ଗର୍ଭାଶୟର ମୁଖ୍ୟଦ୍ୱାରକୁ ସର୍ଭିକ୍ସ ବୋଲି କୁହାଯାଇଥାଏ। ସର୍ଭିକ୍ସରେ କୋଷିକାଗୁଡ଼ିକର ଅନିୟନ୍ତ୍ରିତ ବୃଦ୍ଧି ଯୋଗୁଁ ସର୍ଭାଇକାଲ କ୍ୟାନସର (ଗର୍ଭାଶୟ ଗ୍ରୀବା କର୍କଟ) ରୋଗ ହୋଇଥାଏ। ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ୭୪ ହଜାର ମହିଳାଙ୍କର ମୃତ୍ୟୁ ସର୍ଭାଇକାଲ କ୍ୟାନସରର ଯୋଗୁଁ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖିଲେ ଆମ ଦେଶରେ ସର୍ଭାଇକାଲ କ୍ୟାନସରର ଭୟାବହତା ଅନୁମାନ କରାଯାଇପାରେ। ତେବେ ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ।

କାରଣ

ଏଚ୍‌ପିବି ଅର୍ଥାତ୍ ହ୍ୟୁମାନ ପିପିଲୋମା ନାମକ ଏକ ପ୍ରକାର ଭାଇରସ ଗର୍ଭାଶୟ ଗ୍ରୀବାରେ ସଂକ୍ରମଣ ଯୋଗୁଁ ସର୍ଭାଇକାଲ କ୍ୟାନସର ହୋଇଥାଏ। ୪୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ମହିଳା, ଏକାଧିକ ଲୋକଙ୍କ ସହ ଶାରିରୀକ ସଂପର୍କ ରଖୁଥିବା ମହିଳାଙ୍କୁ ଏହି କର୍କଟ ହେବାର ଆଶଙ୍କା ରହିଥାଏ।

ସେହିପରି ନିଜର ଗୋପନ ଅଙ୍ଗର ପରିଷ୍କାର, ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ କିମ୍ବା ବାରମ୍ବାର ଗର୍ଭଧାରଣ କଲେ ଗର୍ଭାଶୟ ଗ୍ରୀବା କର୍କଟ ହୋଇଥାଏ। କିଛି କ୍ଷେତ୍ରରେ ବଂଶାନୁକ୍ରମିକ କାରଣ ଯୋଗୁଁ ଏହା ହୋଇଥାଏ।

ଲକ୍ଷଣ

ପ୍ରାଥମିକ ଭାବେ ଗର୍ଭାଶୟ ଗ୍ରୀବା କର୍କଟର କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳେନାହିଁ। କିନ୍ତୁ କର୍କଟର କୋଷିକା ଗର୍ଭାଶୟର ଆଖପାଖର କୋଷିକାକୁ ପ୍ରଭାବିତ କଲେ ଏହାର ଲକ୍ଷଣ ଜଣାପଡ଼ିଥାଏ।

  • ପରିସ୍ରା କରିବା ସମୟରେ ଯନ୍ତ୍ରଣା ହେବା
  • ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେବା
  • ଯୌନସଂପର୍କ ସ୍ଥାପନ ବେଳେ ଯନ୍ତ୍ରଣା ହେବା
  • ଶରୀରରୁ ରକ୍ତମିଶ୍ରିତ ଅଠାଳିଆ ପଦାର୍ଥ ବାହାରିବା

  • ଅଣ୍ଟା, ପାଦରେ ଯନ୍ତ୍ରଣ
  • ଭୋକ ନ ଲାଗିବା, ଓଜନ କମିବା
  • ଋତୁସ୍ରାବ ପରେ ମଧ୍ୟ ଦୁର୍ଗନ୍ଧଯୁକ୍ତ ସ୍ରାବ ହେବା
  • ପେଟ କାଟିବା ପ୍ରଭୃତି ଏହାର ଲକ୍ଷଣ।

ଚିକିତ୍ସା

ପ୍ରାଥମିକ ଅବସ୍ଥାରୁ ସର୍ଭାଇକାଲ କର୍କଟକୁ ଚିହ୍ନଟ କରାଗଲେ ଏହାର ଚିକିତ୍ସା ସମ୍ଭବପର। ତଥାପି ରୋଗ କେଉଁ ପର୍ଯ୍ୟାୟରେ ଅଛି, ରୋଗୀର ଅନ୍ୟ କିଛି ରୋଗ ଅଛି କି ନାହିଁ ତାକୁ ଦେଖି ଚିକିତ୍ସା କରାଯାଇଥାଏ। ଏଥିପାଇଁ ଅସ୍ତ୍ରୋପଚାର, କେମୋଥେରାପି, ବିକିରଣ ଥେରାପିର ସହାୟତା ନିଆଯାଏ।

କିଭଳି ରକ୍ଷା ପାଇବେ

ଗର୍ଭାଶୟ ଗ୍ରୀବା କର୍କଟ ରୋଗରୁ ରକ୍ଷା ପାଇବା ଲାଗି ମହିଳାମାନଙ୍କୁ ନିୟମିତ ଭାବେ ନିଜ ଶରୀରର ପରୀକ୍ଷା କରାଇବା ଆବଶ୍ୟକ। ୩୦ ବର୍ଷ ପରେ ମହିଳାମାନେ ପ୍ରତି ୩ବର୍ଷରେ ଥରେ ପାପ ସ୍ମିୟର ପରୀକ୍ଷା କରାଇନିଅନ୍ତୁ।

ଏହାଛଡ଼ା ୯-୧୮ ବର୍ଷ ବୟସର କିଶୋରୀମାନେ ଏଚପିବି ଭାଇରସ କବଳରୁ ବର୍ତ୍ତିବା ଲାଗି ଟୀକାକରଣ କରାଇ ନେବା ଉଚିତ୍। ବାରମ୍ବାର ଗର୍ଭଧାରଣ କରିବାରୁ ନିବୃତ୍ତ ରୁହନ୍ତୁ। ସୁରକ୍ଷିତ ଯୌନ ସଂପର୍କ ସ୍ଥାପନ କରନ୍ତୁ। ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଲାଗି ସୁସ୍ଥ ଜୀବନଶୈଳୀ ସହିତ ବ୍ୟାୟାମ କରିବା ଆବଶ୍ୟକ।