ସାରା ବିଶ୍ୱରେ କର୍କଟ ମୃତ୍ୟୁ ମଧ୍ୟରୁ ପ୍ରାୟ ୧୯% ହେଉଛି ଫୁସଫୁସ କର୍କଟଜନିତ।
ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର ପରବର୍ତ୍ତୀ ସମୟରେ କର୍କଟର କାରଣ ପାଲଟେ। ସାରା ବିଶ୍ୱରେ କର୍କଟ ରୋଗ ଯୋଗୁଁ ଯେତେ ଲୋକଙ୍କର ମୃତ୍ୟୁ ହେଉଛି ସେଥିମଧ୍ୟରୁ ପ୍ରାୟ ୧୯% ହେଉଛି ଫୁସଫୁସ କର୍କଟଜନିତ।
ଅଧିକାଂଶ ମାମଲାରେ ସିଗାରେଟ ଟାଣିବା ଦ୍ୱାରା ଫୁସଫୁସ କର୍କଟ ରୋଗ ହୋଇଥାଏ। ସିଗାରେଟ୍ର ଧୂଆଁରେ ଥିବା କାର୍ସିନୋଜେନ୍ସ ନାମକ ଏକ ପ୍ରକାର ରସାୟନ ଯୋଗୁଁ ଏପରି ହୋଇଥାଏ। ଅବଶ୍ୟ ଆଜିକାଲି କିଛି କ୍ଷେତ୍ରରେ ଲୋକମାନେ ସିଗାରେଟ୍ ଟାଣୁ ନଥିଲେ ବି ସେମାନେ ଫୁସଫୁସ କର୍କଟର ଶିକାର ହେଉଛନ୍ତି। ବାୟୁ ପ୍ରଦୂଷଣ ଏହାର ପ୍ରଧାନ କାରଣ ପାଲଟିଥାଏ।
ଫୁସଫୁସ କର୍କଟ କେତେ ପ୍ରକାର
ଫୁସଫୁସ କର୍କଟ ରୋଗ ଦୁଇ ପ୍ରକାରର ହୋଇଥାଏ।
- ନନ୍ ସ୍ମଲ ସେଲ ଲଙ୍ଗ କ୍ୟାନ୍ସର (ଏନ୍ଏସସିଏଲସି)
- ସ୍ମଲ ସେଲ ଲଙ୍ଗ କ୍ୟାନ୍ସର (ଏସସିଏଲସି)
୮୦ ପ୍ରତିଶତ ଫୁସଫୁସ କର୍କଟ ନନ୍ ସ୍ମଲ ସେଲ ଲଙ୍ଗ କ୍ୟାନ୍ସର(ଏନ୍ଏସସିଏଲସି) ଶ୍ରେଣୀରେ ଆସୁଥିବାବେଳେ ମାତ୍ର ୨୦ ପ୍ରତିଶତ କ୍ଷେତ୍ରରେ ଲୋକମାନେ ସ୍ମଲ ସେଲ ଲଙ୍ଗ କ୍ୟାନସର ଦ୍ୱାରା ପ୍ରଭାବିତ ହୋଇଥାନ୍ତି।
ସେହିପରି ଏନ୍ଏସସିଏଲସିକୁ ୪ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ସ୍କ୍ୱାମସ ସେଲ କାର୍ସିନୋମା, ଆଡେନୋକାର୍ସିନୋମା, ଲାର୍ଜ ସ୍କେଲ ଅନଡିଫରେନ୍ସିଏଟେଡ୍ କାର୍ସିନୋମା ଏବଂ ବ୍ରୋଙ୍କିଓଲଭିଓଲାର କାର୍ସିନୋମା। ଏଥିମଧ୍ୟରୁ ସ୍କ୍ୱାମସ ସେଲ କାର୍ସିନାମା ସବୁଠୁ ଅଧିକ ପରିମାଣରେ ଦେଖାଯାଏ।
ଏହା ପୁରୁଷମାନଙ୍କୁ ହେଉଥିବା ଫୁସଫୁସ କର୍କଟ ରୋଗର ସବୁଠୁ ସାଧାରଣ ପ୍ରକାର। ଏହା ବ୍ରୋଙ୍କିୟଲ ଟ୍ୟୁବସ ମଧ୍ୟରେ ହୋଇଥାଏ। ଆଡେନୋକାର୍ସିନୋମା ମହିଳା ଏବଂ ଧୂମପାନ କରୁନଥିବା ଲୋକଙ୍କୁ ହେଉଥିବା କର୍କଟ ରୋଗର ସବୁଠୁ ସାଧାରଣ ପ୍ରକାର। ସେହିପରି ଲାର୍ଜ ସ୍କେଲ ଅନଡିଫରେନ୍ସିଏଟେଡ୍ କାର୍ସିନୋମା ଫୁସଫୁସର ବାହାର ପଟରେ ବିକଶିତ ହୋଇଥାଏ।
ବ୍ରୋଙ୍କିଓଲଭିଓଲାର କାର୍ସିନୋମା ହେଉଛି ଫୁସଫୁସ କର୍କଟ ରୋଗର ସବୁଠୁ ଦୁର୍ଲଭ ପ୍ରକାର। ଏହା ଫୁସଫୁସର ବାୟୁ ଥଳି ନିକଟରେ ହୋଇଥାଏ। ଅନ୍ୟପଟେ ସ୍ମଲ ସେଲ ଲଙ୍ଗ କ୍ୟାନ୍ସରକୁ ଛୋଟ କୋଷିକାରୁ ଚିହ୍ନଟ କରିହୋଇଥାଏ। ଏହି କୋଷିକାଗୁଡ଼ିକ ଖୁବ୍ ଶୀଘ୍ର ସେମାନଙ୍କର ସଂଖ୍ୟା ବୃଦ୍ଧି କରିଥାନ୍ତି ଏବଂ ଶରୀର ସାରା ପରିବ୍ୟାପ୍ତ ହୋଇଯାଇଥାନ୍ତି।
ଲକ୍ଷଣ
ଫୁସଫୁସ କର୍କଟ ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ। କର୍କଟ କେଉଁଠାରେ ହୋଇଛି ଏବଂ ତାହା କେତେ ବାଟ ଯାଏ ପ୍ରସାରିତ ହୋଇଛି ତା’ ଉପରେ ଫୁସଫୁସ କର୍କଟର ଲକ୍ଷଣ ନିର୍ଭର କରିଥାଏ। ସମୟ ସମୟରେ ତ ଯନ୍ତ୍ରଣା ଆଦୌ ହୋଇନଥାଏ। ଫୁସଫୁସ କର୍କଟ ରୋଗରେ ପୀଡ଼ିତ ପ୍ରାୟ ୨୫% କ୍ଷେତ୍ରରେ ସାଧାରଣ ଏକ୍ସରେ କିମ୍ବା ସିଟି ସ୍କାନ ଦ୍ୱାରା ରୋଗ ନିରୂପଣ କରାଯାଇଥାଏ। ଏହି କ୍ଷେତ୍ରରେ ରୋଗୀକୁ ବିଲକୁଲ ଯନ୍ତ୍ରଣା ହୁଏ ନାହିଁ।
– ରୋଗ ବଢ଼ିଯାଇଥିଲେ କାଶ, ଶ୍ୱାସକ୍ରିୟାରେ ସମସ୍ୟା, ଜୋରରେ ଶ୍ୱାସକ୍ରିୟା ହେବା, ଛାତିରେ ଯନ୍ତ୍ରଣା ସହ କାଶରେ ରକ୍ତ ପଡ଼ିଥାଏ। ଯଦି କର୍କଟର କୋଷିକା ଶିରା ଉପରେ ଆକ୍ରମଣ କରେ ତା’ ହେଲେ କାନ୍ଧରେ ଭୟଙ୍କର ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା କାନ୍ଧରୁ ବାହୁକୁ ମଧ୍ୟ ପ୍ରସାରିତ ହୋଇଥାଏ। ଏପରି ହେଲେ ସ୍ୱରତନ୍ତ୍ରୀ ଅଚଳ ହେବାର ଆଶଙ୍କା ସୃଷ୍ଟି ହୁଏ। କର୍କଟ ଦ୍ୱାରା ପ୍ରଭାବିତ ଖାଦ୍ୟ ନଳୀ ଦ୍ୱାରା ଖାଦ୍ୟ ଗିଳିବା କଷ୍ଟକର ହୋଇଥାଏ। ଯଦି ବାୟୁମାର୍ଗ ଅଧିକ ଗୁରୁତର ଭାବେ ଅବରୋଧ ହୋଇ ରହେ ତା’ହେଲେ ଫୁସଫୁସର ଗୋଟିଏ ପାଖରେ କ୍ଷତିଗ୍ରସ୍ତ ହୋଇପାରେ। ସେହି ଅବରୋଧ କ୍ଷେତ୍ରରେ ନିମୋନିଆ ହେବାର ଆଶଙ୍କା ରହିଥାଏ।
– ଆଉ କିଛି କ୍ଷେତ୍ରରେ ଫୁସଫୁସ କର୍କଟ ହାଡ଼କୁ ପ୍ରଭାବିତ କରିଥାଏ। ତେଣୁ ହାଡ଼ରେ ଅସହନୀୟ ଯନ୍ତ୍ରଣା ହୋଇଥାଏ। ମସ୍ତିଷ୍କରେ ଏହି କର୍କଟ ପ୍ରସାରିତ ହେବା ପରେ ଅନେକ ପ୍ରକାର ନ୍ୟୁରୋଲୋଜିକ ଲକ୍ଷଣ ଯେପରିକି ଅନ୍ଧାରୁଆ ଦେଖାଯିବା, ମୁଣ୍ଡବିନ୍ଧା ଲାଗିରହିବା ଇତ୍ୟାଦି ଦେଖାଯାଏ।
କାରଣ
ବାୟୁ ପ୍ରଦୂଷଣ: ବାୟୁ ପ୍ରଦୂଷଣ ଫୁସଫୁସ କର୍କଟ ରୋଗର ମୁଖ୍ୟ କାରଣ । ତେଣୁ ପ୍ରଦୂଷିତ ବାୟୁଠାରୁ ଦୂରେଇ ରହିବା ଆବଶ୍ୟକ।
ଫୁସଫୁସରେ ପୂର୍ବରୁ ହୋଇଥିବା ରୋଗ: ଫୁସଫୁସରେ ପୂର୍ବରୁ ହୋଇଥିବା ରୋଗ ଫୁସଫୁସ କର୍କଟର ଆଶଙ୍କାକୁ ବଢ଼ାଇଦିଏ। ଧୂମପାନ କରୁଥିବା ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ସେହିଭଳି ଟିବି ଏବଂ ସିଓପିଡ଼ି ରୋଗୀଙ୍କୁ ଫୁସଫୁସ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ।
ପାରିବାରିକ ଇତିହାସ: ଯଦି ପରିବାରରେ ଅନ୍ୟ କାହାକୁ ଫୁସଫୁସ କର୍କଟ ରୋଗ ହୋଇଥାଏ ତା’ହେଲେ ବ୍ୟକ୍ତିଙ୍କୁ ଫୁସଫୁସ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ।
ରୋଗ ପ୍ରତିରୋଧକ ଶକ୍ତି କମିଯିବା: ଏଚଆଇଭି ଏଡ୍ସ ଏବଂ ଅନ୍ୟ ଅଙ୍ଗ ପ୍ରତିରୋପଣ ପରେ ରୋଗୀ ଖାଉଥିବା ଔଷଧ ଯୋଗୁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଏଭଳି କ୍ଷେତ୍ରରେ ତାଙ୍କୁ ଫୁସଫୁସ କର୍କଟ ହେବାର ଆଶଙ୍କା ଅଧିକ ଥାଏ।
ଚିକିତ୍ସା
ଅସ୍ତ୍ରୋପଚାର, କେମୋଥେରାପି, ବିକିରଣ ଚିକିତ୍ସା, ନିର୍ଦ୍ଦିଷ୍ଟ କେତେକ ଔଷଧ ଦ୍ୱାରା ଫୁସଫୁସ କର୍କଟ ରୋଗର ଚିକିତ୍ସା କରାଯାଇଥାଏ।