ସାମାଜିକ ଦୂରତା କରୋନା ଭାଇରସ୍ର ବ୍ୟାପକ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିପାରିବ। ଆଜି ଏକଥା ସମସ୍ତେ ବୁଝିସାରିଛନ୍ତି। ତେବେ ବାସ୍ତବ କ୍ଷେତ୍ରରେ ଆମେ ସାମାଜିକ ଦୂରତା ଅବଲମ୍ବନ କରିବାରେ କେତେ ସଫଳ ହେଉଛନ୍ତି ତା’ ଉପରେ ନିର୍ଭର କରୁଛି ଯେ ଆମ ସମାଜ ଉପରେ କରୋନା ଭୂତାଣୁର କେତେ ପ୍ରଭାବ ପଡ଼ିବ।
ସାମାଜିକ ଦୂରତାର ସରଳ ଅର୍ଥ ହେଉଛି ପରିବାର ହେଉ କି କାର୍ଯ୍ୟାଳୟ, କୌଣସି ସାମାଜିକ ବା ଧାର୍ମିକ ଅନୁଷ୍ଠାନ ହେଉ ବା କୌଣସି ବିଶାଳ ଜନ ସମାବେଶ – ଏ ସବୁଠାରୁ ନିଜକୁ ଦୂରରେ ରଖିବା। କାରଣ କରୋନା ଭୂତାଣୁ ଜଣକଠାରୁ ଆଉ ଜଣକ ପାଖକୁ ଡେଇଁ ହଜାର ହଜାର ଓ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରେ। ଏହା ଏକ ନୂଆ ଭୂତାଣୁ ହୋଇଥିବାରୁ ମଣିଷ ଶରୀରରେ ଏହାକୁ ପ୍ରତିରୋଧ କରିବା ପାଇଁ କୌଣସି ଶକ୍ତି ନାହିଁ।
ସାମାଜିକ ଦୂରତା ଭିତରେ ଯେଉଁ ବିଷୟଗୁଡ଼ିକୁ ଜୋର୍ ଦିଆଯାଉଛି ତାହା ହେଲା:
୧. ଅତି ଜରୁରୀ ନଥିଲେ ବସ୍ ଟ୍ରେନ୍ ବା ବିମାନ ଯୋଗେ କୌଣସି ଯାତ୍ରା କରିବା ନାହିଁ।
୨. କାହା ସହିତ ହାତ ମିଶାଇବା ନାହିଁ। ବରଂ ନମସ୍କାର କରିବା।
୩. ଘରେ ବା ଅଫିସ୍ରେ ମିଳାମିଶା କଲାବେଳେ ପରସ୍ପରଠାରୁ ଅତ୍ୟନ୍ତ ୨ ମିଟର (ଅତି କମରେ ୬ ଫୁଟ) ଦୂରତା ରକ୍ଷା କରିବା।
୪. ଘରେ ବା ବାହାରେ କାହାର ସର୍ଦ୍ଦି, କାଶ ଓ ଜ୍ୱର ହେଉଥିଲେ ତାଙ୍କଠାରୁ ଦୂରରେ ରହିବା। ନିଜର ଏଭଳି କିଛି ଲକ୍ଷଣ ଥିଲେ ବାହାରକୁ ନ ଯାଇ ଘରେ ରହିବା।
୫. ବାହାଘର, ବ୍ରତଘର ଭଳି କାର୍ଯ୍ୟକ୍ରମ ବା କୌଣସି ଧାର୍ମିକ କି ରାଜନୈତିକ ସମାବେଶଠାରୁ ଦୂରେଇ ରହିବା। ସେହିପରି ପାର୍ଟି, ପିକ୍ନିକ୍ଠାରୁ ନିଜକୁ ଦୂରେଇ ରଖିବା।
୬. ସର୍ଦ୍ଦି, ଜ୍ୱର, କାଶ ବା ଫ୍ଲୁ ଭଳି ଲକ୍ଷଣ ଥିଲେ ଅଫିସ୍ରୁ ଛୁଟି ନେବା ଓ ଘରେ ଅଲଗା ରହିବା।
କରୋନାକୁ ନ ଡରି ସାମାଜିକ ଦୂରତା ମାଧ୍ୟମରେ ଏହାକୁ ଦୂରରେ ରଖିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଘରର ବୟସ୍କ ଲୋକମାନଙ୍କୁ ବିଶେଷକରି ଯେଉଁମାନଙ୍କର ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ରହିଛି ସେମାନେ କିଭଳି କରୋନାରେ ପ୍ରଭାବିତ ନ ହୁଅନ୍ତି ତାହା ଦେଖିବା ଆମ ସମସ୍ତଙ୍କ ଦାୟିତ୍ୱ।