ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ। ଏସମସ୍ତ ବିଷୟରେ ଆଲୋଚନା କରିଛନ୍ତି ଓରାଲ ଓ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ୍‌ ପଟ୍ଟନାୟକ। ଆସନ୍ତୁ ଜାଣିବା

ଦାନ୍ତକୁ ମାଡ଼ି ମାଡ଼ି ବ୍ରସ୍‌ କଲେ ଦାନ୍ତ ସଫା ହୋଇଥାଏ କି? (Do not brush your teeth too hard in Odia)

ଲୋକଙ୍କର ଧାରଣା ଥାଏ ଯେ, ଦାନ୍ତକୁ ମାଡ଼ି ମାଡ଼ି ବ୍ରସ୍‌ କରିବା ଦ୍ୱାରା ଦାନ୍ତ ବେଶୀ ସଫା ଦେଖାଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଦାନ୍ତକୁ ମାଡ଼ି ମାଡ଼ି ଘଷିବା ଦ୍ଵାରା ଦାନ୍ତ ଘୋରି ହୋଇଯାଏ ବା ସରି ସରି ଯାଏ। ଲମ୍ବା ସମୟ ଧରି ଏଭଳି ବ୍ରସ୍‌ କରିବା ଦ୍ୱାରା ଦାନ୍ତ କ୍ଷୟ ହୋଇ ସମ୍ବେଦନଶୀଳ ହୋଇଯାଏ।

ସବୁବେଳେ ଦାନ୍ତକୁ ସଠିକ୍‌ ଉପାୟରେ ଘଷିବା ଦରକାର। ବ୍ରସ୍‌କୁ ୪୫ ଡିଗ୍ରୀରେ ରଖି ବ୍ରସ୍‌ କରିବା ଜରୁରୀ। ଉପର ଦାନ୍ତକୁ ଉପରୁ ତଳକୁ କରି ବ୍ରସ୍‌ କରିବା ଦରକାର, ସେହିଭଳି ତଳ ଦାନ୍ତକୁ ତଳୁ ଉପର କରି ଘଷିବା ଦରକାର।

ଅଧିକ ପଢ଼ନ୍ତୁ: ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା?

ଦାନ୍ତ ବ୍ରସ୍‌ କଲାବେଳେ ରକ୍ତ ବାହାରୁଛି କି? (Is there bleeding when brushing your teeth in Odia)

ଅଧିକାଂଶ ଲୋକ ଭାବନ୍ତି ଯେ, ବ୍ରସ୍‌ କଲାବେଳେ ମାଢ଼ିରୁ ରକ୍ତ ବାହାରିବା ସାଧାରଣ କଥା। ବ୍ରସ୍‌ କରିବା ବେଳେ ମାଢ଼ିରୁ ରକ୍ତ ବାହାରିବା ସାଧାରଣ ନୁହେଁ। ଏହା ଜିଞ୍ଜିଭାଇଟିସ୍‌ (Gingivitis)ର ଲକ୍ଷଣ। କୌଣସି ସଂକ୍ରମଣ ଯୋଗୁଁ ମାଢ଼ିରେ ପ୍ରଦାହ ହେଲେ ମାଢ଼ିରୁ ରକ୍ତ ବାହାରିଥାଏ। ଫଳରେ ଦାନ୍ତ ବ୍ରସ୍‌ କରିବା ବେଳେ କିମ୍ବା ଟାଣ ଖାଦ୍ୟପଦାର୍ଥ ଖାଇବା ଦ୍ୱାରା ମାଢ଼ିରୁ ରକ୍ତ ବାହାରିଥାଏ। ଏଭଳି ହେଲେ ଦନ୍ତ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇ ଦାନ୍ତ ସଫା କରିବା ଆବଶ୍ୟକ।

ଦାନ୍ତ ହଳଦିଆ ପଡ଼େ କାହିଁକି? (Why do teeth turn yellow in Odia)

ସଫା ତଥା ଧଳା ଦାନ୍ତ କାହାକୁ ବା ନ ପସନ୍ଦ। ହେଲେ ଦାନ୍ତର ରଙ୍ଗ ଦାନ୍ତର ଏନାମେଲ ଉପରେ ନିର୍ଭର କରେ। ଯେଉଁ ଲୋକମାନଙ୍କର ରଙ୍ଗ ସଫା, ସେମାନଙ୍କର ଏନାମେଲ୍‌ ସ୍ଵଚ୍ଛ ଥାଏ ଓ ତାଙ୍କର ଡେଣ୍ଟିନ୍‌ ଦେଖାଯାଏ, ଫଳରେ ଦାନ୍ତଗୁଡ଼ିକ ହଳଦିଆ ଦେଖାଯାଏ।

ଯେଉଁମାନଙ୍କର ଚର୍ମର ରଙ୍ଗ କଳା ଥାଏ, ସେମାନଙ୍କର ଦାନ୍ତର ରଙ୍ଗ ସଫା ବା ଧଳା ଦେଖାଯାଏ।

ଦାନ୍ତ ସ୍କେଲିଂ କରିବା କେତେ ସୁରକ୍ଷିତ? (How safe is tooth scaling in Odia)

ଅଧିକାଂଶ ଲୋକ ଭାବନ୍ତି ଯେ, ସ୍କେଲିଂ କରିବା ଦ୍ୱାରା ଦାନ୍ତଗୁଡ଼ିକ ଢିଲା ହୋଇଯାଏ। ସାଧାରଣତଃ ପାଇରିଆ ହେଲେ ଦାନ୍ତ ଓ ମାଢ଼ି ମଝିରେ କାଲ୍‌କୁଲସ୍‌ ବା ପଥର ଭଳି ଜମିରହିଥାଏ, ଯାହାକି ଦାନ୍ତକୁ ଧରି ରଖିବା ଭଳି ଅନୁଭବ ହୋଇଥାଏ। ଯେତେବେଳେ ସ୍କେଲିଂ କରି ଦାନ୍ତ ଓ ମାଢ଼ି ମଝିରେ ଥିବା ଖାଦ୍ୟ ବା କାଲକୁଲସ୍‌ ସଫା କରିଦିଆଯାଏ, ସେତେବେଳେ ଲୋକଙ୍କର ଅଭିଯୋଗ ଥାଏ କି ଦାନ୍ତ ସଫା କରିବା ପରେ ଦାନ୍ତ ଢିଲା ହୋଇଯାଏ।

ସ୍କେଲିଂ କଲେ ଦାନ୍ତର ସ୍ତର ଛାଡ଼େନି। ଅଲଟ୍ରାସୋନିକ୍‌ ଭାଇବ୍ରେସନ୍‌ ଦ୍ୱାରା ଦାନ୍ତ ଉପର, ଦାନ୍ତ ମଝିରେ ଜମିଥିବା କାଲ୍‌କୁଲସ୍‌କୁ କଢ଼ାଯାଇଥାଏ।

ଉପର ଦାନ୍ତ ଓପାଡ଼ିଲେ ଆଖି ଉପରେ ପ୍ରଭାବ ପଡ଼େ କି? (Does removing the upper teeth affect the eyes in Odia)

ଉପର ଦାନ୍ତ ଓପାଡ଼ିଲେ ଆଖି ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ଲୋକ ଭାବନ୍ତି ଉପର ଦାନ୍ତ ଅଥବା କଡ଼ ଦାନ୍ତ ଆଖିଠାରୁ ପାଖରେ, ତେଣୁ ଉପର ଦାନ୍ତ ଓପାଡ଼ିଲେ ଆଖି ଉପରେ ପ୍ରଭାବ ପଡ଼ିଥାଏ। ଏହାଛଡ଼ା ଜ୍ଞାନ ଦାନ୍ତ ଓପାଡ଼ିଲେ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ। ଏହା ମଧ୍ୟ ଭୁଲ ଧାରଣା। ଜ୍ଞାନ ଦାନ୍ତର ଜ୍ଞାନ ହେବା ସହ କୌଣସି ସାମଞ୍ଜସ୍ୟ ନାହିଁ।


ପାଟିରେ ଅଲସର ହେଲେ କ୍ୟାନ୍‌ସର ହୁଏ କି? (Does it cause cancer in the mouth in Odia)

ଦାନ୍ତରେ ଗାଲ ଚୋବାଇ ହେଲେ, କୌଣସି ପ୍ରକାର ଆଘାତ ଲାଗିଲେ, ପାଟି ଭିତରେ ଘା’ ହେଲେ ତାକୁ ଅଲସର କୁହାଯାଏ, ଯାହାକି ଦୁଇ କିମ୍ବା ତିନି ସପ୍ତାହ ମଧ୍ୟରେ ଭଲ ହୋଇଯାଏ। ଯଦି ପାଟି ଭିତରେ ଗୋଟେ ଘା’ ହୋଇଛି, ଯାହା ଯନ୍ତ୍ରଣାଦାୟକ, ପୋଡ଼ୁଛି ଏବଂ ୧୪ ଦିନ ଉପରକୁ ହେଲାଣି, ତା’ହେଲେ ଦନ୍ତ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବା ନିହାତି ଜରୁରୀ। କିନ୍ତୁ, ସବୁ ପ୍ରକାର ପାଟିର ଅଲସରକୁ କ୍ୟାନସର କହିବା ଭୁଲ କଥା।

ଅଧିକ ପଢ଼ନ୍ତୁ: ପାଟିରୁ ଦୁର୍ଗନ୍ଧ ବାହାରୁଛି କି?

ଦାନ୍ତ ବିନ୍ଧା ହେଲେ ମନଇଛା ଔଷଧ ଖାଆନ୍ତୁ ନାହିଁ (Do not take any medicine at your will if you have a toothache in Odia)

ଦାନ୍ତ ବିନ୍ଧା ହେଲେ ପାଖ ମେଡିସିନ୍‌ ଷ୍ଟୋରରୁ ପେନ୍‌ କିଲର କିମ୍ବା ଆଣ୍ଟିବାୟୋଟିକ୍‌ ଔଷଧ ଆଣି ଖାଆନ୍ତୁ ନାହିଁ। ଏହା କିଛି ସମୟ ପାଇଁ ଆରାମ୍‌ ଦିଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଯେହେତୁ ପାଟି ଭିତରେ ହେଉଥିବା କ୍ୟାଭିଟି, ପାଇରିଆ, ଜ୍ଞାନ ଦାନ୍ତର ମାଢ଼ିରେ ପ୍ରଦାହ ହେବା, ଏସବୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଆଣ୍ଟିବାୟୋଟିକ୍‌ ଖାଇବା ଦ୍ୱାରା ସ୍ୱଳ୍ପ ସମୟ ପାଇଁ ଯନ୍ତ୍ରଣା କମିଯିବ, କିନ୍ତୁ ଆଣ୍ଟି ବାୟୋଟିକ୍‌ ବନ୍ଦ କଲାପରେ ପୁଣି ସଂକ୍ରମଣ ହୋଇଥାଏ। ତେଣୁ ପାଟିର କୌଣସି ପ୍ରକାର ସଂକ୍ରମଣ ହେଲେ ଦନ୍ତ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସା କରାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରିତିଶ୍‌ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Common Dental Myths, in Odia language, is based on an extensive interview with an Oral & Maxillofacial surgeon Dr Pritish Patnaik.