ଗୀତା ଦାସ
ମାନସିକ ଚାପ ଲାଘବ କରିବାର ପ୍ରଧାନ ଉପାୟ ହେଲା ମନୋବୈଜ୍ଞାନିକ ପରାମର୍ଶ ଏବଂ ନିଜେ ଚାପ ଲାଘବ କରିବା ପାଇଁ ସଚେଷ୍ଟ ହେବା।
ମନୋବୈଜ୍ଞାନିକ ପଦ୍ଧତିରେ ପ୍ରଥମେ ରୋଗ ଲକ୍ଷଣ ଓ କାରଣ ନିର୍ଣ୍ଣୟ କରାଯାଏ ଓ ତା’ପରେ ରୋଗୀର ପ୍ରୟୋଜନ ଅନୁସାରେ ଯେଉଁ ଚିକିତ୍ସା ପଦ୍ଧତି ତା’ ପାଇଁ ପ୍ରଯୁଜ୍ୟ, ସେହି ପଦ୍ଧତିରେ ତା’ର ଚିକିତ୍ସା କରାଯାଏ। ଯଥା: କୌଣସି ବିଶେଷ କାରଣ ଯୋଗୁଁ ରୋଗୀର ଚାପ ବଢ଼ୁଛି ନା ଏକାଧିକ କାରଣ ଯୋଗୁଁ ଚାପ ବଢ଼ୁଛି। ଯଦି ସମୟର ଅଭାବ ଯୋଗୁଁ ରୋଗୀ କୌଣସି କାମ ଠିକ୍ ଭାବରେ କରିପାରୁନାହିଁ କି ସାରିପାରୁ ନାହିଁ, ତାହା ହେଲେ ସେ ବିଷୟ ଆଲୋଚନା କରି କେମିତି ସମୟର ସଦୁପଯୋଗ କରି କାମ କରିହେବ, ସେ ବିଷୟଟି ଶିଖାଯାଏ। ଇଂରେଜୀରେ ଏଇ ବିଦ୍ୟାକୁ ’ଟାଇମ ମ୍ୟାନେଜ୍ମେଣ୍ଟ୍ ସ୍କିଲ୍’ କୁହନ୍ତି।
ଭୁଲ୍ ବୁଝିବା ଯୋଗୁଁ ଯାହା ଜୀବନରେ ବହୁତ ଚାପ ସୃଷ୍ଟି ହେଉଛି, ସେପରି ଲୋକଙ୍କୁ ‘କମ୍ୟୁନିକେସନ ସ୍କିଲ୍’ ଶିଖାଇବା ଦରକାର। ତାହାହେଲେ ସେ ଅନ୍ୟ ଲୋକଙ୍କ ହାବଭାବ ବା ବ୍ୟବହାରର ଭୁଲ୍ ଅର୍ଥ କରିବେ ନାହିଁ। ଅଖାଡ଼ୁଆ କଥା କହି ଅନ୍ୟ ଲୋକ ସହିତ ନିଜ ସମ୍ପର୍କ ତିକ୍ତ କରିବେ ନାହିଁ କି ପଛେ ପସ୍ତେଇ ହେବେ ନାହିଁ।
ଅନେକେ ସବୁବେଳେ ଲଜ୍ଜା ବା ସଙ୍କୋଚରେ ଆଡ଼ ହୋଇ ରହିବାରୁ ନିଜର ଇଚ୍ଛା- ଅନିଚ୍ଛା ମୁହଁ ଖୋଲି କହିପାରନ୍ତି ନାହିଁ। ଫଳରେ ଅନ୍ୟର ଉପରୋଧ ଏଡ଼ି ନ ପାରି ନିଜେ ହଇରାଣ ହୁଅନ୍ତି ଓ ବିରକ୍ତି ହୁଅନ୍ତି। ଅନ୍ୟକୁ ନିଜର ସୁବିଧା-ଅସୁବିଧା ଜଣାଇ ଠିକ୍ ଭାବେ ମନା କରି ସେ ବିଷୟଟି ଶିଖିଲେ ଏମାନଙ୍କର ଲାଭ ହୁଏ। ଚାକିରି କ୍ଷେତ୍ରରେ ବା ଘରେ ଉଭୟ ସ୍ଥାନରେ ଯେଉଁମାନେ ପରିଷ୍କାର ଭାବରେ ନିଜର ମନୋଭାବ ବ୍ୟକ୍ତ କରିପାରନ୍ତି, ସେମାନଙ୍କର ଅନ୍ୟ ଲୋକଙ୍କ ସହିତ ଖୁବ୍ କମ୍ ଭୁଲ୍ ବୁଝାମଣା ହୋଇଥାଏ। ଦୈନନ୍ଦିନ ଜୀବନରେ ଭୁଲ୍ ବୁଝିବା ଯୋଗୁଁ ସର୍ବାପେକ୍ଷୀ ବେଶି ମାନସିକ ଚାପ ବଢ଼ିଥାଏ।
ଯେଉଁଠି ରୋଗୀର ସ୍ୱଭାବ ବା ବ୍ୟକ୍ତିତ୍ୱ ଯୋଗୁଁ ସେ ନିଜ ଅଜ୍ଞାତରେ ନିଜର ମାନସିକ ଚାପ ସୃଷ୍ଟି କରୁଛି, ସେଠି ତା’ର ସ୍ୱଭାବ ଓ ବ୍ୟକ୍ତିତ୍ୱର କେତେକ ବୈଶିଷ୍ଟ୍ୟ କେମିତି ପରିବର୍ତ୍ତନ କରି ହେବ, ସେ ବିଷୟ ଶିଖା ଯାଇଥାଏ। ଉଦାହରଣସ୍ୱରୂପ ବ୍ୟକ୍ତିତ୍ୱର କେତେକ ବୈଶିଷ୍ଟ୍ୟ ଅନୁସାରେ ବିଶେଷଜ୍ଞମାନେ ଚାପଗ୍ରସ୍ତ ଲୋକମାନଙ୍କୁ ଦୁଇ ଶ୍ରେଣୀରେ ବିଭାଗ କରିଛନ୍ତି। ଯେଉଁମାନେ ସହଜରେ ଚାପଗ୍ରସ୍ତ ହୁଅନ୍ତି, ସେମାନଙ୍କୁ ଟାଇପ୍-ଏ ଓ ଯେଉଁମାନେ ସହଜରେ ଚାପଗ୍ରସ୍ତ ହୁଅନ୍ତି ନାହିଁ, ସେମାନଙ୍କୁ ଟାଇପ-ବି ଆଖ୍ୟା ଦେଇଛନ୍ତି।
ଟାଇପ୍-ଏ:
ଏମାନଙ୍କର ବୈଶିଷ୍ଟ୍ୟ ହେଉଛି- ପ୍ରତିଯୋଗିତାର ଭାବ, ବ୍ୟକ୍ତିଗତ ଉଚ୍ଚାକାଂକ୍ଷା ଓ ସେଥିପାଇଁ ଜୀବନକୁ ଅନ୍ୟ ସବୁ ଦିଗରୁ ବଞ୍ଚିତ କରି ପ୍ରାଣପାତ ପରିଶ୍ରମ, ସବୁବେଳେ ସମୟର ଅଭାବ ଅନୁଭବ କରିବା, କାହା ସହିତ ବିରୋଧ ଘଟିଲେ ତା’ ସହିତ ସନ୍ଧି କରିବାଠାରୁ ଯୁଦ୍ଧ କରିବା ଦିଗରେ ବେଶି ଆଗ୍ରହୀ, ନିଜେ ଢିଲା ନୁହନ୍ତି କି ଅନ୍ୟର ଢିଲାପଣ ସହନ୍ତି ନାହିଁ, ଛୁଟିରେ ଗଲେ ମଧ୍ୟ ସାଙ୍ଗରେ କାମ ନେଇଯାଆନ୍ତି ଓ ସ୍ୱଭାବତଃ ରାଗୀ ହୋଇଥାଆନ୍ତି (ପ୍ରକାଶ୍ୟ କ୍ରୋଧ ବା ପ୍ରଚ୍ଛନ୍ନ କ୍ରୋଧ କିମ୍ବା ଉଭୟ ଧରଣର କ୍ରୋଧ ଏକାଠି ଥାଇପାରେ) ଉଦ୍ୟୋଗୀ ଓ ବ୍ୟଗ୍ର ସ୍ୱଭାବ।
ଟାଇପ୍-ବି:
ଏ ଶ୍ରେଣୀର ଲୋକଙ୍କର ମଧ୍ୟ ଉନ୍ନତି କାମନା ଓ ଉଚ୍ଚାକାଂକ୍ଷା ଥାଏ, ମାତ୍ର ଏହା ତୁଳନାତ୍ମକ ବିଚାରବୁଦ୍ଧି ଉପରେ ପର୍ଯ୍ୟବସିତ ନୁହେଁ। ଅନ୍ୟମାନଙ୍କଠାରୁ ବଡ଼ ହେବି, ଦେଶରେ, ଗାଆଁରେ ସମସ୍ତେ ଜାଣିବେ, ମୋ ନାଆଁ ଖବରକାଗଜରେ ବାହାରିବ ଇତ୍ୟାଦି ଆକାଂକ୍ଷା ପରିବର୍ତ୍ତେ ଏମାନେ ଭଲ କାମଟିଏ କରିପାରିଲେ ଖୁସି ହୁଅନ୍ତି। ଦେଉଳ ତୋଳି ନାଆଁ କରିବାଠାରୁ ସୁନ୍ଦର ଦେଉଳଟିଏ ତୋଳିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏମାନଙ୍କ ଭିତରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାର ଭାବ ବେଶି। ଅନ୍ୟ ସହିତ ମିଳିମିଶି, ସହଯୋଗିତା କରି ଏମାନେ ଚଳନ୍ତି, ବନ୍ଧୁବତ୍ସଳ ହୁଅନ୍ତି, ଜୀବନର ବିଭିନ୍ନ ଦିଗ ଉପଭୋଗ କରି ଆନନ୍ଦ ପାଆନ୍ତି, ପ୍ରୟୋଜନ ଅନୁସାରେ ପରିଶ୍ରମ କରନ୍ତି। ସେମାନେ ସ୍ୱଭାବତଃ ସୁସ୍ଥି ଓ ମାନ୍ଦା ପ୍ରକୃତିର ହୋଇଥାଆନ୍ତି।
ଏମାନେ ସମୟାନୁବର୍ତ୍ତୀ ହୋଇ କାମ କରନ୍ତି। ମାତ୍ର ଅନ୍ୟ ସବୁ ଦରକାରୀ କାମ ପାଇଁ ସମୟ କରି ଚଳନ୍ତି। ଟାଇପ୍-ଏ ଶ୍ରେଣୀର ଲୋକମାନେ ଯେପରି ଡାକ୍ତର ପାଖକୁ ଯିବାକୁ ବେଳ ପାଆନ୍ତି ନାହିଁ, ପିଲାଛୁଆଙ୍କ ସହିତ କଥା କହିବାକୁ ବେଳ ପାଆନ୍ତି ନାହିଁ, ଛୁଟି ଦିନରେ କାମ କରନ୍ତି; ଟାଇପ୍-ବି ଲୋକମାନେ ସେପରି କରନ୍ତି ନାହିଁ। ଏମାନେ ସବୁ କାମ ଧୀରସ୍ଥିର ଭାବେ କରନ୍ତି ଓ ଅଯଥା ଉତ୍କଣ୍ଠିତ ହୁଅନ୍ତି ନାହିଁ। ପ୍ରକୃତରେ କହିବାକୁ ଗଲେ ଏଇ ଦୁଇ ଶ୍ରେଣୀ ଭିତରେ ଲକ୍ଷ୍ୟ ବା ଉଦ୍ଦେଶ୍ୟରେ ସେତେଟା ତଫାତ୍ ନାହିଁ। ଏମାନଙ୍କର କାମର ଢଙ୍ଗ ଅଲଗା, ଦୃଷ୍ଟିଭଙ୍ଗୀ ଅଲଗା।
ବାସ୍ତବ ଜୀବନରେ ଖାଣ୍ଟି ଟାଇପ୍-ଏ ବା ଟାଇପ୍-ବି ଖୁବ୍ କମ୍। ଅଧିକାଂଶ ଲୋକଙ୍କଠାରେ ଦୁଇ ଶ୍ରେଣୀର ଲୋକଙ୍କର ବୈଶିଷ୍ଟ୍ୟ ମିଶ୍ର ଭାବରେ ଦେଖାଯାଏ। ଏଥିପାଇଁ ଟାଇପ୍-ଏ ଲୋକଙ୍କର ସ୍ୱଭାବ ବଦଳେଇବା ସମୟସାପେକ୍ଷ ହେଲେହେଁ ଅସମ୍ଭବ ହୋଇନଥାଏ।
ନିଜେ କ’ଣ କଲେ ନିଜର ମାନସିକ ଚାପ ଲାଘବ କରିହେବ, ସେ ବିଷୟ ସମ୍ବନ୍ଧରେ ବର୍ଣ୍ଣନା କରାଗଲା। ପ୍ରଥମେ ନିଜର ଚିନ୍ତା, ଭାବନା, ଆବେଗ ଓ ସ୍ୱଭାବ ପ୍ରତି ଧ୍ୟାନ ଦେଇ କାହା ଯୋଗୁଁ ନିଜର ଜୀବନରେ ଚାପ ସୃଷ୍ଟି ହେଉଛି, ସେ କଥା ନିର୍ଣ୍ଣୟ କରିବେ।
୧- ନିଜର ଯେଉଁସବୁ ଚିନ୍ତା ଓ ଭାବନା ଯୋଗୁଁ ଚାପ ବଢ଼ୁଛି, ସେଗୁଡ଼ିକୁ ଚିହ୍ନଟ କରିବେ।
୨- ଏସବୁ ଦୁର୍ଭାବନାର ଯଥାସମ୍ଭବ ପ୍ରତିକାର କ’ଣ, ସେ ବିଷୟ ଅନ୍ୟ ଲୋକ ସହିତ ଆଲୋଚନା କରିବେ।
୩- ନିଜ ଦେହକୁ ଶାନ୍ତ ରଖିବେ। (ଗଭୀର ନିଃଶ୍ୱାସ ନେଲେ, ଶାନ୍ତିପୂର୍ଣ୍ଣ ଦୃଶ୍ୟ ଭାବିଲେ କିମ୍ବା ଦେହକୁ ଶାନ୍ତ ହେବା ପାଇଁ ଆଦେଶସୂଚକ ଶବ୍ଦ, ଯଥା -‘ରିଲାକ୍ସ’, ‘ବ୍ୟସ୍ତ ହୁଅନି’, କହି ଦେହର ଆଲୋଡ଼ନକୁ ବନ୍ଦ କରିବା ଉପାୟ ଅଭ୍ୟାସ କଲେ ଦେହକୁ ଶାନ୍ତ କରିହେବ)।
୪- ନିଜ ମନର ପ୍ରଥମ ପ୍ରତିକ୍ରିୟା କ’ଣ ହେଉଛି, ସେଥିପ୍ରତି ଧ୍ୟାନ ଦେବେ। ଯଦି ପ୍ରତିକୂଳ ପ୍ରତିକ୍ରିୟା ଦେଖାଦିଏ, ତେବେ ତାକୁ ଶକ୍ତିହୀନ କରିବାର ଉପାୟ ଅଭ୍ୟାସ କରିବେ।
ଯଥା: ‘କାଲି ଅଙ୍କ ପରୀକ୍ଷା, ମୋର କିଛି ମନେ ରହୁନି। ମୁଁ ନିଶ୍ଚୟ କାଲି ପରୀକ୍ଷାରେ ଫେଲ୍ ହେବି।’ ଏଇ ଅବସ୍ଥାରେ ଯେତେ ଭାବିବେ ଯେ ‘ମୋର କିଛି ମନେ ରହୁନି ମୁଁ କାଲି ନିଶ୍ଚୟ ଫେଲ୍ ହେବି, ସେତେ ମନର ଉତ୍କଣ୍ଠା ଆତଙ୍କରେ ପରିଣତ ହେବ। ଏଇ ଅବସ୍ଥାରେ ପ୍ରଥମେ ନିଜକୁ ଶାନ୍ତ କରି ଦେଖିବା କଥା- ‘ମୁଁ କ’ଣ ପଢ଼ିଛି, ନିଜକୁ କେମିତି ପ୍ରସ୍ତୁତ କରିଛି।’ ତା’ ପରେ ନିଜେ ନିଜକୁ କହିବେ- ‘ପାଠ ମୋତେ ଜଣାଅଛି। ମୋର ମନ ବ୍ୟସ୍ତ ଅଛି ବୋଲି ମନେ ପଡ଼ୁନାହିଁ। ମନ ଥୟ ହେଲେ, ପ୍ରକୃତ ପ୍ରଶ୍ନପତ୍ରରେ କ’ଣ ଲେଖା ହୋଇଛି ଦେଖିଲେ ମୋର ଭୟ ଚାଲିଯିବ ଓ ମୁଁ ଉତ୍ତର ଲେଖିପାରିବି।’ ଥରେ ଭୟକୁ ରୋକି ଦେଲେ ଭୟ କମିଯାଏ। ସ୍କୁଲ୍ ମନୋବିଜ୍ଞାନୀମାନେ ସର୍ଭେ କରି ଦେଖିଛନ୍ତି ଯେ ଅନେକ ପିଲା ଅଙ୍କ ଭଲ ଭାବରେ ଜାଣିଥିଲେ ମଧ୍ୟ ନିଜ ମନର ଉତ୍କଣ୍ଠିତ ଅବସ୍ଥା ଯୋଗୁଁ ପରୀକ୍ଷା ବେଳେ ତାଙ୍କର କିଛି ମନେପଡ଼େ ନାହିଁ। ଏପରି ପିଲାମାନଙ୍କୁ ରିଲାକ୍ସ କରିବା ଉପାୟ ଶିଖାଇଲା ପରେ (ସେମାନଙ୍କର ଉତ୍କଣ୍ଠା କମିଯିବାରୁ) ଦେଖାଗଲା ଯେ ସେମାନେ ଅଙ୍କରେ ଭୟ କରୁଛନ୍ତି। ଅଲିମ୍ପିକ୍ ଗେମ୍ରେ ଖେଳାଳିମାନଙ୍କୁ ଦୌଡ଼ିଲା ବେଳେ (୧) ମନର ଏକାଗ୍ରତା, (୨) ମନକୁ ନିଶ୍ଚଳ ରଖିବାର ଉପାୟ ଓ (୩) କେବଳ ସେଇ ମୁହୂର୍ତ୍ତରେ ଦୌଡ଼ିବା ଛଡ଼ା ଅନ୍ୟ ଚିନ୍ତା ମନକୁ ନ ଆଣିବାର ଉପାୟ ଶିଖାଇବା ଫଳରେ ସେମାନଙ୍କର ଦୌଡ଼ିବାର ଗତି ବଢ଼ୁଛି।
ଯେଉଁମାନେ ବଡ଼ ବଡ଼ ସଭାରେ ବକ୍ତୃତା ଦିଅନ୍ତି ବା ରଙ୍ଗମଞ୍ଚରେ ଅଭିନୟ କରନ୍ତି କିମ୍ବା ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି; ସେମାନେ ସମସ୍ତେ କାଳେ ପାଟି ଫିଟିବ ନାହିଁ, କାଳେ କଥାରେ ଭୁଲ୍ ହୋଇଯିବ କି ବାଦ୍ୟଯନ୍ତ୍ର ବଜେଇଲା ବେଳେ ଆଙ୍ଗୁଠି ଅଟକି ଯିବ ଭାବି ବହୁତ ଉତ୍କଣ୍ଠିତ ହୁଅନ୍ତି। ଉତ୍କଣ୍ଠା ଯେତେ ବଢ଼େ, ସେତେ କଥା ଅଟକିଯାଏ। ଅଭିନୟ କଲାବେଳେ ପାର୍ଟ ଭୁଲିଯାଆନ୍ତି ଓ ସୀତାର କି ବୀଣା ବଜାଇଲା ବେଳକୁ ହାତ ଥରେ। ତେଣୁ ପ୍ରତିଟି ଅଭିନେତା, ସଙ୍ଗୀତଜ୍ଞ ଓ କ୍ଷମତାଶାଳୀ ବକ୍ତୃତାକାରୀଙ୍କୁ ପଚାରିଲେ ଜାଣିବେ ଯେ ସେମାନେ ନିଜର ଉତ୍କଣ୍ଠା ନିରୋଧର ବ୍ୟକ୍ତିଗତ ଉପାୟ ସବୁ ଅଭ୍ୟାସ କରିଥାଆନ୍ତି। ଏସବୁରୁ ଜଣାଯାଉଛି ଯେ ଅତି ଉତ୍କଣ୍ଠାପୂର୍ଣ୍ଣ ଅବସ୍ଥାରେ ମଧ୍ୟ ଠିକ ତାଲିମ ପାଇଥିଲେ ଉତ୍କଣ୍ଠା ଲାଘବ କରି ହେବ। ଏସବୁ ବିଭିନ୍ନ ଉପାୟର ମୂଳକଥା ହେଲା ଅବାଞ୍ଛିତ ଭାବନା ବା ଚିନ୍ତାରୁ ମନକୁ ନିର୍ଲିପ୍ତ ରଖିବାର କୌଶଳ।
(ଗୀତା ଦାସ ଜଣେ ପରିଚିତ ଓଡ଼ିଆ ଲେଖିକା ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନସ୍ତତ୍ୱବିଦ। ୧୮୬୮ ମସିହାରୁ ସେ କାନାଡ଼ାରେ ରହୁଛନ୍ତି। ‘ମନର ଅନ୍ଧାର ମାନସିକ ସମସ୍ୟା’ ପୁସ୍ତକରେ ଶ୍ରୀମତି ଦାସ ମଣିଷର ଦୈନନ୍ଦିନ ଓ ପେସାଦାର ଜୀବନରେ ଆସୁଥିବା ବିଭିନ୍ନ ମାନସିକ ସମସ୍ୟାର ଲକ୍ଷଣ, କାରଣ ଏବଂ ଆଚାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।)
(ସୌଜନ୍ୟ: ମନର ଅନ୍ଧକାର ମାନସିକ ସମସ୍ୟା)