ପିଲାଙ୍କଠାରେ କାହିଁକି ବଢୁଛି ମୋବାଇଲ ନିଶା? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମଣିଷ ଘଡ଼ିକୁ ଘଡ଼ି ଫୋନର ସ୍କ୍ରିନକୁ ଚାହିଁ ରହିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଛୋଟପିଲା। ଛୋଟ ପିଲାମାନେ ଦିନକୁ ଦିନ ମୋବାଇଲ ଫୋନ ସହିତ ଜଡ଼ିତ ହେବାର ଦେଖିବାକୁ ମିଳୁଛି। ବାପା ମା’ମାନେ ମଧ୍ୟ ପିଲାକୁ ସମ୍ଭାଳିବା ପାଇଁ ତା’ ହାତରେ ମୋବାଇଲ ଫୋନ୍ ଧରାଇ ଦେଉଛନ୍ତି। ହେଲେ ମୋବାଇଲ ଫୋନର କୁପ୍ରଭାବ ପିଲାଙ୍କ ଉପରେ ଏତେମାତ୍ରାରେ ପଡ଼ୁଛି ଯେ, ତାହା ଅନେକଙ୍କୁ ଅଜଣା। ଫୋନ ସହ ଅତ୍ୟଧିକ ଜଡ଼ିତ ହେବା ଫଳରେ ପିଲାଙ୍କ ବୁଦ୍ଧିର ବିକାଶ ହୋଇପାରୁନାହିଁ। ପିଲାଙ୍କ ସବୁ ଧ୍ୟାନ ମୋବାଇଲ ଭିତରେ ରହୁଛି, ଫଳରେ ସେମାନଙ୍କଠାରେ ବିଭିନ୍ନ ମାନସିକ ସମସ୍ୟା ମଧ୍ୟ ଦେଖାଦେଉଛି।

ଅନେକ ସମୟରେ ଦେଖାଦେଇଥାଏ ବାପା ମା’ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଇ ଦେଇଥା’ନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଳି କରୁଛି ସେତେବେଳେ ପିଲା ହାତରେ ଫୋନ ଦେଇଥା’ନ୍ତି ବାପାମା’। କିନ୍ତୁ ପିଲାମାନଙ୍କ ପାଇଁ ଫୋନ୍ ବ୍ୟବହାର କରିବା କ୍ଷତିକାରକ ହୋଇଥାଏ।

ସାଧାରଣତଃ ଛୋଟ ପିଲାଙ୍କର ଖେଳିବା ବୁଲିବା ବୟସ। ଏହି ବୟସରେ ବାହାରେ ଛୋଟ ଛୋଟ ପିଲାଙ୍କ ସହ ଖେଳିବା ଦ୍ଵାରା ତା’ର ମାନସିକ ଓ ବୌଦ୍ଧିକ ବିକାଶ ହୋଇଥାଏ। ହେଲେ ବର୍ତ୍ତମାନ ପିଲାମାନେ ମୋବାଇଲର ଛୋଟ ସ୍କ୍ରିନ୍‌ ଭିତରେ ସଙ୍କୁଚିତ ହୋଇ ରହୁଛନ୍ତି। ତାଙ୍କ ମାନସିକ ବୁଦ୍ଧି ଗୋଟେ ମୋବାଇଲ ସ୍କ୍ରିନ୍‌ ଭିତରେ ବୁଡ଼ି ରହୁଛି। ଏହି ମୋବାଇଲରୁ ବାହାରୁଥିବା ଆଲୋକ ସେମାନଙ୍କ ଆଖି ଉପରେ ସିଧାସଳଖ ପ୍ରଭାବ ପକାଉଛି।

kids using mobile

ଅଧିକ ପଢ଼ନ୍ତୁ: ନବଜାତ ଶିଶୁଙ୍କ ଟିକାକରଣ କାହିଁକି ଜରୁରୀ?

ଶିଶୁଙ୍କ ଉପରେ ମୋବାଇଲ ଫୋନର ପ୍ରଭାବ (Effects of phone addiction on children in Odia)

ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ଯୋଗୁଁ ପାଖାପାଖି ୧୦-୧୫ ପ୍ରତିଶତ ପିଲା ଚଷମାର ବ୍ୟବହାର କରୁଛନ୍ତି। ଏହାଛଡ଼ା ସେମାନଙ୍କର ମାନସିକ ବିକାଶ ମୋବାଇଲ ଭିତରେ ସୀମିତ ହୋଇ ରହିଲା ଏବଂ ମୋବାଇଲ ଦେଖି ଦେଖି ଖାଦ୍ୟ ଖାଇବା ଦ୍ଵାରା ମୋଟାପଣ ବୃଦ୍ଧି ହେଲା ଓ ବୌଦ୍ଧିକ ବିକାଶ ହେଲା ନାହିଁ। ପିଲା ବ୍ୟକ୍ତିଗତ, ସାମାଜିକ, ପାରିବାରିକ ସଂସ୍କୃତି ଶିଖିପାରିଲା ନାହିଁ। ଅଳ୍ପ ବୟସରେ ମୋବାଇଲ ଧରିବା ହେତୁ ପିଲାର ବିକାଶ ହେବାରେ ବାଧାସୃଷ୍ଟି ହେଉଛି। ବାହାରେ ଖେଳାବୁଲା ନକରି ମୋବାଇଲ ଧରିବା ହେତୁ ମେଦବହୂଳତା ସମସ୍ୟା ଦେଖାଯିବାର ଭୟ ଅଧିକ ରହୁଛି।

ପିଲାର ବୌଦ୍ଧିକ ବିକାଶ ପାଇଁ ପିଲାକୁ ମୋବାଇଲଠାରୁ ଦୂରରେ ରହିବାକୁ ହେବ।

ମୋବାଇଲ ନିଶା ଯୋଗୁଁ ମେଦବହୁଳତା (Obesity due to phone addiction in Odia)

ଭାରତରେ ମେଦବହୁଳତା ଯୋଗୁଁ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦେଖାଦେଉଛି। କାରଣ ଆମେ ଖାଉଛେ ଅଧିକ କାମ କରୁଛେ କମ୍‌। ଗୋଟେ ପିଲା ୬ ବର୍ଷରେ ୧୮ କିଲୋଗ୍ରାମ ହେବା ଦରକାର। ହେଲେ ବର୍ତ୍ତମାନ ୬ ବର୍ଷର ପିଲାଙ୍କ ଓଜନ ୩୨ କିଲୋଗ୍ରାମ ହେଲାଣି। ଛୋଟ ପିଲାଙ୍କଠାରେ ମେଦବହୁଳତା ରହିଲେ, ତାହା ଶରୀରର ରକ୍ତ ନଳୀ, ଧମନୀ, ଯକୃତ, ବୃକକ୍‌ ଉପରେ କୁପ୍ରଭାବ ପକାଇବ। .

ମେଦବହୁଳତା କାରଣରୁ ପିଲାର କାମ କରିବାରେ, ଖେଳିବାରେ ଉତ୍ସାହ ରହିବ ନାହିଁ। ଧୀରେ ଧୀରେ ପିଲା ଅଳସୁଆପଣର ଶିକାର ହୁଅନ୍ତି।

ଏସବୁ ସମସ୍ୟାକୁ ଏଡ଼ାଇବା ପାଇଁ ବାପା ମା’ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ପିଲା ଯଦି ମୋବାଇଲ ଦେଖି ଖାଉଛି, ତାକୁ ବୁଝେଇବା ଦରକାର। ଯଦି ବାପାମା’ ବ୍ୟାୟାମ କରିବେ ବା ପ୍ରାତଃ ଭ୍ରମଣ କରିବେ, ତେବେ ପିଲା ଧୀରେ ଧୀରେ ବ୍ୟାୟାମ କରିବାକୁ ଉତ୍ସାହିତ ହେବେ। ପିଲା କ’ଣ ଖାଉଛି ତାହା ବାପାମା’ ଧ୍ୟାନ ଦେବା ଜରୁରୀ। ତେଣୁ, ମୋବାଇଲଠାରୁ ଦୂରରେ ରହନ୍ତୁ, ଖାଇବାରେ ନିୟନ୍ତ୍ରଣ ଆଣନ୍ତୁ, ବ୍ୟାୟାମ କରନ୍ତୁ ଓ ଫିଟ୍‌ ରହନ୍ତୁ।

ବାପାମା’ଙ୍କ କ’ରହିଛି କର୍ତ୍ତବ୍ୟ? (What is the duty of parents in Odia)

ପୂର୍ବରୁ ଯୌଥ ପରିବାରରେ ପିଲାମାନେ ବଢ଼ୁଥିଲେ। ପିଲାମାନେ ଅଧିକ ସମୟ ଭାଇ ଭଉଣୀ, ଦାଦା, ଖୁଡ଼ି, ଜେଜେ ବାପା ଓ ମା’ଙ୍କ ସହ ବିତାଉଥିଲେ। ହେଲେ ଏବେ ପିଲାମାନେ କେବଳ ବାପାମା’ଙ୍କ ସହ ରହୁଛନ୍ତି। ତେଣୁ ପିଲାମାନଙ୍କୁ ସମୟ ଦେବା ଦରକାର। ବାପା ଘରକୁ ଆସିଲେ ପିଲା ସହ ଖେଳିବା ଦରକାର ଓ ପିଲାଙ୍କୁ ବାହାରକୁ ବୁଲେଇ ନେବା ଦରକାର। ମଝିରେ ମଝିରେ ପିଲାଙ୍କୁ ପାର୍କ ବୁଲେଇବା ଦରକାର। ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ମିଶିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ପିଲାଙ୍କୁ କୌଣସି ଜିନିଷରେ ତାଗିତ୍‌ କରନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ପିଲାର ବୌଦ୍ଧିକ ବିକାଶ ହୋଇପାରି ନଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Children phone addiction, in Odia language, is based on an extensive interview with Pediatrician Dr Nirmal Kumar Mohakud.