ଅନେକ ସମୟରେ ଲୋକଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ବି ପାଟିକୁ ଖରାପ ଲାଗିଥାଏ। ଏହାଯୋଗୁଁ ସେମାନେ ଖାଦ୍ୟ ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଏହାକୁ ଟେଷ୍ଟ ଡିସଅର୍ଡର ବୋଲି କୁହାଯାଏ। ଏପରି କାହିଁକି ହୁଏ ଆସନ୍ତୁ ଜାଣିବା।

କ’ଣ ଖାଇବି କିଛି ବୁଝିପାରୁନି। ପାଟିକୁ କିଛି ଭଲ ଲାଗୁନି। ଲୋକମାନେ ଏଭଳି ଅଭିଯୋଗ କରୁଥିବାର ଆପଣମାନେ ଶୁଣିଥିବେ। ଏହାର ବିଭିନ୍ନ କାରଣ ରହିଛି। ଡାକ୍ତରଙ୍କ ଅନୁସାରେ ଆମର ଜିଭର ଉପରଭାଗରେ ଅସଂଖ୍ୟ ଛୋଟ ଛୋଟ ଦାନା ଭଳି ରହିଛି, ଯାହାକୁ କି ଟେଷ୍ଟ ବଡ୍‌ସ ବୋଲି କୁହାଯାଏ। ଜନ୍ମ ସମୟରେ ଏହାର ସଂଖ୍ୟା ପ୍ରାୟ ୧୦ ହଜାର ହୋଇଥାଏ। କିନ୍ତୁ ବୟସ ବଢ଼ିବା ସହିତ ଏହି ସଂଖ୍ୟା କମେ। ଟେଷ୍ଟ ବଡ୍ସ ମୁଖ୍ୟତଃ ୫ ପ୍ରକାର ସ୍ୱାଦ ପ୍ରତି ସମ୍ବେଦନଶୀଳ ହୋଇଥାଏ। ଯେପରିକି ଖଟା, ମିଠା, ରାଗ, ଲୁଣ ଏବଂ ପିତା। ଆମେ ଯାହା କିଛି ଖାଉ ତାହା ପ୍ରଥମେ ସାଲିଭାର ସଂପର୍କରେ ଆସିଥାଏ, ଏହାପରେ ନର୍ଭସ ସିଷ୍ଟମ ମାଧ୍ୟମରେ ମସ୍ତିଷ୍କ ପର୍ଯ୍ୟନ୍ତ ଏକ ବାର୍ତ୍ତା ଯାଇଥାଏ ଯାହାଦ୍ୱାରା କି ବ୍ୟକ୍ତିକୁ ଖାଦ୍ୟର ସ୍ୱାଦ ଅନୁଭବ ହୁଏ। ଏଥିରେ କିଛି ବ୍ୟତିକ୍ରମ ହେଲେ ସ୍ୱାଦ ଆଉ ଜାଣିହୁଏ ନାହିଁ।

ଟେଷ୍ଟ ଡିସ୍‌ଅର୍ଡରର କାରଣ ?

ଗଳା କିମ୍ବା ଦାନ୍ତରେ ସଂକ୍ରମଣ, ସିଗାରେଟ୍ ଏବଂ ତମାଖୁ ଖାଇବାର ଅଭ୍ୟାସ, ମୁଖର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନ ରଖିବା, ଔଷଧର ପାଶ୍ୱର୍ ପ୍ରତିକ୍ରିୟା, କେମୋଥେରାପି, ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା, କିଡ୍ନି ନଷ୍ଟ ହୋଇଯିବା, ଥଣ୍ଡା, ଜ୍ୱର ଇତ୍ୟାଦି ହେଉଛି ଟେଷ୍ଟ ଡିସଅର୍ଡରର କାରଣ। ଏହାଛଡ଼ା ମଧୁମେହ ହେଲେ ମଧ୍ୟ ପାଟିରେ କମ୍ ସାଲିଭା ସୃଷ୍ଟି ହୁଏ, ଫଳରେ ବ୍ୟକ୍ତିକୁ କୌଣସି ଖାଦ୍ୟ ଆଉ ରୁଚିକର ଲାଗେ ନାହିଁ।

ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଏ। ଖାଦ୍ୟ ପ୍ରତି ଅରୁଚି ଯୋଗୁଁ ଲୋକମାନେ ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ। ଏହାଯୋଗୁଁ ଶରୀର ଦୁର୍ବଳ ହେବା ସହିତ ବ୍ୟକ୍ତି ଚିଡଚିଡା ହୋଇଯାଏ। ଏପରିସ୍ଥଳେ ପାଟିକୁ ଭଲ ଲାଗିବା ଲାଗି ଲୋକମାନେ ଜଙ୍କ୍ ଫୁଡ୍, କୋଲ୍ଡ ଡିଙ୍କ୍ସ, ଚକୋଲେଟ୍ ଏବଂ ମିଠା ପ୍ରଭୃତି ଖାଇଥାନ୍ତି। ଏହି ଅଭ୍ୟାସ ପରେ ମଧୁମେହର ରୂପ ନିଏ।

କିଭଳି ରକ୍ଷା ପାଇବେ?

ସୁସ୍ଥ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ନିୟମିତତା ଏହି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ବହୁ ପରିମାଣରେ ସହାୟକ ହୋଇଥାଏ। ଦାନ୍ତକୁ ସଫା ରଖିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସିଗାରେଟ୍ ଏବଂ ତମାଖୁ ଜାତୀୟ ଉତ୍ପାଦକୁ ଏଡ଼ାଇ ଯାଆନ୍ତୁ। ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଦାନ୍ତରେ କିଛି ସମସ୍ୟା ଥିଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ସାଧାରଣତଃ ଯେଉଁ କାରଣ ଯୋଗୁଁ ପାଟିର ସ୍ୱାଦ ଚାଲିଯାଇଥାଏ ସେହି ରୋଗ ଠିକ୍ ହୋଇଯିବାର ସପ୍ତାହେ ବା ଦୁଇ ସପ୍ତାହ ପରେ ଏହା ଆପେ ଆପେ ଠିକ୍ ହୋଇଯାଏ। ତେବେ ଯଦି ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗିରହେ ତାହେଲେ ଇଏନ୍ଟି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ସ୍ପେଶାଲିଷ୍ଟ ଆପଣଙ୍କର ଶାରୀରିକ ସ୍ଥିତିକୁ ଦେଖି ବ୍ଲଡ୍ ସୁଗାର, କିଡ୍ନି ଫଙ୍କସନ୍ ଟେଷ୍ଟ, ଭିଟାମିନ୍ ବି-୧୨, ରକ୍ତରେ ସୋଡିୟମ୍, ପୋଟାସିୟମ ଏବଂ କପରର ମାତ୍ରା ଯାଞ୍ଚ କରିବାକୁ ପରାମର୍ଶ ଦେବେ। ସେହି ରିପୋର୍ଟ ଆସିବା ପରେ ସେ ଅନୁସାରେ ଔଷଧ ଖାଇଲେ ଏହାର ନିଦାନ ସମ୍ଭବପର।

ଏହି କଥା ପ୍ରତି ବି ଧ୍ୟାନ ଦିଅନ୍ତୁ:
  • ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବ୍ରସ୍‌ କରନ୍ତୁ।
  • କିଛି ଖାଇବା ପରେ ନିଶ୍ଚିତ ଭାବେ କୁଳି କରନ୍ତୁ।
  • ମଧୁମେହ ଥିଲେ ନିୟମିତ ଭାବେ ରକ୍ତରେ ଶର୍କରାର ମାତ୍ରାକୁ ଯାଞ୍ଚ କରନ୍ତୁ।
  • ଖାଦ୍ୟରେ ସବୁଜ ପନିପରିବା ଓ ଫାଇବର ଯୁକ୍ତ ଜିନିଷକୁ ନିଶ୍ଚିତ ଭାବେ ସାମିଲ କରନ୍ତୁ ଏହାଦ୍ୱାରା ପେଟ ସଫା ରହିବ ଏବଂ ଖାଦ୍ୟ ଖାଇବା ପ୍ରତି ଆଗ୍ରହ ହେବ।