ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନ୍ ବିଷୟରେ କଥା ହେବାର ଦେଖିବାକୁ ମିଳିଛି। ହେଲେ ନିମ୍ନ ରକ୍ତଚାପ ବା ହାଇପୋଟେନ୍ସନ୍ ମଧ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।
ସିଷ୍ଟୋଲିକ ଚାପ ୯୦ ମିଲିମିଟର ମରକ୍ୟୁରୀରୁ କମ୍ ଓ ଡାଇଷ୍ଟୋଲିକ ଚାପ ୬୦ ମିଲିମିଟର ମରକ୍ୟୁରୀରୁ କମ୍ ହେଲେ ନିମ୍ନ ରକ୍ତଚାପ ବା ହାଇପୋଟେନ୍ସନ୍ ବୋଲି ବିବେଚନା କରାଯାଏ। ଆପଣଙ୍କର ନିମ୍ନ ରକ୍ତଚାପ କ’ଣ ପାଇଁ ହେଉଛି, ତାହା ଜାଣିବା ଦରକାର ଫଳରେ ଏହାର ଚିକିତ୍ସା କରିପାରିବେ।
ଲକ୍ଷଣ
ମୁଣ୍ଡ ବୁଲାଇବା
ବେହୋସ ହୋଇଯିବା
ଆଖିକୁ ଜାଲଜୁଲିଆ ଦେଖାଯିବା।
ଥକ୍କାପଣ
ବାନ୍ତି ଲାଗିବା
ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଏକାଗ୍ରତା ନ ଲଗାଇପାରିବା
ଅତ୍ୟଧିକ ହାଇପୋଟେନ୍ସନ୍ର ଲକ୍ଷଣ:
ମନରେ ଦ୍ୱନ୍ଦ୍ଵ ସୃଷ୍ଟି ହେବା
ଥଣ୍ଡା, ଚର୍ମର ରଙ୍ଗ ହଳଦିଆ ପଡ଼ିବା
ନିଶ୍ୱାସର ବେଗ ବଢ଼ିଯିବା
ଦୁର୍ବଳ ଲାଗିବା
ଦିନ ତମାମ, ରକ୍ତଚାପ ଭିନ୍ନ ଭିନ୍ନ ରହିଥାଏ। ନିଶ୍ଵାସ ପ୍ରଶ୍ୱାସର ବେଗ ଅନୁଯାୟୀ, ଚାପ, ଶାରୀରିକ ପରିଶ୍ରମ ଅନୁଯାୟୀ, କ’ଣ ଖାଉଛନ୍ତି ଓ ଦିନ ତମାମ କ’ଣ ପିଉଛନ୍ତି ତାହା ଅନୁଯାୟୀ ରକ୍ତଚାପ ଭିନ୍ନ ଭିନ୍ନ ରହିଥାଏ। ହଠାତ୍ ରକ୍ତଚାପରେ ପତନ ବିପଦଜ୍ଜନକ ହୋଇପାରେ। ସିଷ୍ଟୋଲିକ ଚାପ ୧୧୦ ମିଲିମିଟର ମରକ୍ୟୁରୀରୁ ୯୦ ମିଲିମିଟର ମରକ୍ୟୁରୀକୁ ହ୍ରାସ ହେଲେ, ଉଦାହରଣ ସ୍ଵରୁପ: ମସ୍ତିଷ୍କ ପର୍ଯ୍ୟାପ୍ତ ପରିମାଣର ରକ୍ତ ନ ପାଇପାରିଲେ ମୁଣ୍ଡ ବୁଲାଇବା ଓ ବେହୋସ ଭଳି ଲକ୍ଷଣ ଦେଖାଦିଏ।
କାରଣ
ଗର୍ଭାବସ୍ଥା ସମୟରେ ହାଇପୋଟେନ୍ସନ୍ ସମସ୍ୟା ଦେଖାଦେଇଥାଏ।
ହୃଦୟ ଜନିତ ସମସ୍ୟା ଥିଲେ ନିମ୍ନ ରକ୍ତଚାପ ସମସ୍ୟା ହେବାର ଆଶଙ୍କା ଥାଏ।
ଶରୀରରେ ଜଳୀୟଅଂଶର ଅଭାବ ହେଲେ, ଦୁର୍ବଳତା ମୁଣ୍ଡ ବୁଲାଇବା ଓ ଥକ୍କାପଣର କାରଣ ହୋଇପାରେ। ଜ୍ଵର, ବାନ୍ତି, ଝାଡ଼ା, ଅଧିକ ଶାରୀରିକ ପରିଶ୍ରମ ଦ୍ୱାରା ମଧ୍ୟ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ।
କୌଣସି ଦୁଘର୍ଟଣା ବା ସର୍ଜରୀ ଦ୍ୱାରା ଯଦି ରକ୍ତ କ୍ଷୟ ହୋଇଥାଏ, ତେବେ ରକ୍ତଚାପ ହ୍ରାସ ହୋଇଥାଏ।
ଶରୀରରେ ପୋଷଣର ଅଭାବ ହେଲେ ରକ୍ତଚାପ ହ୍ରାସ ହୋଇଥାଏ।
ବସିଥିବା ଅବସ୍ଥାରେ ବା ଶୋଇଥିବା ଅବସ୍ଥାରେ ହଠାତ୍ ଛିଡ଼ା ହୋଇଗଲେ ରକ୍ତଚାପ ହ୍ରାସ ପାଇଥାଏ। କିନ୍ତୁ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ହେବାର ବିଭିନ୍ନ କାରଣ ଥାଏ, ଯେପରିକି ଶରୀରରେ ଜଳୀୟଅଂଶର ଅଭାବ, ମଧୁମେହ, ହୃଦୟ ସମସ୍ୟା, ଗର୍ଭାବସ୍ଥା,, ଛାତି ଜ୍ଵଳାପୋଡ଼ା ଓ ସ୍ନାୟୁଗତ ସମସ୍ୟା ଆଦି।ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ସାଧାରଣତଃ ବୟସ୍କମାନଙ୍କଠାରେ ଦେଖାଯାଏ। ଯୁବକମାନଙ୍କଠାରେ ମଧ୍ୟ ଦେଖାଦିଏ।
ଖାଇସାରିବା ପରେ ବି ହଠାତ୍ ରକ୍ତଚାପ ହ୍ରାସ ପାଇଥାଏ। ଏପରି ସମସ୍ୟା ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଯାଏ।
କାହାଠାରେ ଦେଖାଦିଏ ହାଇପୋଟେନ୍ସନ୍
ନିମ୍ନ ରକ୍ତଚାପ ବା ହାଇପୋଟେନ୍ସନ୍ ଯେକୌଣସି ବ୍ୟକ୍ତିଙ୍କଠାରେ ହୋଇପାରେ।
ଖାଇସାରିବା ପରେ ସଙ୍ଗେ ସଙ୍ଗେ ଛିଡ଼ା ହୋଇଗଲେ ରକ୍ତଚାପ ହ୍ରାସ ପାଇଥାଏ। ଏଭଳି ଅବସ୍ଥା ସାଧାରଣତଃ ୬୫ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଦେଖାଦିଏ।
ଯେଉଁ ବ୍ୟକ୍ତିମାନେ ଔଷଧ ସେବନ କରିଥା’ନ୍ତି ବା ଉଚ୍ଚ ରକ୍ତଚାପ ମେଡିସିନ୍ ସେବନ କରୁଥିବେ, ସେମାନଙ୍କଠାରେ ରକ୍ତଚାପ ହ୍ରାସ ପାଇଥାଏ।
ପାର୍କିନ୍ସନ୍ ରୋଗ, ଡାଏବେଟିସ୍ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ଥିଲେ ହାଇପୋଟେନ୍ସନ୍ ହେବାର ଆଶଙ୍କା ଥାଏ।
ରକ୍ତଚାପ କିପରି ମପାଯାଏ?
ରକ୍ତଚାପ ମାପିବା ଯନ୍ତ୍ରକୁ ସ୍ୱିଗ୍ମୋମାନୋମିଟର କୁହାଯାଏ। ଏହା ଦୁଇ ପ୍ରକାରର ଯଥା- (୧) ପାରଦ ଭରା କେପିଲରୀ (୨) ଶୁଷ୍କ ବ୍ୟାରୋମିଟର।
ଯେଉଁ ଲୋକର ରକ୍ତଚାପ ମପାଯାଏ ତା’କୁ ବସେଇବା ବା ଶୁଆଇବା ପରେ ବାହୁର ଉପରି ଭାଗରେ କହୁଣୀର ଉପରେ ଯନ୍ତ୍ର ସହିତ କପଡ଼ା ଥଳୀ, ଯେଉଁଥିରେ ଦୁଇଟି ନଳୀ ସଂଯୁକ୍ତ ରହିଥାଏ ବନ୍ଧାଯାଏ। ଏଥିରେ ଗୋଟିକର ସମ୍ବନ୍ଧ ରହିଛି ରକ୍ତଚାପ ମାପିବା ଯନ୍ତ୍ର ସହିତ, ଅନ୍ୟଟି ଗୋଲାକାର ବଲ ସଦୃଶ ପମ୍ପ ଯନ୍ତ୍ର। ରକ୍ତଚାପର ସଠିକ୍ ମାପ ପାଇଁ ରୋଗୀକୁ ସେହି ସମୟରେ ରିଲାକ୍ସ ହୋଇ ରହିବା ଜରୁରୀ। କାରଣ ମାନସିକ ଉଦ୍ଦିପନା ଆଦି ସ୍ଥିତିରେ ଠିକ୍ ମାପ ହୋଇ ନ ଥାଏ। ରବର ଥଳୀକୁ ବାହୁରେ ବାନ୍ଧିଦେବା ପରେ ରକ୍ତଚାପ ମପାଯାଏ। ଏହା ପରେ ରବର ବଲ୍କୁ ଚାପଦେଇ ପମ୍ପ କରାଯାଏ, ଏହାଦ୍ୱାରା ବ୍ୟାରୋମିଟରର ପାରଦ ଉପରକୁ ଉଠିଥାଏ। ପାରଦ ଉପରେ ଚଢିବା ମାତ୍ରେ ଡାକ୍ତର ରୋଗୀର ଡ୍ରେଙ୍କିୟଲ ଧମନୀ ଉପରେ ଷ୍ଟେଥୋସ୍କୋପ ରଖି ରକ୍ତ ପ୍ରବାହ ଶୁଣିଥାନ୍ତି। ଏହା ସହିତ ରବର ବଲ୍ର ଚାପକୁ କମ୍ କରିଥାନ୍ତି। ସିଷ୍ଟୋଲିକ ଚାପ କାଳରେ ରକ୍ତ ପ୍ରବାହିତ ହୋଇ ଷ୍ଟେଥୋସ୍କୋପ୍ ରହିଥିବା ସ୍ଥାନରେ ପହଞ୍ଚିଯାଇଥାଏ। ସିଷ୍ଟୋଲିକ୍ ଚାପ ଦ୍ୱାରା ହୃତ୍ପିଣ୍ଡର ପ୍ରତିଟି ସ୍ପନ୍ଦନରେ ଏକ ଜୋର ଶବ୍ଦ ଆସିଥାଏ। ଏହା ବ୍ଲଡପ୍ରେସରର ଅଧିକତମ ରିଡିଙ୍ଗ୍ ଅଟେ। ଏହା ପରେ ପବନ ଚାପ କମ୍ କରାଯାଇଥାଏ। ରବର ବଲ୍କୁ ଢିଲା କରିଦେବା ଦ୍ୱାରା ପବନ ବାହାରି ଆସେ। ଯାହାଦ୍ୱାରା କି ପାରଦ ତଳକୁ ଖସି ଆସିଥାଏ। ଏହା ସହିତ ହୃତ୍ପିଣ୍ଡର ସ୍ପନ୍ଦନ ଧୀରେ ଧୀରେ କମିଥାଏ। ଏହାକୁ ଡାଇଷ୍ଟୋଲିକ ଚାପ ବୋଲି କୁହାଯାଏ। ଡାକ୍ତର ପ୍ରାୟ ୨-୩ଥର ଏହି କ୍ରିୟାକୁ ଦୋହରାଇଥାନ୍ତି। ଯାହା ଫଳରେ କି ପ୍ରେସର ମାପିବାରେ କୌଣସି ତ୍ରୁଟିହୋଇ ନ ଥାଏ।
ଚିକିତ୍ସା
ନିମ୍ନ ରକ୍ତଚାପ ବ୍ୟକ୍ତିଙ୍କୁ ଡାକ୍ତରମାନେ ଖାଦ୍ୟରେ ଲୁଣର ମାତ୍ରା ବଢ଼ାଇବାକୁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଶରୀରରେ ସୋଡିୟମ୍ ମାତ୍ରା ଅଧିକ ହେଲେ ବୟଷ୍କଙ୍କଠାରେ ହୃଦଘାତ ହେବାର ଆଶଙ୍କା ଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ଅଧିକ ପାଣି ପିଅନ୍ତୁ: ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦେଖାଦେଇ ନଥାଏ। ଏହା ରକ୍ତଚାପକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ।
ଔଷଧ: ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବା ଜୁରୁରୀ ହୋଇଥାଏ।
ଜୀବନଶୈଳୀ ଓ ଘରୋଇ ଉପଚାର
ଅଧିକ ପାଣି ପିଅନ୍ତୁ, ମଦ୍ୟପାନ କମ୍ କରନ୍ତୁ: ଅତ୍ୟଧିକ ମଦ ପିଇବା ଫଳରେ ଶରୀରରେ ଜଳୀୟ ଅଂଶ ଅଭାବ ଦେଖାଦିଏ। ହେଲେ ପାଣି ପିଇବା ଫଳରେ ରକ୍ତର ପରିମାଣ ବଢ଼ିଥାଏ ଏବଂ ରକ୍ତଚାପ ସନ୍ତଳିତ ରହିଥାଏ।
ଖାଦ୍ୟରେ ପରିବର୍ତ୍ତନ: ଅଧିକ ଫଳ, ସବୁଜ ପନିପରିବା, ଲୁଣର ମାତ୍ରା ଅଧିକ, ମାଛ ଖାଇବାରେ ସାମିଲ କରନ୍ତୁ।
ସକାଳୁ ଉଠିଲା ବେଳେ ପ୍ରଥମେ କିଛି ସମୟ ପାଇଁ ଦୀର୍ଘ ନିଶ୍ୱାସ ନେବେ, ତା’ପରେ ବିଛଣାରୁ ଉଠିବେ। ଯଦି ଆପଣ ବସିଛନ୍ତି, ହଠାତ୍ ଉଠିବେ ନାହିଁ। ବସିବା ବେଳେ ଗୋଡ଼ ଉପରେ ଗୋଡ଼ ପକାଇ ବସିବେ ନାହିଁ।
ଅଳ୍ପ ଅଳ୍ପ କରି ଖାଆନ୍ତୁ: ଦିନକୁ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ। କାର୍ବୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ କମ୍ କରନ୍ତୁ। ଆଳୁ, ଭାତ, ପାସ୍ତା ଓ ବ୍ରେଡ୍ ଭଳି ଖାଦ୍ୟ କମ୍ ଖାଆନ୍ତୁ।
ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।