୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତର। କୌଣସି ପ୍ରକାର ଦାଗ ସୃଷ୍ଟି ନ କରି ମିନିମାଲ୍ ଇନ୍‌ଭୋସିଭ୍ ପଦ୍ଧତିରେ ସର୍ଜରୀ କରାଯିବା ପରେ ପିଲାଟି ଏବେ ସୁସ୍ଥ ହୋଇପାରିଛି। ପିଲାଟିର ନାମ ହେଉଛି ଅୟାଂଶ କୁମାର ରାଉତ। ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡକ୍ଟର ରାଧାମାଧବ ସାହୁ ଶିଶୁଟିର ପରୀକ୍ଷା କରିବା ପରେ ମିନିମାଲ୍ ଇନ୍‌ଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନ୍‌ଟିକୁ କାଢ଼ିବାରେ ସଫଳ ହୋଇଥିଲେ। ଦୁଇ ଦିନ ଅବ୍‌ଜରଭେସନ୍‌ରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ସୂଚନା ଅନୁସାରେ, ଅୟାଂଶର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍‌ଟିଏ ଗିଳି ଦେଇଥିଲା। ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ।

ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକମାନେ ତାକୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ଏକ୍ସରେ କରିବା ପରେ ଶିଶୁର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍‌ଟିଏ ଅଟକିଥିବାର ଜଣାପଡ଼ିଥିଲା।