ଡିପ୍ରେସନ ଏକ ମାନସିକ ସ୍ଥିତି ହୋଇଥିଲେ ମଧ୍ୟ ଏହାର କିଛି ଶାରୀରିକ ଲକ୍ଷଣ ରହିଛି। ଆରମ୍ଭରୁ ଜାଣିପାରି ଚିକିତ୍ସା କରାଗଲେ ଏହି ସମସ୍ୟାରୁ ଉପଶମ ମିଳିପାରିବ। ସେସବୁ ଶାରୀରିକ ଲକ୍ଷଣ ବାବଦରେ ଆସନ୍ତୁ ଜାଣିବା।
ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ମାନସିକ ଅବସାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି। ଆଗରୁ ଏହି ରୋଗୀମାନଙ୍କୁ ପାଗଳାମି ବୋଲି କୁହାଯାଉଥିଲ।। ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି। ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଚିକିତ୍ସା କରାଯାଇ ପାରିବ ।
ଅବସାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ ଚାପ , ନିରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି। ମାନସିକ ଦୁଃଶ୍ଚିନ୍ତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା, ଖରାପ ପରିବେଶ ଏବଂ ଏକୁଟିଆ ରହିବା ଡିପ୍ରେସନର ପ୍ରମୁଖ କାରଣ। ଯଦି ଏହାକୁ ଦୀର୍ଘ ସମୟ ଧରି ଗୁରୁତ୍ୱ ନଦିଆଯାଏ ତାହେଲେ ଏହା ରୋଗୀ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ।
ଦୁର୍ବଳତା
ଡିପ୍ରେସନରେ ଶିକାର ବ୍ୟକ୍ତି ଅଧିକାଂଶ ସମୟରେ ଦୁର୍ବଳତା ଅନୁଭବ କରିଥାଆନ୍ତି। ସେମାନଙ୍କର କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ସେମାନେ ନିଜକୁ ଫିଜିକାଲ ଫିଟ ନ ଥିବା ଭଳି ମନେ କରନ୍ତି।
ଓଜନରେ ବୃଦ୍ଧି ଓ ହ୍ରାସ
ଡିପ୍ରେସନରେ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଠିକ ଭାବରେ ଖାଇବା ପିଇବା କରିନଥାଆନ୍ତି। ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ ବୃଦ୍ଧି ପାଇଯିବା ସହ ହ୍ରାସ ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ।
ମେରୁଦଣ୍ଡ ଯନ୍ତ୍ରଣା
ଡିପ୍ରେସନରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ। ଏହାଦ୍ୱାରା ପିଠିରେ ଥିବା ମାଂସପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ। ଅଧିକ ଚିନ୍ତା କାରଣରୁ ପିଠି ଯନ୍ତ୍ରଣା ମଧ୍ୟ ହୁଏ। ବେକରେ ସାମାନ୍ୟ ତଳକୁ କିମ୍ବା କାନ୍ଧ ଉପରକୁ ପୋଡ଼ାଜଳା ହେବା ପରି ଅନୁଭବ ହୋଇଥାଏ।
କାନ୍ଧରେ ରକ୍କା ଧରିବା
କାନ୍ଧରେ ବାରମ୍ବାର ରକ୍କା ପଶିବା ବା ପବନ ଅଟକି ଯିବା ମଧ୍ୟ ମାନସିକ ଅବସାଦ ବା ଡିପ୍ରେସନର ଅନ୍ୟ ଏକ ଲକ୍ଷଣ। ମାଂସପେଶୀ ସଙ୍କୁଚିତ ହେବା କାରଣରୁ ଏପରି ସମସ୍ୟା ହୋଇଥାଏ। ଅଧିକାଂଶ ସମୟରେ ଆମେ ବ୍ୟବହାର କରୁଥିବା ଡିପ୍ରେସନ ବଟିକା ଖାଇବା ଯୋଗୁଁ ମଧ୍ୟ ଏପରି ହୋଇଥାଏ।
ଚର୍ମ ଆଲର୍ଜି
ଅନେକ ସମୟରେ କୌଣସି କାରଣ ନ ଥାଇ ଦେହ ହାତ କୁଣ୍ଡାଇ ହୁଏ। ଅଧିକାଂଶ ଏହାକୁ ହେୟଜ୍ଞାନ କରିଦିଅନ୍ତି। କିନ୍ତୁ ଜାଣି ରଖନ୍ତୁ ଚର୍ମରେ ଆଲର୍ଜି ହେବା ଡିପ୍ରେସନର ଲକ୍ଷଣ ହୋଇଥାଏ। ଚର୍ମରେ ବିଭିନ୍ନ ସମସ୍ୟା ଯେପରିକି ଚର୍ମ କୁଣ୍ଡାଇ ହେବା, ଦେହ ସାରା ଲାଲ ଦାଗ ଦେଖାଯିବା କିମ୍ବା ଫଳିଯିବା ଏବଂ ଏଥିସହ ଶରୀରରେ ଜଳାପୋଡ଼ା ହେବା ମାନସିକ ଅବସାଦର ଲକ୍ଷଣ ହୋଇଥାଏ।
ଦାନ୍ତଜନିତ ସମସ୍ୟା
ଯଦି ଆପଣଙ୍କ ଦାନ୍ତରେ ବାରମ୍ବାର ସମସ୍ୟା ଦେଖା ଦେଉଛି ତେବେ ଖୁବଶୀଘ୍ର ଡାକ୍ତରଙ୍କ ପରାମର୍ଶ କରାଇନିଅନ୍ତୁ। କାରଣ ଦାନ୍ତରେ ବାରମ୍ବାର ସମସ୍ୟା ଦେଖାଯିବା ହେଉଛି ଡିପ୍ରେସନର ମୁଖ୍ୟ ଲକ୍ଷଣ। ଡିପ୍ରେସନ ଯୋଗୁଁ ଦାନ୍ତ ବିନ୍ଧା ହେବା ସହ ଦାନ୍ତ ମୂଳରୁ ରକ୍ତସ୍ରାବ ହୋଇଥାଏ। ଅନେକ ଲୋକଙ୍କ ଦାନ୍ତରୁ ଦୁର୍ଗନ୍ଧ ବାହାରିଥାଏ।