ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତ ଓ ହାତ ନଖକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ନଖ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥା’ନ୍ତି। 

ନଖକୁ ପ୍ରାକୃତିକ ଭାବେ ସୁସ୍ଥ ରଖିବା ଓ ଭଲ ରଖିବା ପାଇଁ କେବଳ ମାନିକିଓର ଯଥେଷ୍ଟ ନୁହେଁ। କିଛି ଅଭ୍ୟାସକୁ ବଦଳାଇଲେ ଏବଂ ତ୍ୱଚା ପରି ଏହାର ଯତ୍ନ ନେଲେ ଯାଇ ନଖ ସୁସ୍ଥ ରହିବ।

ଦାନ୍ତରେ ନଖକୁ ଛିଣ୍ଡାନ୍ତୁ ନାହିଁ: ଦାନ୍ତ ଦ୍ୱାରା ନଖ ଛିଣ୍ଡାଇଲେ ନଖ ଖରାପ ହୋଇଥାଏ। ନଖ ଏବଂ ଆଙ୍ଗୁଳିରେ ଲାଗିଥିବା କୀଟାଣୁ ମୁହଁକୁ ଯାଏ ଫଳରେ ଦେହ ଖରାପ ହୋଇଥାଏ।

ଅଧିକ ପଢ଼ନ୍ତୁ: ନିୟମିତ କାକୁଡ଼ି ଖାଇବାର ଫାଇଦା

ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ: ନଖକୁ ପ୍ରତିଦିନ ସଫା କରନ୍ତୁ। ଏହାର ଯତ୍ନ ନେବାପାଇଁ ଥିବା ସମସ୍ତ ଉପକରଣକୁ ନିୟମିତ ଭାବେ ଧୋଇବା ସହିତ ସାନିଟାଇଜ୍ କରନ୍ତୁ। ନଖକୁ ଅଧିକ ଲମ୍ବା ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ସେଥିରେ ଅଧିକ ମଳି ପଶିଥାଏ। ସୁବିଧା ଥିଲେ ନଖରେ ପ୍ରତିଦିନ ଟି ଟ୍ରି ଅଏଲ ଲଗାନ୍ତୁ। ଏହାଦ୍ୱାରା ନଖରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ପାରିବ ନାହିଁ।

ନଖକୁ ଶୁଖିଲା ରଖନ୍ତୁ: ନଖ ଯଦି ଅଧିକ ସମୟ ପାଇଁ ଓଦା ରହୁଥାଏ ତା’ହେଲେ ସେଥିରେ ବ୍ୟାକ୍ଟେରିଆ ଏବଂ ଅନ୍ୟ ଜୀବାଣୁ ସୃଷ୍ଟି ହୋଇଥା’ନ୍ତି। କେବଳ ସେତିକି ନୁହେଁ, ଏହାଦ୍ୱାରା ନଖ ଫାଟି ବି ଯାଏ। ସେଥିରୁ ରକ୍ଷା ପାଇବା ପାଇଁ ଯେତେବେଳେ ବି ହାତ ଧୋଉଛନ୍ତି ତୁରନ୍ତ ସଫା କପଡ଼ାରେ ପୋଛନ୍ତୁ। ବାସନ ମାଜିବାର ଥିଲେ ଗ୍ଲୋଭସ ପିନ୍ଧନ୍ତୁ।

ମଏଶ୍ଚରାଇଜର ଲଗାନ୍ତୁ: ତ୍ୱଚାକୁ କୋମଳ କରିବା ପାଇଁ ଯେପରି ମଇଶ୍ଚରାଇଜର ଆବଶ୍ୟକତା ରହିଛି, ସେହିପରି ନଖକୁ ନରମ ରଖିବା ପାଇଁ ମଧ୍ୟ କ୍ରିମ୍‌ର ଆବଶ୍ୟକତା ରହିଛି। ତେଣୁ ନଖରେ ନିୟମିତ ଭାବେ ମଏଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ରାତିରେ ଶୋଇବା ସମୟରେ ମଏଶ୍ଚରାଇଜର ଲଗାନ୍ତୁ।

ନିୟମିତ ନଖ କାଟନ୍ତୁ: ନଖକୁ ନିୟମିତ ଭାବେ ଟ୍ରିମ କରିବା ଦରକାର। ଏହାଦ୍ୱାରା ନଖରେ ଜୀବାଣୁ ରହେ ନାହିଁ। ତେଣୁ ଏକ ସପ୍ତାହ ବ୍ୟବଧାନରେ ନଖକୁ ନେଲକଟର କିମ୍ବା ବ୍ଲେଡ୍‌ ଦ୍ୱାରା କାଟି ଛୋଟ କରନ୍ତୁ। ପରେ ଫାଇଲର ସାହାଯ୍ୟରେ ତାକୁ ଏକ ସେପ୍ ଦିଅନ୍ତୁ। ଏପରି କଲେ ଦାନ୍ତରେ ନଖ ଛିଡ଼ାଇବାକୁ ଆପଣଙ୍କର ଇଚ୍ଛା ହେବନାହିଁ।

ଅଧିକ ପଢ଼ନ୍ତୁ: ଓଜନକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଜିରା ପାଣି

ଅଧିକ ନେଲପଲିସ ବ୍ୟବହାର କରନ୍ତୁ ନାହିଁ: କେତେକ ମହିଳାଙ୍କର ଅଭ୍ୟାସ ଥାଏ ଯେ, ନଖରୁ ଟିକେ ନେଲପଲିସ ଛାଡ଼ିଗଲେ ସେମାନେ ରିମୁଭର ସାହାଯ୍ୟରେ ନେଲପଲିସ୍‌ ଛଡ଼ାଇ ପୁଣି ଲଗାନ୍ତି। ଏଭଳି କରିବା ଦ୍ଵାରା ନଖ ଶୁଷ୍କ ହୋଇଯାଏ, ନଖର ଉପର ଭାଗ ଦୁର୍ବଳ ହୋଇଯାଏ। ତେଣୁ ମଝିରେ ମଝିରେ ହାତରେ ନେଲପଲିସ୍‌ ଲଗାନ୍ତୁ ନାହିଁ।

ନେଲ୍‌ ଏକ୍ସଟେନ୍‌ସନ୍‌ କରନ୍ତୁ ନାହିଁ: କୃତ୍ରିମ ନଖ ବା ନେଲ୍‌ ଏକ୍ସଟେନ୍‌ସନ୍‌ କରନ୍ତୁ ନାହିଁ। ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ନଖ ପାଇଁ ଖୁବ୍ କ୍ଷତିକାରକ। ଏହି ସବୁ ନଖରେ ଥିବା ରସାୟନ ନଖର ଆଖଆଖ ତ୍ୱଚାକୁ ବିଲକୁଲ ଶୁଷ୍କ କରିଦିଏ। ଯାହାଦ୍ୱାରା ବିଭିନ୍ନ ପ୍ରକାର ଚର୍ମରୋଗ ହୋଇଥାଏ।