ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ କୋଷ୍ଠକାଠିନ୍ୟ ସମସ୍ୟାର କାରଣ ଓ ନିରାକରଣ ବିଷୟରେ ଜାଣନ୍ତୁ।

କୋଷ୍ଠକାଠିନ୍ୟ ସମସ୍ୟା କ’ଣ? (What is constipation in Odia)

କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ସପ୍ତାହ ଯାଏଁ ଆପଣଙ୍କ ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି କିମ୍ବା ମଳଦ୍ୱାର ପାଖରେ ଝାଡ଼ା ଅଟକି ରହୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ।

ଡାକ୍ତରଙ୍କ ହିସାବରେ, ଦୁଇ କିମ୍ବା ତିନି ଦିନରେ ଥରେ ଝାଡ଼ା ହେବା ସାଧାରଣ କଥା ଏବଂ ଗୋଟେ ଦିନରେ ଦୁଇ ଥରରୁ ତିନି ଥର ଝାଡ଼ା ହେବା ମଧ୍ୟ ସାଧାରଣ।

constipation

କୋଷ୍ଠକାଠିନ୍ୟ କାହାକୁ ହୋଇପାରେ? (Who can have constipation in Odia)

ଛୋଟ ପିଲାଙ୍କୁ ବିନା କୌଣସି କାରଣରେ ବି କୋଷ୍ଠକାଠିନ୍ୟ ହୋଇପାରେ। କାରଣ ଛୁଆମାନେ ପାଣି କମ୍‌ ପିଅନ୍ତି, ତନ୍ତୁଜାତୀୟ ଖାଦ୍ୟ କମ୍‌ ଖାଆନ୍ତି। ଫଳରେ ସେମାନଙ୍କୁ ଏହି ସମସ୍ୟା ହୋଇଥାଏ। ସାଧାରଣତଃ ମହିଳା, ଗର୍ଭବତୀ ମହିଳାଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଯାଏ। ଏହାଛଡ଼ା ଚଲାବୁଲା କମ୍‌ କରୁଥିବାରୁ ବୃଦ୍ଧାବସ୍ଥାରେ ଏହି ସମସ୍ୟା ହୋଇପାରେ।

କୋଷ୍ଠକାଠିନ୍ୟ ହେବାର କାରଣ କ’ଣ? (Causes of constipation in Odia)

ରେକ୍ଟମ୍‌ ବା କଲୋନ୍‌ରେ କର୍କଟ ବା ଟ୍ୟୁମର ହେଲେ ତାହା ଅନ୍ତଃନଳୀ ରାସ୍ତା ବନ୍ଦ କରିଦିଏ। ଫଳରେ କୋଷ୍ଠକାଠିନ୍ୟ ହୋଇପାରେ। ଅନ୍ତନଳୀରେ ଅଲସର ହେଲେ ମଧ୍ୟ କୋଷ୍ଠକାଠିନ୍ୟ ହୋଇପାରେ। ହାଇପୋଥାଇରଏଡିଜମ୍‌, ଡାଏବେଟିସ୍‌, ସ୍ନାୟୁଗତ ସମସ୍ୟା ଯୋଗୁଁ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ।

କୋଷ୍ଠକାଠିନ୍ୟ ସମସ୍ୟାର ଲକ୍ଷଣ (Symptoms of constipation in Odia)

ଗୋଟେ କିମ୍ବା ଦୁଇ ଦିନ ଝାଡ଼ା ନ ହେଲେ ଚିନ୍ତିତ ହୁଅନ୍ତୁ ନାହିଁ। କିନ୍ତୁ, ଟାଣ ଝାଡ଼ା ସହ ରକ୍ତ ପଡ଼ୁଥିଲେ, ତାହା ଚିନ୍ତାର ବିଷୟ। କାରଣ ଏହା ଅର୍ଶ, ମଳକଣ୍ଟକ ହୋଇପାରେ।

କୋଷ୍ଠକାଠିନ୍ୟର ପରୀକ୍ଷଣ (Diagnosis of constipation in Odia)

କେଉଁ କାରଣରୁ କୋଷ୍ଠକାଠିନ୍ୟ ହୋଇଛି ଜାଣିବା ଦରକାର। ଏଥିପାଇଁ ରକ୍ତ ଶର୍କରା, ଥାଇରଏଡ୍‌, ଅଲଟ୍ରାସାଉଣ୍ଡ, କଲୋନୋସ୍କୋପି, ସିଟିସ୍କାନ ଭଳି ପରୀକ୍ଷା କରାଯାଏ। ତେଣୁ ରୋଗୀଙ୍କ ସମସ୍ୟା ଦେଖି ପରୀକ୍ଷା କରାଯାଏ।

କୋଷ୍ଠକାଠିନ୍ୟର ଚିକିତ୍ସା କେମିତି ହୁଏ? (Treatment of constipation in Odia)

ଯେଉଁ କାରଣରୁ କୋଷ୍ଠକାଠିନ୍ୟ ହେଉଛି ତାହାର ଚିକିତ୍ସା କରାଯାଏ।

ଯଦି କୌଣସି ସମସ୍ୟା ନ ଥାଇ କୋଷ୍ଠକାଠିନ୍ୟ ହୋଇଥାଇପାରେ, ତେବେ ବ୍ୟକ୍ତିଙ୍କୁ ଫାଇବରଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଯେପରିକି ବେଲ, ଫଳମୂଳ, ଶାଗ ଭଳି ଖାଦ୍ୟ ସହ ନଖ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ଯଦି ସପ୍ତାହେ ଧରି ଝାଡ଼ା ହେଉ ନାହିଁ କିମ୍ବା ଟାଣ ଝାଡ଼ା ହୋଇ ରକ୍ତ ପଡ଼ୁଥାଏ, ତେବେ ଡାକ୍ତରଙ୍କୁ ପରାମର୍ଶ ନିଶ୍ଚୟ କରନ୍ତୁ।

କୋଷ୍ଠକାଠିନ୍ୟ ଲାଗି ରହିଲେ କ’ଣ ଅସୁବିଧା ହେବ? (What would be the problem if constipation persists in Odia)

ଯଦି ଜଣେ ବ୍ୟକ୍ତିଙ୍କର ହୃଦ୍‌ରୋଗ ଅଛି ଓ ତାଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ହୁଏ, ତାହାହେଲେ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଯାଏ। ଏହାସହ ଅଧିକ ଦିନ ଧରି ଝାଡ଼ା ସଫା ନ ହେଲେ ବ୍ୟକ୍ତି ମାନସିକ ଭାବେ ଚିନ୍ତିତ ହୋଇପଡ଼ନ୍ତି। ତେଣୁ ଏହାର ସମାଧାନ କରିବା ଆବଶ୍ୟକ।

High Fiber Food

ଖାଦ୍ୟପେୟ ଠିକ୍ ରଖନ୍ତୁ (Healthy diet necessary in Odia)

ତନ୍ତୁଜାତୀୟ ଖାଦ୍ୟ ସେବନ କରନ୍ତୁ। ଯଥା- ସବୁଜ ପନିପରିବା, ଫଳମୂଳ, ବେଲ, ସାଲାଡ୍‌।

ପ୍ରଚୁର ପାଣି ପିଅନ୍ତୁ।

ଜଙ୍କଫୁଡ୍‌, ମଇଦା, ଚିନି, ତେଲମସଲା ଖାଦ୍ୟ ଖାଆନ୍ତୁ ନାହିଁ।

କେମିତି ରୋକିବେ କୋଷ୍ଠକାଠିନ୍ୟ? (How to prevent constipation in Odia)

ନିୟମିତ ସବୁଜ ପନିପରିବା, ସାଲାଡ ଭଳି ତନ୍ତୁଜାତୀୟ ଖାଦ୍ୟ ସେବନ କରିବା ଦରକାର।

ନିୟମିତ ବ୍ୟାୟାମ କିମ୍ବା ଚାଲିବା ଆବଶ୍ୟକ।

ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ର ସେବନ କମ୍‌ କରନ୍ତୁ।

ଚାପମୁକ୍ତ ରହନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Constipation, in Odia language, is based on an extensive interview with ‌gastroenterologist Dr Sushant Kumar Sethi.