ଯେକୌଣସି ପ୍ରକାର ମଧୁମେହ ହେଲେ ରୋଗୀର ତ୍ୱଚାକୁ ଏହା ପ୍ରଭାବିତ କରିଥାଏ। ତେଣୁ ମଧୁମେହ ରୋଗୀମାନେ ସ୍ୱତନ୍ତ୍ର ଭାବେ ତ୍ୱଚାର ଯତ୍ନ ନେବା ଜରୁରୀ।
ମଧୁମେହ ଦ୍ୱାରା ପ୍ରଭାବିତ ହେଲେ କିଛି ରୋଗୀଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହାର କାରଣ ହେଲା ଶର୍କରାର ପରିମାଣ ବଢ଼ିବା ଯୋଗୁ ଶରୀରର ଜଳୀୟ ଅଂଶ ଅନେକାଂଶରେ କ୍ଷୟ ହୋଇଥାଏ। ଶୁଷ୍କ ହେବା ଫଳରେ କିଛି ରୋଗୀଙ୍କର ତ୍ୱଚା କୁଣ୍ଡାଇ ବି ହୋଇଥାଏ। ପ୍ରାୟ ୩୦-୭୦ ପ୍ରତିଶତ ରୋଗ ମଧୁମେହ ହେବା ପରେ ସେମାନଙ୍କର ତ୍ୱଚାରେ ଏହି ପରିବର୍ତ୍ତନକୁ ଅନୁଭବ କରିଥାନ୍ତି। ସେମାନଙ୍କର ତ୍ୱଚା ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ବଢିଯାଇଥାଏ। ଏହାଛଡ଼ା ଇନସୁଲିନ୍ ନେବା ଫଳରେ ମଧ୍ୟ ତ୍ୱଚାରେ ଦାଗ, ତ୍ୱଚା ହଳଦିଆ ପଡ଼ିବା ଇତ୍ୟାଦି ହୋଇଥାଏ।
ମଧୁମେହ ଆମର ଝାଳ ତିଆରି ହେଉଥିବା ଗ୍ଲାଣ୍ଡ ଯାହାକି ତ୍ୱଚାକୁ ମଏଶ୍ଚରାଇଜ୍ଡ ଏବଂ ନରମ ରଖିବାରେ ସାହାଯ୍ୟ କରେ ତାକୁ ପ୍ରଭାବିତ କରିଥାଏ, ସେଥିଯୋଗୁ ଉପରୋକ୍ତ ସମସ୍ୟା ହୋଇଥାଏ। ଏହାଛଡ଼ା ସମୟ ସମୟରେ ରକ୍ତରେ ଶର୍କରାର ମାତ୍ରା ବଢ଼ିଯିବା ଯୋଗୁ ଶିରା କ୍ଷତିଗ୍ରସ୍ତ ହୋଇଥାଏ, ଏହାଦ୍ୱାରା ଚର୍ମରେ କିଛି ଅନୁଭବ କରିବାର ଶକ୍ତି ଲୋପ ପାଏ। ଏଭଳି ସ୍ଥିତି ହେବା ପୂର୍ବରୁ ସଚେତନ ହୋଇ ତ୍ୱଚାର ଯତ୍ନ ନିଅନ୍ତୁ।-ମଧୁମେହ ହେଲେ ଖୁବ୍ ଶୀଘ୍ର ଓଠ ଶୁଖିଯାଇଥାଏ। ଏପରିସ୍ଥଳେ ପାଖରେ ସବୁବେଳେ ଏକ ଲିପବାମ୍ ରଖନ୍ତୁ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଆପଣ ଏହା ସମ୍ବନ୍ଧୀୟ ଅନ୍ୟାନ୍ୟ ରୋଗରୁ ରକ୍ଷା ପାଇବେ।
-ତାପମାତ୍ରା କମିଯିବା ପରେ ବିଶେଷ କରି ଶୀତଦିନରେ ତ୍ୱଚା ଶୁଷ୍କ ହେବା ସମସ୍ୟା ଅଧିକ ଦେଖାଯାଏ। ତେଣୁ ଏହି ସମୟରେ ଏସି ବଦଳରେ ସାଧାରଣ ତାପମାତ୍ରାରେ ରହିବାକୁ ଚେଷ୍ଟା କିରନ୍ତୁ। ରୁମ୍ ହିଟର ଲଗାଇପାରିଲେ ଆହୁରି ଭଲ।
-ଗାଧୋଇବା ସମୟରେ ଉଷୁମ ପାଣି ବ୍ୟବହାର କରନ୍ତୁ। ଏହି ସମୟରେ ମଏଶ୍ଚରାଇଜର ଯୁକ୍ତ ସାବୁନ ବ୍ୟବହାର କଲେ ଆପଣ ସୁଫଳ ପାଇବେ।
-ତ୍ୱଚା କୁଣ୍ଡାଇ ହେବାର ମୁଖ୍ୟ କାରଣ ହେଉଛି ତୈଳାକ୍ତ ଅଂଶର ଅଭାବ। ତେଣୁ ଗାଧୋଇ ସାରିବା ପରେ ଏକ ଭଲ ମଏଶ୍ଚରାଇଜର ଲଗାନ୍ତୁ।
-ପାଖରେ ସବୁବେଳେ ପେଟ୍ରୋଲିୟମ୍ ଜେଲି ରଖନ୍ତୁ। ଏହା ତ୍ୱଚାକୁ ମୁଲାୟମ ରଖିବାରେ ସହାୟକ ହେବ।-ଓମେଗା-୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଯେପରକି ମାଛ, ସୋୟାବିନ୍ ପରି ଖାଦ୍ୟ ଖାଆନ୍ତୁ।
-ମଧୁମେହ ରୋଗୀମାନଙ୍କୁ କୌଣସି ପ୍ରକାର ତ୍ୱଚା ସମ୍ବନ୍ଧୀୟ ରୋଗ ହେଲେ ତାହା ସହଜରେ ଛାଡ଼େନାହିଁ। ଏପରିସ୍ଥଳେ ପ୍ରଥମରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରନ୍ତୁ। ଏଥିପାଇଁ ଅଁଳା, ଘିକୁଆଁରୀ, କଲରା ସେବନର ମାତ୍ରାକୁ ବଢ଼ାଇ ଦିଅନ୍ତୁ।