ସାଲାଡ୍ ଖାଇବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ନ ଦେଲେ ତାହା ଉପକାର ବଦଳରେ ଶରୀରକୁ କ୍ଷତି ପହଞ୍ଚାଇଥାଏ।

ସାଲାଡ୍ ଖାଇବା ଶରୀର ପାଇଁ ଖୁବ୍ ଉପକାରୀ। ଏହାଯୋଗୁଁ ଦୃଷ୍ଟିଶକ୍ତି ପ୍ରଖର ହେବା ସହିତ ହଜମ ଭଲ ହୋଇଥାଏ। ନିଦ ପର୍ଯ୍ୟାପ୍ତ ପରିମାଣରେ ହୁଏ। ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। କେବଳ ସେତିକି ନୁହେଁ, ଓଜନ ମଧ୍ୟ କମ୍ ହୋଇଥାଏ।

ଫ୍ରୁଟ ସାଲାଡ୍ କିମ୍ବା ଭେଜିଟେବଲ ସାଲାଡ୍ ଖାଇବା ସମୟରେ ସେଥିରେ ଫାଇବରର ମାତ୍ରା ଅଧିକ ଥାଏ। ତେଣୁ ସାଲାଡ୍ ଖାଇଲେ ଶୀଘ୍ର ଭୋକ ଲାଗେନାହିଁ। ଏପରିସ୍ଥଳେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ସାଲାଡ୍ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣ ଭାତ କିମ୍ବା ରୁଟି କମ୍ ଖାଇବେ। ଫଳରେ ଓଜନ ନିୟନ୍ତ୍ରଣରେ ରହିବ। ତା’ ସହିତ ସମସ୍ତ ପ୍ରକାର ପ୍ରୋଟିନ, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ବି ମିଳିଯିବ।

green salad

ଅନେକ ଲୋକ ସାଲାଡ୍ ପ୍ରସ୍ତୁତ କରିବା ପରେ ଉପରେ ଲୁଣ ପକାଇଥାନ୍ତି। ପ୍ରକୃତରେ ଏଭଳି ଅଭ୍ୟାସ ଠିକ୍ ନୁହେଁ। କାରଣ ସାଲାଡ୍‌ରେ ବ୍ୟବହାର ହେଉଥିବା ପରିବାରେ ପୂର୍ବରୁ ସୋଡିୟମ ଥାଏ। ତେଣୁ ଆପଣ ଯଦି ଉପରେ ଲୁଣ ପକାଇବେ ତା’ ହେଲେ ସାଲାଡ୍‌ରୁ ପ୍ରଚୁର ପାଣି ବାହାରିବ। ଏଥିସହିତ ମିଳିବାକୁ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବ।

ଯେହେତୁ ସାଲାଡ୍‌ରେ କଞ୍ଚା ପନିପରିବା, ଫଳ ବ୍ୟବହାର ହୋଇଥାଏ ତେଣୁ ତାକୁ ଖାଇବାର ଘଣ୍ଟାଏ ପୂର୍ବରୁ ଭଲ ଭାବେ ପାଣିରେ ଭିଜାଇ ରଖିବା ଆବଶ୍ୟକ। ନ ହେଲେ ଫଳ, ପନିପରିବାର ଉପର ଭାଗରେ ଥିବା ବ୍ୟାକ୍ଟେରିଆ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ। ଆବଶ୍ୟକ ସ୍ଥଳରେ ପାଣିରେ ଧୋଇବା ପରେ ଫଳ ତଥା ପନିପରିବାର ଉପର ଚୋପାକୁ ଛଡ଼ାଇ ଦିଅନ୍ତୁ।

ସାଲାଡ୍ ଖାଇଲେ କିଛି ଲୋକଙ୍କ ଶରୀରରେ ଆଲର୍ଜି ହୋଇଥାଏ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

salad

ଛୋଟ ପିଲାଙ୍କୁ କାକୁଡ଼ି ଓ ଟମାଟୋର ସାଲାଡ୍ ଅଧିକ ଭାବେ ଖାଇବାକୁ ଦେବା ଅନୁଚିତ୍। ଏହାଦ୍ୱାରା ସେମାନଙ୍କର ଦେହ ଖରାପ ହୋଇଥାଏ। ଗର୍ଭବତୀ ମହିଳାଙ୍କୁ ମଧ୍ୟ ଅଧିକ ସାଲାଡ୍ ଖାଇବାକୁ ବାରଣ କରାଯାଏ। କାରଣ ଅଧିକ ସାଲାଡ୍ ଖାଇଲେ ସେମାନଙ୍କର ଶରୀରର କିଛି ଅଙ୍ଗ ଫୁଲିଯାଇଥାଏ।

ଏହାଛଡ଼ା ଅଧିକ ମାତ୍ରାରେ ସାଲାଡ୍ ଖାଇଲେ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚିଥାଏ।

ସେହିପରି ସାଲାଡ୍‌ରେ କେବେହେଲେ ଅଧିକ ମାତ୍ରାରେ ଚିଜ୍ କିମ୍ବା ଗଜା ମୁଗ, ବୁଟ ପ୍ରଭୃତି ମିଶାନ୍ତୁ ନାହିଁ। ସେଥିରେ ଇ.କୋଲି ବ୍ୟାକ୍ଟେରିଆ ରହିଯିବାର ଆଶଙ୍କା ଥାଏ।

ସାଲାଡ୍ ପାଇଁ ବ୍ୟବହୃତ ପନିପରିବାକୁ ସବୁବେଳେ ସୁପରମାର୍କେଟ ଅପେକ୍ଷା ସ୍ଥାନୀୟ ବଜାରରୁ କିଣନ୍ତୁ। ଯେପରିକି ତାହା ବାସି ହେବାର ଆଶଙ୍କା କମିଯିବ।