ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର ପରବର୍ତ୍ତୀ ସମୟରେ କର୍କଟର କାରଣ ପାଲଟେ। ତେବେ କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (lung Cancer: Causes and Treatment in Odia)

  • କାହିଁକି ହୁଏ ଫୁସ୍‌ଫୁସ୍ କର୍କଟ?
  • ଧୂମପାନ କ’ଣ ଫୁସ୍‌ଫୁସ୍‌ କର୍କଟର ମୁଖ୍ୟ କାରଣ?
  • ଯୁବପିଢ଼ିଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ
  • ଫୁସଫୁସ୍ କର୍କଟର ଚିକିତ୍ସା

ଫୁସ୍‌ଫୁସ୍‌ର କୌଣସି ଭାଗ ଅସାଧାରଣ ଭାବେ ମାଂସ ପିଣ୍ଡୁଳା ପରି ବଢ଼ିଲେ ତାହା ଫୁସ୍‌ଫୁସ୍‌ କର୍କଟ ହୋଇଥାଏ। ଧୀରେ ଧୀରେ ଏହା ପାଖରେ ଥିବା ଅନ୍ୟ ଭାଗକୁ ପ୍ରଭାବିତ କରିଥାଏ। ଏହି ବର୍ଦ୍ଧିତ ମାଂସ ପିଣ୍ଡୁଳାର ପ୍ରାଥମିକ ଅବସ୍ଥାକୁ ଟ୍ୟୁମର କୁହାଯାଏ।

ଲକ୍ଷଣ: (Symptoms of Lung Cancer in Odia)

ଟ୍ୟୁମର ଫୁସ୍‌ଫୁସ୍‌ର ଉପରିଭାଗକୁ ପ୍ରଭାବିତ କଲେ ଛାତି ଯନ୍ତ୍ରଣା ହୋଇଥାଏ। ଏହି ଟ୍ୟୁମର ଫୁସ୍‌ଫୁସ୍‌ର ବାୟୁପଥକୁ ପ୍ରଭାବିତ କଲେ କାଶ ହେବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବ। ଯଦି ଟ୍ୟୁମର ରକ୍ତନଳୀକୁ ସଂକ୍ରମଣ କରେ ତେବେ କଫରେ ରକ୍ତ ପଡ଼ିବ। ଫୁସ୍‌ଫୁସ୍‌ର ଉପରି ଭାଗରେ ଟ୍ୟୁମର ହେଲେ କାନ୍ଧ ଯନ୍ତ୍ରଣା ହୋଇପାରେ। ସେହିପରି କ୍ୟାନ୍‌ସର ସେଲ୍‌ ହାଡ଼କୁ ବ୍ୟପିଲେ ଆଣ୍ଠୁଗଣ୍ଠି ବିନ୍ଧା ହୁଏ।

ଯଦି କ୍ୟାନ୍‌ସର ସେଲ୍‌ ଯକୃତକୁ ବ୍ୟାପିଗଲେ ଭୋକ ହେବନି ଏବଂ ମସ୍ତିଷ୍କକୁ ବ୍ୟାପିଲେ ମୁଣ୍ଡ ବିନ୍ଧା ସହ ବାନ୍ତି ହୋଇପାରେ।

smoking: say no to smoke

ଫୁସ୍‌ଫୁସ୍‌ କର୍କଟର କାରଣ? (Causes of Lung Cancer in Odia)

ଫୁସ୍‌ଫୁସ୍‌ କର୍କଟର ମୁଖ୍ୟ କାରଣ ହେଉଛି ଧୂମପାନ।

ବିଭିନ୍ନ ବିଷାକ୍ତ କେମିକାଲ ସଂସ୍ପର୍ଶରେ ଆସିଲେ ବି ଫୁସ୍‌ଫୁସ୍‌ କର୍କଟ ହୋଇପାରେ।

ଯଦି ଜଣେ ବ୍ୟକ୍ତି ଧୂମପାନ ଛାଡ଼ୁଛନ୍ତି, ତେବେ ପାଞ୍ଚ ବର୍ଷ ବେଳକୁ ବ୍ୟକ୍ତିଙ୍କ କରୋନାରୀ ଆର୍ଟେରୀ ରୋଗର ଆଶଙ୍କା ୫୦ ପ୍ରତିଶତ କମିଯାଏ। ଧୂମପାନ ଛାଡ଼ିବାର ୧୫ ବର୍ଷ ବେଳକୁ କରୋନାରୀ ରୋଗ ସମ୍ପୂର୍ଣ୍ଣ କମିଯିବ। କ୍ୟାନ୍‌ସର ଆଶଙ୍କା ବି ଅଧା ହୋଇଯିବ।

ଯୁବପିଢ଼ିଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ

ଆଜିକାଲିର ଯୁବପିଢ଼ିଙ୍କୁ ଧୂମପାନ ଛାଡ଼ିବା ନିହାତି ଦରକାର। ଧୂମପାନର ବଦଭ୍ୟାସ ଛାଡ଼ିବା ପାଇଁ ଆଜିକାଲି ଫାର୍ମାକୋଲୋଜିକାଲ ଥେରାପି, ନିକୋଟିନ ଥେରାପି, ସାଇକୋଲୋଜିକାଲ କାଉନ୍‌ସିଲିଂ ଭଳି ବିଭିନ୍ନ ଉପାୟ ରହିଛି।

ଧୂମପାନ ଛାଡ଼ିଲେ ଫୁସଫୁସ୍‌ କର୍କଟର ୫୦ ପ୍ରତିଶତ ଆଶଙ୍କା କମିଯାଏ।

ଫୁସ୍‌ଫୁସ୍‌ କର୍କଟର ଚିକିତ୍ସା (Treatment of Lung Cancer in Odia)

ଫୁସ୍‌ଫୁସ୍‌ କର୍କଟର ବିଭିନ୍ନ ଷ୍ଟେଜ୍‌ ଅନୁଯାୟୀ ଡାକ୍ତରମାନେ ଏହାର ଚିକିତ୍ସା କରିଥା’ନ୍ତି। କର୍କଟ ରୋଗର ପରୀକ୍ଷା ପାଇଁ ସିଟି ସ୍କାନ ବା ପେଟ୍‌ ସିଟି ସ୍କାନ ଜରିଆରେ କେଉଁ ସ୍ଥାନରେ କର୍କଟ ହୋଇଛି ନିରୂପଣ କରାଯାଏ। ଉକ୍ତ ସ୍ଥାନରୁ ଟିସୁ ନେଇ କେଉଁ ପ୍ରକାରର କର୍କଟ ହୋଇଛି ପରୀକ୍ଷା କରାଯାଏ।

ଏହାପରେ କର୍କଟ ରୋଗର ପର୍ଯ୍ୟାୟ ନିରୂପଣ କରାଯାଏ। ଯଦି ରୋଗୀର ଷ୍ଟେଜ୍‌ ୧ରୁ ଷ୍ଟେଜ୍‌ ୩ ଏ’ ଯାଏଁ  ଅଛି, ତେବେ ସର୍ଜରୀ ଦ୍ଵାରା ଚିକିତ୍ସା କରାଯାଏ। ଟ୍ୟୁମର ୪ ସେଣ୍ଟିମିଟରରୁ କମ୍‌ ଥିଲେ କେମୋଥେରାପି ଦେବାକୁ ହୋଇଥାଏ। ଯଦି ଏହି କ୍ୟାନ୍‌ସର ସେଲ୍ସ ଅନ୍ୟ ଅଙ୍ଗକୁ ବ୍ୟାପିଯାଇଛି ତେବେ କେମୋଥେରାପି ଓ ରେଡିଓଥେରାପି ଦ୍ୱାରା ଚିକିତ୍ସା କରାଯାଇଥାଏ।

ଷ୍ଟେଜ୍‌ ୩ ବି ଓ ୩ ସିରେ ରୋଗୀଙ୍କୁ ରେଡିଏସନ୍ ଓ କେମୋଥେରାପି ମିଶାଇକି ଦେବାକୁ ହୋଇଥାଏ। କିନ୍ତୁ, ରୋଗୀ ଷ୍ଟେଜ୍‌ ୪ କ୍ୟାନ୍‌ସରରେ ଥିଲେ ବିଭିନ୍ନ ଔଷଧ ଖାଇ କିଛି ଦିନ ବଞ୍ଚିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦୀପକ କୁମାର ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Lung cancer with their causes & treatment based on the interview with Dr Deepak Kumar Das, Consultant, Radiation oncologist.