ମାନସିକ ଅବସାଦ ବା ଡିପ୍ରେସନ୍ ଏବେ ସାଧାରଣ ସମସ୍ୟା ଭାବେ ପରିଗଣିତ ହେଲାଣି। ଆମ ଆଖାପାଖରେ କିଏ ନା କିଏ ମାନସିକ ଅବସାଦର ଶିକାର ହେଉଛନ୍ତି ଏବଂ ତାହା ଜଣାପଡ଼ିନଥାଏ। ଧୀରେ ଧୀରେ ବ୍ୟକ୍ତି ଡିପ୍ରେସନ୍ର ଶେଷ ପର୍ଯ୍ୟାୟକୁ ଯାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ତେଣୁ ମାନସିକ ଅବସାଦକୁ ଚିହ୍ନି ଏହାର ଚିକିତ୍ସା କରିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ମାନସିକ ଅବସାଦକୁ କେମିତି ଚିହ୍ନିବେ?
- ଦୁଃଖ ଅନୁଭବ କରିବା, ମାନ୍ଦା ଲାଗିବା
- ଅସ୍ଥିର କ୍ଳାନ୍ତି ଓ ନିରୋଳା ଅନୁଭବ କରିବା
- କାନ୍ଦ ଲାଗିବା, କାନ୍ଦିବା
- ଯେକୌଣସି କାର୍ଯ୍ୟରେ ଆଗ୍ରହ କମିବା, ଅଳସୁଆ ଲାଗିବା
- ଭୋକ ନହେବା, ସ୍ୱାଦ ଅନୁଭବ ନ କରିବା
- ନିଦ ନ ହେବା, ନିଦରେ ବ୍ୟାଘାତ ଘଟିବା
- ଦୁର୍ବଳ ଲାଗିବା, ଦେହ ଘୋଳାବିନ୍ଧା ହେବା
- ମୁଣ୍ଡ ବିନ୍ଧିବା, ମୁଣ୍ଡ ଭାରି ଭାରି ଲାଗିବା ବା ମୁଣ୍ଡର ଅସ୍ୱାଭାବିକ ଅନୁଭବ ହେବା।
- ଯୌନକାର୍ଯ୍ୟରେ ଆଗ୍ରହ କମିବା ଏବଂ ଅସନ୍ତୁଷ୍ଟ ହେବା
- ନିରାଶାବାଦୀ ହେବା
- ନିଜକୁ ଛୋଟ ମନେ କରିବା ଯଥା-ମୁଁ ଅପଦାର୍ଥ, ମୂଲ୍ୟହୀନ, ମୋଦ୍ୱାରା କିଛି ହେବ ନାହିଁ।
- ଆତ୍ମହତ୍ୟା କରିବା ପାଇଁ ଇଚ୍ଛା ହେବା ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ଇତ୍ୟାଦି।
- ସେ ଜଣେ ଦୋଷୀ ଓ ଖରାପଲୋକ ଏବଂ ସେ ଦଣ୍ଡ ପାଇବା ଦରକାର ବୋଲି ମିଥ୍ୟା ଓ ଦୃଢ଼ ଧାରଣା ଦେବା।
- ଅତ୍ୟଧିକ ଆଶାଶୂନ୍ୟ ହେବା ଓ ମୂଲ୍ୟହୀନ ଅନୁଭବ ହେବା।
- ଭବିଷ୍ୟତ ଅନ୍ଧକାର ଦିଶିବା।
- ଅନେକ ସମୟରେ ପିଲାଙ୍କ ପରି ଏକଜିଦିଆ ହେବା ଓ ଚିଡ଼ିଚିଡ଼ି ହେବା।
- ନିଜ ଦେହ ଓ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଓ ସଫାସୁତୁରା ନ ରହିବା।
ବ୍ୟକ୍ତି ମାନ୍ଦା ଦେଖାଯାଏ। ତା’ରସ୍ୱର ଭାରି ଭାରି ଜଣାଯାଏ। ସେ ସେହି ସମୟରେ ଅସ୍ଥିର ହୁଏ। ତା’ରପାଟି ଶୁଖିଯାଏ ଓ ଦେହ ଥରେ। ସେ ଚିଡ଼ିଚିଡ଼ି ହୁଏ ଓ ସେ ତା’ର ସମ୍ପର୍କୀୟମାନଙ୍କ ଉପରେ ରାଗେ ଓ ଅସ୍ୱାଭାବିକ ବ୍ୟବହାର କଲେ କିନ୍ତୁ ସାଧାରଣତଃ ସେ ନରମ ଓ ମାନ୍ଦା ରହେ।
କେତେକ ବ୍ୟକ୍ତିଙ୍କଠାରେ ଏହା ଖୁବ୍ କମ୍ ସମୟ ପାଇଁ ରହିଥାଏ। ଯଦି ସେମାନେ ଅବସ୍ଥାକୁ ସୁଧାରି ନିଅନ୍ତି ଏବଂ ଅନ୍ୟମାନଙ୍କଠାରୁ ସାହାଯ୍ୟ ପାଆନ୍ତି ତା’ହେଲେ ଧୀରେ ଧୀରେ କମିଯାଏ। କେତେକ ଲୋକଙ୍କଠାରେ ଏହା ବେଶି ସମୟ ପର୍ଯ୍ୟନ୍ତ ରହେ ଓ ସେମାନେ ଏ ରୋଗଦ୍ୱାରା ଆକ୍ରାନ୍ତ ହୋଇ ଅନ୍ୟମାନଙ୍କ ପାଇଁ ବୋଝ ହୋଇଯାଆନ୍ତି।
ଡିପ୍ରେସନର କୌଣସି ଲକ୍ଷଣ ଦେଖା ନ ଯିବା ପର୍ଯ୍ୟନ୍ତ ପରିବାରର ଲୋକ ଏହା ଜାଣିବା କଷ୍ଟକର ହୋଇଥାଏ। ଗୋଟିଏ ସାଧାରଣ ଲୋକ ହଠାତ୍ ମାନ୍ଦା ହୋଇଯିବା, କିଛି କାମ ନ କରିବା, ଦୁଃଖ ଅନୁଭବ କରିବା, ଦୁର୍ବଳ ଲାଗୁଛି, ଦେହ ହାତ ବିନ୍ଧୁଛି, ଯନ୍ତ୍ରଣା ହେଉଛି, ଅଳସ ଲାଗୁଛି ଓ ଅସ୍ୱସ୍ତି ଲାଗୁଛି ବୋଲି ଅଭିଯୋଗ କରିବା ଦେଖି ପରିବାରର ଲୋକ ବିଚଳିତ ହୋଇପଡ଼ନ୍ତି। ଏଗୁଡ଼ିକ ସବୁ ସାଧାରଣ ଚିକିତ୍ସାରେ ଭଲ ହୁଏ ନାହିଁ। ସେମାନେ ଭାବନ୍ତି ଯେ ସେମାନଙ୍କୁ କୌଣସି ବ୍ୟକ୍ତି ଗୁଣିଗାରେଡ଼ି କରିଛି, ଭୂତ ବା ଡାହାଣୀ ଗ୍ରାସିଛି। ତେଣୁ ସେମାନେ ଗୁଣିଆ ପାଖକୁ ନିଅନ୍ତି ଓ ବିଭିନ୍ନ ପ୍ରକାର ଦେବଦେବୀ ପାଖକୁ ନେଇ ପୂଜା ଅର୍ଚ୍ଚନା କରନ୍ତି।
ଯେତେବେଳେ ରୋଗ ଅଧିକ ହୋଇଯାଏ ଓ ସ୍ଥାୟୀ ହୋଇଯାଏ ସେମାନେ ନିଜ ଭାଗ୍ୟକୁ ନିନ୍ଦା କରନ୍ତି। ଏ ପ୍ରକାର ରୋଗୀ ସବୁ କାମ ବନ୍ଦ କରିଦିଏ। ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସିରହେ, ଅସ୍ଥିର ହୁଏ, ତଳଉପର ହୋଇ ଚାଲୁଥାଏ। ସେ ନିରୋଳାରେ ରହିବାକୁ ଭଲ ପାଏ ଓ ଅନ୍ୟମାନଙ୍କ କଥା ତାକୁ ଭଲ ଲାଗେ ନାହିଁ। ସେ ପରିଷ୍କାର ଭାବରେ କଥା କହେ ନାହିଁ ଓ ନିରବ ରହେ। ରାତିରେ ୨ଟା ୩ଟା ବେଳକୁ ଉଠିପଡ଼େ। ଦୁଃଖ ଅନୁଭବ କରେ। ଦିନ ବଢ଼ିବା ସଙ୍ଗେ ସଙ୍ଗେ ସେ ଭଲ ଅନୁଭବ କରେ। ସେ ତା’ରସବୁ କାର୍ଯ୍ୟରେ ଏପରିକି ଯୌନ କାର୍ଯ୍ୟରେ ମଧ୍ୟ ଆଗ୍ରହ କମିଯାଏ। ସେ ନିଜକୁ ଦୋଷୀ ବୋଲି ଭାବେ ଓ ନିଜକୁ ନିନ୍ଦା କରେ। ସେ ନିରାଶ୍ରୟ ଓ ଆଶାଶୂନ୍ୟ ଅନୁଭବ କରେ। ସେ ଭାବେ ମରିଯିବା ଭଲ ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରେ। ଅନେକ ସମୟରେ ଏହା ଏତେ ଭୟଙ୍କର ହୋଇଯାଏ ଯେ ତାକୁ କିଏ ଗାଳି ଦେଉଥିବାର ସ୍ୱର ଶୁଭେ ଓ ଭୟ ପାଏ। ସେ ବିଶ୍ୱାସ କରେ ଯେ ସେ ଜଣେ ଦୋଷୀ। ସେ ନିଜକୁ ବା ଅନ୍ୟକୁ ହତ୍ୟା କରିବାକୁ ଚେଷ୍ଟା କରେ।