ଲୁପସ୍ ରୋଗ କ’ଣ, ଏହାକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।
- ଲୁପସ୍ ରୋଗ କ’ଣ ଓ କାରଣ
- ଲୁପସ୍ ରୋଗର ଲକ୍ଷଣ
- ଲୁପସ୍ ରୋଗକୁ ଚିହ୍ନିବେ କିପରି?
- ଲୁପସ୍ ରୋଗର ଚିକିତ୍ସା
- ଲୁପସ୍ ରୋଗୀଙ୍କ ଜୀବନଶୈଳୀ
ଲୁପସ୍ ହେଉଛି ଏକ ଦୀର୍ଘକାଳୀନ ଅସୁସ୍ଥତା, ଯାହା ରୋଗ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏହି ରୋଗ ପ୍ରତିରକ୍ଷା ପ୍ରଣାଳୀ ସ୍ୱାଭାବିକ ଭାବରେ ଆଣ୍ଟିବଡିଜ୍ ସୃଷ୍ଟି କରି ସଂକ୍ରମଣ ବରୋଧରେ ଲଢ଼ିଥାଏ। ଏହିସବୁ ଆଣ୍ଟିବଡିଗୁଡ଼ିକ ଶରୀରର ନିଜସ୍ୱ ଟିସ୍ୟୁ ଓ ବାହ୍ୟ ଉପାଦାନ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବୁଝିବାରେ ଅସମର୍ଥ ହୋଇଥିବାରୁ ଆଣ୍ଟିବଡିଜ୍ ଶରୀରର ସୁସ୍ଥ କୋଷିକାଗୁଡ଼ିକୁ ଆକ୍ରମଣ କରିଥାଏ ଯେଉଁ କାରଣରୁ ଯନ୍ତ୍ରଣା, ପ୍ରଦାହ ଦେଖାଦେବା ସହିତ ଶରୀରର ବହୁ ଅଙ୍ଗ ପ୍ରଭାବିତ ହୋଇଥାଏ।
ଲୁପସ୍ ରୋଗ କ’ଣ ଓ କାରଣ (What is lupus & causes of this in Odia)
ଲୁପସ୍କୁ ଅନ୍ୟ ଭାଷାରେ ଏସ୍ଏଲ୍ଇ (SLE – Systemic lupus erythematosus) କୁହାଯାଏ। ଲୁପସ୍ ରୋଗ ଏକ ଅଟୋ ଇମ୍ୟୁନ୍ ରୋଗ। ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଭୁଲବଶତଃ ନିଜ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ ଆଘାତ କରିଥାଏ। ଲୁପସ୍ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ବିଶେଷତଃ ୧୬ ବର୍ଷରୁ ୪୦ ବର୍ଷ ବୟସର ଯୁବତୀଙ୍କଠାରେ ଲୁପସ୍ ରୋଗ ଅଧିକ ଦେଖାଦିଏ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ରୁମାଟଏଡ୍ ଆର୍ଥ୍ରାଇଟିସ୍?
ଲୁପସ୍ ରୋଗର ଲକ୍ଷଣ (Symptoms of lupus in Odia)
ଲୁପସ୍ ରୋଗର ଲକ୍ଷଣଗୁଡ଼ିକ ହେଉଛି,
ଜ୍ୱର ଆସିବା, ଜ୍ୱର ଦୀର୍ଘ ଦିନ ଧରି ଲାଗି ରହିବା, ଭୋକ କମିଯିବା, ହାଲିଆ ଲାଗିବା, ଦେହରେ ଲାଲ ଦାଗ ପଡ଼ିଯିବା, ସୂର୍ଯ୍ୟକିରଣରେ ବାହାରିଲେ ଚର୍ମରେ ଦାଗ କିମ୍ବା ଲାଲ ହୋଇଯିବା, ଅତ୍ୟଧିକ କେଶ ଝଡ଼ିବା ଭଳି ଲକ୍ଷଣ ଦେଖାଦିଏ।
ଲୁପସ୍ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ଫଳରେ ଶରୀରରେ ରକ୍ତ କଣିକା କମିଯାଇଥାଏ, ହିମୋଗ୍ଲୋବିନ୍ କମିଯାଏ।
ଥଣ୍ଡା ବାଜିଲେ ରହିଲେ ହାତ ଓ ପାଦ ନୀଳ ପଡ଼ିଯାଏ। ବେଳେ ବେଳେ ଲୁପସ୍ ଗଣ୍ଠିକୁ ମଧ୍ୟ ପ୍ରଭାବିତ କରିଥାଏ। ଯାହା ଫଳରେ ସକାଳୁ ଉଠିବା ପରେ ହାତ ଗଣ୍ଠି ମୁଠା କରିବାରେ କଷ୍ଟ ହୁଏ, ହାତ କିମ୍ବା ଗୋଡ଼ ଗଣ୍ଠି ଫୁଲିଯାଏ।
୧୦୦ ଜଣ ଲୁପସ୍ ରୋଗୀଙ୍କ ମଧ୍ୟରୁ ୬୦ରୁ ୬୫ ଜଣ ରୋଗୀଙ୍କର କିଡ୍ନି ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ପରିସ୍ରାରେ ପ୍ରୋଟିନ୍ ଯାଏ, ପରିସ୍ରା ଫେଣ ଫେଣ ହୋଇଯାଏ। ଯଦି ଜଣେ ଯୁବତୀଙ୍କର ଜ୍ୱର ରହୁଛି ଏବଂ ପରିସ୍ରା ଫେଣ ଫେଣ ହେଉଛି ଓ କେଶ ଝଡ଼ୁଛି, ତେବେ ଏହା ଲୁପସ୍ ରୋଗର ଲକ୍ଷଣ ହୋଇପାରେ।
ଲୁପସ୍ ରୋଗ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥାଏ। ଫଳରେ ରୋଗୀ ପାଗଳ ଭଳି ହୁଅନ୍ତି, ସାଇକୋସିସ୍ ହୋଇପାରେ, ମୁଣ୍ଡ ବ୍ୟଥା ହୁଏ, ଡିପ୍ରେସନ୍କୁ ପଳାଇଯା’ନ୍ତି, କେତେକ ରୋଗୀଙ୍କୁ ବାତ ମାରିପାରେ।
କେତେକ ଗର୍ଭବତୀ ମହିଳାଙ୍କର ଲୁପସ୍ ରୋଗ କାରଣରୁ ଗର୍ଭପାତ ମଧ୍ୟ ହୋଇଥାଏ। ଏହାଛଡ଼ା ଏହି ରୋଗ ହେଲେ ଫୁସ୍ଫୁସ୍, ହୃତ୍ପିଣ୍ଡ, ପେଟରେ ପାଣି ଜମିପାରେ।
ଏହାର ଅର୍ଥ ନୁହେଁ ଯେ, ଜଣେ ଲୁପସ୍ ରୋଗୀ ପାଖରେ ସମସ୍ତ ଲକ୍ଷଣ ଦେଖାଯାଏ।
ଲୁପସ୍ ରୋଗକୁ ଚିହ୍ନିବେ କିପରି? (Diagnosis of lupus in Odia)
ଲୁପସ୍ ରୋଗର ଯେକୌଣସି ଲକ୍ଷଣ ଦେଖାଦେଲେ ପ୍ରଥମେ ଜଣେ ରୁମାଟୋଲୋଜିଷ୍ଟଙ୍କୁ ଦେଖାଇବା ଆବଶ୍ୟକ। ପ୍ରଥମେ ଡାକ୍ତର ରୋଗୀଙ୍କର ରୋଗର ଲକ୍ଷଣ ପଚାରି ବୁଝନ୍ତି ଓ ଏହାପରେ ରକ୍ତ ପରୀକ୍ଷା ଦ୍ୱାରା ସିବିସି, ଲିଭର ଫଙ୍କସନ୍ ଟେଷ୍ଟ ଏବଂ ପରିସ୍ରା ପରୀକ୍ଷା କରାଯାଏ। ଏହାପରେ ଆଣ୍ଟିବଡିରେ ଏଏନ୍ଏ ପରୀକ୍ଷା କରାଯାଏ। ୯୮ ପ୍ରତିଶତ ଲୁପସ୍ ରୋଗୀଙ୍କ କ୍ଷେତ୍ରରେ ଏଏନ୍ଏ ପଜିଟିଭ୍ ବାହାରେ। ଏହାପରେ ଲୁପସ୍ ଶରୀରର କେଉଁ କେଉଁ ଅଙ୍ଗକୁ ପ୍ରଭାବିତ କରିଛି, ତାହା ଦେଖାଯାଏ। ହାର୍ଟରେ ପାଣି ଜମିଛି କି ନାହିଁ ଜାଣିବା ପାଇଁ ଇକୋ କରାଯାଏ, ଛାତିରେ ପାଣି ଜମିଛି କି ନାହିଁ ଜାଣିବା ପାଇଁ ଏକ୍ସରେ କରାଯାଏ।
ଲୁପସ୍ ରୋଗର ଚିକିତ୍ସା (Treatment of lupus in Odia)
ଲୁପସ୍ ରୋଗ ଯୋଗୁଁ କେଉଁ ଅଙ୍ଗ ପ୍ରଭାବିତ ହୋଇଛି, ସେହି ଅନୁଯାୟୀ ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। ଯଦି ଜଣେ ରୋଗୀଙ୍କର ପରିସ୍ରାରେ ପ୍ରୋଟିନ୍ ଅଧିକା ଯାଉଛି, ତା’ହେଲେ କିଡ୍ନି ବାୟୋପ୍ସି କରାଯାଏ।
ଏହି ରୋଗର ଚିକିତ୍ସା କରିବା ପାଇଁ ହାଇଡ୍ରୋକ୍ଲୋରୋକୁଇନ୍ ଔଷଧ ବ୍ୟବହାର କରାଯାଏ। ଯେଉଁ ରୋଗୀଙ୍କର ରକ୍ତ କଣିକା କମିଯାଏ, ତାଙ୍କୁ ଆଜାଥିଓପ୍ରିନ୍ ଔଷଧ ବ୍ୟବହାର କରାଯାଇଥାଏ।
ଲୁପସ୍ ରୋଗୀଙ୍କ ଜୀବନଶୈଳୀ (Lifestyle of lupus patient in Odia)
ଲୁପସ୍ ରୋଗୀମାନେ ସୂର୍ଯ୍ୟକିରଣରେ ଯାଉଥିବା ସମୟରେ ଲମ୍ବା ସ୍ଲିଭ୍ ପୋଷାକ ପରିଧାନ କରନ୍ତୁ। ଖରାକୁ ବାହାରିବା ବେଳେ ଶରୀରକୁ ଘୋଡ଼ାଇ ରଖନ୍ତୁ ଓ ଛତା ବ୍ୟବହାର କରନ୍ତୁ। ଖରାକୁ ବାହାରିବା ବେଳେ ସନ୍ସ୍କ୍ରିନ୍ ବ୍ୟବହାର କରିବେ।
କାଠ ଚୁଲାରେ ରୋଷେଇ କରନ୍ତୁ ନାହିଁ। କାରଣ କାଠ ଚୁଲା ବ୍ୟବହାର ବେଳେ ସେଥିରୁ ଯେଉଁ ନିଆଁ ବାହାରେ, ତାହା ଆପଣଙ୍କ ଦେହରେ ବାଜି ଲାଲ ଦାଗ ସୃଷ୍ଟି କରିପାରେ।
ଏଥିସହ କେବଳ ଘର ତିଆରି ଖାଦ୍ୟ ଖାଆନ୍ତୁ। ଜଙ୍କଫୁଡ୍, ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ।
ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ଯାଇ ଚେକ୍ଅପ୍ କରାଇନିଅନ୍ତୁ।
(ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମାଟୋଲୋଜିଷ୍ଟ। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9721799997 ନମ୍ବରରେ କଲ୍ କରିପାରିବେ।)
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Lupus, in Odia language, is based on an extensive interview with a Rheumatologist Dr Pradeepta Sekhar Patro.