‘ମାୟୋପିଆ’ ରୋଗ:
‘ମାୟୋପିଆ’ ହେଉଛି ଏକପ୍ରକାର ଚକ୍ଷୁ ସମସ୍ୟା। ଏହାକୁ ଚକ୍ଷୁ ବିଶେଷଜ୍ଞମାନେ ‘ନିକଟ ଦୃଷ୍ଟିଦୋଷ’ ବା ‘ସମୀପ ଦୃଷ୍ଟିଦୋଷ’ ବୋଲି କହିଥାନ୍ତି। ମାୟୋପିଆ ଦୋଷ ଥିଲେ ଜଣେ ବ୍ୟକ୍ତି କେବଳ ଆଖି ନିକଟରେ ଥିବା ବସ୍ତୁଗୁଡିକୁ ଦେଖିବାକୁ ସକ୍ଷମ ହୁଅନ୍ତି। ଦୂର ଜିନିଷଗୁଡ଼ିକୁ ଦେଖିବାରେ ପୀଡ଼ିତ ବ୍ୟକ୍ତି ଅସୁବିଧା ଅନୁଭବ କରିଥାନ୍ତି। ସାଧାରଣତଃ ଏବେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଏହି ଚକ୍ଷୁ ସମସ୍ୟା ଅଧିକ ଦେଖାଯାଉଛି।
ଏବେ ୧୦ରୁ ୧୨ ପ୍ରତିଶତ ପିଲାଙ୍କ ମଧ୍ୟରେ ମାୟୋପିଆ ଲକ୍ଷଣ ଦେଖାଯାଉଛି। ୬ରୁ ୧୬ ବର୍ଷର ପିଲାଙ୍କଠାରେ ମାୟୋପିଆ ସମସ୍ୟା ଅଧିକ ଦେଖାଦେଉଛି। ଦିନକୁ ଦିନ ମାୟୋପିଆ ଚକ୍ଷୁ ସମସ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଡାକ୍ତରମାନେ ଚିନ୍ତାପ୍ରକଟ କରିଛନ୍ତି। ୨୦୫୦ ସୁଦ୍ଧା ସଂପୂଣ୍ଣ ର୍ ବିଶ୍ୱରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାର ଆକଳନ କରାଯାଉଛି।
‘ମାୟୋପିଆ’ର ଲକ୍ଷଣ:
‘ମାୟୋପିଆ’ର ଲକ୍ଷଣଗୁଡିକ କଣ? କିପରି ଜାଣିବେ ଆପଣଙ୍କ ପିଲାଠାରେ ‘ମାୟୋପିଆ’ର ସମସ୍ୟା ରହିଛି କି? ଏ ସଂପର୍କରେ ସୂଚନା ଦେଇ ଏଲ୍ଭିପିଇଆଇ ଭୁୁବନେଶ୍ୱରର କ୍ୟାମ୍ପସ୍ ଡାଇରେକ୍ଟର ଡାକ୍ତର ସୂର୍ଯ୍ୟସ୍ନାତ ରଥ କହିଛନ୍ତି ଯେ ଯଦି ଆପଣଙ୍କ ପିଲା ସ୍କୁଲରେ ବ୍ଲାକ୍ ବୋର୍ଡ ଦେଖାଯାଉନାହିଁ ବୋଲି କହୁଛି କିମ୍ବା ରାସ୍ତାରେ ଗଲାବେଳେ ଦୂରରୁ ରାସ୍ତାକଡ଼ରେ ଲାଗିଥିବା ହୋର୍ଡିିିଂ ଠିକ ଭାବେ ଦେଖାଯାଉନାହିଁ ବୋଲି କହୁଛି, ତେବେ ଜାଣିବେ, ତା’ର ମାୟୋପିଆ ସମସ୍ୟା ରହିଛି। ସେହିପରି ପିଲା ଯଦି ଅତି ନିକଟରୁ ବହି ପଢିବାକୁ ଚେଷ୍ଟା କରୁଛି, ତାହାଲେ ମଧ୍ୟ ଏହା ମାୟୋପିଆର ଲକ୍ଷଣ ହୋଇଥାଏ ବୋଲି ଡାକ୍ତର ରଥ କହିଛନ୍ତି।
‘ମାୟୋପିଆ’ର କାରଣ କ’ଣ?
‘ମାୟୋପିଆ’ ସମସ୍ୟା ବା ରୋଗରେ ପିଲାଟିଏ ପୀଡ଼ିତ ହେବାର ବିଭିନ୍ନ କାରଣ ରହିଛି। ପ୍ରଥମତଃ ପିଲାମାନେ ଅଧିକ ସମୟ ମୋବାଇଲ୍ ଦେଖିବାର ଏହା ଏକ ଫଳ! ଦ୍ୱିତୀୟରେ ଲାପଟପ ଓ ଟିଭି ପାଖରୁ ଦେଖିବା କାରଣରୁ ମଧ୍ୟ ମାୟୋପିଆ ହୋଇଥାଏ। ଗାଁଗହଳି ପିଲାଙ୍କ ତୁଳନାରେ ସହରର ପିଲାଙ୍କଠାରେ ଅଧିକ ମାୟୋପିଆର ଲକ୍ଷଣ ଦେଖାଯାଇଥାଏ। ଆଧୁନିକ ଜୀବନଶୈଳୀ ମଧ୍ୟ ଏହି ରୋଗର ଅନ୍ୟତମ କାରଣ ଅଟେ। ମାଆବାପାଙ୍କର ମାୟୋପିଆ ଥିଲେ ପିଲାଙ୍କୁ ହେବାର ଆଶଙ୍କା ଅଧିକ ରହିଛି ବୋଲି ଡାକ୍ତର ରଥ କହିଛନ୍ତିା
‘ମାୟୋପିଆ’ର ଉପଚାର:
‘ମାୟୋପିଆ’ ଦ୍ରୃତଗତିରେ ବଢୁଥିବା ହେତୁ ଏହାର ଠିକଣା ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ସୂର୍ଯ୍ୟସ୍ନାତ ରଥ କହିଛନ୍ତି। ପିଲାଙ୍କଠାରେ ମାୟୋପିଆର ଲକ୍ଷଣ ଦେଖାଦେବା କ୍ଷଣି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଚକ୍ଷୁ ବିଶେଷଜ୍ଞ ପରୀକ୍ଷା ସାରିବା ପରେ ତାଙ୍କ ପରାମର୍ଶରେ ସଠିକ ଚଷମା ବ୍ୟବହାର କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ ଲେନ୍ସ ବ୍ୟବହାର ବା ଅସ୍ତ୍ରୋପଚାର କରାଯାଇପାରିବ। ତେବେ ମାୟୋପିଆରୁ ମୁକୁଳିବା ପାଇଁ ଡାକ୍ତର ସୂର୍ଯ୍ୟସ୍ନାତ ରଥ କେତୋଟି ପରାମର୍ଶ ଦେଇଛନ୍ତି।
ପିଲାମାନେ ଅତି କମରେ ଦୁଇରୁ ତିନି ଘଣ୍ଟା ଘର ବାହାରେ ସମୟ କଟାଇବା ଉଚି। ପିଲାମାନଙ୍କୁ ଅଧିକ ସମୟ ଲାପ୍ଟପ୍ ବ୍ୟବହାର ଓ ଟିଭି ଦେଖିବାରୁ ବାରଣ କରନ୍ତୁ। ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କ ମତରେ ‘ମାୟୋପିଆ’ ଲକ୍ଷଣ ଦେଖାଦେଲେ ଏହାର ଚିକିତ୍ସା ଅତ୍ୟନ୍ତ ଜରୁରୀ, ତେବେ ଏହାଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କିପରି ଅଧିକରୁ ଅଧିକ ଶିଶୁ ଓ କିଶୋର ମାୟୋପିଆରେ ପୀଡ଼ିତ ନ ହେବେ ସେଥି ପାଇଁ ସଚେତନତା ସୃଷ୍ଟି କରିବା।