ଚର୍ମ କର୍କଟ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମ ଶରୀରର ଚର୍ମରେ ଥିବା କୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି ଯୋଗୁ ଚର୍ମ କ୍ୟାନସର ହୋଇଥାଏ। ଶରୀରର ଯେଉଁସବୁ ଭାଗ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସେ, ସେଠାରେ ଚର୍ମ କର୍କଟ ହେବା ସମ୍ଭାବନା ଅଧିକ ହୋଇଥାଏ। ବିଶେଷକରି ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ବିଭିନ୍ନ ପ୍ରକାରର ଚର୍ମ କର୍କଟ ପାଇଁ ଦାୟୀ ଅଟେ।

ବିଭିନ୍ନ ପ୍ରକାରର ରସାୟନିକ ସଂସ୍ପର୍ଶରେ ଆସିଲେ ମଧ୍ୟ ଚର୍ମ କର୍କଟ ହେବା ସମ୍ଭାବନା ରହିଛି। ଚର୍ମ କର୍କଟର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରାଯାଇ ଏହାର ଶୀଘ୍ର ଚିକିତ୍ସା ଆରମ୍ଭ କରାଯାଇ ପାରିଲେ ବହୁ ଅମୂଲ୍ୟ ଜୀବନ ବଞ୍ଚିପାରିବ। ତାହେଲେ ଆସନ୍ତୁ ଚର୍ମ କର୍କଟର ବିଭିନ୍ନ ଲକ୍ଷଣଗୁଡ଼ିକ ବିଷୟରେ ଜାଣିବା:

ଜଳାପୋଡ଼ା ହେବା

ବେକ, କପାଳ, ଗାଲ ତଥା ଆଖିର ଆଖପାଖରେ ଯଦି ହଠାତ୍ ଜଳାପୋଡ଼ା ହେବା ଅନୁଭବ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ।

world cancer day

ଚର୍ମରେ ବିଭିନ୍ନ ଦାଗ ଦେଖାଯିବା

ଯଦି ଆପଣଙ୍କ ଚର୍ମରେ ବିଭିନ୍ନ ପ୍ରକାରର ଦାଗ ସୃଷ୍ଟି ହୋଇଛି ଓ ଏହି ଦାଗ ଚାରି ପାଞ୍ଚ ସପ୍ତାହ ପରେ ମଧ୍ୟ ଠିକ୍ ହେଉନି ତାହାହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ।

ବର୍ଥ ମାର୍କରେ ପରିବର୍ତ୍ତନ ହେବା

ଆପଣଙ୍କ ଶରୀରରେ ଆପଣଙ୍କ ଜନ୍ମରୁ ରହିଥିବା କେତେକ ଚିହ୍ନରେ ପରିବର୍ତ୍ତନ ପରିଲକ୍ଷିତ ହେବା ମଧ୍ୟ ଚର୍ମ କର୍କଟର ଲକ୍ଷଣ ଅଟେ। ବେଳେବେଳେ ଏହି ଚିହ୍ନର ଆକାର ମଧ୍ୟ ବୃଦ୍ଧି ପାଇଥାଏ।

ଜାଇର ରଙ୍ଗ ବଦଳିବା

ଆପଣଙ୍କ ଶରୀରରେ ଥିବା ବିଭିନ୍ନ ଜାଇର ରଙ୍ଗ ତଥା ଆକାର ବଦଳିବା ମଧ୍ୟ କର୍କଟର ସଙ୍କେତ ହୋଇପାରେ।

ଏକ୍ଜିମା ହେବା

ଏକ୍ଜିମା ହେବା ମଧ୍ୟ ଚର୍ମ କର୍କଟର ଲକ୍ଷଣ ହୋଇପାରେ। ବିଶେଷକରି କହୁଣି, ଆଣ୍ଠୁ ଓ ପାପୁଲିରେ ଏକ୍ଜିମା ହେବା କ୍ୟାନସର ଲକ୍ଷଣ ଅଟେ।

ଯଦି ଆପଣ ନିଜକୁ ଚର୍ମ କର୍କଟରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହାହେଲେ ଏହିସବୁ ଲକ୍ଷଣ ଦେଖିବା କ୍ଷଣି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ବିଳମ୍ବ ନକରି ଶୀଘ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରନ୍ତୁ।