ପ୍ରତିବର୍ଷ ମେ’ ୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ କରାଯାଉଛି।

ମାସିକ ଋତୁଚକ୍ରକୁ ନେଇ କାହିଁ କେଉଁ କାଳରୁ ପାରମ୍ପାରିକ ନିୟମ ଓ ଧାର୍ମିକ ବିଶ୍ୱାସ ରହିଆସିଛି। ବର୍ତ୍ତମାନ ସମୟରେ ବି ଦୁନିଆର ବହୁ ଅଞ୍ଚଳରେ ମାସିକ ଋତୁସ୍ରାବକୁ ଅଶୁଦ୍ଧି ବୋଲି ବିବେଚନା କରାଯାଉଛି। ପୂର୍ବରୁ ମହିଳାମାନେ ସେମାନଙ୍କ ଝିଅମାନଙ୍କୁ କହୁଥିଲେ ଯେ ଋତୁସ୍ରାବ ସମୟରେ ଗାଧୋଇବା ଉଚିତ ନୁହେଁ। ମହିଳାଙ୍କୁ ଋତୁଚକ୍ରର ପାଞ୍ଚ ଦିନ ଏକ ଅଲଗା କୋଠୋରୀରେ ରହିବାକୁ ପଡ଼ୁଥିଲା। ସବୁଠାରୁ ଲଜ୍ଜାଜନକ କଥା ହେଉଛି ଯଦି ଘରେ ଝିଅ ପ୍ରଥମକରି ଋତୁସ୍ରାବ ହେଉଛି, ତେବେ ଏକ ଭୋଜିର ଆୟୋଜନ କରି ଜଣାଇ ଦିଆଯାଉଛି। ଆଜି ବି ଅନେକ ସ୍ଥାନରେ ଏହି ପ୍ରଥା ପାଳିତ ହେଉଛି। ଋତୁଚକ୍ର ସମୟରେ ମହିଳାମାନଙ୍କୁ ମନ୍ଦିର ଯିବାକୁ, ରୋଷେଇ ଘରେ ପ୍ରବେଶ କରିବାକୁ, ଛୁଇଁବାକୁ ବାରଣ କରାଯାଉଛି।

ଏବେବି କେତେକ ମହିଳା ଏବିଷୟରେ କାହା ସହିତ ଖୋଲି କରି କଥା ହୁଅନ୍ତି ନାହିଁ। ଅଧିକାଂଶ ମହିଳା ପ୍ୟାଡ ବ୍ୟବହାର ବଦଳରେ କପଡ଼ାର ବ୍ୟବହାର କରନ୍ତି। କୌଣସି ସମସ୍ୟା ହେଲେ କାହାକୁ କହନ୍ତି ନାହିଁ। ଫଳରେ ମହିଳାମାନେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଶିକାର ହୁଅନ୍ତି।

ଏବେ ବି ଦୋକାନରେ ସାନିଟାରି ନାପକିନଟିଏ ମାଗିଲେ ଦୋକାନୀ ତାକୁ କାଗଜରେ ଗୁଡ଼ାଇ କିମ୍ବା କଳା ପଲିଥିନରେ ପୂରାଇ ବଢ଼ାଇ ଦେଉଛି। ଏବେ ବି ଅଧିକାଂଶ ମହିଳା ନିଜେ ଏହାକୁ ଦୋକାନରୁ କିଣିବାକୁ ଲଜ୍ଜାବୋଧ କରୁଛନ୍ତି। ମାସିକଧର୍ମ ସମୟରେ ମହିଳାମାନଙ୍କ ପାଇଁ ଏହା ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ସେମାନେ ଏହାର ବ୍ୟବହାର କରିପାରୁ ନାହାନ୍ତି। ଭାରତରେ ୭୭ ପ୍ରତିଶତରୁ ଅଧିକ ଝିଅ ଓ ମହିଳା ଋତୁସ୍ରାବ ସମୟରେ ପୁରୁଣା କପଡ଼ା ବ୍ୟବହାର କରନ୍ତି। ଏବେ ବି କିଛି ମହିଳା ଖବରକାଗଜ ଓ ଶୁଖିଲା ପତ୍ରକୁ ବ୍ୟବହାର କରୁଛନ୍ତି। କିନ୍ତୁ ଏହା କେବଳ ମାନସିକ ନୁହେଁ ଶାରୀରିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ। ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ।

ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସକୁ ପ୍ରତି ବର୍ଷ ପାଳନ କରାଯିବାର ଅର୍ଥ ବିଶ୍ୱର ମହିଳା ଓ ଝିଅମାନଙ୍କୁ ମାସିକଧର୍ମ ବିଷୟରେ ଅଧିକରୁ ଅଧିକ ସଚେତନ କରିବା। ପ୍ରତ୍ୟେକ କଠିନ ପରିସ୍ଥିତିକୁ ନିଜେ ସାମନା କରିବା ହେଉଛି ଏହି ମାସିକଧର୍ମ ସ୍ୱଚ୍ଛତା ଦିବସର ମୁଖ୍ୟ ଉଦ୍ଦେଶ୍ୟ। ନିଜ ଋତୁସ୍ରାବ ବିଷୟରେ ଲାଜ ନ କରି ଆଲୋଚନା କରନ୍ତୁ।

ମାସିକ ୠତୁଚକ୍ର ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ:

କପଡ଼ାର ବ୍ୟବହାର କରୁଥିଲେ କପଡ଼ାକୁ ଭଲ କରି ଧୋଇ ଟାଣ ଖରାରେ ଶୁଖାନ୍ତୁ। ନଚେତ ବଜାରରେ ମିଳୁଥିବା ସାନିଟାରି ପ୍ୟାଡ୍‌ର ବ୍ୟବହାର କରନ୍ତୁ।

ପ୍ରତି ୪ରୁ ୫ ଘଣ୍ଟା ସମୟ ବ୍ୟବଧାନରେ ସାନିଟାରି ପ୍ୟାଡ୍ ବଦଳାନ୍ତୁ। ନଚେତ୍ ସଂକ୍ରମଣ, ଗୁପ୍ତାଙ୍ଗରେ କୁଣ୍ଡିଆ ହେବା, ଜଳିବା ପୋଡ଼ିବା ଭଳି ସମସ୍ୟା ହୁଏ।

ସାନିଟାରି ପ୍ୟାଡ୍ ବଦଳାଇବା ପୂର୍ବରୁ ଗୁପ୍ତାଙ୍ଗକୁ ସଫା କରନ୍ତୁ।

ସାବୁନ କିମ୍ବା ଅନ୍ୟ କୌଣସି  ଭେଜିନାଲ୍ ହାଇଜିନ୍ ପ୍ରୋଡକ୍ଟ୍ ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ କେବଳ ସାଧା ପାଣିରେ ଗୁପ୍ତାଙ୍ଗ ସଫା କରନ୍ତୁ।

ଗୋଟିଏ ଥରରେ ଦୁଇଟି ସାନିଟାରି ପ୍ୟାଡ୍ ବ୍ୟବହାର କରନ୍ତୁ ନାହିଁ। ଅତ୍ୟଧିକ ରକ୍ତସ୍ରାବକୁ ରୋକିବା ପାଇଁ ଏକାଥରକେ ଦୁଇଟି ପ୍ୟାଡ୍ ବ୍ୟବହାର କଲେ ଇନଫେକସନ୍‌ର ଆଶଙ୍କା ରହିଛି।

ଏହି ସମୟରେ ଅନ୍ତଃବସ୍ତ୍ର ପ୍ରତି ବି ଧ୍ୟାନ ଦେବାକୁ ପଡ଼େ। ସାନିଟାରି ପ୍ୟାଡ୍ ବଦଳାଇବା ଯେତେ ଜରୁରି ସଫା ଓ କଟନ ଅନ୍ତଃବସ୍ତ୍ର ବ୍ୟବହାର ବି ସେତେ ଆବଶ୍ୟକ। ଅଥବା ସଂକ୍ରମଣ ତଥା ରାସେସ୍ ହୁଏ।

ମାସିକ ୠତୁଚକ୍ର ପାଖେଇବା ସମୟରେ ତଥା ସେହି ସମୟରେ ବାହାରକୁ ଗଲାବେଳେ ଗୋଟିଏ ସଫା ପାଉଚ୍ କିମ୍ବା ପେପର୍ ବ୍ୟାଗରେ ଏକ୍ସଟ୍ରା ସାନିଟାରି ପ୍ୟାଡ୍, ନରମ ଟାଓ୍ୱାଲ୍, ଟିସ୍ୟୁ ପେପର୍, ହ୍ୟାଣ୍ଡ୍ ସାନିଟାଇଜର୍, , ପାଣି ବୋତଲ ସବୁବେଳେ ରଖନ୍ତୁ। ଏହି ସମୟରେ ଉଷୁମ ପାଣି ପିଇଲେ ଭଲ। ଅତ୍ୟଧିକ ତେଲମସଲା ଖାଦ୍ୟ ଖାଆନ୍ତୁ ନାହିଁ।

ମାସିକ ୠତୁଚକ୍ର ସମୟରେ ଯଥାସମ୍ଭବ ବିଶ୍ରାମ କରନ୍ତୁ।