ସ୍ତନ କର୍କଟ ପାଇଁ ସ୍କ୍ରିନିଂ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସମୟରେ ଏହାକୁ ଜାଣି ଚିକିତ୍ସା ନକଲେ ଏହା ଜୀବନ ନେଇଥାଏ।
ବର୍ତ୍ତମାନ ସମୟରେ ସ୍ତନ କର୍କଟ କାୟା ବିସ୍ତାର କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସନ୍ତାନ ଜନ୍ମ ନ କରିବା, ଅଧିକ ବୟସରେ ସନ୍ତାନ ଜନ୍ମ କରିବା, ସ୍ତନ୍ୟପାନ ନ କରାଇବା, ଅତ୍ୟଧିକ ଓଜନ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଅନେକ ମହିଳା ସ୍ତନ କର୍କଟର ଶିକାର ହେଉଛନ୍ତି। ଏହାଛଡ଼ା ଆନବଂଶିକ କାରଣ ଯୋଗୁଁ ମଧ୍ୟ ସ୍ତନ କର୍କଟ ହୋଇଥାଏ।
ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୂର୍ବରୁ ୫୦ ବର୍ଷରୁ ଅଧିକ ମହିଳାମାନଙ୍କୁ ସ୍ତନ କର୍କଟର ଆଶଙ୍କା ରହୁଥିବାବେଳେ ଆଜିକାଲି ୪୫ ବର୍ଷରୁ କମ୍ ଏପରିକି ତାଠାରୁ କମ୍ ବୟସର ମହିଳା ବି ସ୍ତନ କର୍କଟର ଶିକାର ହେଉଛନ୍ତି। ଠିକ୍ ସମୟରେ ଏହାକୁ ଜାଣି ଚିକିତ୍ସା ନକଲେ ଏହ ଜୀବନ ନେଇଥାଏ। ଏଥିପାଇଁ ନିୟମିତ ଭାବେ ସ୍କ୍ରିନିଂ କରିବା ଦରକାର।
ଲକ୍ଷଣ
- ସ୍ତନ କିମ୍ବା କାଖରେ ଆବୁର ଲକ୍ଷଣ ଅନୁଭବ ହେବା
- ସ୍ତନର କୌଣସି ଭାଗକୁ ସ୍ପର୍ଶ କଲେ ଟାଣ କିମ୍ବା ଫୁଲା ଅନୁଭବ ହେବା
- ସ୍ତନ ଚର୍ମ ମଳିନ ହୋଇଯିବା କିମ୍ବା ଘିମିରି ଭଳି ଫଳିଯିବା
- ସ୍ତନ ଚର୍ମରେ ଲାଲ ଦାଗ କିମ୍ବା ଶୁଖିଲା ପରତ ପଡ଼ିବା
- ସ୍ତନାଗ୍ରରେ ପୀଡ଼ା କିମ୍ବା ଚର୍ମ ଭିତରକୁ ଟାଣି ହେବା
- ସ୍ତନ କିମ୍ବା ସ୍ତନର ଆକାରରେ ପରିବର୍ତ୍ତନ
- ସ୍ତନର କୌଣସି ଭାଗରେ ପୀଡ଼ା ହେବା
- ସ୍ତନରୁ ଦୁଗ୍ଧ ସହିତ ରକ୍ତସ୍ରାବ ହେବା
ରକ୍ଷା ପାଇବା ଲାଗି ସ୍କ୍ରିନିଂ କରନ୍ତୁ
ସ୍ତନ କର୍କଟରୁ ରକ୍ଷା ପାଇବା ଲାଗି ଏ ସଂପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି। ସତର୍କତା ଯୋଗୁଁ ପ୍ରାଥମିକ ଅବସ୍ଥାରେ ସ୍ତନ କର୍କଟର ଚିହ୍ନଟ ସମ୍ଭବ। ତେଣୁ ସବୁ ବୟସର ମହିଳାମାନେ ସ୍ତନର ପରିବର୍ତ୍ତନ ପ୍ରତି ନିଜେ ଦୃଷ୍ଟି ରଖିବା ଆବଶ୍ୟକ।
ଉପରୋକ୍ତ ଲକ୍ଷଣ ଗୁଡ଼ିକ ଦେଖାଯାଉଛି କି ନାହିଁ ତାହା ପ୍ରତି ମାସରେ ନିଜେ ପରୀକ୍ଷା କରିବା ଆବଶ୍ୟକ। ଡାକ୍ତରମାନେ୨୦ ବର୍ଷ ପର୍ଯ୍ୟନ୍ତ ଯୁବତୀମାନଙ୍କୁ ପ୍ରତି ମାସରେ ସେଲଫ୍ ବ୍ରେଷ୍ଟ ଏକ୍ସାମିନେସନ(ଏସବିଇ) ଏବଂ ଥରେ କ୍ଲିନିକାଲ ଏକ୍ସାମିନେସନ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ପ୍ରତି ଥର ଋତୁସ୍ରାବର ୭ମ ଦିନ ଏହାକୁ କରିବା ଆବଶ୍ୟକ ପଡ଼ିଥାଏ। ନିଜେ ପରୀକ୍ଷା କରିବା ପରେ ଯଦି ଉପରୋକ୍ତ ଲକ୍ଷଣ ଦେଖାଯାଏ ତା’ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।
ଯେଉଁ ମହିଳାମାନଙ୍କର ପରିବାରରେ ପୂର୍ବରୁ କାହାରିକୁ ସ୍ତନ କର୍କଟ ରୋଗ ହୋଇଥିବ ସେମାନେ ୨୦ ବର୍ଷ ବୟସରୁ ପ୍ରତି ୩ ବର୍ଷରେ ମାମୋଗ୍ରାମ କରାଇନେବା ଉଚିତ୍। ୪୦ ବର୍ଷ ପରେ ସେମାନଙ୍କ ପାଇଁ ବର୍ଷକୁ ଥରେ ମାମୋଗ୍ରାମ କରାଇ ନେବା ଆବଶ୍ୟକ ପଡ଼ିଥାଏ। ମାମୋଗ୍ରାମ ବ୍ୟତୀତ ସ୍ତନ କର୍କଟର ଚିହ୍ନଟ ପାଇଁ ଅଲଟ୍ରାସାଉଣ୍ଡ ବି କରାଯାଏ। ରିସ୍କ ଅଧିକ ଥିଲେ ସ୍ତନ କର୍କଟର ଯାଞ୍ଚ ପାଇଁ ସ୍ତନର ଏମ୍ଆରଆଇ କରାଯାଏ।
ଚିକିତ୍ସା
ଅନ୍ୟ ସବୁ ପ୍ରକାର କର୍କଟ ଭଳି ସ୍ତନ କର୍କଟର ଚିକିତ୍ସା ପାଇଁ କେମୋଥେରାପି, ରାଡ଼ିଏସନ୍ ବା ବିକିରଣ ପଦ୍ଧତି ଏବଂ ଅସ୍ତ୍ରୋପଚାର ପଦ୍ଧତିକୁ ଗ୍ରହଣ କରାଯାଏ। ପରିସ୍ଥିତି ଅଧିକ ଜଟିଳ ହୋଇଥିଲେ ପୀଡ଼ିତ ରୋଗୀଙ୍କର ସ୍ତନକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିଦିଆଯାଇଥାଏ।
ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ
ସ୍ତନ କର୍କଟର ଚିହ୍ନଟ ପାଇଁ ସ୍କ୍ରିନିଂ କରିବା ଭଳି ଏହା ଯେପରି ନ ହେବ ସେଥିଲାଗି ପଦକ୍ଷେପ ନେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସ୍ତନ କର୍କଟ ନ ହେବା ପାଇଁ ନିୟମିତ ଭାବେ ଯୋଗ, ବ୍ୟାୟାମ କରନ୍ତୁ। ଲୁଣ, ଛେଳି ମାଂସ ଖାଇବା କମ୍ କରନ୍ତୁ। ସୂର୍ଯ୍ୟକିରଣରେ ବାହାରକୁ ବାହାରନ୍ତୁ ନାହିଁ। ଅଧିକ ମାତ୍ରାରେ ଧୂମପାନ, ଗର୍ଭନିରୋଧକ ଟାବଲେଟର ନିୟମିତ ସେବନ, ଚା’କୁ ଅତ୍ୟଧିକ ଗରମ କରି ପିଇବାରୁ ନିବୃତ୍ତ ରୁହନ୍ତୁ।
ଗ୍ରୀନ୍ ଟିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ସବୁଦିନ ତାକୁ ପିଇବା ଅଭ୍ୟାସ କରନ୍ତୁ। ଭିଟାମିନ ଡି କର୍କଟ ରୋଗର କୋଷିକାଗୁଡ଼ିକର ବୃଦ୍ଧିକୁ ରୋକିବାରେ ସହାୟକ ହୋଇଥାଏ। ତେଣୁ ନିୟମିତ କ୍ଷୀର ଓ ଦହି ଖାଇବା ଅଭ୍ୟାସ କରନ୍ତୁ। ଏହାଛଡ଼ା ଭିଟାମିନ୍ ସି’ ଯୁକ୍ତ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ।