ଗାଉଟ୍ ବା ୟୁରିକ୍ ଏସିଡ୍ ଜନିତ ଆର୍ଥ୍ରାଇଟିସ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ବିଶିଷ୍ଟ ରୁମାଟଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଗାଉଟ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।
- ଶରୀରରେ ୟୁରିକ୍ ଏସିଡ୍ ବଢ଼େ କାହିଁକି?
- ଗାଉଟ୍ ବା ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ କ’ଣ?
- ଗାଉଟ୍ ରୋଗକୁ ଜାଣିବେ କେମିତି?
- ବିନା ରକ୍ତ ପରୀକ୍ଷାରେ ଗାଉଟ୍ ରୋଗକୁ ଚିହ୍ନିବେ କେମିତି?
- ଗାଉଟ୍ ରୋଗୀ କ’ଣ ଖାଇବେ ନାହିଁ?
- ଗାଉଟ୍ ରୋଗର ଚିକିତ୍ସା
- ଡାକ୍ତରଙ୍କ ପରାମର୍ଶ
ଶରୀରରେ ୟୁରିକ୍ ଏସିଡ୍ ବଢ଼େ କାହିଁକି? (Why does uric acid increase in the body in Odia)
ଅତ୍ୟଧିକ ଚର୍ବି ଥିବା ବ୍ୟକ୍ତିଙ୍କ ଶରୀରର ଫ୍ୟାଟ୍ ସେଲରୁ ବହୁତଗୁଡ଼ିଏ ୟୁରିକ୍ ଏସିଡ୍ ତିଆରି ହୁଏ। ଏଥିସହ ଆମିଷ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ବାହାରିଥାଏ।
କିଡ୍ନି ସଠିକ୍ ଭାବେ କାମ ନ କଲେ ଶରୀରରୁ ୟୁରିକ୍ ଏସିଡ୍ ନିଷ୍କାସନ ହେବାରେ ଅସୁବିଧା ହୁଏ। ଫଳରେ ରକ୍ତରେ ୟୁରିକ୍ ଏସିଡ୍ର ମାତ୍ରା ବୃଦ୍ଧି ପାଏ।
ଅତ୍ୟଧିକ ଆମିଷ ଖାଇଲେ ବା ମେଦବହୁଳ ଅଛନ୍ତି ବା ୟୁରିକ୍ ଏସିଡ୍ ଠିକ୍ ଭାବେ ନିଷ୍କାସନ ହୋଇପାରୁ ନାହିଁ ବା କିଡ୍ନି ଜନିତ ସମସ୍ୟା ଥାଏ, ତାହେଲେ ଶରୀରରେ ୟୁରିକ୍ ଏସିଡ୍ ବଢ଼େ।
ୟୁରିକ୍ ଏସିଡ୍ର ସାଧାରଣ ସ୍ତର ହେଉଛି ୪ରୁ ୬.୫ ମିଲିଗ୍ରାମ୍/ ଡେସିଲିଟର।.ୟୁରିକ୍ ଏସିଡ୍ର ସ୍ତର ୬.୫ରୁ ଅଧିକ ରହିଲେ ତାକୁ ହାଇପରଉରିସେମିଆ (Hyperuricemia) କହିଥାଉ।
ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢ଼ିଗଲେ ବିଭିନ୍ନ ସମସ୍ୟା ହୋଇଥାଏ, ଯେପରିକି ଗାଉଟ୍, କିଡ୍ନି ଷ୍ଟୋନ୍, କିଡ୍ନି ଫେଲ୍ୟୁୟର ଓ ହୃଦରୋଗ।
ଅଧିକ ପଢ଼ନ୍ତୁ: କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
ଗାଉଟ୍ ବା ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ କ’ଣ? (What is gout or uric acid arthritis in Odia)
ଗାଉଟ୍ ଏକ ପ୍ରକାର ପ୍ରଦାହଜନିତ ରୋଗ। ଶରୀରରେ ୟୁରିକ୍ ଏସିଡ୍ର ମାତ୍ରା ବୃଦ୍ଧି ପାଇଲେ ତାହା ରକ୍ତନଳୀରୁ ଯାଇ ଗଣ୍ଠିରେ ଜମା ହୁଏ। ଏହା ସାଧାରଣତଃ ବୁଢ଼ା ଆଙ୍ଗୁଠିରେ ସ୍ପଟିକ ଆକାରକୁ ଧାରଣ କରେ। ଫଳରେ ବୁଢ଼ା ଆଙ୍ଗୁଠିର ଗଣ୍ଠି ଫୁଲିଯାଏ ଓ ଦରଜ ହୁଏ, ଯାହାକୁ ଗାଉଟ୍ କହିଥାଉ।
ଗାଉଟ୍ ରୋଗକୁ ଜାଣିବେ କେମିତି? (How to diagnosis gout in Odia)
କେତେକ ଲୋକଙ୍କ ରକ୍ତରେ ୟୁରିକ୍ ଏସିଡ୍ର ସ୍ତର ବୃଦ୍ଧି ପାଇଲେ ବି ଗାଉଟ୍ ରୋଗ ହୋଇନଥାଏ। ତେଣୁ କେବଳ ରକ୍ତରେ ୟୁରିକ୍ ଏସିଡ୍ ସ୍ତର ମାପିଦେଲେ ଗାଉଟ୍ ସମସ୍ୟା ବିଷୟରେ ଜାଣିହୁଏ ନାହିଁ।
ଗାଉଟ୍ ଜନିତ ଆର୍ଥ୍ରାଇଟିସ୍ କେଉଁ ସମୟରେ ହେବ ତାହା ଅନୁମାନ କରି ହୁଏ ନାହିଁ। ଉଦାହରଣସ୍ୱରୂପ ଆପଣ ରାତିରେ ଭଲରେ ଶୋଇଥିବେ, ସକାଳୁ ଉଠିଲା ବେଳକୁ ବହୁତ ଜୋରରେ ଯନ୍ତ୍ରଣା ହୋଇ ଚାଲିବାରେ କଷ୍ଟ ହୋଇଥାଏ। ଚଳପ୍ରଚଳ ହେବା ପାଇଁ ଆପଣଙ୍କୁ ବାଡ଼ିର ଆବଶ୍ୟକତା ପଡ଼ିପାରେ। ୪ରୁ ୫ ଦିନ ଧରି ଅତ୍ୟଧିକ ଯନ୍ତ୍ରଣା ହେବ ଏବଂ ଆପେ ଆପେ ଭଲ ହୋଇଯିବ। ପୁଣି ମାସେ କି ଦୁଇମାସ କିମ୍ବା ବର୍ଷେ ପରେ ପୁଣି ଥରେ ୪ରୁ ୫ ଦିନ ପାଇଁ ହେବ ଓ ପୁଣି ଭଲ ହୋଇଯିବ।
ସବୁ ୟୁରିକ୍ ଏସିଡ୍ ଅଧିକା ଥିବା ଲୋକଙ୍କୁ ଗାଉଟ୍ ହୁଏ ନାହିଁ। ଯେଉଁମାନଙ୍କୁ ଗାଉଟ୍ ହୁଏ ସେହି ସମୟରେ ୟୁରିକ୍ ଏସିଡ୍ ପରୀକ୍ଷା କରିବେ, ତେବେ ୪୦ ପ୍ରତିଶତ ଲୋକଙ୍କର ୟୁରିକ୍ ଏସିଡ୍ ସ୍ତସାଧାରଣ ସ୍ତରରେ ଥାଏ।
ସାଧାରଣତଃ ଗାଉଟ୍ ପୁରୁଷ ଲୋକଙ୍କୁ ଅଧିକ ହୋଇଥାଏ। ମହିଳାଙ୍କର ଋତୁସ୍ରାବ ବନ୍ଦ ନ ହେଲା ପର୍ଯ୍ୟନ୍ତ ଗାଉଟ୍ ସମସ୍ୟା ହୁଏ ନାହିଁ।
ଅଧିକ ପଢ଼ନ୍ତୁ: ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?
ବିନା ରକ୍ତ ପରୀକ୍ଷାରେ ଗାଉଟ୍ ରୋଗକୁ ଚିହ୍ନିବେ କେମିତି? (How to diagnosis gout without blood tests in Odia)
ବିନା ରକ୍ତ ପରୀକ୍ଷାରେ ବି ଗାଉଟ୍ ସମସ୍ୟା ବିଷୟରେ ଜାଣିପାରିବେ।
ମହିଳାମାନଙ୍କର ଋତୁସ୍ରାବ ସମୟରେ ଇଷ୍ଟ୍ରୋଜେନ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ, ଯାହା ୟୁରିକ୍ ଏସିଡ୍କୁ ଜମା ହେବାକୁ ଦିଏ ନାହିଁ।
ପୁରୁଷମାନଙ୍କୁ ୪୦ ବର୍ଷ ପରେ ଗାଉଟ୍ ସମସ୍ୟା ହୋଇପାରେ। ଆଜିକାଲି ମୋଟାପଣ, ଫାଷ୍ଟଫୁଡ୍ ଅଧିକ ଖାଇବା ଯୋଗୁଁ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ବର୍ତ୍ତମାନ ୩୦ ବର୍ଷ ପରେ ଗାଉଟ୍ ସମସ୍ୟା ଦେଖାଦେଉଛି। ଏଥିସହ ଜିନ୍ଗତ କାରଣ ଯୋଗୁଁ ମଧ୍ୟ ଗାଉଟ୍ ସମସ୍ୟା ହୋଇପାରେ।
୩୦ ବର୍ଷ ପୂର୍ବରୁ ଗଣ୍ଠିବାତ ରୋଗ ହେଲେ, ତାକୁ ଗାଉଟ୍ ଜନିତ ଆର୍ଥ୍ରାଇଟିସ୍ ଭାବିବା ଭୁଲ।
ଯଦି ଜଣେ ବ୍ୟକ୍ତିଙ୍କୁ ପ୍ରଥମ ଥର ପାଇଁ ଗଣ୍ଠିବାତ ରୋଗ ହୁଏ ଓ ଲଗାତାର ୧୦ ଦିନରୁ ଅଧିକ ଦିନ ଧରି ହୁଏ ଏବଂ ୟୁରିକ୍ ଏସିଡ୍ ସ୍ତର ବଢ଼ିଥାଏ, ତେବେ ଏହା ୟୁରିକ୍ ଏସିଡ୍ ଜନିତ ଆର୍ଥ୍ରାଇଟିସ୍ ନ ହୋଇପାରେ।
ଗାଉଟ୍ ରୋଗୀ କ’ଣ ଖାଇବେ ନାହିଁ? (What to eat what to not in Odia)
ଗାଉଟ୍ ରୋଗୀମାନେ ଖାଦ୍ୟପାନୀୟରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଯେହେତୁ ଅଧିକ ଆମିଷ ଖାଇବା ଯୋଗୁଁ ଶରୀରରେ ୟୁରିକ୍ ଏସିଡ୍ର ମାତ୍ରା ବଢ଼ିଥାଏ, ତେଣୁ ମଦ୍ୟପାନ, ଫଳ ରସ, ମଟନ୍, ସାମୁଦ୍ରିକ ଖାଦ୍ୟ ଯଥା ଚିଙ୍ଗୁଡ଼ି, କଙ୍କଡ଼ା ଆଦି ଖାଆନ୍ତୁ ନାହିଁ।
ଅଧିକାଂଶ ଲୋକେ ଟମାଟୋ, ବାଇଗଣ, ଡାଲି, କୋବି ଖାଇବାକୁ ମନା କରିଥାଆନ୍ତି। ହେଲେ ପନିପରିବା ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ବୃଦ୍ଧି ପାଇନଥାଏ।
ଆମିଷରେ ଅଣ୍ଡା, ଚୂନା ମାଛ ଖାଇପାରିବେ। ଏଥିସହ କ୍ଷୀର, ଦହି ଖାଇପାରିବେ।
ଗାଉଟ୍ ରୋଗର ଚିକିତ୍ସା (Treatment of gout in Odia)
ପ୍ରାଥମିକ ଅବସ୍ଥାରୁ ଗାଉଟ୍ର ଚିକିତ୍ସା କରିବା ଦ୍ୱାରା ଦୀର୍ଘ ସ୍ଥାୟୀ ଫଳ ମିଳିଥାଏ। ଯଦି ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରିବେ, ତେବେ ଗୋଟେ କିମ୍ବା ଦୁଇଟି ମେଡିସିନ୍ ସେବନ କରି ଭଲ ହୋଇପାରିବେ। କିନ୍ତୁ, ସବୁବେଳେ ଜଣେ ରୁମାଟୋଲୋଜିଙ୍କ ପରାମର୍ଶରେ ଔଷଧ ସେବନ କରିବେ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ଗାଉଟ୍ ରୋଗୀମାନେ ଇଆଡ଼ୁ ସିଆଡ଼ୁ କଥା ଶୁଣି ଖାଦ୍ୟରେ ନିୟନ୍ତ୍ରଣ କରନ୍ତୁ ନାହିଁ।
ସଠିକ୍ ଡାକ୍ତରଙ୍କୁ ଦେଖାଇ, ସଠିକ୍ ଭାବେ ମେଡିସିନ୍ ଖାଆନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Gout, in Odia language, is based on an extensive interview with Rheumatologist Dr. Jyoti Ranjan Parida.