ମାନସିକ ଅବସାଦ କାହିଁକି ହୋଇଥାଏ? ଜାଣନ୍ତୁ ଏହି ଡିପ୍ରେସନ୍ରୁ କିପରି ମୁକୁଳିବେ। (Depression: Types, Causes, Symptoms and Treatment in Odia)
ଆମର ଦୈନନ୍ଦିନ ଜୀବନରେ ବେଳେବେଳେ କୌଣସି କାରଣ ନଥାଇ ମଧ୍ୟ ଆମକୁ ଦୁଃଖ ଲାଗିଥାଏ। କିଛି କାମ କରିବାକୁ ଇଚ୍ଛା ହୁଏନାହିଁ। ଏହାକୁ ମୁଡ୍ ପରିବର୍ତ୍ତନ ବୋଲି କୁହାଯାଏ। ଏହା ଏକ ସାଧାରଣ ସମସ୍ୟା। ହେଲେ ଯଦି ଏହା ଦୀର୍ଘ ଦିନ ଧରି ଲାଗି ରହେ ଏବଂ ଏହାଯୋଗୁଁ ବ୍ୟକ୍ତିଙ୍କର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହୋଇଯାଏ ତା’ହେଲେ ଏହା ଡିପ୍ରେସନ୍ ବା ମାନସିକ ଅବସାଦର ଲକ୍ଷଣ ବୋଲି ଧରିନେବାକୁ ହେବ। ଆଜିକାଲି ଏହା ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଗଲାଣି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାରା ବିଶ୍ୱର ପ୍ରାୟ ୩୫୦ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ। ବିଶେଷ କରି ଯୁବପିଢ଼ି ଏହାଦ୍ୱାରା ଅଧିକ ଭାବେ ପ୍ରଭାବିତ ହେଉଛନ୍ତି। ପରୀକ୍ଷାରେ ଫେଲ୍ ହେବା, ଆଶାଜନକ ଚାକିରି ନ ମିଳିବା, ଅନ୍ୟମାନଙ୍କ ତୁଳନାରେ ଉନ୍ନତି କରି ନ ପାରିବା ଇତ୍ୟାଦି ସଂପର୍କରେ ଚିନ୍ତା କରି କରି ସେମାନେ ଅବସାଦର ଶିକାର ହୋଇଯାଉଛନ୍ତି। ଏହାଯୋଗୁଁ ବହୁ ସମୟରେ ସେମାନେ ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି। ତେଣୁ ଡିପ୍ରେସନ୍କୁ ହାଲ୍କା ଭାବେ ନ ନେଇ ଏହି ସମସ୍ୟା ପାଇଁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।
ଡିପ୍ରେସନ୍ର ପ୍ରକାର (Types of Depression in Odia)
ମାନସିକ ଅବସାଦ ବିଭିନ୍ନ ପ୍ରକାରର ହୋଇଥାଏ। ସେଥିମଧ୍ୟରୁ ଅଧିକାଂଶ ଲୋକ ମେଜର ଡିପ୍ରେସନ୍, ଡାୟାଷ୍ଟିମିଆ ଆଣ୍ଡ କ୍ରୋନିକ୍ ଡିପ୍ରେସନ୍, ସିଜନାଲ ଆଫେକ୍ଟିଭ୍ ଡିଜଅର୍ଡର, ସାଇକୋଟିକ୍ ଡିପ୍ରେସନ୍, ବାଇପୋଲାର ଡିପ୍ରେସନ୍ର ଶିକାର ହୋଇଥାନ୍ତି।
ଲକ୍ଷଣ (Symptoms of Depression in Odia)
–ଉଦାସ ରହିବା
–ଥକ୍କାପଣ
–ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା
–ଚିଡ଼ଚିଡ଼ ହେବା
–ହତାଶାବୋଧ
–ବହୁତ ଅଧିକ ଶୋଇବା ନ ହେଲେ ବିଲକୁଲ ନ ଶୋଇବା
–କିଶୋରମାନେ ସେମାନଙ୍କର ବନ୍ଧୁମାନଙ୍କ ସହ ନ ମିଶିବା
–ଆତ୍ମହତ୍ୟା କରିବା ଚିନ୍ତାଧାରା ଆସିବା
କାରଣ (Causes of Depression in Odia)
ଆନୁବଂଶିକ କାରଣ ଯୋଗୁଁ ବହୁ ସମୟରେ ଲୋକମାନେ ମାନସିକ ଅବସାଦର ଶିକାର ହୋଇଥାନ୍ତି। ଅର୍ଥାତ୍ ଯଦି ପୂର୍ବରୁ ପରିବାରରେ କାହାକୁ ମାନସିକ ଅବସାଦ ଥାଏ ତେବେ ବ୍ୟକ୍ତିଜଣକ ଏହାର ଶିକାର ହେବାର ଆଶଙ୍କା ବଢ଼ିଯାଏ।
କିଛି କ୍ଷେତ୍ରରେ ମସ୍ତିଷ୍କରେ ଥିବା ରସାୟନ ଅସନ୍ତୁଳିତ ହେଲେ ମାନସିକ ଅବସାଦ ଆସିଥାଏ। ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟର ଯେପରିକି ସେରୋଟୋନିନ୍, ଡୋପାମାଇନ୍ ଖୁସି ଓ ଆନନ୍ଦର ଭାବନାକୁ ପ୍ରଭାବିତ କରିଥାଏ। ଅବସାଦର ସ୍ଥିତିରେ ଏହା ଅସନ୍ତୁଳିତ ହୋଇଥାଏ।
ହରମୋନ୍ଗତ ପରିବର୍ତ୍ତନ ଯୋଗୁଁ ମଧ୍ୟ ଡିପ୍ରେସନ୍ ହୋଇଥାଏ। ବିଶେଷ କରି ପ୍ରସବ, ଥାଇରଏଡ୍ ସମସ୍ୟା, ଋତୁସ୍ରାବ ବନ୍ଦ ହୋଇଯିବା ପରେ ଏହି ସମସ୍ୟା ଅଧିକ ହୋଇଥାଏ।
ସମୟ ସମୟରେ ଋତୁ ପରିବର୍ତ୍ତନ ଯୋଗୁଁ ବି ଡିପ୍ରେସନ୍ ହୋଇପାରେ। ବିଶେଷ କରି ଶୀତଦିନେ ଏହି ସମସ୍ୟା ଅଧିକ ହୋଇଥାଏ। ଏହା ଦୀର୍ଘ ଦିନ ଧରି ରହେନାହିଁ। ଖରାଦିନ ଆସିବା ପରେ ଆପେ ଆପେ କମିଯାଏ।
ଏସବୁ ବ୍ୟତୀତ ଜୀବନରେ କୌଣସି ବଡ଼ ପରିବର୍ତ୍ତନ ଯେପରିକି ନିଜର ପ୍ରିୟଜନଙ୍କୁ ହରାଇବା, ଚାକିରିରୁ ବିଦା ହେବା, ପରୀକ୍ଷାରେ ଫେଲ୍ ହୋଇଯିବା, ନମ୍ବର କମ୍ ରଖିବା , ବ୍ୟବସାୟରେ ହଠାତ୍ ବଡ଼ ଧରଣର କ୍ଷତି ପ୍ରଭୃତି ହେଲେ ମଧ୍ୟ ବ୍ୟକ୍ତି ଅବସାଦର ଶିକାର ହୋଇଥାନ୍ତି।
ଚିକିତ୍ସା (Treatment of Depression in Odia)
ଆଣ୍ଟି ଡିପ୍ରେସନ୍ ଔଷଧ ଏବଂ ସାଇକୋଥେରାପି ଦ୍ୱାରା ଡିପ୍ରେସନ୍ର ଶିକାର ଲୋକମାନଙ୍କର ଚିକିତ୍ସା କରାଯାଇଥାଏ। ତେବେ ଏହି ଚିକିତ୍ସା ଦୀର୍ଘ ଦିନ ଧରି ଜାରି ରହିଥାଏ। ଏହାକୁ କେବେହେଲେ ମଝିରୁ ବନ୍ଦ କରିବା କଥା ନୁହେଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇଲେ ଅବସାଦ ଦୂର ହୋଇଥାଏ। ତେବେ ପରିସ୍ଥିତି ଗୁରୁତର ଥିଲେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ।
କିଭଳି ରକ୍ଷା ପାଇବେ
ମାନସିକ ଅବସାଦରୁ ରକ୍ଷା ପାଇବା ଲାଗି ବ୍ୟାୟାମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରତି ଦିନ ଅତିକମ୍ରେ ଅଧ ଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ। ଏହାଛଡ଼ା ନିୟମିତ ଭାବେ ଯୋଗାଭ୍ୟାସ କରିବା ମଧ୍ୟ ଆବଶ୍ୟକ। ଯୋଗ ଆପଣଙ୍କର ମସ୍ତିଷ୍କକୁ ସକ୍ରିୟ କରିବା ସହିତ ଏକ ତାଜାପଣ ଆଣି ଦେବ ଯାହାକି ପରୋକ୍ଷରେ ମାନସିକ ଅବସାଦରୁ ରକ୍ଷା କରିବ।
ସଙ୍ଗୀତର ମଣିଷର ମନ ଉପରେ ସବୁବେଳେ ଏକ ସକାରାତ୍ମକ ପ୍ରଭାବ ଥାଏ। ଏହା ମନରେ ଖୁସି ଆଣି ଦେବା ସହିତ ମସ୍ତିଷ୍କର ତନ୍ତ୍ରୀଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଇଥାଏ। ତେଣୁ ନିଜର ପ୍ରିୟ ଗୀତ ଶୁଣିବାକୁ ଭୁଲନ୍ତୁ ନାହିଁ।
ଯୁବପିଢ଼ିଙ୍କ ପାଇଁ ମାନସିକ ଅବସାଦରୁ ରକ୍ଷା ପାଇବା ଲାଗି ସକାରାତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକଙ୍କ ସହ ମିଶିବା ନିହାତି ଆବଶ୍ୟକ। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧିପାଏ। ସେହିପରି ନିଜକୁ ଭଲ ଲାଗୁଥିବା କାମ ମଧ୍ୟରୁ ଗୋଟିଏ ପ୍ରତ୍ୟେକ ଦିନ କରିବା ଆବଶ୍ୟକ। ଏହାଦ୍ୱାରା ମନ ଖୁସି ରହିବ।
ମାନସିକ ଅବସାଦରୁ ରକ୍ଷା ପାଇବା ଲାଗି ଓମେଗା-୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଯେପରିକି ମାଛ, ଅଣ୍ଡା, ହଳଦୀ, କଖାରୁ ମଞ୍ଜି ପ୍ରଭୃତି ଖାଆନ୍ତୁ। ଏହା ସେରୋଟିନ୍ର ସ୍ତରକୁ ବୃଦ୍ଧି କରିବ ଯାହାକି ଆପଣଙ୍କର ମୁଡ୍କୁ ପରିବର୍ତ୍ତନ କରିବ। ଏହାଛଡ଼ା ବାଦାମ, କାଜୁ, ଗ୍ରୀନ୍ ଟି ପ୍ରଭୃତି ପିଇଲେ ମାନସିକ ଚାପରୁ ମୁକ୍ତି ମିଳେ। ଖାଦ୍ୟରେ ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍କୁ ସାମିଲ କରନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ଅନ୍ୟପଟେ କଫି, ଫାଷ୍ଟଫୁଡ୍, ଛଣାଛଣି ଜାତୀୟ ଖାଦ୍ୟକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ନାହିଁ।
ମାନସିକ ଅବସାଦରୁ ଯୁବପିଢ଼ିମାନଙ୍କ ରକ୍ଷା କରିବା ଲାଗି ପରିବାରର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପରିବାରର ଲୋକମାନେ ତାଙ୍କ ସହ ସବୁବେଳେ ସ୍ନେହପୂର୍ଣ୍ଣ କଥାବାର୍ତ୍ତା କରିବା, ତାଙ୍କୁ ଭଲ ଲାଗୁଥିବା କାମ କରିବା ଦ୍ୱାରା ସେ ନିଜକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରିଥାନ୍ତି। ଏହା ତାଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ।