ଖେଳ ସମୟରେ ଆଘାତ ଲାଗିବାକୁ କେମିତି ରୋକିବେ? ବିଶିଷ୍ଟ ସ୍ପୋର୍ଟ୍ସ ଇଞ୍ଜୁରୀ ସର୍ଜନ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ଛୋଟ ପିଲା ହେଉ ଅବା ଯୁବପିଢ଼ି, ଖେଳିବା ସମୟରେ ଆଘାତ ଲାଗିବାର ଆଶଙ୍କା ସବୁବେଳେ ରହିଥାଏ। ଏହି ସ୍ପୋର୍ଟ୍ସ ଇଞ୍ଜୁରୀ ଆଣ୍ଠୁଗଣ୍ଠି, କହୁଣି, ଖଞ୍ଜା, ପାଦର ଏଡିକୁ ବିଶେଷ ଭାବେ ପ୍ରଭାବିତ କରିଥାଏ।ଖେଳିବା ବେଳେ ଯଦି ଗୋଟେ ଛୋଟ ପିଲାକୁ ଆଘାତ ଲାଗି ଚମଡ଼ା ଛିଣ୍ଡିଯାଏ, ତେବେ ସେ ସ୍ଥାନକୁ ଭଲ କରି ସଫା କରିବା ଦରକାର। ଅଧିକାଂଶ ସମୟରେ ଲୋକେମାନେ ଖଣ୍ଡିଆ ହେଲା ପରେ ଭଲ କରି ସଫା ନ କରି ଷ୍ଟିଜ୍‌ ପକାଇ ଦିଅନ୍ତି, ତାହାଦ୍ଵାରା ସଂକ୍ରମଣ ହୋଇଥାଏ।

sports injury

ସ୍ପୋର୍ଟ୍ସ ଇଞ୍ଜୁରୀକୁ ରୋକିବା କେମିତି? (How to prevent sports injuries in Odia)

ପିଲା ଖେଳିବା ବେଳେ ଆମମାନଙ୍କୁ ଧ୍ୟାନ ରଖିବାକୁ ହେବ। ପିଲାର ଆଣ୍ଠୁଗଣ୍ଠିକୁ ସୁରକ୍ଷିତ ରଖିବା ପାଇଁ ଗାର୍ଡ ପିନ୍ଧିବା ଦରକାର, ସଠିକ୍‌ ଜୋତା ପିନ୍ଧିବା ଦରକାର, ଖେଳିବା ପୂର୍ବରୁ ଓ୍ଵାର୍ମଅପ୍‌ କରିବା ଦରକାର। ଖେଳିବା ପାଇଁ ପିଲାକୁ ସଠିକ୍‌ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଦେବା ଜରୁରୀ। ହାଡ଼ ମଜଭୁତ କରିବା ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ନ୍ୟୁଟ୍ରିସନ୍‌ ହେଲା କ୍ଷୀର ଏବଂ ଖରା। ପ୍ରତ୍ୟେକ ମଣିଷକୁ ଦୈନିକ ୧୦୦୦ କିଲୋଗ୍ରାମ କ୍ୟାଲ୍‌ସିୟମ୍‌ ଦରକାର। ତେଣୁ ପ୍ରତ୍ୟେକ ଦିନ ଗୋଟେ ଗ୍ଲାସ କ୍ଷୀର ପିଅନ୍ତୁ। ଏହାଛଡ଼ା ପ୍ରତ୍ୟେକ ଅଧଘଣ୍ଟା ସୂର୍ଯ୍ୟକିରଣରେ ଚଳପ୍ରଚଳ ହେଲେ ଶରୀରକୁ ଭିଟାମିନ୍‌ ଡି ମିଳିବ।

ଏହାସହ ମସ୍ତିଷ୍କ ପାଇଁ ଭିଟାମିନ୍‌ ବି-୧୨ ଦରକାର ହୋଇଥାଏ। ତେଣୁ ଖାଦ୍ୟରେ ମାଛ ସାମିଲ କରିବା ଦରକାର।

sports injury test

ସ୍ପୋର୍ଟ୍ସ ଇଞ୍ଜୁରୀର ପରୀକ୍ଷଣ (Diagnosis of Sports Injury in Odia)

ଆଣ୍ଠୁଗଣ୍ଠିରେ ବା ଲିଗାମେଣ୍ଟରେ ଆଘାତ ଲାଗିଛି କି ନାହିଁ ଜାଣିବା ପାଇଁ ବର୍ତ୍ତମାନ ଉନ୍ନତମାନର ଟେକ୍ନୋଲୋଜି ବାହାରିଲାଣି। କିଏ ଗାଡ଼ିରୁ ପଡ଼ିଯାଇଥିଲେ, କିଏ ଚେୟାରରୁ ଗଳି ପଡ଼ି ଗୋଡ଼ ମୋଡ଼ି ହୋଇଥିଲେ ବା ଖେଳିବା ବେଳେ ଆଘାତ ଲାଗିଥିଲେ, ସମସ୍ତ ପ୍ରକାର ଆଘାତର ପରୀକ୍ଷା କରିବା ସମ୍ଭବ ହୋଇପାରୁଛି।

sports injury treatment

ସ୍ପୋର୍ଟ୍ସ ଇଞ୍ଜୁରୀର ଚିକିତ୍ସା ପଦ୍ଧତି (Treatment of sports injuries in Odia)

ସ୍ପୋର୍ଟ୍ସ ଇଞ୍ଜୁରୀର ପ୍ରଥମ ଚିକିତ୍ସା ହେଲା ରାଇସ୍‌ ରେଜିମେଣ୍ଟ (RICE Resiment)। ଯଦି ହାତ ମାଡ଼ ହୋଇଯାଏ, ତେବେ ଏକ କପଡ଼ା ବାନ୍ଧି ଦେବା ଦରକାର। ଏହାପରେ ବରଫ ଲଗାଇବା ଦରକାର। ଏହିସ୍ଥାନରେ କୌଣସି ତେଲ ମାଲିସ୍‌ କରିବେ ନାହିଁ। ବାହାରପଟର ଲିଗାମେଣ୍ଟ ସହଜରେ ଯୋଡ଼ି ହୋଇଯାଏ। ହେଲେ କେତେକ ସ୍ଥାନରେ ଲିଗାମେଣ୍ଟ ଯୋଡ଼ି ହୋଇପାରେ ନାହିଁ। ଏନେଇ ଅପରେସନ୍‌ ଦରକାର ପଡ଼ିଥାଏ। ଯଦି ଅପରେସନ୍‌ ନ କରନ୍ତି, ତେବେ ଚାଲିବା ବେଳେ ଆଣ୍ଠୁ ଖସିଯିବ। ଏଭଳି ହେଲେ ଧୀରେ ଧୀରେ ହାଡ଼ ଖାଇଯିବ ଓ ଚାଲିବା ବେଳେ ଆଣ୍ଠୁ ଫୁଟିବା ଭଳି ହେବ।

ପୂର୍ବରୁ ଆଣ୍ଠୁ ବା ଲିଗାମେଣ୍ଟ ସର୍ଜରୀ ପାଇଁ ଓପନ୍‌ ସର୍ଜରୀ କରାଯାଉଥିଲା। ହେଲେ ବର୍ତ୍ତମାନ ଆର୍ଥ୍ରୋସ୍କୋପିକ୍‌ ସର୍ଜରୀ କରାଯାଉଛି। ଏଥିରେ ପ୍ରଥମେ ସ୍ପାଇନାଲ ଆନ୍‌ଥେସିଆ ଦିଆଯାଏ, ଏହାପରେ ୪ ମିଲିମିଟର ଟେଲିସ୍କୋପ୍‌ ଭର୍ତ୍ତି କରାଯାଏ ଓ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖି ସର୍ଜରୀ କରାଯାଏ। ୨୫ରୁ ୩୦ ମିନିଟ୍‌ର ଅପରେସନ୍‌ ହୋଇଥାଏ। ଏହାର ୨ ଘଣ୍ଟା ପରେ ରୋଗୀ ସାଧାରଣ ଖାଦ୍ୟ ଖାଇପାରିବେ ଓ ତା ପରଦିନ ରୋଗୀ ଆଶାବାଡ଼ି ଧରି ଚାଲିପାରିବେ। ଏହାର ୧୫ ଦିନ ପରେ ରୋଗୀ ଆଣ୍ଠୁ ସମ୍ବନ୍ଧୀୟ ବ୍ୟାୟାମ କରିପାରିବେ ଓ ମାସେ ପରେ ରୋଗୀ ଦୌଡ଼ି ପାରିବେ, ପହଁରି ପାରିବେ, ସାଇକେଲ ମଧ୍ୟ ଚଲାଇପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପରେଶ ଚନ୍ଦ୍ର ଦେ’ ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Sports Injury, in Odia language, is based on an extensive interview with sports injury surgeon Dr Paresh Chandra Dey.