ଛୋଟ ପିଲାମାନେ ଖାଇବା ପାଇଁ ସହଜରେ ରାଜି ହୋଇନଥାଆନ୍ତି। ଏପରିସ୍ଥଳେ ବାପା ମା’ମାନେ କ’ଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା।
ଛୋଟ ପିଲାମାନେ ଖାଦ୍ୟ ଖାଇବା ସମୟରେ ବହୁତ ହଇରାଣ କରିଥାଆନ୍ତି। ପିଲାଙ୍କୁ ଖାଦ୍ୟ ଖୁଆଇବା କୌଣସି ଛୋଟ କାମ ନୁହେଁ। ପିଲାଙ୍କୁ ଖୁଆଇବା ଲାଗି ମା’ମାନେ ସେମାନଙ୍କ ପଛେ ପଛେ ଦୌଡ଼ିଥାନ୍ତି। ତଥାପି ମଧ୍ୟ ସେମାନେ ଠିକରେ ଖାଇବା ଖାଇ ନ ଥାନ୍ତି। ଠିକରେ ଖାଦ୍ୟ ନ ଖାଇବା ଫଳରେ ସେମାନଙ୍କୁ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ଵ ମିଳେ ନାହିଁ। ଯାହାଫଳରେ ଛୋଟ ବେଳେ ସେମାନଙ୍କ ବିକାଶ ସଠିକ ଭାବେ ହୋଇପାରି ନଥାଏ।
ପିଲାମାନେ ଖାଇବାକୁ ରାଜି ନ ହେଉଥିଲେ ମା’ ବାପାମାନେ ଚିନ୍ତାରେ ପଡ଼ିଯାଆନ୍ତି। ପିଲାଙ୍କୁ ଖୁଆଇବା ପାଇଁ ସେମାନେ ପିଲାଙ୍କ ଉପରେ ଚାପ ପକାନ୍ତି କିମ୍ବା ବିଭିନ୍ନ ଜିନିଷ ଦେଇ ଖୁଆଇବା ପାଇଁ ଚେଷ୍ଟା କରନ୍ତି। ଏପରି କରିବା ଦ୍ୱାରା ପିଲାଙ୍କ ଅଭ୍ୟାସ ଆହୁରି ବିଗିଡ଼ିବାରେ ଲାଗେ। ଏପରି କରିବା ଦ୍ୱାରା ପିଲାମାନେ ଅସ୍ୱାସ୍ଥ୍ୟକର ଖାଦ୍ୟରେ ମଧ୍ୟ ରୁଚି ରଖିପାରନ୍ତି।
ଭୋକ ଲାଗିଲେ ଖୁଆନ୍ତୁ
କେତେକ ମା’ ବାପା ଭାବନ୍ତି, ଛୋଟ ପିଲାମାନଙ୍କ ପାକସ୍ଥଳୀ ଛୋଟ ହୋଇଥିବା କାରଣରୁ ସେମାନଙ୍କୁ ବାରମ୍ବାର ଖାଇବା ଦେବା ଉଚିତ। କିନ୍ତୁ ଏହା ଭୁଲ ଧାରଣା। ପିଲାମାନଙ୍କୁ ଆବଶ୍ୟକ ଅନୁସାରେ ଖାଦ୍ୟ ଖୁଆଇବା ଉଚିତ। ପିଲାଙ୍କୁ କୌଣସି ଜିନିଷ ଜବରଦସ୍ତ ଖୁଆନ୍ତୁ ନାହିଁ। ସେମାନଙ୍କୁ ଭୋକ ଲାଗିଲେ ଖୁଆନ୍ତୁ। ଅନେକ ସମୟରେ ଅଧିକ ଖାଇବା ଫଳରେ ବଦହଜମୀ, କୋଷ୍ଠକାଠିନ୍ୟ ଭଳି ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ।
ସମୟ ନିର୍ଦ୍ଧାରଣ କରନ୍ତୁ
ପିଲାଙ୍କୁ ଖାଇବା ଦେବାର ସମୟ ସୀମା ପ୍ରସ୍ତୁତ କରନ୍ତୁ। ପିଲାଙ୍କୁ ଖୁଆଇବା ପିଆଇବାର ଏକ ନିର୍ଦ୍ଦିଷ୍ଟ ସମୟ ପ୍ରସ୍ତୁତ କରନ୍ତୁ। ପିଲା ଯେତେବେଳେ ପ୍ରତ୍ୟେକ ଦିନ ଗୋଟିଏ ସମୟରେ ଖାଇବା ଅଭ୍ୟାସ କରିଦେବ, ସେତେବେଳେ ତାକୁ ଭୋକ ଲାଗିବା ଆରମ୍ଭ ହେବ।
ଛୋଟ କାମ କରିବାକୁ ଦିଅନ୍ତୁ
ପିଲା ଅଳ୍ପ ବଡ଼ ହୋଇଥିଲେ ସେମାନଙ୍କଠାରୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାହାଯ୍ୟ ନେଇପାରିବେ। ସେମାନଙ୍କୁ ଛୋଟ ମୋଟ କାମ ଦିଅନ୍ତୁ। ଯାହାଫଳରେ ସେମାନଙ୍କର ଖାଇବା ପ୍ରତି ରୁଚି ବଢ଼ିବ।
ଟିଭି ଏବଂ ଫୋନଠାରୁ ଦୂରେଇ ରଖନ୍ତୁ
ପିଲାଙ୍କୁ ଖୁଆଇବା ସମୟରେ ଟିଭି, ମୋବାଇଲର ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଦ୍ଵାରା ଠିକ ଭାବେ ଖାଦ୍ୟ ଖାଇ ହୋଇ ନଥାଏ। ଏଥିସହିତ ସେ କେତେ ମାତ୍ରାରେ ଓ କ’ଣ ଖାଇଲେ ତାହା ଜାଣି ପାରି ନଥାନ୍ତି। ଏପରି ହେବା ଯୋଗୁଁ ଛୋଟ ବେଳେ ମେଦବହୁଳତା ଭଳି ସମସ୍ୟା ଦେଖାଦେଇଥାଏ।
ଖେଳ ମାଧ୍ୟମରେ ଖୁଆନ୍ତୁ
ପିଲାମାନେ ଅଧିକ ସମୟ ଖେଳିବାକୁ ପସନ୍ଦ କରିଥାଆନ୍ତି। ସେମାନଙ୍କୁ ସେଥିରୁ ନିବୃତ୍ତ କରିଦେଲେ ସେମାନେ ବିରକ୍ତି ହେବା ସହ ଠିକରେ ଖାଇବା ପିଇବା କରିନଥାଆନ୍ତି। ତେଣୁ ଯେତେ ସମ୍ଭବ ପିଲାଙ୍କୁ ଖେଳ ଖେଳରେ ଖାଦ୍ୟ ଖାଇବା ଅଭ୍ୟାସ କରାନ୍ତୁ। ଏପରି କଲେ ପିଲାକୁ ଯାହା ପସନ୍ଦ ନୁହେଁ, ତାହା ମଧ୍ୟ ସେ ଖାଇଦେବ।
ମନପସନ୍ଦର ଖାଦ୍ୟ ଖୁଆନ୍ତୁ
ଘର ତିଆରି ଖାଦ୍ୟ ଅପେକ୍ଷା ପିଲାଙ୍କୁ ବାହାରର ଖାଦ୍ୟ ଯେପରିକି ପିଜ୍ଜା, ବର୍ଗର ଆଦି ଖାଇବାକୁ ଭଲ ଲାଗିଥାଏ। ତେଣୁ ଘରେ ତିଆରି କରି ଆପଣ ସେମାନଙ୍କୁ ସ୍ବାଦିଷ୍ଟ ତଥା ପୁଷ୍ଟିକର ଖାଦ୍ୟ ଖୁଆଇପାରିବେ। ବାହାର ଖାଦ୍ୟ ଖାଇଲେ କ’ଣ କ୍ଷତି ହୋଇଥାଏ ସେ ବାବଦରେ ପିଲାକୁ ବାରମ୍ବାର ବୁଝାନ୍ତୁ।
ଖାଦ୍ୟ ସାମଗ୍ରୀ ସଜାଡ଼ି ରଖନ୍ତୁ
ପିଲାଙ୍କ ଖାଦ୍ୟ ପଦାର୍ଥ ଭଲ ଭାବେ ସଜାଇ ଦିଅନ୍ତୁ। ଯାହାଫଳରେ ଖାଇବା ପାଇଁ ସେମାନଙ୍କ ମନରେ ଲାଳସା ସୃଷ୍ଟି ହେବ। ଖାଦ୍ୟ ଖୁଆଇବା ସମୟରେ ବାହାର ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ଭଳି ପରିବେଶ ସୃଷ୍ଟି କରନ୍ତୁ। ଯାହା ଫଳରେ ପିଲା ଖାଦ୍ୟ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିବ।