ଯାଦୁକୁ କେମିତି ଚିହ୍ନିବା? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ଯାଦୁ ବା ଫଙ୍ଗଲ ଇନଫେକ୍ସନ କ’ଣ? (What is fungal infection in Odia)

ଯାଦୁକୁ ମେଡିକାଲ ଭାଷାରେ ଟିନିଆ ଇନ୍‌ଫେକ୍ସନ୍‌ କୁହାଯାଏ। ଟିନିଆର ଅର୍ଥ ହେଉଛି ଫଙ୍ଗଲ ଇନ୍‌ଫେକ୍ସନ। ଫଙ୍ଗଲ ଇନ୍‌ଫେକ୍ସନ ହେଉଛି ଏକ ପ୍ରକାରର ଚର୍ମ ରୋଗ, ଯାହାକୁ ସାଧାରଣରେ ଯାଦୁ ବୋଲି କହନ୍ତି। ଯଦି କୌଣସି ସ୍ଥାନରେ ଯାଦୁ ହୁଏ, ତେବେ ଠିକ୍ ସମୟରେ ଏହାକୁ ଚିହ୍ନି ଚିକିତ୍ସା କରିବା ଦରକାର। ନହେଲେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିପାରେ।

ଯାଦୁ ହେବାର କାରଣ ଲକ୍ଷଣ (Causes & Symptoms of fungal infection in Odia)

ଆଦ୍ର ଜଳବାୟୁରେ ଫଙ୍ଗଲ ଇନ୍‌ଫେକ୍ସନ୍‌ ଅଧିକ ହୋଇଥାଏ। ତେଣୁ ଓଡ଼ିଶା ଲୋକଙ୍କର ଯାଦୁ ସମସ୍ୟା ଅଧିକ ଦେଖାଦିଏ। ଶରୀରରେ ଯାଦୁ ଗୋଲାକାର ଆକୃତିରେ ହୋଇଥାଏ। ଯାଦୁର ଚାରିପଟେ ଦାନା ଭଳି ବାହାରେ ଓ ମଝି ଅଂଶ ସଫା ହୋଇଯିବ। ଜଣ ଜଣଙ୍କର ଯାଦୁ ପାଦରେ ହୋଇପାରେ। ଯେଉଁ ଲୋକଙ୍କର ପାଣିରେ ଅଧିକ କାମ ଥାଏ ବା ଜମିବାଡ଼ିରେ ଅଧିକ କାମ କରନ୍ତି, ସେମାନଙ୍କର ପାଦରେ ଯାଦୁ ହୋଇପାରେ। ପାଦ ଅଧିକ ଥର ଧୋଇଲେ ପାଦ ତଳେ, ଆଙ୍ଗୁଠି ମଝିରେ ଯାଦୁ ହୋଇପାରେ।

ଅଧିକ ମୋଟା ଥିବା ଲୋକଙ୍କର ଜଙ୍ଘ ପରଷ୍ପର ସହ ଲାଗିଯାଏ, ଫଳରେ ସେହି ସ୍ଥାନରେ ଯାଦୁ ହୋଇଯାଏ। ଯେଉଁମାନେ ଲମ୍ବା ସମୟ ଧରି ଗାଡ଼ି ଚଳାଉଛନ୍ତି ବା ବସି ରହୁଛନ୍ତି, ସେମାନଙ୍କର ପିଚାରେ ଯାଦୁ ହୋଇପାରେ। ଯେଉଁ ମହିଳାମାନେ ଟାଇଟ୍‌ କରି ଶାୟା ବାନ୍ଧନ୍ତି, ସେମାନଙ୍କର ଝାଳ ବାଜି ବାଜି ସେ ସ୍ଥାନରେ ଯାଦୁ ହୋଇଥାଏ। ଜଣ ଜଣଙ୍କର ମୁଣ୍ଡରେ ଯାଦୁ ହୋଇଥାଏ।

 ଜଣଜଣଙ୍କର ପାଦ ଓ ହାତ ନଖରେ ଯାଦୁ ହୋଇପାରେ। ବିଶେଷକରି ଯେଉଁମାନେ ପରିବା କଟାକଟି କାମ ଅଧିକ କରନ୍ତି, ଲୁଗା ସଫାସଫି କରନ୍ତି ବା ବାରମ୍ବାର ହାତ ଧୁଅନ୍ତି, ସେଭଳି କ୍ଷେତ୍ରରେ ହାତରେ ଯାଦୁ ହୋଇପାରେ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ସୋରିଆସିସ୍‌ ରୋଗ?

ଯାଦୁର ବିଭିନ୍ନ ପ୍ରକାର (How does fungal infection spread in Odia)

ପାଦରେ ଯାଦୁ ହେଲେ ତାକୁ ଟିନିଆ ପେଡିସ୍‌ କୁହାଯାଏ। ଜଙ୍ଘରେ ଯାଦୁ ହେଲେ ଟିନିଆ କ୍ରୁରିସ୍‌ କୁହାଯାଏ। ସେହିପରି ଦେହରେ ଯାଦୁ ହେଲେ ଟିନିଆ କର୍ପୋରିସ୍‌ ଏବଂ ହାତରେ ଯାଦୁ ହେଲେ ଟିନିଆ ମାନମ୍‌ ବୋଲି କୁହାଯାଏ।

କେମିତି ସଂକ୍ରମଣ ହୁଏ ଯାଦୁ? (How does fungal infection spread in Odia)

ଘରେ ଜଣକୁ ଯାଦୁ ହେଳେ ତାହା ଧୀରେ ଧୀରେ କରି ସମସ୍ତଙ୍କୁ ବ୍ୟାପିପାରେ। ଏହା ଏକ ଡିଆଁ ରୋଗ। ଏହି ଜୀବାଣୁ ଲୁଗାପଟାରୁ ବ୍ୟାପିପାରେ, ଜଣଙ୍କଠାରୁ ଜଣଙ୍କୁ ବ୍ୟାପିପାରେ। ଲୋକେ ଯାଦୁ ହେଲେ ପାଖରେ ଥିବା ମେଡିସିନ୍‌ ଷ୍ଟୋରକୁ ଯାଇ ଯେକୌଣସି ଔଷଧ ଆଣି ଲଗାଇଦିଅନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ଔଷଧ ବ୍ୟବହାର କରିବା ଦରକାର।

ଯାଦୁରୁ କେମିତି ରକ୍ଷା ପାଇବେ? (How to get rid of fungal infection in Odia)

  • ଦେହରେ ଅଧିକ ଝାଳ ହେଲେ ଗାଧୋଇବା ଜରୁରୀ। ଜିମ୍‌ରୁ ଆସିଲେ ବା ବ୍ୟାୟାମ କରିବା ପରେ ପୋଷାକ ବଦଳାନ୍ତୁ।
  • ଅଧିକାଂଶ ଲୋକ ଗାଧୋଇ ସାରିବା ପରେ ଦେହ ଭଲ କରି ନ ପୋଛି ଲୁଗାପଟା ପିନ୍ଧି ପକାନ୍ତି। ହେଲେ ଓଦାରେ ପୋଷାକ ପିନ୍ଧିଲେ ଯାଦୁ ହେବାର ଆଶଙ୍କା ଥାଏ। ତେଣୁ, ଗାଧୋଇ ସାରିବା ପରେ ହେଦ ହାତ ଭଲକରି ପୋଛି ପୋଷାକ ପିନ୍ଧନ୍ତୁ। ସବୁବେଳେ ଢିଲା ସୂତା ଲୁଗାପଟା ପିନ୍ଧନ୍ତୁ। ଅନ୍ତବସ୍ତ୍ର ମଧ୍ୟ ସୂତାର ପିନ୍ଧନ୍ତୁ।
  • ଟାଇଟ୍‌ ଜିନ୍ସ, ଟାଇଟ୍‌ ଜ୍ୟାକେଟ୍‌ ପିନ୍ଧନ୍ତୁ ନାହିଁ। ଯଦି ଶାଢ଼ି, ଶାୟା, ବ୍ଲାଉଜ୍‌ ପିନ୍ଧୁଛନ୍ତି, ତେବେ ଶାୟାକୁ ଅଧିକ ଟାଇଟ୍‌ ବାନ୍ଧନ୍ତୁ ନାହିଁ।
  • ଘରେ ଥିଲେ ଢିଲା ପୋଷାକ ପିନ୍ଧନ୍ତୁ। ଘରେ ଥିଲାବେଳେ ଅନ୍ତ୍ରବସ୍ତ୍ର ପିନ୍ଧନ୍ତୁ ନାହିଁ।
  • ସକାଳେ ପିନ୍ଧିଥିବା ଲୁଗାପଟାକୁ ରାତିରେ ବଦଳାନ୍ତୁ।
  • ପ୍ରତ୍ୟେକ ଦିନ ଲୁଗାପଟାକୁ କେବଳ ଉଷୁମ ପାଣି କିମ୍ବା ଡେଟଲ୍‌ ମିଶାଇ ଧୋଇବେ।
  • ଯେଉଁ ବ୍ୟକ୍ତିଙ୍କର ଯାଦୁ ହୋଇଥିବ, ସେମାନଙ୍କ ଲୁଗାପଟା ଅଲଗା ସଫା କରିବା ଦରକାର। ସେମାନଙ୍କର ବେଡ୍‌ସିଟ୍‌କୁ ଦୁଇ ଦିନରେ ଥରେ ଥରେ ବଦଳେଇବା ଦରକାର। ଲୁଗାପଟାକୁ ସବୁବେଳେ ଖରାରେ ଶୁଖାଇବେ।
  • ବର୍ଷାରେ ଓଦା ହୋଇକି ଆସିଲେ ଲୁଗାପଟା ବଦଳେଇବା ଦରକାର।
  • ବେଶୀ ସମୟ ଓଦା ଲୁଗାପଟାରେ ରହନ୍ତୁ ନାହିଁ।
  • ଯାଦୁ ଜଣଙ୍କଠାରୁ ଜଣଙ୍କୁ ବ୍ୟାପିଥାଏ। ତେଣୁ, ଯାଦୁ ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ। ସେମାନେ ଅଲଗା ରୁମ୍‌ରେ ରହିବା ଦରକାର, ସେମାନଙ୍କର ଲୁଗାପଟା ଅଲଗା ଧୋଇବା ଦରକାର।
  • ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କଠାରେ ଯାଦୁ ହେବାର ଆଶଙ୍କା ଅଧିକ।
  • ମୋଟା ବ୍ୟକ୍ତିଙ୍କର ଯାଦୁ ହେବାର ଆଶଙ୍କା ଅଧିକ। ତେଣୁ ଓଜନ ନିୟନ୍ତ୍ରଣ କରିବା ଜରୁରୀ।
  • ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ, ଚିକେନ୍‌, ମଟନ୍‌, ତେଲ ମସଲା,ଘିଅ, ବଟର, ମଇଦା, ଚିନି ଖାଦ୍ୟ, ଫାଷ୍ଟଫୁଡ୍‌ କମ୍‌ କରିବା ଦରକାର। ଏହାଦ୍ଵାରା ଓବେସିଟି ବଢ଼ିବ, ରୋଗ ପ୍ରତିରୋଧକ ଶକ୍ତି କମିବ ଓ ଫଙ୍ଗଲ ଇନ୍‌ଫେକ୍ସନ୍‌ ବାରମ୍ବାର ହେବାର ଆଶଙ୍କା ବଢ଼ିଯିବ।

ଅଧିକ ପଢ଼ନ୍ତୁ: ଶୀତଦିନେ ଗୋଡ଼ ଫଟା ଓ ରୁପି ସମସ୍ୟାରୁ କେମିତି ପାଇବେ ମୁକ୍ତି?

କେମିତି କରିବେ ଚିକିତ୍ସା (Treatment of fungal infection in Odia)

ଦେହରେ ଗୋଲ ଗୋଲ ଆକୃତିର ଯାଦୁ ଭଳି ହୋଇଥିଲେ ମନଇଛା ଔଷଧ ଲଗାଇବେ ନାହିଁ କିମ୍ବା ଘରୋଇ ଉପଚାର ଆପଣେଇବେ ନାହିଁ। ଏହାଦ୍ୱାରା ଯାଦୁ ବ୍ୟାପିଥାଏ। ତେଣୁ, ଯାଦୁ ହେଲେ ଚର୍ମ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ।

ଶରୀରର କେଉଁ ସ୍ଥାନରେ ଯାଦୁ ହୋଇଛି, ସେହି ଅନୁସାରେ ଚିକିତ୍ସା କରାଯାଏ। ଯଦି ଦେହରେ ଯାଦୁ ଅଳ୍ପ ସ୍ଥାନରେ ହୋଇଥାଏ, ତାହାହେଲେ ଡାକ୍ତର ଖାଇବା ଔଷଧ ନ ଦେଇ କେବଳ କ୍ରିମ୍‌ ଲଗାଇବା ପାଇଁ ଦେଇଥା’ନ୍ତି। ଯାଦୁ ହୋଇଥିବା ଲୋକ ନିଜର ଯତ୍ନ ନେବା ନିହାତି ଜରୁରୀ। ବେଶୀ ଝାଳ ହେବାକୁ ମନା କରାଯାଏ, ଅନ୍ତବସ୍ତ୍ର ପିନ୍ଧିବା ପାଇଁ ମନା କରାଯାଏ।

କିନ୍ତୁ, ଦେହରେ ଯାଦୁ ବ୍ୟାପିଯାଇଥିଲେ, ଖାଇବା ଔଷଧ ପରାମର୍ଶ କରାଯାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କିଶନ ଅଗରୱାଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on  Fungal infection, in Odia language, is based on an extensive interview with Dermatologist and Cosmetic Surgeon Dr Kishan Agarwal.