ଶୀତଦିନେ ସାଧାରଣତଃ ଚାଟ, ଗୁପଚୁପ୍, ଛଣାଛଣିଭଳି ଚଟପଟା ଖାଦ୍ୟ ଖାଇବାକୂୁ ଅଧିକ ଆଗ୍ରହ ହୋଇଥାଏ। ତେବେ ଏସବୁକୁ ବାହାରୁ କିଣି ଖାଇଲେ ପେଟ ଗଡ଼ବଡ଼ ହେବାର ଆଶଙ୍କା ଥାଏ। ଏପରିସ୍ଥଳେ ଚଟପଟା ଖାଦ୍ୟକୁ କିଭଳି ସ୍ୱାସ୍ଥ୍ୟକର କରିହେବ ତାହା ଆସନ୍ତୁ ଜାଣିବା।
-ଚାଟରେ ଅଧିକରୁ ଅଧିକ କାକୁଡ଼ି, ଟମାଟୋ,ପିଆଜ, ଧନିଆପତ୍ର,ପୁଦିନା ଚଟଣି, ଲେମ୍ବୁ ରସ, ଅଙ୍କୁରିତ ଶସ୍ୟ, ଦେଶୀ ଚଣାର ବ୍ୟବହାର କରନ୍ତୁ। ଆଳୁର ବ୍ୟବହାର ନାମକୁ ମାତ୍ର କଲେ କ୍ୟାଲୋରୀର ପରିମାଣ କମିଯିବ।
-ଗୁପଚୁପରେ ଆଳୁ ଚକଟା ବଦଳରେ ଅଙ୍କୁରିତ ଶସ୍ୟ ଯେପରିକି ଗଜା, ମୁଗ, ବୁଟର ସିଝାକୁ ବ୍ୟବହାର କରନ୍ତୁ। ସ୍ୱାଦ ପାଇଁ ସେଥିରେ ଅଳ୍ପ ବାଦାମ ଭଜା ବ୍ୟବହାର କରିପାରିବେ। ବୟସ୍କ ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିଲେ ବାଦାମକୁ ଗୁଣ୍ଡ କରି ଦିଅନ୍ତୁ।
-ପାମ୍ପଡ଼ି ଚାଟ ପାଇଁ ପାରମ୍ପରିକ ଭାବେ ମଇଦାରୁ ପ୍ରସ୍ତୁତ ପାମ୍ପଡି ବଦଳରେ ବିଭିନ୍ନ ପ୍ରକାର ଡାଲିରୁ ପ୍ରସ୍ତୁତ ପାମ୍ପଡିକୁ ବ୍ୟବହାର କରିପାରିବେ। ସେହିପରି ଆଳୁ ମିଶ୍ରଣ ବଦଳରେ ସ୍ୱିଟ କର୍ଣ୍ଣର ଦାନାକୁ ସାମାନ୍ୟ ଲୁଣ, ଲଙ୍କା ଗୁଣ୍ଡ, ଚାଟ୍ ମସଲା ଦେଇ ପରଷି ପାରିବେ।
-ମସଲାମୁଢ଼ି କରୁଥିଲେ ସେଥିରେ ଆବଶ୍ୟକତାରୁ ଖୁବ୍ କମ୍ ମିକ୍ସଚର ପ୍ରୟୋଗ କରନ୍ତୁ। ତା’ ବଦଳରେ ଆମ୍ବ କଷିଆ ଅଦା, ଅଳ୍ପ ଭଜା ବାଦାମ ବ୍ୟବହାର କରିପାରିବେ। ମିଠା ଅଂଶ ପାଇଁ ଖଜୁରୀର ପେଷ୍ଟକୁ ବ୍ୟବହାର କରନ୍ତୁ।
-ପକୁଡ଼ି ବନାଇବା ସମୟରେ ବେସନ ବଦଳରେ ଡାଲିକୁ ଭିଜାଇ ତାର ପେଷ୍ଟକୁ ବ୍ୟବହାର କରିପାରିବେ। ନ ହେଲେ ଗଜା ମୁଗର ପେଷ୍ଟ ବି ଏଥିପାଇଁ ଖୁବ୍ ଭଲ।
-ଛୋଟ ପିଲାଙ୍କୁ ଚଟପଟା ସ୍ୱାଦ ପାଇଁ ବିଭିନ୍ନ ପ୍ରକାର ଫଳକୁ କାଟି ସେଥିଲେ ଲୁଣ, ଗୋଲମରିଚ ଗୁଣ୍ଡ ଦେଇ ଚାଟ ଭଳି ପରଷନ୍ତୁ। ଏହାଦ୍ୱାରା ପିଲାମାନେ ଫଳ ପ୍ରତି ବି ଆଗ୍ରହୀ ହେବେ।