ଧୀରେ ଧୀରେ ଗରମ ବଢ଼ିଲାଣି। ଦିନ ଦଶଟା ବେଳେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ଦିନରେ ଖାଦ୍ୟପାନୀୟରେ ପରିବର୍ତ୍ତନ ଆଣିବା ସହ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।
ଖରାଦିନେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ସ୍ଵାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ
ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଳ୍ପ ଖାଆନ୍ତୁ ଏବଂ ଅଳ୍ପ ବ୍ୟବଧାନରେ ଖାଆନ୍ତୁ। ଗରମ ଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି ରଖାଯାଇଥିବା ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ ନାହିଁ। ଯେଉଁ ଫଳରେ ପାଣିର ଅଂଶ ଅଧିକ ସେହିଭଳି ଫଳ ଖାଆନ୍ତୁ, ଯେପରିକି କମଳା, ତରଭୂଜ, ଟମାଟୋ, ସପୁରୀ, ଆଖୁ ରସ।
ଖରାଦିନେ ମଦ, ଚା, କଫିର ମାତ୍ରା କମ୍ କରନ୍ତୁ।
ଅଧିକ ପଢ଼ନ୍ତୁ: ଅଂଶୁଘାତରୁ କେମିତି ପାଇବେ ରକ୍ଷା?
ପ୍ରଚୁର ପାଣି ପିଅନ୍ତୁ
ଦୈନିକ ୮ରୁ ୧୦ ଗ୍ରାସ୍ ପାଣି ପିଅନ୍ତୁ। ଏହାସହ ଆଖୁ ରସ, ପଇଡ଼ ପାଣି, ଲେମ୍ବୁ ପାଣି, ଦହି ସରବତ, ଘୋଳ ଦହି ଓ ଲସି ଭଳି ପାନୀୟ ପିଅନ୍ତୁ। ଖରା ତାତିରୁ ରକ୍ଷା କରେ ଲେମ୍ବୁ ଲୁଣ ପାଣି। ଏହା ଶରୀରରେ ଜଳୀୟଅଂଶକୁ ବୃଦ୍ଧି କରେ।
ଘରେ ରହିବାକୁ ଚେଷ୍ଟା କରନ୍ତୁ
ସକାଳ ୧୧ଟାରୁ ୩ଟା ଭିତରେ ବାହାରକୁ ନ ଯିବାକୁ ଚେଷ୍ଟା କରନ୍ତୁ। ଯଦି ବାହାରକୁ ଯିବାକୁ ପଡ଼ୁଛି, ତେବେ ଛତା କିମ୍ବା ମୁଣ୍ଡରେ ଓଦା କପଡ଼ା, ଆଖିରେ ଚଷମା ଏବଂ ସାଙ୍ଗରେ ପାଣି ନେଇ ଯାଆନ୍ତୁ।
ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ
ବାହାରେ ମିଳୁଥିବା ଖାଦ୍ୟରେ ତେଲ ମସଲାର ପ୍ରୟୋଗ ଅଧିକ ମାତ୍ରାରେ ହୋଇଥାଏ। ତେଣୁ ଖରାଦିନେ ବାହାର ଖାଦ୍ୟରୁ ନିବୃତ୍ତ ରହନ୍ତୁ। ଏହିଦିନେ ଘର ତିଆରି ଖାଦ୍ୟ ଖାଆନ୍ତୁ। ଏହାଛଡ଼ା ଖରାଦିନେ ବେଶୀ ଆମିଷ ଖାଆନ୍ତୁ ନାହିଁ। ପଖାଳ, ସବୁଜ ପନିପରିବାରେ ପ୍ରସ୍ତୁତ ଭଜା, ଘୋଳ ଦହି ଖାଆନ୍ତୁ।
ସନ୍ସ୍କ୍ରିନ୍ ଲଗାନ୍ତୁ
ସାଧାରଣତଃ ଖରାଦିନେ ସନ୍ବର୍ଣ୍ଣ, ସନ୍ଟ୍ୟାନ୍ ଭଳି ସମସ୍ୟା ହୋଇଥାଏ। ତେଣୁ ବାହାରକୁ ଯିବାର ୧୫ ମିନିଟ୍ ପୂର୍ବରୁ ସନ୍ସ୍କ୍ରିନ୍ ଲଗାଇ ଘରୁ ବାହାରନ୍ତୁ। ଦୁଇ ଘଣ୍ଟାକୁ ଥରେ ଥରେ ସନ୍ସ୍କ୍ରିନ୍ର ପୁନଃ ବ୍ୟବହାର କରନ୍ତୁ।
କେଶର ଯତ୍ନ ନିଅନ୍ତୁ
ଖରାଦିନେ କେଶ ଶୀଘ୍ର ତେଲିଆ ହୋଇଯାଏ। ଫଳରେ କେଶ ମଇଳା ହୋଇଯାଏ। ତେଣୁ ସପ୍ତାହକୁ ତିନିଥର କେଶ ସାମ୍ପୋ କରନ୍ତୁ। ଟାଣ ଖରାରୁ କେଶକୁ ରକ୍ଷା କରନ୍ତୁ। ତେଣୁ ବାହାରକୁ ଯିବା ବେଳେ କେଶରେ କପଡ଼ା ଘୋଡ଼ାନ୍ତୁ।
ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ
ଖରାଦିନେ ପ୍ରଚଣ୍ଡ ଗରମ ଯୋଗୁଁ ଶରୀରରୁ ପ୍ରବଳ ଝାଳ ବୋହିଥାଏ। ଏଭଳିକ୍ଷେତ୍ରରେ ଖରାଦିନେ ସୂତା ଓ ଢିଲା ପୋଷାକ ପିନ୍ଧନ୍ତୁ। ସାଧାରଣତଃ ଖରାଦିନେ ଟାଇଟ୍ ପୋଷାକ ପିନ୍ଧିଲେ ଏବଂ ଅତ୍ୟଧିକ ଝାଳ ବୋହିଲେ ତ୍ୱଚାଜନିତ ସମସ୍ୟା ଯେପରିକି ଆଲର୍ଜି ଓ ଯାଦୁ ହୋଇପାରେ। ତେଣୁ ଦିନକୁ ଦୁଇ ଥର ଗାଧାନ୍ତୁ। ଝାଳ ହୋଇଥିଲେ ଓଦା କପଡ଼ାରେ ଦେହକୁ ପୋଛି ଧୁଆ ପୋଷାକ ପିନ୍ଧନ୍ତୁ। ଶୋଇବା ପୂର୍ବରୁ ଗାଧୋଇ ଶୁଅନ୍ତୁ। ପ୍ରତିଦିନ ନିଜ ପୋଷାକକୁ ଗରମ ପାଣିରେ ଧୋଇ ଟାଣ ଖରାରେ ଶୁଖାନ୍ତୁ। ଫଲରେ ଏଥିରେ ଥିବା ଜୀବାଣୁ ନଷ୍ଟ ହୋଇଯିବ।