diabetes during pregnancy

ଗର୍ଭାବସ୍ଥାରେ ଡାଏବେଟିସ୍‌ ହେଲେ ତାକୁ ଜେଷ୍ଟେ୍‌ନାଲ ଡାଏବେଟିସ୍ ବୋଲି କୁହାଯାଏ। ଏହି ଅବସ୍ଥାରେ ଗର୍ଭବତୀ ମହିଳାଙ୍କ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥାଏ।

ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳାଙ୍କର ଶାରୀରିକ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ହରମୋନ୍‌ ପରିବର୍ତ୍ତନ, କାର୍ବୋହାଇଡ୍ରେଟ୍‌ ମେଟାବଲିଜିମ୍‌, ଫ୍ୟାଟ୍‌ ମେଟାବଲିଜିମ୍‌, ରକ୍ତପାରାମିଟରରେ ପରିବର୍ତ୍ତନ ହୋଇଥାଏ। ଗର୍ଭାବସ୍ଥାରେ ଇନ୍‌ସୁଲିନ୍‌ ହରମୋନ୍‌ ମଧ୍ୟ ଠିକ୍‌ ଭାବେ କାମ କରେ ନାହିଁ। ପୂର୍ବରୁ ଡାଏବେଟିସ୍‌ ଥିବା ମହିଳାଙ୍କର ଗର୍ଭାବସ୍ଥାରେ ସୁଗାର ସ୍ତର ବଢ଼ିଯିବାର ଆଶଙ୍କା ଅଧିକ ଥାଏ। ଏହାଛଡ଼ା ପୂର୍ବରୁ ଡାଏବେଟିସ୍‌ ନଥିବା ମହିଳାଙ୍କର ମଧ୍ୟ ଗର୍ଭାବସ୍ଥା ସମୟରେ ସୁଗାର ବଢ଼ିଯିବାର ସମ୍ଭାବନା ଥାଏ। କେତେକ ଗର୍ଭବତୀ ମହିଳାଙ୍କର ପ୍ରଥମ ତିନିମାସରେ ଡାଏବେଟିସ୍‌ ହୋଇଥାଏ ଓ ଆଉ କେତେକଙ୍କର ୫ କିମ୍ବା ୬ ମାସ ପରେ ଡାଏବେଟିସ୍‌ ହୋଇଥାଏ।

ଜେଷ୍ଟେସ୍ନାଲ ଡାଏବେଟିସ୍ର କାରଣ

ଜେଷ୍ଟେସ୍‌ନାଲ ଡାଏବେଟିସ୍‌ର ବିଭିନ୍ନ କାରଣ ରହିଛି। ଯେପରିକି:

ଯେଉଁ ଗର୍ଭବତୀ ମହିଳାଙ୍କର ଓଜନ ଅଧିକ ରହୁଛି ଅର୍ଥାତ୍‌ ବିଏମ୍‌ଆଇ (ବଡି ମାସ୍‌ ଇଣ୍ଡେକ୍ସ) ୨୫ ବା ୩୦ ବା ତା’ଠାରୁ ଅଧିକ ରହୁଛି

ଯେଉଁ ମହିଳାଙ୍କର ପୂର୍ବ ଗର୍ଭରେ ଡାଏବେଟିସ୍‌ ଥିବ

ପୂର୍ବରୁ ଗର୍ଭଧାରଣ ସମୟରେ ଗର୍ଭ ନଷ୍ଟ ହୋଇଥିବ

ପୂର୍ବ ପ୍ରସବରେ ଅଧିକ ଓଜନର ଶିଶୁ ଜନ୍ମ ହୋଇଥିବ

ପରିବାରରେ କାହାକୁ ଡାଏବେଟିସ୍‌ ଥିଲେ ବା ଗର୍ଭଧାରଣ ପୂର୍ବରୁ ପିସିଓଡି ସମସ୍ୟା ଥିଲେ ସେହି ମହିଳାଙ୍କର ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ହେବାର ଆଶଙ୍କା ଥାଏ।

ଲକ୍ଷଣ

ସାଧାରଣତଃ ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ଥିବା ମହିଳାଙ୍କଠାରେ କୌଣସି ଲକ୍ଷଣ ଜଣାପଡ଼ି ନଥାଏ। ହେଲେ  ତିନୋଟି ଲକ୍ଷଣ ମୁଖ୍ୟତଃ ଦେଖାଯାଏ, ଯେପରିକି: ପଲିଫେଜିଆ (ଅଧିକ ଭୋକ ଲାଗିବା), ପଲିଡିପ୍‌ସିଆ (ଅଧିକା ଶୋଷ ଲାଗିବା), ପଲିୟୁରିଆ (ଅଧିକ ପରିସ୍ରା ଲାଗିବା)।

କିନ୍ତୁ, ଏହିସବୁ ଲକ୍ଷଣ ସାଧାରଣତଃ ଗର୍ଭାବସ୍ଥାରେ ବି ଦେଖାଯାଏ। ତେଣୁ, ଲକ୍ଷଣକୁ ଦେଖି ଡାଏବେଟିସ୍‌ ହୋଇଛି କି ନାହିଁ କହିହେବ ନାହିଁ। ଏଥିପାଇଁ ଗର୍ଭବତୀ ମହିଳାଙ୍କର ଶର୍କରା ସ୍ତର ପରୀକ୍ଷା କରିବା ଜରୁରୀ।

diabetes

ଜଟିଳତା

ଗର୍ଭାବସ୍ଥାରେ ଡାଏବେଟିସ୍ ଉଭୟ ମାଆ ଓ ପିଲା ପାଇଁ କ୍ଷତିକାରକ ହୋଇଥାଏ। ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ଥିଲେ ମହିଳାଙ୍କର ବାରମ୍ବାର ପରିସ୍ରା ସଂକ୍ରମଣ, ସମୟ ପୂର୍ବରୁ ପ୍ରସବ ହେବା ଓ ବାରମ୍ବାର ଗର୍ଭ ନଷ୍ଟ ମଧ୍ୟ ହୋଇପାରେ।

ଏହାସହ ଗର୍ଭାବସ୍ଥାରେ ମା’ର ଡାଏବେଟିସ୍‌ ନିୟନ୍ତ୍ରଣ ନ ରହିଲେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଥାଏ, ଗର୍ଭସ୍ଥ ଶିଶୁର ଓଜନ ୪ କିଲୋରୁ ଅଧିକା ହୋଇପାରେ ଫଳରେ ପ୍ରସବ ବେଳେ ସମସ୍ୟା ଉପୁଜିପାରେ କିମ୍ବା ମା’ ପେଟରେ ଗର୍ଭସ୍ଥ ଶିଶୁ ବଢ଼ିପାରେ ନାହିଁ ଫଳରେ କମ୍‌ ଓଜନର ଶିଶୁ ଜନ୍ମ ହୋଇଥାଏ।

ଚିକିତ୍ସା

ଗର୍ଭାବସ୍ଥାରେ ଡାଏବେଟିସ୍‌ ଥିଲେ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଡାକ୍ତରଙ୍କ ପରାମର୍ଶରେ ଖାଦ୍ୟପେୟର ତାଲିକା ପ୍ରସ୍ତୁତ କରାଯାଏ। ଏହି ଡାଏଟ୍‌ ଚାର୍ଟରେ କାର୍ବୋହାଇଡ୍ରେଟ୍‌ ଓ କ୍ୟାଲୋରି କମ୍‌ ରହିଥାଏ, କ୍ଷୀର, ଦହି, ଛେନା ଅଧିକ ଖାଇବାକୁ କୁହାଯାଇଥାଏ। ଏସବୁ ମାନିବା ଦ୍ୱାରା ଡାଏବେଟିସ୍‌ ନିୟନ୍ତ୍ରଣରେ ରହିଥାଏ। ଯଦି ଏସବୁ ବାଦ୍‌ ଡାଏବେଟିସ୍‌ ନିୟନ୍ତ୍ରଣରେ ନ ରହେ, ତେବେ ଇନ୍‌ସୁଲିନ୍‌ ଦେବାକୁ ପଡ଼ିଥାଏ। ଅଧିକାଂଶ ଇନ୍‌ସୁଲିନ୍‌ ବଟିକା ଗର୍ଭାବସ୍ଥାରେ ଖାଇବା ଅସୁରକ୍ଷିତ, ତେଣୁ ଇନ୍‌ସୁଲିନ୍‌ ଇଞ୍ଜେକସନ୍‌ ଦେବାକୁ ପଡ଼ିଥାଏ। ଏହାଛଡ଼ା ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ ଆଦି କରିବା ଦରକାର।