ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଆସନ୍ତୁ ଜାଣିବା ୪ଟି ଟିପ୍ସ।

ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ।

ରକ୍ତରେ ଶର୍କରା ପରିମାଣ ଆବଶ୍ୟକତାଠାରୁ ଅଧିକା ହେଲେ, ତାକୁ ଡାଏବେଟିସ୍‌ ବା ମଧୁମେହ ବୋଲି କହିଥାଉ। ଆମ ଶରୀରରେ ଅଗ୍ନାଶୟ ଗ୍ରନ୍ଥି ରହିଛି। ସେହି ଗ୍ରନ୍ଥିରେ ବିଟା-ଜୀବକୋଷ ରହିଛି ଏଥିରୁ ଇନ୍‌ସୁଲିନ୍‌ ନାମକ ହରମୋନ୍‌ ବା ଜୀବରସ ଝରିଥାଏ।

କୌଣସି କାରଣରୁ ଇନ୍‌ସୁଲିନ୍‌ କମ୍‌ କ୍ଷରଣ ହେଲେ ବା କୌଣସି କାରଣରୁ ଇନ୍‌ସୁଲିନ୍‌ ଠିକ୍‌ ଭାବରେ କାମ କରୁନଥିଲେ,ତେବେ ଡାଏବେଟିସ୍‌ ବା ମଧୁମେହ ରୋଗ ହୋଇଥାଏ।

କେବଳ ଚିନି ଖାଇବା ଦ୍ୱାରା ଡାଏବେଟିସ୍‌ ହୋଇନଥାଏ

ସାଧାରଣ ଲୋକଙ୍କ ମନରେ ଭ୍ରମ ଥାଏ ଯେ ଚିନି ବା ମିଠା ଖାଇଲେ ଡାଏବେଟିସ୍‌ ହୋଇଥାଏ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ବେଶୀ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଶରୀରରେ ସ୍ନେହସାର ରୂପେ ଜମା ହୋଇଯାଏ। ଫଳରେ ଏହା ଇନ୍‌ସୁଲିନ୍‌ ରେଜିଷ୍ଟାନ୍ସ କରିଥାଏ। ଯଦି ଏହିଭଳି ଭାବେ ଶରୀରରେ ସ୍ନେହସାର ବଢ଼ିଚାଲିବ ଓ ମେଦବହୁଳତା ହେବ, ତେବେ ଆପଣଙ୍କୁ ଡାଏବେଟିସ୍‌ ହେବାର ଆଶଙ୍କା ଥାଏ।

ଡାଏବେଟିସ୍‌ ନିୟନ୍ତ୍ରଣ କରିବା ପାଇଁ ୪ଟି ସୂତ୍ର। ଯଥା- ଡାଏଟ୍‌, ବ୍ୟାୟାମ, ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଓ ଇନ୍‌ସୁଲିନ୍‌

diabetes

ଡାଏବେଟିସ୍ ରୋଗୀଙ୍କ ଡାଏଟ୍‌? (What to eat to control Diabetes in Odia)

ଡାଏବେଟିସ୍‌ ରୋଗୀ ଖାଇବାରେ ନିୟନ୍ତ୍ରଣ ନ କଲେ ଶରୀରରେ ଶର୍କରା ବଢ଼ିପାରେ କିମ୍ବା କମିପାରେ। ଡାଏବେଟିସ୍‌ ରୋଗୀ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ସଠିକ୍‌ ସମୟରେ ସଠିକ୍‌ ପରିମାଣରେ ଖାଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ।

ଡାଏବେଟିସ୍‌ ରୋଗୀଙ୍କ ପ୍ଲେଟ୍‌ରେ ୫୦ରୁ ୬୦ ପ୍ରତିଶତ ଶ୍ୱେତସାର (କାର୍ବୋହାଇଡ୍ରେଟ୍‌), ୨୦-୩୦ ପ୍ରତିଶତ ସ୍ନେହସାର ଏବଂ ୨୦ ପ୍ରତିଶତ ପ୍ରୋଟିନ୍‌ ରହିବା ଦରକାର।

ଡାଏବେଟିସ୍‌ ରୋଗୀ ସିମ୍ପୁଲ କାର୍ବୋହାଇଡ୍ରେଟ୍‌ ଯେପରିକି ମିଠା, ଚିନି ଏବଂ ଗ୍ଲୁକୋଜ ଖାଇବେ ନାହିଁ। କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍‌ ଯେପରିକି ରାଗି, ଶସ୍ୟଜାତୀୟ ଖାଦ୍ୟ, ଉଷୁନା ଭାତ, ରୁଟି ଖାଇପାରିବେ। ଦୈନିକ ଗୋଟିଏ କିମ୍ବା ଦୁଇଟି ଫଳ ଖାଇପାରିବେ। ଫଳ ଭିତରେ ଆମ୍ବ, କଦଳୀ, ଅଙ୍ଗୁରକୁ କମ୍‌ ଖାଇବେ, କାରଣ ଏଥିରେ ଶର୍କରା ପରିମାଣ ଅଧିକ ଥାଏ। ସବୁବେଳେ ଗୋଟା ଫଳ ଖାଇବେ ଫଳକୁ ଜୁସ୍‌ କରି ପିଇବେ ନାହିଁ।

ସପ୍ତାହକୁ ଥରେ ଚିକେନ୍‌ ଖାଇପାରିବେ। ସପ୍ତାହକୁ ଦୁଇ ତିନି ଥର ଅଣ୍ଡାର ଧଳା ଅଂଶ ଖାଇପାରିବେ। ସପ୍ତାହକୁ ଦୁଇ ତିନି ଥର ମାଛ ଖାଇପାରିବେ, ହେଲେ ଅଧିକ ତେଲ ମସଲାରେ ଭଜା ମାଛ ଖାଇବେ ନାହିଁ।

ଡାଏବେଟିସ୍‌ ରୋଗୀ ଉପବାସ କରିବା ଅନୁଚିତ। ସବୁବେଳେ ଠିକ୍‌ ସମୟରେ ଖାଇବା ଜରୁରୀ।

ଖାଦ୍ୟରେ କେଉଁ ତେଲ ଖାଇବେ? (What oil to eat to control Diabetes in Odia)

 ସାଚୁରେଟେଡ୍‌ ଫ୍ୟାଟ୍‌ ଖାଇବା ଅନୁଚିତ। ଯେଉଁ ତେଲ ଘର ତାପମାତ୍ରାରେ ବସିଯାଏ, ତାକୁ ସାଚୁରେଟେଡ୍‌ ଫ୍ୟାଟ୍‌ କୁହାଯାଏ। ଯେପରିକି ଘିଅ, ବନସ୍ପତି, ନଡ଼ିଆ ତେଲ। ଏହାକୁ ଖାଇବା ଅନୁଚିତ। ଟ୍ରାନ୍ସ ଫ୍ୟାଟ୍‌ ନ ଖାଇଲେ ଭଲ। ଗୋଟିଏ ତେଲକୁ ବାରମ୍ବାର ରାନ୍ଧିବାକୁ ଟ୍ରାନ୍ସଫ୍ୟାଟ୍‌ କୁହାଯାଏ। ଟ୍ରାନ୍ସ ଫ୍ୟାଟ୍‌ ହୃତ୍‌ପିଣ୍ଡର ଧମନୀକୁ ବ୍ଲକ୍‌ କରେ, ତେଣୁ ଏହାକୁ ଖାଇବା ଅନୁଚିତ।

ପ୍ରତ୍ୟେକ ବ୍ୟକ୍ତି ମାସକୁ ୫୦୦ ଏମ୍‌ଏଲ୍‌ ଭିତରେ ତେଲ ବ୍ୟବହାର କରିବା କଥା। ସୋରିଷ ତେଲ, ସୂର୍ଯ୍ୟମୂଖୀ ତେଲ, ରାଇସ୍‌ବ୍ରାନ୍‌ ତେଲ ଏବଂ ଅଲିଭ୍‌ ତେଲକୁ ଖାଦ୍ୟରେ ସାମିଲ କରିପାରିବେ।

ଡାଏବେଟିସ୍‌ ପାଇଁ ବ୍ୟାୟାମ ଓ ଯୋଗ (Yoga and exercise for Diabetes Patients in Odia)

ଡାଏବେଟିସ୍‌ ନିୟନ୍ତ୍ରଣ କରିବାର ଦ୍ଵିତୀୟ ଉପାୟ ହେଲା ବ୍ୟାୟାମ। ନିୟମିତ ୩୦ ମିନିଟ୍‌ ପାଇଁ କିମ୍ବା ସପ୍ତାହକୁ ୫ ଦିନ ଚାଲିବା ହେଉଛି ଏକ ଭଲ ବ୍ୟାୟାମ। ଡାଏବେଟିସ୍‌ ରୋଗୀ ଘରେ ରହି ମଧ୍ୟ ବ୍ୟାୟାମ କରିପାରିବେ।

ଯୋଗ କରିବା ଦ୍ୱାରା ଶାରୀରିକ ବ୍ୟାୟାମ ସହ ମାନସିକ ଚାପ ଦୂର ହୁଏ।

insulin

ଡାଏବେଟିସ୍ ପାଇଁ ଔଷଧ ଓ ଇନସୁଲିନ୍ (Medications and insulin for diabetes in Odia)

ଡାଏବେଟିସ୍‌ ରୋଗୀ ପ୍ରତି ତିନିମାସରେ ଥରେ ଡାକ୍ତରଙ୍କୁ ଦେଖା କରନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ଔଷଧ ସେବନ କରନ୍ତୁ।

ସବୁ ଡାଏବେଟିସ୍‌ ରୋଗୀଙ୍କୁ ଇନ୍‌ସୁଲିନ୍‌ ଦିଆଯାଏ ନାହିଁ। ସାଧାରଣତଃ ଟାଇପ୍‌-୧ ଡାଏବେଟିସ୍‌ ରୋଗୀ, ଗର୍ଭବତୀ ମହିଳାଙ୍କୁ ଡାଏବେଟିସ୍‌ ଥିଲେ ଇନ୍‌ସୁଲିନ୍‌ ଦିଆଯାଏ। ଏହାଛଡ଼ା ଯଦି ଜଣେ ବ୍ୟକ୍ତିଙ୍କୁ ୮-୧୦ ବର୍ଷ ଧରି ଟାଇପ୍‌-୨ ଡାଏବେଟିସ୍‌ ହେଲାଣି, ତେବେ ସେମାନଙ୍କ ଶରୀରରୁ ଇନ୍‌ସୁଲିନ୍‌ କ୍ଷରଣ ହୁଏନି। ଏଭଳି କ୍ଷେତ୍ରରେ ଔଷଧ ଦେବା ବଦଳରେ ଇନ୍‌ସୁଲିନ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ। ଏହାଛଡ଼ା ଡାଏବେଟିସ୍‌ ରୋଗୀ ଯଦି ଅନ୍ୟ କୌଣସି ରୋଗରେ ପୀଡ଼ିତ ହେଲେ କିମ୍ବା କୌଣସି ଅପରେସନ୍‌ ହେଲା କିମ୍ବା ହୃଦ୍‌ଘାତ ହୁଏ, ତେବେ ସେମାନଙ୍କର ଇନ୍‌ସୁଲିନ୍‌ ଚାଲୁ ରଖାଯାଏ।

ସବୁବେଳେ ଇନ୍‌ସୁଲିନ୍‌ ଡାକ୍ତରଙ୍କ ପରାମର୍ଶରେ ଓ ସଠିକ୍‌ ସମୟରେ ନେବେ। ଯଦି ଇନ୍‌ସୁଲିନ୍‌ ନେଉଛନ୍ତି, ତେବେ ଠିକ୍‌ ସମୟରେ ଖାଦ୍ୟ ଖାଇବା ଜରୁରୀ। ଯଦି କୌଣସି କାରଣରୁ ଖାଦ୍ୟ ଖାଇଲେ ନାହିଁ ବା ଡେରି ହୋଇଯାଏ, ତେବେ ଶର୍କରା କମିଯାଇ ହାଇପୋଗ୍ଲାଇସେମିଆ ହୋଇପାରେ। ଫଲରେ ବ୍ୟକ୍ତି ଚେତାଶୂନ୍ୟ ହୋଇଯାଆନ୍ତି।

ଡାଏବେଟିସ୍ କେଉଁ ଅଙ୍ଗକୁ ପ୍ରଭାବିତ କରେ? (Complication of Diabetes in Odia)

ଡାଏବେଟିସ୍‌ ଶରୀରର ମୁଣ୍ଡଠାରୁ ଆରମ୍ଭ କରି ଗୋଡ଼ର ନଖ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ।

ଡାଏବେଟିସ୍‌ ଯୋଗୁଁ ଦୁଇ ପ୍ରକାର ସମସ୍ୟା ହୋଇଥାଏ – ମାଇକ୍ରୋଭାସ୍କୁଲାର, ମାକ୍ରୋଭାସ୍କୁଲାର

ମାଇକ୍ରୋଭାସ୍କୁଲାର: ଡାଏବେଟିସ୍‌ ଯଦି ଶରୀରର ଛୋଟ ଛୋଟ ଧମନୀକୁ ପ୍ରଭାବ ପକାଏ, ତେବେ ଏହାକୁ ମାଇକ୍ରୋଭାସ୍କୁଲାର କୁହାଯାଏ। ଯଥା: ଆଖିରେ କ୍ଷତି (ରେଟିନୋପାଥି), କିଡ୍‌ନିଫେଲ୍‌ (ନେଫ୍ରୋପାଥି), ସ୍ନାୟୁରେ କ୍ଷତି (ନ୍ୟୁରୋପାଥି)।

ମାକ୍ରୋଭାସ୍କୁଲାର: ଡାଏବେଟିସ୍‌ ଯଦି ଶରୀରର ବଡ଼ ବଡ଼ ଧମନୀକୁ ପ୍ରଭାବ ପକାଏ, ତାହାକୁ ମାକ୍ରୋଭାସ୍କୁଲାର କୁହାଯାଏ। ହୃଦୟକୁ ପ୍ରଭାବ ପକାଇଲେ ତାହାକୁ କରୋନାରି ଆର୍ଟେରି ରୋଗ,ଗୋଡ଼ର ଧମନୀକୁ ପ୍ରଭାବ ପକାଇଲେ ପେରିଫେରାଲ ଭାସ୍କୁଲାର ରୋଗ କିମ୍ବା ମସ୍ତିଷ୍କର ବଡ଼ ଧମନୀ ଉପରେ ପ୍ରଭାବ ପକାଇଲେ, ତାକୁ ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ବୋଲି କହିଥାଉ।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ଡାଏବେଟିସ୍‌ ରୋଗୀ ଖାଦ୍ୟରେ ଶୃଙ୍ଖଳା ଆଣିବା ଦରକାର।

ନିୟମିତ ବ୍ୟାୟାମ କରିବା ଦରକାର।

ସପ୍ତାହକୁ ୫ ଦିନ ବ୍ୟାୟାମ କରିବେ।

ମାନସିକ ଚାପରୁ ଦୂରେଇ ରହନ୍ତୁ।

ଡାକ୍ତରଙ୍କ ପରାମର୍ଶରେ ଔଷଧ ଏବଂ ଇନ୍‌ସୁଲିନ୍‌ ନେବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସମ୍ବିତ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on How to Control Diabetes, in Odia language, is based on an extensive interview with Diabetes Specialist Dr Sambit Das.