ଡାକ୍ତର ସରୋଜିନୀ ଷଡଙ୍ଗୀ
ଅଧିକ ବୟସରେ ଗର୍ଭଧାରଣ କଲେ ମାଆ ଓ ଶିଶୁ ଉଭୟଙ୍କ ପାଇଁ ଜଟିଳତାର ଆଶଙ୍କା ରହିଛି।
୧) ବନ୍ଧ୍ୟା ଦୋଷ
ବୟସ ବଢ଼ିବା ସଙ୍ଗେ ସଙ୍ଗେ ଗର୍ଭଧାରଣ କରିବା ଶକ୍ତି କମିଯାଏ, କାରଣ ବୟସ୍କା ମହିଳାମାନଙ୍କର ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ।
୨) ଗର୍ଭନଷ୍ଟ ବା ଗର୍ଭପାତ
ବୟସ୍କା ମହିଳାମାନଙ୍କର ଡିମ୍ବରେ ଜନ୍ମଗତ ବିକଳାଙ୍ଗତା ‘କ୍ରୋମୋଜୋମାଲ୍ ଆନୋମାଲି’ ଥିବାରୁ ବେଶୀ ଗର୍ଭନଷ୍ଟ ହୋଇଥାଏ। ଏମାନଙ୍କର ଜରାୟୁ ଝିଲ୍ଲୀ ବିକଶିତ ହୋଇନଥିବାରୁ ମଧ୍ୟ ଗର୍ଭପାତ ହୋଇଥାଏ, ଏହି ଗର୍ଭପାତ ୬ ଗୁଣ ଅଧିକ ହୋଇଥାଏ।
୩) ଶିଶୁ ବିକଳାଙ୍ଗତା
୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳାମାନଙ୍କର ବିକଳାଙ୍ଗ ଶିଶୁ ହୁଏ ଏବଂ ଗର୍ଭରେ ଶିଶୁମୃତ୍ୟୁ ହୁଏ।
୪) ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ
ବୟସ ବଢ଼ିବା ସଙ୍ଗେ ସଙ୍ଗେ ଉଚ୍ଚ ରକ୍ତଚାପ ମଧ୍ୟ ବଢ଼ିଯାଏ। ବିଳମ୍ବରେ ଗର୍ଭଧାରଣ କଲେ ବେଶୀ ରକ୍ତଚାପ ବଢ଼ିଥାଏ ଏବଂ ତତଜନିତ ଜଟିଳତା ମଧ୍ୟ ବଢ଼ିଥାଏ। ଯମଜ ଗର୍ଭ ପାଇଁ ମଧ୍ୟ ରକ୍ତଚାପ ବେଶୀ ବଢ଼ିଯାଏ।
୫) ଜରାୟୁ ଅର୍ବୁଦ ଫାଇବ୍ରଏଡ
ପ୍ରାୟ ଶତକଡ଼ା ୧୦ ଭାଗ ବୟସ୍କା ମା’କୁ ଏହା ହୋଇଥାଏ, ତେଣୁ ଅର୍ବୁଦ ଜନିତ ଗୁରୁତର ଜଟିଳତା ଯଥା ଗର୍ଭପାତ, ଅପରିଣତ ପ୍ରସବ ଆଦି ହୋଇଥାଏ।
୬) ଗର୍ଭାବସ୍ଥାରେ ମଧୁମେହ ରୋଗ
ବେଶୀ ବୟସରେ ଗର୍ଭଧାରଣ କଲେ ଶତକଡ଼ା ୧୦ ଭାଗ ମହିଳାମାନଙ୍କଠାରେ ମଧୁମେହ ରୋଗ ହୁଏ। କିନ୍ତୁ ଅଳ୍ପ ବୟସ୍କା ମହିଳାମାନଙ୍କ କ୍ଷେତ୍ରରେ ଏହା ଶତକଡ଼ା ୪ ଭାଗ ଦେଖାଦେଇଥାଏ। ଏହାଦ୍ଵାରା ଗର୍ଭରେ ଶିଶୁ ମୃତ୍ୟୁ, ପ୍ରସବ ପରେ ଶିଶୁର ଅସୁବିଧା, ମୋଟା ଶିଶୁ ଏବଂ ସେମାନଙ୍କୁ ମଧ୍ୟ ମଧୁମେହ ରୋଗ ଓ ହୃଦ୍ରୋଗ ହେବାର ଆଶଙ୍କା ଅଧିକ ଥାଏ।
୭) ଅପରିଣତ ପ୍ରସବ
ବିଳମ୍ବରେ ଗର୍ଭଧାରଣ କଲେ, ଅପରିଣତ ପ୍ରସବର ଜଟିଳତା ପ୍ରାୟ ଦୁଇ ଗୁଣ ବଢ଼ିଯାଏ। ଶତକଡ଼ା ୧୦-୧୫ ଭାଗ ଶିଶୁ ଅପରିଣତ ସମୟରେ ଜନ୍ମଗ୍ରହଣ କରିଥା’ନ୍ତି। ତେଣୁ ମୃତ୍ୟୁ ହାର ବଢ଼ିଯାଏ।
୮) ପ୍ରସବ ପୂର୍ବରୁ ପାଣିଥଳି ଫାଟିଯିବା
ଅଳ୍ପ ବୟସ୍କା ଗର୍ଭବତୀ ନାରୀଙ୍କଠାରୁ ବେଶୀ ବୟସ୍କା ଗର୍ଭବତୀ ନାରୀଙ୍କର ପ୍ରସବ ପୂର୍ବରୁ ପାଣିଥଳି ଫାଟିଯାଏ ଓ ତତଜନିତ ସଂକ୍ରମଣ ରୋଗ ହେବା ଦେଖାଯାଏ। ଏହା ପ୍ରାୟ ଶତକଡ଼ା ୪ ଭାଗରୁ ଅଧିକ ଦେଖାଯାଇଥାଏ।
୯) କମ୍ ଓଜନର ଗର୍ଭସ୍ଥ ଶିଶୁ
ବୟସ୍କା ଗର୍ଭବତୀ ମା’ ମାନଙ୍କର ଶିଶୁମାନେ ନିଶ୍ଚିତ ଭାବରେ ଅଳ୍ପ ଓଜନର ହୋଇଥାନ୍ତି କାରଣ ଗର୍ଭଫୁଲ ଦେଇ ବେଶି ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁଟି ବଢ଼ିପାରେ ନାହିଁ। ଏହାଛଡ଼ା କ୍ରନିକ୍ ଉଚ୍ଚ ରକ୍ତଚାପ ଓ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ପାଇଁ ଶିଶୁର ଓଜନ କମିଯାଏ। ଖୁବ୍ କମ୍ ଓଜନର ଶିଶୁ ଶତକଡ଼ା ୧୮ ଭାଗ ବୟସ୍କା ଗର୍ଭବତୀ ମହିଳାଙ୍କର ହୋଇଥାଏ। ଏହି ଶିଶୁମାନେ ବଡ଼ ହେଲେ ହୃଦରୋଗ, ମଧୁମେହ ରୋଗ, ଫୁସଫୁସଜନିତ ରୋଗ ତଥା ମେଦବହୁଳତା ଭୋଗିଥାନ୍ତି।
୧୦) ପ୍ରସବ ପୂର୍ବରୁ ରକ୍ତସ୍ରାବ
ଗର୍ଭର ଶେଷ ତିନିମାସ ପ୍ରସବ ପୂର୍ବରୁ ରକ୍ତସ୍ରାବ ତିନୋଟି କାରଣରୁ ହୋଇଥାଏ, ତନ୍ମଧ୍ୟରୁ ଗର୍ଭଫୁଲର ସାଧାରଣ ଅବସ୍ଥାନରୁ ରକ୍ତସ୍ରାବ ଅନ୍ୟତମ କାରଣ। ବୟସ୍କା ମହିଳାମାନଙ୍କର ଉଚ୍ଚ ଉକ୍ତଚାପ ଯୋଗୁଁ ଗର୍ଭଫୁଲ ତଳୁ ରକ୍ତସ୍ରାବ ହୋଇଥାଏ ଏବଂ ଗର୍ଭାଶୟରୁ ମଧ୍ୟ ଗର୍ଭଫୁଲକୁ କମ୍ ରକ୍ତ ଯାଇଥାଏ ଏବଂ ସ୍ଥଳବିଶେଷରେ ଗର୍ଭଫୁଲର ଗର୍ଭାଶୟର ନିମ୍ନ ଦେଶରେ ଅବସ୍ଥାନ (ଅସ୍ଥାନିକ ଗର୍ଭଫୁଲ ବା ପ୍ଳାସେଣ୍ଟା ପ୍ରିଭିଆ) ପାଇଁ ମଧ୍ୟ ରକ୍ତସ୍ରାବ ହୋଇଥାଏ। ଏଥିରେ ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ ବଢ଼ିଯାଏ।
୧୧) ବୟସାଧିକ୍ୟ ରୋଗ
ଅଧିକ ବୟସରେ ବିଭିନ୍ନ ରୋଗ ଯଥା ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ବୃକକ୍ ଜନିତ ରୋଗ, ତଥା ଶ୍ଵାସରୋଗ ସେମାନଙ୍କର ବେଶୀ ହୁଏ।
୧୨) ପ୍ରସବ ସମୟରେ ଅସୁବିଧା
ବେଶୀ ବୟସରେ ଗର୍ଭଧାରଣ କରିଥିବା ମା’ମାନଙ୍କର ଶିଶୁମାନେ ଗର୍ଭାଶୟରେ ଅସ୍ଵାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ଓ ସ୍କନ୍ଧ ଉପସ୍ଥାନ। ମନକୁ ମନ ଏମାନଙ୍କର ପ୍ରସବ ବେଦନା ଆରମ୍ଭ ହୁଏନାହିଁ। ଇଞ୍ଜେକ୍ସନ ଦ୍ଵାରା ପ୍ରସବ ବେଦନା ଆରମ୍ଭ କରାଯାଏ ଏବଂ ଅସ୍ତ୍ରୋପଚାର ଯଥା ଫୋରସେପସ୍ ଓ ଭାକ୍ୟୁମ୍ ଡେଲିଭରିରୁ ରକ୍ତକ୍ଷରଣ ବେଶୀ ହୋଇଥାଏ। ନବଜାତକ ଶିଶୁଟି କାନ୍ଦିବାରେ ଓ ନିଃଶ୍ଵାସ ନେବାରେ ଡେରି ହୋଇଥାଏ।
ଶିଶୁ ପାଇଁ ଜଟିଳତା:
ବୟସ୍କା ମା’ ମାନଙ୍କର ଶିଶୁମାନେ ଅପରିଣତ ଓ ଅଳ୍ପ ଓଜନର ହୋଇଥାନ୍ତି। ମା’ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ବିକଳାଙ୍ଗ ଶିଶୁ ହୋଇଥାନ୍ତି। ଏହିଭଳି ଶିଶୁ ଜନ୍ମପରେ ପ୍ରଥମ ୭ ଦିନ ଭିତରେ ମୃତ୍ୟୁ ମୁଖରେ ପଡ଼ିଥା’ନ୍ତି ଏବଂ ସ୍ଥଳବିଶେଷରେ ରୁଗ୍ଣ ମଧ୍ୟ ହୋଇ ଯାଆନ୍ତି। ଏଥିରେ ଶିଶୁ ମୃତ୍ୟୁହାର ମଧ୍ୟ ଅନେକାଂଶରେ ବଢ଼ିଯାଏ।
ସାମାଜିକ ଅସୁବିଧା:
ବୟସ୍କା ମାତା ପିତାମାନେ ବେଶୀ ପରିଣତ (ମାଚ୍ୟୁଅର୍) ହୋଇଥିବାରୁ ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ଥିବାରୁ ଓ ଶିଶୁ ଲାଳନପାଳନ ତଥା ଶିକ୍ଷାର ବିକାଶ ପାଇଁ ସେମାନେ ବେଶୀ ମନୋନିବେଶ କରିଥାନ୍ତି। ଅପରପକ୍ଷରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମାତା ପିତା ମାନଙ୍କର ଛୋଟ ଶିଶୁମାନଙ୍କୁ ଲାଳନପାଳନ କରିବାକୁ ବୟସ ଶକ୍ତି ବା ଧୈର୍ଯ୍ୟ ନ ଥାଏ ଏହାଛଡ଼ା ଏହି ସମୟ ତାଙ୍କ କ୍ୟାରିଅର୍ ପାଇଁ ଅତି ଉତ୍କର୍ଷ ସମୟ ହୋଇଥିବାରୁ ସେମାନେ ଶିଶୁମାନଙ୍କୁ ସମୟ ଦେଇପାରନ୍ତି ନାହିଁ।
ଚିକିତ୍ସା:
ବିଳମ୍ବରେ ଓ ବେଶୀ ବୟସରେ ଗର୍ଭଧାରଣ ଶିଶୁ ପାଇଁ ଓ ମା’ ପାଇଁ ଅନେକ ପ୍ରକାରର ଜଟିଳତାକୁ ଡାକି ଆଣିଥାଏ। ଏଥିରେ ଶିଶୁ ବିକଳାଙ୍ଗତାର ହାର ବୃଦ୍ଧି ପାଉଥିବାରୁ ଗର୍ଭଧାରଣ ପୂର୍ବରୁ ଏବଂ ଗର୍ଭଧାରଣର ଠିକ୍ ପରେ ପରେ ଚିକିତ୍ସା କରିବା ଜରୁରୀ। ତେଣୁ ୩୫ ବର୍ଷରୁ ଊର୍ଦ୍ଧ୍ୱ ଯେକୌଣସି ମହିଳା ଗର୍ଭଧାରଣ କରିବା ପୂର୍ବରୁ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କର ପରାମର୍ଶ ନେବା ଜରୁରୀ।
ଗର୍ଭଧାରଣ ପୂର୍ବରୁ ପରାମର୍ଶ:
ବୟସ୍କା ମା’ଟିର ଗର୍ଭଧାରଣ କଲେ କ’ଣ କ’ଣ ଅସୁବିଧା ଭୋଗିବ ଯଥା ଗର୍ଭପାତ, ବିକଳାଙ୍ଗ ଶିଶୁ, ଯମଜ ଗର୍ଭ, ଗର୍ଭାଶୟରେ ଅର୍ବୁଦ, ଉଚ୍ଚ ରକ୍ତଚାପ ମଧୁମେହ ରୋଗ। ପ୍ରସବ ପରେ ମା’ର ଅସୁସ୍ଥତା ଆଦି ବିଷୟରେ ବିବାଦ ଭାବରେ ଜାଣିନେଲେ, ମା’ଟି ସେଥିପାଇଁ ସତର୍କ ରହିପାରିବ।
ଗର୍ଭାବସ୍ଥାରେ କେତୋଟି ବିଶେଷ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ଦ୍ଵାରା ଶିଶୁର ବର୍ଦ୍ଧନକୁ ଲକ୍ଷ୍ୟ କରାଯାଇ ପାରିବ ଓ ତତ୍ଜନିତ ଚିକିତ୍ସା କରାଯାଇ ପାରିବ। ପ୍ରସବ ପରେ ଶିଶୁର ଯତ୍ନ ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ବୟସ୍କାମାନେ ସତର୍କ ହେବା ଉଚିତ୍। ଏକ ବିଂଶ ଶତାବ୍ଦୀରେ ଚିକିତ୍ସା କ୍ଷେତ୍ରରେ ଭେଷଜ ବିଜ୍ଞାନର ଦାନ ଅତୁଳନୀୟ। ଏହା ଫଳରେ ଜଣେ ଇଚ୍ଛା କଲେ ଗର୍ଭଧାରଣ ପୂର୍ବରୁ ଓ ଗର୍ଭାବସ୍ଥା ସମୟରେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କର ପରାମର୍ଶ ନେଇ ଉତ୍ତୀର୍ଣ୍ଣ ବୟସରେ ମଧ୍ୟ ମାତୃତ୍ଵର ଆନନ୍ଦ ଉପଲବ୍ଧି କରିବାର ସୌଭାଗ୍ୟ ଲାଭ କରିପାରିବ।
(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)