪ରୁ ୫ ଦିନ ପାଇଁ ପେନ୍କିଲର ଦିଆଯାଇଥାଏ। ଏହାପରେ କେବଳ କ୍ୟାଲସିୟମ୍ ଦିଆଯାଏ। ହେଲେ ବୟସ୍କ ଲୋକଙ୍କର ଅଷ୍ଟିଓପୋରସିସ୍ ଥିବାରୁ ସେମାନଙ୍କ ହାଡ଼ ଭାଙ୍ଗିଲେ ଇଞ୍ଜେକ୍ସନ୍ ଦେଇ ଯୋଡ଼ାଯାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବସନ୍ତ କୁମାର ବେହେରାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Bone Fracture, in Odia language, is based on an extensive interview with a Orthopedics & Joint Replacement Surgeon, Dr. Basanta Kumar Behera.