ଶରୀରକୁ ଫିଟ୍ ରଖିବା ପାଇଁ ଆଜିକାଲି ଲୋକମାନେ ଜିମ୍ ଯାଉଛନ୍ତି। ତେବେ ଜିମ୍ ଯିବା ସମୟରେ କିଛି ନିରାପତ୍ତା ନିୟମକୁ ପାଳନ କରିବା ଆବଶ୍ୟକ। ଏହାଦ୍ୱାରା ବ୍ୟାୟାମ ସମୟରେ ହେଉଥିବା ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ। ଜିମରେ ବ୍ୟାୟାମ ସମୟରେ କିଭଳି ସମସ୍ୟା ହୁଏ, ସେଥିରୁ କିଭଳି ବର୍ତ୍ତିପାରିବେ ତାହା ଜାଣନ୍ତୁ।
ମାଂସପେଶୀ ଟାଣି ହୋଇଯିବା: ପ୍ରାଥମିକ ଭାବେ ବ୍ୟାୟାମ କରୁଥିବା ଲୋକଙ୍କୁ ଅନେକ ସମୟରେ କାନ୍ଧ, ହାତ କିମ୍ବା ଅଣ୍ଟାର ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହାଯୋଗୁ ତଳକୁ ନଇଁବା, ବସଉଠ କରିବା, ହାତଦ୍ୱାରା କୌଣସି ଜିନିଷ ଉଠାଇବାରେ ଅସୁବିଧା ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି ପ୍ରଥମ ଦିନରୁ ହଠାତ ଅଧିକ ବ୍ୟାୟାମ କରନ୍ତୁ ନାହିଁ। ନିରନ୍ତର ଭାବେ ଅଳ୍ପ ଅଳ୍ପ ବ୍ୟାୟାମ କଲେ ଆପଣଙ୍କର କ୍ଷମତା ବୃଦ୍ଧି ପାଇବା ସହିତ ଏଭଳି ସମସ୍ୟା ହେବନାହିଁ। ତଥାପି ବି ଯଦି ଏଭଳି କଷ୍ଟ ଅନୁଭବ ହୁଏ ତା’ ହେଲେ ଟ୍ରେନରଙ୍କ ସହ ପରାମର୍ଶ କରନ୍ତୁ।
କାର୍ଟିଲେଜ ଟିୟର୍ସ: ଆମ ଶରୀରରେ ଗଣ୍ଠି ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ସଫ୍ଟ ଟିସ୍ୟୁ ଗୁଡ଼ିକ କୁସନ ଭଳି ରହିଥାନ୍ତି। ଅନେକ ସମୟରେ ଭୁଲ ଢଙ୍ଗରେ ବ୍ୟାୟାମ କଲେ ଏହି କାର୍ଟିଲେଜରେ ଖାଲ ଭଳି ହୋଇଯାଏ। ଏହାକୁ କାର୍ଟିଲେଜ ଟିୟର୍ସ ବୋଲି କୁହାଯାଏ। ଏଭଳି ହେଲେ ତୁରନ୍ତ ଅସ୍ଥି ଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। କ୍ଷତ ଅଧିକ ଗୁରୁତର ଥିଲେ ଲାପ୍ରୋସ୍କୋପି ଜରିଆରେ କ୍ଷତିଗ୍ରସ୍ତ କୋଷିକାଗୁଡ଼ିକୁ ମରାମତି କରିବାର ଆବଶ୍ୟକତା ପଡ଼େ।
ସୋଲଡର ଇମ୍ପିଜମେଣ୍ଟ: ଅନେକ ସମୟରେ ବ୍ୟାୟାମ ବେଳେ ଲୋକମାନେ କାନ୍ଧ ଉପରେ ଖୁବ ଜୋର ଦିଅନ୍ତି। ଏହାଯୋଗୁ ସେଠାରେ ଥିବା ଦୁର୍ବଳ ମାଂସପେଶୀଗୁଡ଼ିକ ଦରଜ ହୋଇଯାଏ । ତାହା ହାଡ଼ ଉପରେ ଚାପ ପକାଇବାରୁ ହାଡ଼ରେ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟାକୁ ସୋଲଡର ଇମ୍ପିଜମେଣ୍ଟ ବୋଲି କୁହାଯାଏ। ଏହାକୁ ଅଣଦେଖା କରିବା ଅନୁଚିତ । କାରଣ ଅନେକ ସମୟରେ ଭାଙ୍ଗି ଯାଇଥିବା ମାଂସପେଶୀକୁ ଯୋଡ଼ିବା ଲାଗି ଲାପ୍ରୋସ୍କୋପି କରିବାକୁ ପଡ଼ିଥାଏ।
ହାତର କଚଟି ବା ବଳାଗଣ୍ଠି ଦରଜ ହେବା: କିଛି ଲୋକ ବ୍ୟାୟାମ ସମୟରେ ଉପଯୁକ୍ତ ଜୋତା ପିନ୍ଧନ୍ତି ନାହିଁ। ତେଣୁ ୱାର୍ମଅପ୍ ପାଇଁ ଦୌଡ଼ିଲେ ସେମାନଙ୍କର ବଳାଗଣ୍ଠି ମକଚି ହୋଇଯାଏ। ସେହିଭଳି ଅଚାନକ ୱେଟ ଲିଫ୍ଟିଂ କଲେ ଲୋକମାନଙ୍କର ହାତର କଚଟି ମୋଡ଼ି ହୋଇଯାଏ। ଏଭଳି ସମସ୍ୟାରୁ ଦୂରରେ ରହିବା ଲାଗି ସବୁବେଳେ ଠିକ ଫିଟିଙ୍ଗର ଜୋତା ପିନ୍ଧନ୍ତୁ। ପ୍ରଥମ ଥର ଅଧିକ ଓଜନର ଜିନିଷ ଉଠାନ୍ତୁ ନାହିଁ।
ଅଣ୍ଟା ଦରଜ ହେବା: ୱେଟ ଲିଫ୍ଟିଂ କରୁଥିବା ଲୋକମାନେ ନିଜର କ୍ଷମତାଠାରୁ ଅଧିକ ଓଜନର ଜିନିଷ ଉଠାଇଲେ ସେମାନଙ୍କୁ ଅଣ୍ଟା ଦରଜ ହେବା କିମ୍ବା ସ୍ଲିପ ଡିସ୍କର ବିପଦ ବି ରହେ। ଏହାକୁ ନଜରଅନ୍ଦାଜ କରନ୍ତୁ ନାହଁ। ତୁରନ୍ତ ଡାକ୍ତରଙ୍କ ପରମର୍ଶ ପାଳନ କରନ୍ତୁ।