ଡାକ୍ତର ସୁଭାଶିଷ ମିଶ୍ର
ଗର୍ଭାଶୟର ମୁଖ ଭାଗ, ଯାହାକୁ ସର୍ଭିକ୍ସ କୁହାଯାଏ, ସେଠାରେ କର୍କଟ ହେଲେ ତାହାକୁ ସର୍ଭାଇକାଲ କ୍ୟାନ୍ସର ବୋଲି କୁହାଯାଏ। ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣ ଯୋଗୁଁ ଏହି କର୍କଟ ହୋଇଥାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର।
ଜରାୟୁଗ୍ରୀବା କର୍କଟ ଅନ୍ୟ କର୍କଟଠାରୁ ଭିନ୍ନ, ଯେହେତୁ ଏହାକୁ ମୂଳୋତ୍ପାଟନ ବା ଅପସାରଣ କରାଯାଇପାରେ। ଏହି ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ଅଭିନବ ପ୍ରୟାସ ନେଇଛି। ଯେଉଁଥିରେ ୧୯୪ଟି ଦେଶ ମିଳିତ ଭାବେ ଏହି ଚିକିତ୍ସାସାଧ୍ୟ ରୋଗର ମୂଳୋତ୍ପାଟନ ପାଇଁ ବଦ୍ଧପରିକର ହୋଇଛନ୍ତି।
୧୭ ନଭେମ୍ବର, ୨୦୨୦ରେ ଜେନେଭାଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମ୍ମିଳନୀରେ ଏହି ଐତିହାସିକ ଘୋଷଣା କରାଯିବା ସହ ଆନୁଷ୍ଠାନିକ ଭାବେ ଏହି ଅପସାରଣ ପଦ୍ଧତିର ଶୁଭାରମ୍ଭ କରାଯାଇଛି।
ଏକ ଜରାୟୁଗ୍ରୀବା କର୍କଟମୁକ୍ତ ବିଶ୍ୱର ପରିକଳ୍ପନା ନେଇ କରାଯାଇଥିବା ଏହି ବିଶ୍ୱସ୍ତରୀୟ ରଣନୀତି ଅନୁଯାୟୀ ୨୦୩୦ ସୁଦ୍ଧା ‘’୯୦-୭୦-୯୦’’ ଲକ୍ଷ୍ୟ ହାସଲ କରାଯିବା ନିହାତି ଦରକାର।
୯୦ ପ୍ରତିଶତ କନ୍ୟା ୧୫ ବର୍ଷ ବୟସ ସୁଦ୍ଧା ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ଟିକା ନେଇପାରିବେ।
୭୦ ପ୍ରତିଶତ ମହିଳା ମହିଳା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରୀକ୍ଷା ପଦ୍ଧତି ଦ୍ୱାରା ୩୫ ବର୍ଷ ପୂର୍ବରୁ ଥରେ ଓ ୪୫ ବର୍ଷ ବୟସରେ ଥରେ ଯାଞ୍ଚ ହେବେ।
୯୦ ପ୍ରତିଶତ ଜରାୟୁଗ୍ରୀବା କର୍କଟ ରୋଗରେ ଆକ୍ରାନ୍ତ ମହିଳା ଚିକିତ୍ସା ପାଇପାରିବେ।
ନୂତନ ଭାବେ ନିରୂପଣ ହେଉଥିବା ଜରାୟୁଗ୍ରୀବା କର୍କଟ ରୋଗୀଙ୍କ ବାର୍ଷିକ ହାରରେ ୨୦୪୫ ସୁଦ୍ଧା ୪୭ ପ୍ରତିଶତ ଓ ୨୧୨୦ ସୁଦ୍ଧା ୯୭ ପ୍ରତିଶତ ହ୍ରାସ ଘଟିବ।
ଜରାୟୁଗ୍ରୀବା କର୍କଟ ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ୨୦୩୦ ସୁଦ୍ଧା ୩ ଲକ୍ଷ, ୨୦୭୦ ସୁଦ୍ଧା ୧.୪ କୋଟି ଓ ୨୧୨୦ ସୁଦ୍ଧା ୬.୨ କୋଟି ହ୍ରାସ ହୋଇପାରିବ।
(ଡାକ୍ତର ସୁଭାଶିଷ ମିଶ୍ର ଜଣେ କର୍କଟ ରୋଗ ବିଶେଷଜ୍ଞ। ସେ ଦୀର୍ଘ ଦିନ ଧରି ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି।)