ଜାଣନ୍ତୁ ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶ କରାଯାଇଛି ଯେ ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ୫ ନିୟୁତ ବ୍ୟକ୍ତି ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାୟ ୨.୪ ନିୟୁତ ବିଷାକ୍ତ ସାପ କାମୁଡ଼ା ଘଟଣା ପ୍ରତିବର୍ଷ ଘଟିଥାଏ ଏବଂ ସେମାନଙ୍କ ମଧ୍ୟରୁ ୯୪,୦୦୦ – ୧, ୨୫,୦୦୦ ମୃତ୍ୟୁବରଣ କରିଥାନ୍ତି, କେବଳ ସେତିକି ନୁହେଁ ୪,୦୦,୦୦୦ଙ୍କର ଅଙ୍ଗଛେଦନ ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।
ଯେମିତିକି ସଂକ୍ରମଣ, ଧନୁଷ୍ଟଙ୍କାର, ଦାଗ ହୋଇଯିବା, ସେହି ସ୍ଥାନ ସଙ୍କୁଚିତ ହୋଇଯିବା ଏବଂ ମାନସିକ ପ୍ରଭାବ ଇତ୍ୟାଦି। ସଚେତନତାର ଅଭାବ ଓ ସଠିକ ସ୍ୱାସ୍ଥ୍ୟ ସେବା ନ ମିଳିବା ଓ ଆଣ୍ଟିଭେନମ୍ ବା ବିଷନାଶକ ଉପଲବ୍ଧ ନ ହେବା କାରଣରୁ ଆଘାତର ଗୁରୁତରତା ବୃଦ୍ଧି ପାଇବା ସହ ଫଳାଫଳ ମଧ୍ୟ ଅଧିକ ଗମ୍ଭୀର ହୋଇଥାଏ।
କେଉଁମାନଙ୍କ କ୍ଷେତ୍ରରେ ସାପ କାମୁଡ଼ିବାର ଆଶଙ୍କା ଅଧିକ ରହିଥାଏ?
ଗ୍ରାମାଞ୍ଚଳ, ଗରିବ ଲୋକମାନେ, ଯେଉଁମାନେ କମ୍ ଖର୍ଚ୍ଚରେ ବା ନିମ୍ନମାନର ଗୃହରେ ରହୁଥାନ୍ତି, କୌଣସି ମେସିନ୍ ବ୍ୟବହାର ନ କରି ନିଜ ଜମିରେ କାମ କରିଥାନ୍ତି ଏବଂ ଅନ୍ୟାନ୍ୟ ଜମିରେ କାମ କରାଯାଉଥିବା ବୃତ୍ତିରେ ନିୟୋଜିତ ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦେଇଥାଏ। ଚାଷ ଜମିରେ କାମ କରୁଥିବା ମଜୁରିଆ, ମହିଳା ଓ ଶିଶୁମାନେ ଅଧିକାଂଶ ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଏହା ଫଳରେ ସେମାନଙ୍କର ସାମାଜିକ ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ।
ଚିକିତ୍ସା
ପ୍ରାୟ ୬୦୦ ପ୍ରଜାତିର ବିଷାକ୍ତ ସାପ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦– ୭୦ ପ୍ରତିଶତ ସାପ କାମୁଡ଼ିବା ବିଷାକ୍ତ ପ୍ରଭାବର କାରଣ ହୋଇଥାଏ। ସାପ କାମୁଡ଼ିବା ସମୟରେ ଚିକିତ୍ସାର ପ୍ରଥମ କାର୍ଯ୍ୟ ହୋଇଥାଏ ଶରୀରର ପ୍ରଭାବିତ ଅଂଶକୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର ବା ଅଚଳ କରିଦେବା ଏବଂ ତୁରନ୍ତ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଯିବା। କପଡ଼ା ବାନ୍ଧିବା ଏବଂ କ୍ଷତକୁ କାଟିଦେବା ବିଷର ପ୍ରଭାବକୁ ଅଧିକ ଗୁରୁତର କରିଦେଇପାରେ ଏବଂ ଏହାକୁ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର କରିବା ଅନୁଚିତ।
ବହୁ ସମୟରେ ସାପ କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍ ସହିତ ଚିକିତ୍ସା କରିବା ଆବଶ୍ୟକ ହୋଇଥାଏ। ଏହି ଆଣ୍ଟିଭେନମ୍ ସେହି ଅଞ୍ଚଳରେ ବହୁଳ ଭାବରେ ଦେଖାଦେଉଥିବା ସାପମାନଙ୍କ ପାଇଁ ଯଥାର୍ଥ ହୋଇଥିବା ଆବଶ୍ୟକ। ଆଣ୍ଟିଭେନମ୍ ସହିତ ଅନ୍ୟାନ୍ୟ ଚିକିତ୍ସାଗୁଡ଼ିକ ହୋଇଥାଏ କ୍ଷତକୁ ପରିଷ୍କାର କରି ସଂକ୍ରମଣର ଆଶଙ୍କା ହ୍ରାସ କରିବା, ସହାୟକ ଚିକିତ୍ସା ଯେପରିକି ଶ୍ୱାସକ୍ରିୟା ସମ୍ପର୍କିତ ସହାୟତା ଏବଂ ଯଦି ରୋଗୀ ଯଥେଷ୍ଟ ଧନୁଷ୍ଟଙ୍କାର ଇଞ୍ଜେକ୍ସନ୍ ନେଇନାହାନ୍ତି ତେବେ ରୋଗୀଙ୍କୁ ଡାକ୍ତରଖାନାରୁ ଛାଡ଼ିଲା ବେଳେ ଟିଟାନାସ୍ ଇଞ୍ଜେକ୍ସନ୍ ଦେବା। ଲକ୍ଷଣ ଅନୁଯାୟୀ ଡାକ୍ତର ରୋଗୀର ଚିକିତ୍ସା କରିଥାନ୍ତି।
ସାପ କାମୁଡ଼ିବା ଓ ତାହାର ଗୁରୁତର ପ୍ରଭାବଗୁଡ଼ିକ କିପରି ଏଡ଼ାଇବେ:
- ଲମ୍ବା ଘାସ ବଢ଼ିଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
- ସୁରକ୍ଷାତ୍ମକ ଜୋତା/ ବୁଟ୍ ପିନ୍ଧନ୍ତୁ।
- ଜିନିଷପତ୍ର ସାଇତି ରଖୁଥିବା ସ୍ଥାନ ବା ଭଣ୍ଡାରଘର, କୋଠୀ ଇତ୍ୟାଦିରେ ଯେପରିକି ମୂଷା ବେଙ୍ଗ, ଇତ୍ୟାଦି ନ ରହନ୍ତି ଯତ୍ନବାନ ହୁଅନ୍ତୁ।
- ଘର ଚାରିପଟୁ ଛୋଟ ଛୋଟ ବୁଦା, କାଠ ଗଦା, ଅଳିଆ ହଟାଇ ଦିଅନ୍ତୁ।
- ମୂଷାମାନେ କାଟିପାରୁନଥିବା ପାତ୍ରରେ ଖାଦ୍ୟ ସାଇତି ରଖନ୍ତୁ, ଚଟାଣ ସ୍ତରଠାରୁ ଉଚ୍ଚରେ ଶେଯ ପକାଇ ଶୁଅନ୍ତୁ ଯେପରିକି ଖଟରେ ଶୁଅନ୍ତୁ।
- ଯଦି ଖଟ ନଥାଏ ତେବେ ଘର ଭିତରେ ଶୋଇଲା ବେଳେ ଶେଯ ଚାରିପଟେ ମଶାରୀ ଭଲ ଭାବରେ ଖୁଞ୍ଚି ଦିଅନ୍ତୁ।
ସାପ କାମୁଡ଼ିବାର ଗୁରୁତର ଫଳାଫଳ କମ୍ କରିବା ପାଇଁ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଝଡ଼ା ଫୁଙ୍କା, ଦେଶୀ ଚିକିତ୍ସା, ଠାକୁରଙ୍କ ପାଖରେ ପାଣି ଢ଼ାଳିବା ଇତ୍ୟାଦିରେ ସମୟ ନଷ୍ଟ ନ କରି ତୁରନ୍ତ ଡାକ୍ତରଖାନାକୁ ନେଇଯାଆନ୍ତୁ। ବିଷର ପ୍ରଭାବ ବିଷନାଶକ ହିଁ କମ୍ କରିପାରେ। ତେଣୁ ଶୀଘ୍ର ଚିକିତ୍ସା କରନ୍ତୁ ସାପ କାମୁଡ଼ା ପ୍ରଭାବରୁ ସୁରକ୍ଷିତ ରହନ୍ତୁ।
First Aid Guide for Snake Bites in Odia.