କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ପରେ ବର୍ତ୍ତମାନ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ସମସ୍ତେ ଭୟଭୀତ। ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର। ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ସୁସ୍ଥ ହୋଇଛନ୍ତି ୪୪ ବର୍ଷୀୟ ଜଣେ ବ୍ୟକ୍ତି।

ଗଞ୍ଜାମ ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୦ ଦିନର ଚିକିତ୍ସା ପରେ ସେ ଡିସ୍‌ଚାର୍ଜ ହୋଇଥିଲେ। ବ୍ୟକ୍ତିଙ୍କର ମଧୁମେହ ଥିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିବା କାରଣରୁ ତାଙ୍କୁ ଷ୍ଟେରଏଡ୍‌ ଦେଇ ଚିକିତ୍ସା କରାଯାଇଥିଲା। କୋଭିଡ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ୫ ଦିନ ପରେ ତାଙ୍କ ବାମ ପାର୍ଶ୍ୱ ମୁହଁ ଫୁଲିଯିବା ସହ ଆଖିରେ ପାଣି ଜମି ଫୁଲିଯାଇଥିଲା।

ସମ୍ପୃକ୍ତ ରୋଗୀଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତୁରନ୍ତ ସମ୍‌ ଅଲଟିମେଣ୍ଟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଇଏନ୍‌ଟି ଓ ସ୍କଲ ବେସ୍‌ ସର୍ଜରୀ ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ରୋଗୀଙ୍କର ନାଜାଲ ଏଣ୍ଡୋସ୍କୋପି କରିବା ସହ ଏହାର ସାମ୍ପଲକୁ ଫଙ୍ଗଲ ଷ୍ଟ୍ରେନ୍‌ ଓ କଲଚର ଲାଗି ପଠାଇଥିଲେ। ପରୀକ୍ଷାରେ ମୁକୋରମାଇକୋସିସ୍‌ ଅର୍ଥାତ ବ୍ଲାକ ଫଙ୍ଗସ୍‌ରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଡାକ୍ତର ରାଧାମାଧବ ସାହୁ କହିଛନ୍ତି, ‘‘ରୋଗୀଙ୍କୁ କନ୍‌ଭେନ୍‌ସନାଲ ଅମ୍ଫୋଟେରିସିନ ଵି ଦିଆଯାଇ ଅପେରସନ୍‌ର ଯୋଜନା କରାଯାଇଥିଲା। ଏହି ରୋଗ ସମ୍ପୃକ୍ତ ରୋଗୀର ନାକର ରନ୍ଧ୍ର, ପାଟିର ହାଡ଼, ଏବଂ ଇନ୍ଫ୍ରାଟେମ୍ପରାଲ ଫୋସା ଏବଂ ଆର୍ବିଟରେ ସମସ୍ୟା ଦେଖାଦେବା ଯୋଗୁଁ ଆରବିଟାଲ ଡିକମ୍ପ୍ରେସନ୍‌ ସହିତ ଏଣ୍ଡୋସ୍କୋପିକ୍‌ ଡେବ୍ରିମେଣ୍ଟ କରାଯାଇ ବ୍ଲାକ୍‌ ଫଙ୍ଗସ ବ୍ୟାପିଥିବା ମୁହଁର କୌଣସି  ସ୍ଥାନକୁ କଟା ନ ଯାଇ ବାହାର କରାଯାଇଥିଲା।

ଏହାଦ୍ୱାରା ରୋଗୀ ଜଣକ ଠିକ୍‌ ଭାବେ ଦେଖିବାରେ ସକ୍ଷମ ହୋଇଥିଲା ଏବଂ ନିୟମିତ ଆଣ୍ଟି ଫଙ୍ଗାଲ ଥେରାପି ଓ ଏନ୍ଡୋସ୍କୋପିକ ପରୀକ୍ଷା ଦ୍ୱାରା ସେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା।

କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ ରୋଗ ଦେଖାଦେଉଥିବା ବେଳେ ଏ ଜନିତ ମୃତ୍ୟୁ ହାର ମଧ୍ୟ ଖୁବ ଅଧିକ, ପ୍ରାୟ ୫୦ ପ୍ରତିଶତ। ହେଲେ ଠିକ୍‌ ସମୟରେ ଚି଼ହ୍ନଟ ଓ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ବଞ୍ଚାଇହେବ ବୋଲି ଡାକ୍ତର ସାହୁ କହିଛନ୍ତି।