ମହିଳାମାନେ କେଶ ଝଡ଼ିବା, ଶୁଷ୍କ ହେବା, ତୈଳାକ୍ତ ହେବା ଭଳି ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିଥାନ୍ତି। ଏଥିଯୋଗୁ ସେମାନେ ଅନେକ ସମୟରେ ଚାପରେ ରହିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେଶର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଲତାନି ମାଟି ଉପାଦେୟ ହୋଇପାରିବ।
-କେଶ ଝଡ଼ୁଥିଲେ ଗୋଟିଏ ପାତ୍ରରେ ୨ ଚାମଚ ମୁଲତାନି ମାଟି ନିଅନ୍ତୁ। ସେଥିରେ ଗୋଟିଏ ଚାମଚ ଦହି ଓ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବ୍ରଶ କିମ୍ବା ହାତ ଦ୍ୱାରା କେଶରେ ସେହି ପେଷ୍ଟକୁ ଭଲ ଭାବେ ଲଗାନ୍ତୁ। ଅଧ ଘଣ୍ଟା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ ଏପରି କଲେ କେଶ ଝଡ଼ିବା ସମସ୍ୟା କମିଯିବ। ଏହାର କାରଣ ହେଲା ମୁଲତାନି ମାଟି କେଶରୁ ଧୂଳି ଏବଂ ମଇଳାକୁ ଭଲ ଭାବେ ପରିଷ୍କାର କରିବା ସହିତ ମଏଶ୍ଚରାଇଜର ଭଳି କେଶକୁ ପୋଷଣ ପ୍ରଦାନ କରିଥାଏ।
-କେଶ ଶୁଷ୍କ ହେଉଥିଲେ ସେଥିରେ ଯେକୌଣସି ଷ୍ଟାଇଲ କଲେ ତାହା ଭଲ ଲାଗେ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏକ ଚାମଚ ମୁଲତାନି ମାଟିରେ ଏକ ଚାମଚ ରାଶି ତେଲ ଏବଂ ଏକ ଚାମଚ ଦହି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାକୁ କେଶ ମୂଳରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ସପ୍ତାହରେ ୨ଥର ଏହି ପ୍ୟାକ୍କୁ ଲଗାନ୍ତୁ।
-ତୈଳାକ୍ତ କେଶ ସମସ୍ୟା ଥିଲେ ଯେତେ ସାମ୍ପୁ କଲେ ମଧ୍ୟ ତାହା ଦୂର ହୁଏନାହିଁ। ଏଥିଲାଗି ମଧ୍ୟ ମୁଲତାନି ମାଟି ସହାୟକ ହୋଇପାରିବ। ଚାରି ଚାମଚ ମୁଲତାନି ମାଟିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ୨୦ ମିନିଟ ଧରି ରଖନ୍ତୁ। ସାଧା ପାଣିରେ ମୁଣ୍ଡ ଧୋଇ କେଶକୁ ଶୁଖିବାକୁ ଦିଅନ୍ତୁ।
-କେଶକୁ ଲମ୍ବା ଏବଂ ମଜଭୁତ ବନାଇବା ଲାଗି ମୁଲତାନି ମାଟିରେ ରିଠା ପାଉଡ଼ର ମିଶାଇ ପେଷ୍ଟ କରି କେଶ ମୂଳରେ ଲଗାନ୍ତୁ। ଅଧ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହରେ ୩ଥର ଏପରି କରିପାରିବେ।
-କୁଞ୍ଚକୁଞ୍ଚିଆ କେଶକୁ ସିଧା କରିବା ଲାଗି ଚାହୁଁଥିଲେ ସପ୍ତାହରେ ୨-୩ ଥର ମୁଲତାନି ମାଟି ଲଗାଇ କେଶ ଧୁଅନ୍ତୁ। ମାସକ ପରେ ଆପଣ ଫରକ ଜାଣିପାରିବେ। ଆବଶ୍ୟକସ୍ଥଳେ ମୁଲତାନି ମାଟିରେ ଅଣ୍ଡା ଏବଂ ଚାଉଳଗୁଣ୍ଡ ମଧ୍ୟ ମିଶାଇ ପାରିବେ। ଅଣ୍ଡା କେଶକୁ ନରମ କରିବାରେ ସହାୟକ ହେବ।
-କେଶ ଅସମୟରେ ପାଚୁଥିଲେ ମୁଲତାନି ମାଟିରେ ମହୁ ମିଶାଇ ଲଗାନ୍ତୁ। ଏହାଦ୍ୱାରା କେଶରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ତେଣୁ କେଶ ମଜଭୁତ ହେବା ସହିତ ଶୀଘ୍ର ପାଚେ ନାହିଁ। କେଶ ଫାଟୁଥିଲେ କିମ୍ବା ଦୋମୁହାଁ ହେଉଥିଲେ ମଧ୍ୟ ନିୟମିତ ଭାବେ ମୁଲତାନି ମାଟି ଲଗାଇ ଆପଣ ସେହି ସମସ୍ୟାରୁ ରକ୍ଷା ପାଇପାରିବେ।