ସ୍କିଜୋଫ୍ରେନିଆ ହେଉଛି ଏକ ଗୁରୁତର ମାନସିକ ସମସ୍ୟା। ସ୍କିଜୋଫ୍ରେନିଆ ରୋଗ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Schizophrenia: Causes, Symptoms and Treatment in Odia)
- ସ୍କିଜୋଫ୍ରେନିଆ ରୋଗ କ’ଣ?
- ସ୍କିଜୋଫ୍ରେନିଆର ଲକ୍ଷଣ କ’ଣ?
- କାହିଁକି ହୋଇଥାଏ ସ୍କିଜୋଫ୍ରେନିଆ ରୋଗ?
- ସ୍କିଜୋଫ୍ରେନିଆ ରୋଗ ହେଲେ ରୋଗୀ ସୁସ୍ଥ ହୋଇପାରେ କି?
ସ୍କିଜୋଫ୍ରେନିଆ ହେଉଛି ଏକ ସାଙ୍ଘାତିକ ମାନସିକ ରୋଗ। ଓଡ଼ିଆରେ ଏହାକୁ ମାନସିକ ବିଖଣ୍ଡତା ରୋଗ ବୋଲି କୁହାଯାଏ। ସାରା ବିଶ୍ୱରେ ପ୍ରାୟ ଦୁଇ କୋଟି ଲୋକ ସ୍କିଜୋଫ୍ରେନିଆ ରୋଗ ଦ୍ୱାରା ଆକ୍ରାନ୍ତ। ଭାରତରେ ପ୍ରତି ୧୦୦ ଜଣରେ ଜଣଙ୍କୁ ଏହି ରୋଗ ହେଉଛି। ଏହା ସାଧାରଣତଃ ୧୫ରୁ ୩୫ ବର୍ଷର ପୁରୁଷ ବା ମହିଳାଙ୍କୁ ହୋଇପାରେ।
ସ୍କିଜୋଫ୍ରେନିଆ ରୋଗର ଲକ୍ଷଣ (Symptoms of in Odia)
ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଅବସ୍ଥାରେ ବ୍ୟକ୍ତିର ବ୍ୟବହାରରେ ଧୀରେ ଧୀରେ ପରିବର୍ତ୍ତନ ଆସିଥାଏ। ବ୍ୟକ୍ତି ଜଣକ ଏକୁଟିଆ ରହିବାକୁ ଆରମ୍ଭ କରେ, କାହା ସହ କଥାବାର୍ତ୍ତା କରେ ନାହିଁ ଏବଂ ଧୀରେ ଧୀରେ କାର୍ଯ୍ୟ କରିବାର ଦକ୍ଷତା କମିଯାଏ। ଅନେକ କ୍ଷେତ୍ରରେ ସ୍କିଜୋଫ୍ରେନିଆ ରୋଗୀ ନିଜ ପରିବାର ଲୋକଙ୍କୁ ସନ୍ଦେହ କରିବା ଆରମ୍ଭ କରିବେ। ସେମାନେ ଭାବନ୍ତି ଯେ, ତାଙ୍କ ପରିବାର ଲୋକ ତାଙ୍କ ବିଷୟରେ କଥା ହେଉଛନ୍ତି ବା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଓ ତା’କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
କିଛି ଲୋକ ଭାବନ୍ତି, ତାଙ୍କ ପରିବାର ଲୋକ ତାଙ୍କ ଖାଦ୍ୟରେ ବିଷ ମିଶାଇ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ରୋଗୀ ଘରେ ଖାଦ୍ୟ ଖାଇ ନଥା’ନ୍ତି ବା ନିଜେ ପ୍ରସ୍ତୁତ କରି ଖାଇଥା’ନ୍ତି।
କେତେକ କ୍ଷେତ୍ରରେ ବ୍ୟକ୍ତି ଏକୁଟିଆ ବସିଥିବା ବେଳେ ତାଙ୍କୁ ଶବ୍ଦ ଶୁଭାଗଲା ଭଳି ଅନୁଭବ ହୁଏ ବା ଶୂନ୍ୟବାରୁ କେହି କିଛି କହିଲା ଭଳି ମନେ ହୁଏ। ତେଣୁ ରୋଗୀ ମନେ ମନେ କଥା ହୋଇଥା’ନ୍ତି ବା କାନ୍ଦିଥା’ନ୍ତି ଓ ହସିଥା’ନ୍ତି। ଏହାକୁ ଅଡିଟୋରି ହାଲୋସିନେସନ ବୋଲି କୁହାଯାଏ।
ସ୍କିଜୋଫ୍ରେନିଆ ରୋଗର ପ୍ରକୋପ ବଢ଼ିଲେ ରୋଗୀ ଉତ୍ତେଜିତ ହୋଇଯାଏ, ଚିଡ୍ଚିଡା ହୋଇଯାଏ ତଥା ରୋଗୀ ଠିକ୍ ଭାବେ ଶୁଏ ନାହିଁ। ଏହି ରୋଗୀ ଆସ୍ତେ ଆସ୍ତେ ନିଶାଦ୍ରବ୍ୟର ସେବନ ଆରମ୍ଭ କରି ଦିଅନ୍ତି।
ସ୍କିଜୋଫ୍ରେନିଆ ରୋଗ ଯୋଗୁଁ ୧୫ରୁ ୨୫ ପ୍ରତିଶତ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥା’ନ୍ତି।
ସ୍କିଜୋଫ୍ରେନିଆ ରୋଗର କାରଣ (Causes of schizophrenia in Odia)
ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟରର ମାତ୍ରା ବଢ଼ିଯାଇଥାଏ। ସ୍କିଜୋଫ୍ରେନିଆର ପ୍ରମୁଖ କାରଣ ହେଉଛି ବଂଶଗତ। ବାପା ମା’ଙ୍କଠାରୁ ଛୁଆମାନଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ଅଧିକ।
ଦ୍ୱିତୀୟ କାରଣ ହେଉଛି ମାନସିକ ଚାପ ଓ ପାରିବାରିକ ଚାପ। ଏହାଛଡ଼ା ସ୍କିଜୋଫ୍ରେନିଆର ଆଉ ଏକ କାରଣ ହେଉଛି ନିଶାଦ୍ରବ୍ୟର ଅଦିକ ମାତ୍ରାରେ ସେବନ। ମୁଖ୍ୟତଃ ଗଞ୍ଜେଇ ଓ ଭାଙ୍ଗ ଯୋଗୁଁ ସ୍କିଜୋଫ୍ରେନିଆର ଲକ୍ଷଣ ଦେଖାଦିଏ।
ଲୋକେ ସ୍କିଜୋଫ୍ରେନିଆ ରୋଗକୁ ଚିହ୍ନିବାରେ ବହୁତ ବିଳମ୍ବ କରିଦେଇଥା’ନ୍ତି। ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ଆଦୌ ସଚେତନତା ନାହିଁ। ଫଳରେ ସେମାନେ ଏହାର ଚିକିତ୍ସା ନ କରି ଗୁଣିଗାରେଡ଼ି ଆଦିର ବଶବର୍ତ୍ତୀ ହୋଇଥା’ନ୍ତି। ତେଣୁ ରୋଗୀର ରୋଗ ବଢ଼ିଥାଏ ଏବଂ ଡେରିରେ ଚିକିତ୍ସା କଲେ ରୋଗକୁ ନିୟନ୍ତ୍ରଣ କରିବାରେ ଅଧିକ ସମୟ ଲାଗିଥାଏ।
ସ୍କିଜୋଫ୍ରେନିଆ ରୋଗର ଚିକିତ୍ସା (Treatment of schizophrenia in Odia)
ସ୍କିଜୋଫ୍ରେନିଆ ରୋଗ ଚିକିତ୍ସା ପାଇଁ ଆଣ୍ଟିସାଇକୋଟିକ୍ ମେଡିସିନ୍ର ବ୍ୟବହାର କରାଯାଇଥାଏ। ଏହି ଔଷଧର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ। କିନ୍ତୁ ଏହି ମେଡିସିନ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ଖାଇବା ଦରକାର।
କିଛି ସ୍କିଜୋଫ୍ରେନିଆ ରୋଗୀ ଅନ୍ୟମାନଙ୍କୁ ସନ୍ଦେହ କରି ମେଡିସିନ୍ ଖାଇ ନଥା’ନ୍ତି। ତେଣୁ ତାଙ୍କ ପରିବାର ଲୋକେ ଏହି ମେଡିସିନ୍କୁ ଖାଦ୍ୟ ପାନୀୟରେ ମିଶାଇ ରୋଗୀଙ୍କୁ ଦେଇପାରିବେ।
ଅନେକ କ୍ଷେତ୍ରରେ ରୋଗୀଙ୍କୁ ବୈଦ୍ୟୁତିକ ଥେରାପି ବି ଦିଆଯାଏ। ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ଏହାର ବ୍ୟବହାର ଦ୍ୱାରା ରୋଗୀଠାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦିଏ ନାହିଁ। ରୋଗୀଙ୍କ ଅବସ୍ଥାକୁ ଦେଖି ଜଣାପଡ଼େ ଯେ, କେତେ ଦିନ ଯାଏଁ ଚିକିତ୍ସା କରାଯିବ।
ସ୍କିଜୋଫ୍ରେନିଆ ରୋଗକୁ ନେଇ ଅନେକ ଗୁଜବ ମଧ୍ୟ ସୃଷ୍ଟି ହୋଇଛି, ଯେପରିକି ରୋଗୀର ବିବାହ କରିଦେଲେ ରୋଗ ଭଲ ହୋଇଯିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଧାରଣା।
ଆଜିକାଲି ସ୍କିଜୋଫ୍ରେନିଆ ରୋଗର ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଏହା ମଣିଷର ବୁଦ୍ଧି ଓ ଶରୀରର ଅନ୍ୟ ଅଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପକାଏ ନାହିଁ। ମେଡିସିନ୍ ଖାଇ ରୋଗୀ ଦୈନନ୍ଦିନ ଜୀବନଯାପନ ବି କରିପାରିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on schizophrenia with their causes, symptoms & treatment based on the interview with Dr. Satyakam Mohapatra, Neuropsychiatrist.