୨୦୦୮ରୁ ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବରେ ପାଳନ କରାଯାଏ। ଏହି ସମସ୍ୟାର ଶିକାର ଥିବା ଶିଶୁଙ୍କ ସଂଖ୍ୟା କ୍ରମଶଃ ବଢ଼ୁଥିବାରୁ, ଏନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ।
ଭାରତରେ ଅଟିଜିମ୍ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛି। ଯାହା ଫଳରେ ସଠିକ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନି ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ପାରୁନାହିଁ।
ଅଟିଜିମ୍ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ସମସ୍ୟା। ଏହି ସମସ୍ୟାରେ ପୀଡ଼ିତ ପିଲାଙ୍କର ଅନ୍ୟମାନଙ୍କ ସହ ସାମାଜିକ ସମ୍ପର୍କ ସ୍ଥାପନ ଓ ଭାବରେ ଆଦାନ ପ୍ରଦାନ କରିବାରେ ଅସୁବିଧା ହୋଇଥାଏ। ପିଲା ଏକ ନିର୍ଦ୍ଦିଷ୍ଟ ଶବ୍ଦକୁ ବାରମ୍ବାର କହିଥାଏ। ପିଲା କୌଣସି ଭାଷା ତଥା ବାକ୍ୟ ତିଆରି କରିବାରେ ଏବଂ ଶବ୍ଦ ବ୍ୟବହାରରେ ଅସୁବିଧା ହୋଇଥାଏ। ଏହାଛଡ଼ା ପିଲା ଏକୁଟିଆ ରହିଥାଆନ୍ତି।
ଅଟିଜିମ୍କୁ ଚିହ୍ନିବେ କିପରି?
ସାଧାରଣତଃ ଅଟିଜିମ୍ ରୋଗକୁ ଲୋକେ ସହଜରେ ଜାଣିପାରନ୍ତି ନାହିଁ। ପିଲାଠାରେ ଅଟିଜିମ୍ର କୌଣସି ଲକ୍ଷଣ ଦେଖାଗଲେ ଅଭିଭାବକମାନେ ବୋକା କହି କଥା ଏଡ଼ାଇଦିଅନ୍ତି। ତେଣୁ ଲୋକଙ୍କୁ ଏନେଇ ସଚେତନ ହେବା ସହ ଅଟିଜିମ୍ ପିଲାଙ୍କୁ ସହଯୋଗ କରିବା ଆବଶ୍ୟକ। ତେବେ ଜାଣନ୍ତୁ, ଅଟିଜିମ୍କୁ ଚିହ୍ନିବେ କିପରି?
- ପିଲା ଜନ୍ମ ହେବାର ବର୍ଷେ ପର୍ଯ୍ୟନ୍ତ ଯଦି କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରୁ ନାହିଁ କିମ୍ବା କୌଣସି ଜିନିଷକୁ ଆଙ୍ଗୁଠି ଦେଖାଇ ପାରୁନାହିଁ, ତେବେ ତାହା ଅଟିଜିମ୍ର ଲକ୍ଷଣ ହୋଇଥାଏ।
- ଯଦି ପିଲା ୧୬ ମାସ ସୁଦ୍ଧା ‘ବା’ କିମ୍ବା ‘ମା’ କହିପାରୁ ନାହିଁ। ଅଥବା ୨ ବର୍ଷ ସୁଦ୍ଧା ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ କହିପାରୁ ନାହିଁ, ତେବେ ପରିବାର ଲୋକ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।
- ପିଲା ସାମିଜିକ ଭାବ ବିନିମୟ କରିପାରେ ନାହିଁ।
- ପିଲା ସବୁବେଳେ ଏକୁଟିଆ ରହିଥାଏ।
- କାହା ସହିତ କଥା ହୁଏ ନାହିଁ।
- ଗୋଟିଏ ନିର୍ଦ୍ଦିଷ୍ଟ ଖେଳକୁ ଏକୁଟିଆ ଖେଳୁଥାଏ।
- ପିଲା ଅନ୍ୟମାନଙ୍କ ହେଉ ବା ନିଜ ମା’ଙ୍କ ସହ କଥା ହେବା ବେଳେ ଆଖିରେ ଆଖି ମିଶାଇ ନଥାଏ।
- ପିଲାର ନାମ ଧରି ଡାକିଲେ ପିଲା ଶୁଣିବ ନାର୍ହି।
- ଶବ୍ଦର ଚୟନ ସଠିକ୍ ବ୍ୟବହାର କରିପାରନ୍ତି ନାହିଁ।
- ଗୋଟିଏ ଶବ୍ଦକୁ ବାରମ୍ବାର କହିଥା’ନ୍ତି।
- ଦୁଇରୁ ତିନି ବର୍ଷ ପିଲା ବି ଠିକ୍ ଭାବରେ କଥା ହୋଇପାରେ ନାହିଁ।
- କୌଣସି କାମକୁ ବାରମ୍ବାର କରିଥା’ନ୍ତି କିମ୍ବା ଗୋଟେ ସ୍ଥାନରେ ବସି ବସି ଆଗକୁ ଦୋହଲି ଥା’ନ୍ତି।
- ନିଜକୁ କ୍ଷତି ପହଞ୍ଚାଇଥା’ନ୍ତି।
- ଶାରୀରିକ ସମସ୍ୟା ବି ହୋଇପାରେ, ଯେପରିକି ଅପସ୍ମାର ବାତ, ପେଟ ଜନିତ ସମସ୍ୟା ଦେଖାଦିଏ।