ଆଜି ହେଉଛି ‘ଜାତୀୟ ଡାକ୍ତର ଦିବସ’। ସମାଜରେ ଏମାନଙ୍କୁ ଦ୍ଵିତୀୟ ଭଗବାନଙ୍କର ଆଖ୍ୟା ଦିଆଯାଇଛି। ଭଗବାନଙ୍କ ବାସ୍ତବ ରୂପକୁ କେହି ଦେଖିନାହାଁନ୍ତି ସତ କିନ୍ତୁ ଡାକ୍ତରମାନଙ୍କୁ ଚଳନ୍ତି ଭଗବାନ ବୋଲି ମାନିଥାଏ ମଣିଷ ସମାଜ। ଏହି ଡାକ୍ତରମାନଙ୍କ ପ୍ରତି ସମ୍ମାନ ଜଣାଇ ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥାଏ।

କେବେଠାରୁ ଓ କାହିଁକି ପାଳନ ହେଉଛି?

ଦେଶରେ ପ୍ରଥମେ ୧୯୯୧ ମସିହା ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥିଲା। ମହାନ୍ ଚିକିତ୍ସକ ତଥା ପଶ୍ଚିମବଙ୍ଗର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମ ଓ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। ଡାକ୍ତର ରାୟ ୧୮୮୨ମସିହା ଜୁଲାଇ ୧ରେ ପାଟଣାରେ ଜନ୍ମ ହୋଇଥିଲେ। ସେ ଏକାଧାରାରେ ଜଣେ ଡାକ୍ତର, ଫିଲାନଟ୍ରୋପିଷ୍ଟ ଓ ଶିକ୍ଷାବିତ୍ ଥିଲେ। ୧୯୬୧ମସିହାରେ ଅର୍ଥାତ୍ ତାଙ୍କ ମୃତ୍ୟୁର ୧ବର୍ଷ ପୂର୍ବରୁ ସେ ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଗଠନ ଦିଗରେ ତାଙ୍କର ଅବଦାନ ଅତୂଳନୀୟ।

ଡାକ୍ତର ଦିବସର ମହତ୍ତ୍ଵ

ଆଜିର ଦିନରେ ଡାକ୍ତରମାନଙ୍କର ଯେତେ ବି ପ୍ରଶଂସା କଲେ, ତାହା କମ୍ ହେବ। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ସଙ୍କଟ ସମୟରେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଯେତେବେଳେ କରୋନା ଭୂତାଣୁ ଡରରେ ନିଜ ସମ୍ପର୍କୀୟ ପାଖ ମାଡ଼ୁନାହାଁନ୍ତି, ସେହି ସମୟରେ ଜଣେ ଡାକ୍ତର ରୋଗୀର ସଂସ୍ପର୍ଶରେ ଆସି ତାକୁ ସେବା ଯୋଗାଇବା ସହ, ତା’ ମନବଳକୁ ସୁଦୃଢ଼ କରୁଛି। ଫଳରେ ଏ ଭୂତାଣୁକୁ ହରେଇବା ପାଇଁ ରୋଗୀ ସକ୍ଷମ ହୋଇପାରୁଛି।

ପ୍ରଥମ ଲହର କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ନୂଆ ଥିଲା। ସେହି ସମୟରେ କୌଣସି ପ୍ରତିଷେଧକ ମଧ୍ୟ ବାହାରି ନଥିଲା। ଏମିତି କହିବାକୁ ଗଲେ, ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ବି ଏହି ଭୂତାଣୁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ହାରି ନଥିଲେ କି ପଛ ଘୁଞ୍ଚା ଦେଇନଥିଲା ଡାକ୍ତରମାନେ। ପ୍ରତିଦିନ ଶହ ଶହ, ହଜାର ହଜାର ବ୍ୟକ୍ତିଙ୍କର ଚିକିତ୍ସା କରୁଥିଲେ।

ଜଣେ ଡାକ୍ତର ତା’ ଜୀବନ କାଳ ମଧ୍ୟରେ ହଜାର ହଜାର ଲୋକଙ୍କର ସେବା କରିଥାଏ। ପ୍ରତିଟି ଡାକ୍ତରଙ୍କ ସେବାକୁ ସତ ସଲାମ।

ଏହି ଅବସରରେ ଆଜି ଦିନ ୩ଟାରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।