ମଧୁମେହ ହେଲେ ରୋଗୀଙ୍କୁ ଅନ୍ୟ ଯେଉଁ ସବୁ ସମସ୍ୟା ଦେଖାଯାଏ ସେଥିମଧ୍ୟରେ କିଡ୍‌ନି ରୋଗ ଅନ୍ୟତମ। ମଧୁମେହ କିଡ୍‌ନି ରୋଗର ମୁଖ୍ୟ କାରଣ। ମଧୁମେହରେ ପୀଡ଼ିତ ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରୁ ଜଣକୁ କିଡ୍‌ନି ରୋଗ ହେବାର ଆଶଙ୍କା ଥାଏ।

kidney

 

କିଡ୍‌ନି ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ମଧ୍ୟରେ ନିୟୁତ ନିୟୁତ ଛୋଟ ରକ୍ତପ୍ରବାହୀ ନଳୀ ଥାଏ ଯେଉଁଗୁଡ଼ିକ ଫିଲଟର ଭଳି କାମ କରିଥା’ନ୍ତି। ରକ୍ତରୁ ବର୍ଜ୍ୟବସ୍ତୁ ଏବଂ ବଳକା ପାଣିକୁ ପରିସ୍ରା ମାଧ୍ୟମରେ ବାହାର କରିଦେବା ସେମାନଙ୍କର କାମ। କିଡ୍‌ନି ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହରମୋନ୍ ପ୍ରସ୍ତୁତିରେ ସହାୟକ ହୋଇଥାଏ। ତେବେ ସମୟ ସମୟରେ ଏହି ଫିଲଟର ବ୍ୟବସ୍ଥା ନଷ୍ଟ ହୋଇଯାଏ। ମଧୁମେହ ଏହାର ଅନ୍ୟତମ ପ୍ରମୁଖ କାରଣ। ମଧୁମେହ ହେଲେ ବ୍ୟକ୍ତିଙ୍କ ଶରୀରରେ ଶର୍କରାର ପରିମାଣ ବୃଦ୍ଧି ପାଇଥାଏ। ଏହା କିଡ୍‌ନିରେ ଥିବା ଛୋଟ ରକ୍ତ ପ୍ରବାହୀ ନଳୀକୁ କ୍ଷତିଗ୍ରସ୍ତ କରିପାରେ।

ରକ୍ତପ୍ରବାହୀ ନଳୀ କ୍ଷତିଗ୍ରସ୍ତ ହେଲେ ସେଗୁଡ଼ିକ ଭଲ ଭାବେ କାମ କରିପାରନ୍ତି ନାହିଁ। ଫଳରେ କିଡ୍‌ନିର କାମ ବାଧିତ ହୋଇଥାଏ। ଏହି ଅବସ୍ଥାକୁ ଡାଇବେଟିକ୍ କିଡନି ଡିଜିଜ୍ ବା ଡିକେଡି ବୋଲି କୁହାଯାଏ। ଏପରି ଅବସ୍ଥାରେ ଶରୀରରେ ଅଧିକ ପାଣି ଓ ଲୁଣ ଜମା ହୋଇଥାଏ। ଯାହାଫଳରେ ବ୍ୟକ୍ତିଙ୍କର ଓଜନ ବୃଦ୍ଧି ପାଏ। ଗୋଡ଼ ଗଣ୍ଠି ଫୁଲିଯାଏ। ରକ୍ତରୁ ଦୂଷିତ ପଦାର୍ଥ ନିଷ୍କାସିତ ହୋଇପାରେନାହିଁ। ମଧୁମେହ ଦ୍ୱାରା ଶରୀରରେ ଥିବା ଶିରା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ। ଏହାଦ୍ୱାରା ପରିସ୍ରା ଠିକ୍ ଭାବେ ନିର୍ଗତ ହୋଇପାରେ ନାହିଁ। ଫଳରେ ବ୍ଲାଡର ଉପରେ ଚାପ ପଡ଼ିବା ସହିତ କିଡ୍‌ନି ପ୍ରଭାବିତ ହେବାର ବହୁତ ଆଶଙ୍କା ରହେ।

କେଉଁମାନଙ୍କୁ ହେବାର ଅଧିକ ଆଶଙ୍କା ଥାଏ

ମଧୁମେହ  ଥିବା ସତ୍ତ୍ୱେ ଯଦି ଆପଣ ଧୂମପାନ କରୁଥା’ନ୍ତି, ଡାଏଟ ଉପରେ ଧ୍ୟାନ ଦେଉନଥା’ନ୍ତି, ଲୁଣିଆ ଖାଦ୍ୟ ଖାଉଥା’ନ୍ତି, ମେଦବହୁଳ ହୋଇଥାନ୍ତି, ହୃଦରୋଗ ଥାଏ, ପୂର୍ବରୁ ଆପଣଙ୍କର ବଂଶରେ କାହାର କିଡ୍‌ନି ରୋଗ ଥାଏ ତା’ ହେଲେ କିଡ୍‌ନି ରୋଗ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ବଢ଼ିଯାଏ।

ଲକ୍ଷଣ

ଡାଇବେଟିକ୍ କିଡନି ଡିଜିଜ୍ ଦ୍ୱାରା ପ୍ରଭାବିତ ହେଲେ ପ୍ରାଥମିକ ଭାବେ ବ୍ୟକ୍ତିଙ୍କର ଗୋଡ଼ ଫୁଲିବା, ଓଜନରେ ଅସ୍ୱାଭାବିକ ବୃଦ୍ଧି, ରାତିରେ ବାରମ୍ବାର ପରିସ୍ରା ଲାଗିବା, ରକ୍ତଚାପ ବଢ଼ିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ। ଏହା ଦେଖି କିଡ୍‌ନି ପ୍ରଭାବିତ ହୋଇଥିବାର ଆଶଙ୍କା କଲେ ଡାକ୍ତର ରକ୍ତ ଓ ପରିସ୍ରା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥାନ୍ତି। ପରିସ୍ରାରେ ପ୍ରୋଟିନ୍ ନିର୍ଗତ ହେଉଥିଲେ କିଡ୍‌ନି ପ୍ରଭାବିତ ହୋଇଥିବାର ଜଣାପଡ଼େ। ଏହି ରୋଗ ଗୁରୁତର ରୂପ ନେଲେ କିଡ୍‌ନି ଫେଲ୍ ବି ହୋଇପାରେ। କିଡ୍‌ନି ଫେଲ୍ ହୋଇଗଲେ ରକ୍ତରେ କ୍ରିଏଟିନାଇନ୍‌ର ସ୍ତର ବଢ଼ିଯାଏ, ବ୍ୟକ୍ତିଜଣଙ୍କୁ ବାରମ୍ବାର ବାନ୍ତି ହୁଏ, ଭୋକ ଲାଗେନାହିଁ, ଦେହ ଦୁର୍ବଳ ଲାଗେ, ଜ୍ୱର ରହେ, ଦେହ ହାତ କୁଣ୍ଡାଇ ହୁଏ, ପାଦରେ ମାଂସପେଶୀ କ୍ରାମ୍ପ ହୋଇଯାଏ, ରକ୍ତହୀନତା ବି ଦେଖାଯାଏ। କେବଳ ସେତିକି ନୁହେଁ, ଇନସୁଲିନର ଆବଶ୍ୟକତା ବି କମିଯାଏ। ଏପରି ଅବସ୍ଥାରେ ରୋଗୀଙ୍କର ଡାୟାଲିସିସ୍ କରାଯାଏ, ଆବଶ୍ୟକସ୍ଥଳେ କିଡ୍‌ନି ପ୍ରତିରୋପଣ ବି ହୋଇଥାଏ।

ଏପରିସ୍ଥଳରେ ଯଦି ଆପଣ ଟାଇପ୍‌-୨ ମଧୁମେହ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ନ ହେଲେ ୫ ବର୍ଷରୁ ଅଧିକ ସମୟ ଧରି ଟାଇପ୍‌-୧ ମଧୁମେହର ଶିକାର ହୋଇଥାନ୍ତି ତା’ ହେଲେ ପ୍ରତିବର୍ଷ କିଡ୍‌ନି ପରୀକ୍ଷା କରାଇନେବା ଜରୁରୀ। ଟାଇପ୍‌-୧ ମଧୁମେହରେ ପୀଡ଼ିତ ୩୦ ପ୍ରତିଶତ ଏବଂ ଟାଇପ୍‌-୨ ମଧୁମେହରେ ପୀଡ଼ିତ ୧୦-୪୦ ପ୍ରତିଶତ ରୋଗୀଙ୍କୁ କିଡ୍‌ନି ରୋଗ ହେବାର ଆଶଙ୍କା ରହେ।

କିଡ୍‌ନିକୁ କିଭଳି ସୁସ୍ଥ ରଖିବେ?

ମଧୁମେହ ଜନିତ କିଡ୍‌ନି ରୋଗର ଆଶଙ୍କାକୁ ଦୂର କରିବାର ସବୁଠୁ ବଡ଼ ଉପାୟ ହେଲା ରକ୍ତଶର୍କରାକୁ ନିୟନ୍ତ୍ରିତ କରିବା। ଏଥିପାଇଁ ଶାରିରୀକ ପରିଶ୍ରମ ଜାରି ରଖନ୍ତୁ। ପ୍ରତିଦିନ ଅତି କମ୍‌ରେ ଅଧ ଘଣ୍ଟା ଚାଲନ୍ତୁ । ଯୋଗ, ଧ୍ୟାନ, ପ୍ରାଣାୟମ ମଧ୍ୟ ଶର୍କରାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ। ସପ୍ତାହକୁ ୩-୪ ଦିନ ଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା ସହିତ ପ୍ରତି ୩ ମାସରେ ହାରାହାରି ରକ୍ତଶର୍କରାକୁ ଯାଞ୍ଚ କରାଇ ନିଅନ୍ତୁ।

-ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ଖୁବ୍ ଜରୁରୀ। କାରଣ ଉଚ୍ଚ ରକ୍ତଚାପ ଯୋଗୁ ହୃଦୟ ଖୁବ୍ କଠିନ ହୋଇଯାଏ । ଏହାଯୋଗୁ ହୃଦରୋଗ, ହୃଦଘାତ ଏବଂ କିଡ୍‌ନି ରୋଗ ହେବାର ଆଶଙ୍କା ବୃଦ୍ଧିପାଏ।

-ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ । ଛଣାଛଣି, ଅତ୍ୟଧିକ ତେଲମସଲା, ଲୁଣି ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ । ଡାଏଟିସିଆନ୍‌ଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଆନ୍ତୁ।

-ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ଔଷଧ ଖାଉଥିଲେ ତାହା ଜାରି ରଖନ୍ତୁ।