ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଫିଜିଓଥେରାପି। ଜାଣନ୍ତୁ, ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ।

  • ଅନେକ ବ୍ୟକ୍ତିଙ୍କ ମାଂସପେଶୀ ତଥା ଆଣ୍ଠୁଗଣ୍ଠିରେ ବିନ୍ଧା ହେଉଥିବା ଦେଖାଯାଏ। ବାହାରେ ବୁଲାବୁଲି ନକରିବା ଫଳରେ ଶାରୀରିକ ପରିଶ୍ରମ କମ ହେବା କାରଣରୁ ଏମିତି ହୋଇଥାଏ। ତେବେ ଫିଜିଓଥେରାପି ଦ୍ୱାରା ଏହାର ନିରାକରଣ ହୋଇପାରିବ।
Strong bone

ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା କେମିତି ବଢ଼ିବ? (How to increase respiratory and lung capacity in Odia)

କରୋନା ଭୂତାଣୁ ସାଧାରଣତଃ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ। ଏଥିପାଇଁ ଜଣେ ବ୍ୟକ୍ତି ପ୍ରତିଦିନ ଦୀର୍ଘ ନିଶ୍ୱାସ ବ୍ୟାୟାମ କଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ଦକ୍ଷତା ବଢ଼ିବ। ଯେମିତିକି ଲମ୍ବା ନିଶ୍ୱାସ ନେବେ ଧୀରେ ଧୀରେ ଛାଡ଼ିବେ।

ମାଂସପେଶୀ ଏବଂ ଗଣ୍ଠି ବ୍ୟଥା (Muscle and joint pain in Odia)

ଯେତେବେଳେ ଆପଣ ଭୁଲ ସ୍ଥିତିରେ ବସି କାମ କରୁଛନ୍ତି ବା ଶୋଇକରି କିଛି କାମ ଲମ୍ବା ସମୟ କରୁଛନ୍ତି, ତେବେ ଅଣ୍ଟା ଯନ୍ତ୍ରଣା, ପିଠି ଯନ୍ତ୍ରଣା ହୋଇଥାଏ। ଏହାଛଡ଼ା ଘରେ କାମ କରିବା ଦ୍ୱାରା କୌଣସି ପ୍ରକାର ଶରୀରିକ କାର୍ଯ୍ୟକଳାପ ନ ହେବା ଯୋଗୁଁ ଅଳସୁଆ ଲାଗିଥାଏ, ମାଂସପେଶୀ ଟାଇଟ୍‌ ହୋଇଯାଏ। ଏଭଳି କ୍ଷେତ୍ରରେ ଘରେ ରହିକି ବି ଷ୍ଟ୍ରେଚିଂ ଏକ୍ସରସାଇଜ୍‌, ଓ୍ୱାର୍ମଅଫ୍‌, କିଛି ଶାରୀରିକ କାର୍ଯ୍ୟ କରିପାରିବେ।

exercise for waist pain

ବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମ (Different exercises for people of different ages in Odia)

ଭିନ୍ନ ଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମ ଥାଏ। ଗୋଟେ ଛୋଟ ପିଲା ଯେଉଁ ଭଳି ବ୍ୟାୟାମ କରିପାରିବ ଜଣେ ବୟସ୍କ ବ୍ୟକ୍ତି ସେଇଭଳି ବ୍ୟାୟାମ କରିପାରିବେ ନାହିଁ। ବୟସ୍କ ବ୍ୟକ୍ତିମାନଙ୍କୁ ଏବଂ ଯେଉଁ ବ୍ୟକ୍ତିଙ୍କର କୌଣସି ପ୍ରକାର ସର୍ଜରୀ ବା ହୃଦରୋଗ ରହିଛି ସେମାନଙ୍କୁ ସାଧାରଣତଃ ସିଢ଼ି ଚଢ଼ିବା, ଡିଆଁଡିଇଁ, ଦୌଡ଼ ଆଦି ବ୍ୟାୟାମ କରିବାକୁ ମନା କରାଯାଏ। ସେମାନେ ଓ୍ୱାର୍ମ ଅଫ୍‌, ଷ୍ଟ୍ରେଚିଂ, ନିଶ୍ୱାସପ୍ରଶ୍ୱାସ ବ୍ୟାୟମ, ପ୍ରାଣାୟାମ ଆଦି କରିବାକୁ କହିଥାଏ।

୨୫ରୁ ୨୦ ବର୍ଷର ଲୋକମାନଙ୍କୁ ଦଣ୍ଡ ମାରିବା, ପ୍ରାଙ୍କ୍‌, ସ୍କ୍ୱାଟ ଆଦି ବ୍ୟାୟାମ କରିବାକୁ ପରାମର୍ଶ ଦେଇଥାଉ।  ତେବେ ବ୍ୟାୟାମ କରିବା ପୂର୍ବରୁ ଡାକ୍ତର କିମ୍ବା ଫିଜିଓଥେରାପିଷ୍ଟଙ୍କ ସହ ପରାମର୍ଶ କରି ବ୍ୟାୟାମ କରିବା ଦରକାର।

ଗଣ୍ଠି ବ୍ୟଥା ସମସ୍ୟା ଓ ଏହାର ନିରାକରଣ (Joint pain and its remedies in Odia)

ଗଣ୍ଠି ବ୍ୟଥା: ଅଧିକ କାର୍ଯ୍ୟ କରିବା ଯୋଗୁଁ ମହିଳାଙ୍କର ଗଣ୍ଠି ବ୍ୟଥା ଭଳି ସମସ୍ୟା ଦେଖାଦେଉଛି। ଏଭଳି କ୍ଷେତ୍ରରେ ସେମାନେ ଗଣ୍ଠିରେ ବରଫ ମସାଜ କରିବା ସହ ବିଶ୍ରାମ ନେବା ଦରକାର।

ଫ୍ରୋଜନ୍‌ ସୋଲଡର: ଯଦି ଜଣେ ଲୋକ ବେଶି ଦିନ ଯାଏଁ ହାତରେ କୌଣସି କଠିନ କାର୍ଯ୍ୟ କରେ ନାହିଁ, ତେବେ ଧୀରେ ଧୀରେ କାନ୍ଧର ଗଣ୍ଠି ପାଖରେ ଥିବା ମାଂସପେଶୀ ଶକ୍ତ ହୋଇଯାଏ, ଯାହାକୁ ଫ୍ରୋଜନ୍‌ ସୋଲଡର ବୋଲି କୁହାଯାଏ। ଯାହାଫଳରେ କି ସ୍ୱାଭାବିକ ଭାବେ କାର୍ଯ୍ୟ କରିହୁଏ ନାହିଁ ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ଏଭଳି କ୍ଷେତ୍ରରେ କିଛି ଫିଜିଓଥେରାପି ଏକ୍ସରସାଇଜ ଦ୍ୱାରା ଠିକ୍‌ କରିହୁଏ।

ଅଣ୍ଟା ବ୍ୟଥା: ଅଣ୍ଟା ବ୍ୟଥାର ମୁଖ୍ୟ କାରଣ ହେଉଛି ମେକାନିକାଲ। ଯଦି ଜଣେ ବ୍ୟକ୍ତି ଲମ୍ବା ସମୟ ଧରି ବଙ୍କା ହୋଇ ବସି ରହିବା ଫଳରେ ଅଣ୍ଟାର ମାଂସପେଶୀ ଷ୍ଟିଫ୍‌ ବା ଟାଇଟ୍‌ ହୋଇଯାଏ। ଏଭଳି କ୍ଷେତ୍ରରେ କିଛି ଷ୍ଟ୍ରେଚିଂ ଏକ୍ସରସାଇଜ୍‌ ଏବଂ ଫିଜିଓଥେରାପି କରି ଠିକ୍‌ ହୋଇପାରିବେ।

ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍‌: ବହୁତ ଲୋକ ୮ ଘଣ୍ଟାରୁ ଅଧିକ ସମୟ ଧରି କମ୍ପ୍ୟୁଟର ଆଗରେ କାମ କରିଥା’ନ୍ତି। ଯଦି କମ୍ପ୍ୟୁଟରର ଉଚ୍ଚତା ଆପଣଙ୍କ ମୁହଁଠାରୁ ଅଧିକ ଥାଏ ବା ତଳକୁ ଥାଏ, ତେବେ ବ୍ୟକ୍ତିଙ୍କର ବେକ ଯନ୍ତ୍ରଣା ଆରମ୍ଭ ହୁଏ। ତେଣୁ ଆମକୁ କମ୍ପ୍ୟୁଟର ସମ୍ନାରେ ସଠିକ୍‌ ସ୍ଥିତିରେ କାମ କଲେ ବେକ ଯନ୍ତ୍ରଣା ସମସ୍ୟାକୁ ଏଡ଼ାଇପାରିବା।

ଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ: ଗର୍ଭବତୀ ମହିଳାମାନେ ପ୍ରସବ ପୂର୍ବରୁ ଓ ପ୍ରସବ ପରେ ବ୍ୟାୟାମ କରିବା ଜରୁରୀ। ଗର୍ଭାବସ୍ଥାରେ ମହିଳାଙ୍କର ସାଧାରଣତଃ ପିଠି ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା, ବେକ ଯନ୍ତ୍ରଣା ଓ ଗୋଇଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ। ଏହିସବୁ ସମସ୍ୟାକୁ ଏଡ଼ାଇବା ପାଇଁ ଗର୍ଭାବସ୍ଥାରେ କିଛି ସରଳ ଫିଜିଓଥେରାପି କରାଯାଏ। ଏହାସହ ପ୍ରସବ ପରେ ମାଂସପେଶୀ ସୁଦୃଢ଼ କରିବା ପାଇଁ ମଧ୍ୟ ଫିଜିଓଥେରାପି କରିଥାଉ। ଏହାଛଡ଼ା ପ୍ରସବ ପରେ ମହିଳାଙ୍କ ଓଜନ ବୃଦ୍ଧି ହୋଇଥାଏ, ତେଣୁ ସେମାନଙ୍କୁ କିଛି ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଏ।

ବର୍ତ୍ତମାନ କରୋନା‌ ସମୟରେ ଯେଉଁମାନେ ଫିଜିଓଥେରାପିଷ୍ଟଙ୍କ ପାଖକୁ ଯାଇପାରୁ ନାହାନ୍ତି, ସେମାନେ ଘରେ ରହି ନିଶ୍ୱାସପ୍ରଶ୍ୱାସ ବ୍ୟାୟାମ, ଷ୍ଟ୍ରେଚିଂ ଏକ୍ସରସାଇଜ୍‌ କରିପାରିବେ। ଏହାଛଡ଼ା ମର୍ଣ୍ଣିଂ ଓ୍ୱାକ୍‌ କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Physiotherapy based on the interview with Dr. Sibani Sankar Tripathy, Physiotherapist.