ଛୋଟ ବେଳେ ମେଦ ବହୁଳତା ଯୋଗୁଁ ପିଲାମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ପିଲାଙ୍କୁ ସୁସ୍ଥ ଏବଂ ଫିଟ୍ ରଖିବେ କିପରି ଜାଣି ରଖନ୍ତୁ ସେ ବାବଦରେ।

healthy girl

ଅଧିକ ପଢ଼ନ୍ତୁ:ଶିଶୁଙ୍କୁ ଡାଇରିଆରୁ କିପରି ରଖିବେ ସୁରକ୍ଷିତ?

ଛୋଟ ବେଳେ ପିଲାମାନେ ନିଜ ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ନଥାନ୍ତି। ତେଣୁ ଅତ୍ୟଧିକ ଖାଇବା ଯୋଗୁଁ କିମ୍ବା ସଠିକ ଖାଦ୍ୟର ଅଭାବରେ ପିଲା ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମୟରେ ବାପା ମା’ ଏଥିପ୍ରତି ଅଧିକ ଯତ୍ନଶୀଳ ହେବା ଆବଶ୍ୟକ।

ଅଧିକାଂଶ ବାପା ମା’ ସେମାନଙ୍କ ପିଲାମାନଙ୍କୁ ମୋଟା ହେବାର ଦେଖି ଭାରି ଖୁସି ହୁଅନ୍ତି। ପିଲା ଯେପରି କୌଣସି କାରଣରୁ ଝଡ଼ି ନ ଯାଏ ବା ପତଳା ନ ହୋଇଯାଏ ସେଥିପ୍ରତି ଦୃଷ୍ଟି ଦେଇଥାନ୍ତି। କିନ୍ତୁ ଜାଣି ରଖନ୍ତୁ, ଏହି ମୋଟାପଣ ସେମାନଙ୍କଠାରେ ଅଳ୍ପ ବୟସରୁ ଡାଏବେଟିସ, ହୃଦରୋଗ, ରକ୍ତଚାପ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ।

ସନ୍ତୁଳିତ ଖାଦ୍ୟାଭ୍ୟାସ

ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଫାଷ୍ଟ ଫୁଡ, ଜଙ୍କ୍‌ ଫୁଡ, ବିଭିନ୍ନ ପ୍ରକାରର ପ୍ୟାକେଟ ବା ଫ୍ରୋଜନ ଫୁଡ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଘର ତିଆରି ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ଖାଇବାକୁ ଜିଦି କରୁଛନ୍ତି। ଅଧିକାଂଶ କର୍ମଜୀବୀ ବାପା ମା’ମାନେ କାମ ବ୍ୟସ୍ତତା ହେତୁ ଘରେ ନ ରାନ୍ଧି ପିଲାଙ୍କୁ ପ୍ୟାକେଟ ଖାଦ୍ୟ ବା ବାହାର ଖାଦ୍ୟ ଖାଇବାକୁ ଦେଉଛନ୍ତି। ଯାହା କି ସେମାନଙ୍କଠାରେ ମେଦ ବହୁଳତାର କାରଣ ପାଲଟୁଛି। ତେଣୁ ପିଲାର ଏସବୁ ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ। ପିଲାଙ୍କୁ ଅଧିକ ଭିଟାମିନଯୁକ୍ତ ପନିପରିବା ଖାଇବାକୁ ଦିଅନ୍ତୁ। ପିଜା, ବର୍ଗର ଭଳି ଖାଦ୍ୟ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ତେଣୁ ପିଲାର ମନ ପସନ୍ଦ ଖାଦ୍ୟ ଘରେ ପ୍ରସ୍ତୁତ କରି ଦିଅନ୍ତୁ। ସନ୍ତୁଳିତ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ପିଲାଙ୍କୁ ଜୋର ଜବରଦସ୍ତ ଖାଦ୍ୟ ଦେଉଛନ୍ତି କି? ହୋଇପାରେ ଅନେକ ସମସ୍ୟା

ସଠିକ ନିଦ

ଗୋଟିଏ ରାତି ଅନିଦ୍ରା ହେଲେ ସକାଳୁ ଚିଡ଼ଚିଡ଼ା ଏବଂ ବରକ୍ତି ଲାଗିଥାଏ। ସେହିପରି ପିଲାମାନେ ସଠିକ ନିଦରେ ନ ଶୋଇଲେ କୌଣସି କାମ କରିବାକୁ ମନ ବଳାଇନଥାନ୍ତି। ପିଲାଙ୍କ ଖାଦ୍ୟପେୟ ସହିତ ଆବଶ୍ୟକ ମାତ୍ରାରେ ନିଦ୍ରା ମଧ୍ୟ ସେମାନଙ୍କୁ ଫିଟ୍ ରହିବାରେ ସାହାଯ୍ୟ କରିଥାଏ। ଅତି କମରେ ୮-୧୦ ଘଣ୍ଟା ଶୋଇବା ଦ୍ୱାରା କ’ଣ ସବୁ ଉପକାରିତା ମିଳିବ ସେ ବାବଦରେ ସେମାନଙ୍କୁ ବୁଝାନ୍ତୁ।

ଅଧିକ ସମୟ ମୋବାଇଲ ଦିଅନ୍ତୁ ନାହିଁ

ପିଲାମାନେ ମୋବାଇଲ ଦେଖିବା, ଭିଡିଓ ଗେମ ଖେଳିବା ଯୋଗୁଁ ଆଦିରେ ଠିକ ସମୟରେ ଶୋଇ ପାରେ ନାହିଁ। ପିଲାମାନେ ଏସବୁରେ ମନ ଦେଇ ଶୋଇବା ସମୟ ଯେପରି ନଷ୍ଟ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ସେହି ପରି ଖାଇବା ସମୟରେ ଟିଭି ଦେଖିବା ଫଳରେ ମେଦ ବହୁଳତା ଭଳି ସମସ୍ୟା ଦେଖାଯାଇଥାଏ। ଦିନ ସାରା ମୋବାଇଲ ଏବଂ ଗେମ ଖେଳି ପିଲାମାନେ ନିଜକୁ ସେଥିରେ ସୀମିତ ରଖି ଦିଅନ୍ତି। ଅନ୍ୟ କୌଣସି କାମ ବାବଦରେ ସେମାନଙ୍କୁ ଅବଗତ ରହେ ନାହିଁ।

ବାହାରକୁ ବୁଲାବୁଲି ପାଇଁ ନିଅନ୍ତୁ

ସବୁ ସମୟରେ ପିଲାମାନେ ଘର ଭିତରେ ରହିଲେ ବରକ୍ତି ହୋଇ ଯାଆନ୍ତି। ତେଣୁ ସପ୍ତାହରେ କିଛି ସମୟ କାଢ଼ି ସେମାନଙ୍କୁ ବାହାରକୁ ବୁଲାଇବାକୁ ନିଅନ୍ତୁ। ଏହା ଫଳରେ ଶିଶୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିବ। ବାହାର ଦୁନିଆ ବାବଦରେ ଜ୍ଞାନ ହାସଲ କରିପାରିବ।

ପିଲାଙ୍କୁ ଆକ୍ଟିଭ ରଖନ୍ତୁ

ଅଧିକ ପଢ଼ନ୍ତୁ: ପିଲାଙ୍କ ମୋଟାପଣକୁ କିଭଳି କରିବେ ନିୟନ୍ତ୍ରିତ?

ପିଲାମାନେ ଆଉଟଡୋର ଗେମ ଅପେକ୍ଷା ବର୍ତ୍ତମାନ ଇନଡୋର ଗେମ ଖେଳିବା ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି। ଅଧିକ ସମୟ ମୋବାଇଲ, କମ୍ପ୍ୟୁଟର, ଟିଭି ଆଦିରେ ସମୟ ବିତାଉଛନ୍ତି। ତା’ଛଡା ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ ଯିବା କିମ୍ବା ବାହାରକୁ ଯାଇ ପାରୁ ନଥିବାରୁ ସେମାନେ ଘରେ ରହି ରହି ଅଳସୁଆ ହୋଇଯାଉଛନ୍ତି। ଫଳରେ ସେମାନଙ୍କଠାରେ ମେଦବହୁଳତା ଦେଖିବାକୁ ମିଳୁଛି। ତେଣୁ ଏଥିରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ପ୍ରତିଦିନ ଏକ୍ସରସାଇଜ, ଯୋଗ, ପ୍ରାଣାୟମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ।