ହାଇପୋ-ଥାଇରଏଡିଜମ୍‌ ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁଙ୍କ ପରାମର୍ଶ। (HYPOTHYROIDISM DISEASE: SYMPTOMS, DIAGNOSIS AND TREATMENT IN ODIA)

ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରର ବେକରେ ଥାଏ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଆମର ମୁଣ୍ଡର କେଶରୁ ନେଇକି ଗୋଡ଼ର ନଖ ପର୍ଯ୍ୟନ୍ତ ସବୁ କିଛି ନା କିଛି ମାତ୍ରାରେ ଥାଇରଏଡ୍‌ ହରମୋନ୍‌ ଉପରେ ନିର୍ଭର କରିଥାଏ। ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଥାଇରଏଡ୍ ରୋଗ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍‌ ରୋଗ। ଥାଇରଏଡ୍‌ କାରଣରୁ ଦୁଇ ପ୍ରକାର ରୋଗ ହୋଇଥାଏ।

ହାଇପୋ ଥାଇରଏଡିଜମ୍ –  ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ କମ୍‌ କ୍ଷରଣ ହେଲେ, ତାହାକୁ ହାଇପୋ ଥାଇରଏଡିଜମ୍ କୁହାଯାଏ।

ହାଇପର ଥାଇରଏଡିଜମ୍ –  ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ ଅଧିକ କ୍ଷରଣ ହେଲେ ତାହାକୁ ହଇପର ଥାଇରଏଡିଜମ୍ ବୋଲି କହିବା।

ଥାଇରଏଡ୍‌ ରୋଗ ହାଇପୋ ହେଉବା ହାଇପର ଏହା ପ୍ରାୟତଃ ପୁରୁଷଙ୍କ ଅପେକ୍ଷା ଝିଅଙ୍କଠାରେ ଅଧିକ ଦେଖାଯାଏ।

ହାଇପୋ ଥାଇରଏଡିଜମ୍‌ର ଲକ୍ଷଣ (Hypothyroidism Symptoms in Odia)

ଯେକୌଣସି ବୟସର ଲୋକଙ୍କୁ ହୋଇପାରେ ହାଇପୋ ଥାଇରଏଡିଜମ୍। ଜନ୍ମଠାରୁ ଆରମ୍ଭ କରି ଗର୍ଭାବସ୍ଥା ଓ ବୃଦ୍ଧ ବୟସରେ ବି ଏହି ରୋଗ ହୋଇପାରେ।

ଜନ୍ମରୁ ହାଇପୋ ଥାଇରଏଡିଜମ୍ ହେଲେ ପିଲାଙ୍କଠାରେ ଏହିସବୁ ଲକ୍ଷଣ ଦେଖାଦିଏ:

  • ପିଲା ବୋକା ହୋଇଯା’ନ୍ତି
  • ପିଲାର ବୁଦ୍ଧିର ବିକାଶ ହୋଇ ନଥାଏ, ହୁଣ୍ଡା ହୋଇଯା’ନ୍ତି
  • ବାଙ୍ଗରା ହୋଇଯିବେ
  • ପାଠପଢ଼ାରେ ଦୁର୍ବଳ ହୋଇଯିବେ
  • ପିଲାଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ
  • ଜନ୍ମିତ ଶିଶୁର ନାଭି ଫୁଲିଯିବ
  • ଜନ୍ମ ହେବା ପରେ ଜଣ୍ଡିସ ହେବ
  • ଚର୍ମ ଶୁଖିଲା ଥାଏ

୪-୫ ବର୍ଷ ବୟସରେ ହାଇପୋ-ଥାଇରଏଡ୍‌ ହେଲେ:

  • ଉଚ୍ଚତା ବଢ଼ିବ ନାହିଁ
  • ପାଠପଢ଼ା ମନେ ରହିବ ନାହିଁ ବା ହୁଣ୍ଡା ହୋଇଯିବା
  • ସ୍ମରଣ ଶକ୍ତି କମିଯିବ
  • କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦିଏ।
Anxiety Disorder_mental health

୧୫ରୁ ୧୬ ବର୍ଷୀୟ ଝିଅଙ୍କୁ ହାଇପୋ-ଥାଇରଏଡ୍‌ ହୋଇଥିଲେ:

  • ଋତୁସ୍ରାବ ଉପରେ ପ୍ରଭାବ ପଡ଼ିଥାଏ
  • ଓଜନ ବଢ଼ିଯାଏ
  • କୌଣସି କାର୍ଯ୍ୟରେ ମନ ଲାଗି ନଥାଏ
  • ସବୁବେଳେ ନିଦ ଲାଗିବ
  • ଥକ୍କାପଣ
  • ଏକାଗ୍ରତା କମିଯାଏ

୩୦ରୁ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ୍‌ ରୋଗ ହେଲେ ବି ଏହିସବୁ ଲକ୍ଷଣ ଦେଖାଦିଏ। ଏହାଛଡ଼ା ସ୍ମରଣ ଶକ୍ତି ମଧ୍ୟ କମିଯାଏ।

ହାଇପୋ-ଥାଇରଡିଜିମ୍‌ ରୋଗୀ ଯଦି ଲମ୍ବା ସମୟ ଧରି ଔଷଧ ନ ଖାଇବେ ତେବେ ହୃଦୟ ଚାରିପଟେ ପାଣି ଜମିଯାଏ (ପେରିକେଡିଆଲ ଇଫ୍ୟୁଜନ୍‌), ଫୁସ୍‌ଫୁସ୍‌ ଏବଂ ପାକସ୍ଥଳୀରେ ପାଣି ଜମେ (ପ୍ଲିଉରାଲ ଇଫ୍ୟୁଜନ୍‌)। ଯଦି ଏହିସବୁ ସମସ୍ୟା ହେଲା ପରେ ବି ବ୍ୟକ୍ତି ଜଣକ ଡାକ୍ତରଙ୍କ ସହ ପରାମର୍ଶ ନ କରନ୍ତି ତଥା ଔଷଧ ନ ଖାଆନ୍ତି ତେବେ ଏନ୍‌କେଫାଲୋପାଥି ବା ମସ୍କିଷ୍କ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

thyroidism

ହାଇପୋ-ଥାଇରଏଡଜିମ୍‌ର ପରୀକ୍ଷା (Diagnosis of Hypothyroidism in Odia)

T3, T4, TSH ପରୀକ୍ଷା କରି ଥାଇରଡ୍‌ ସମସ୍ୟା ଜଣାପଡ଼ିଥାଏ। ଏହି ପରୀକ୍ଷାରୁ ଜଣାପଡ଼ି ଯାଏ ଯେ ଜଣେ ବ୍ୟକ୍ତିର ହାଇପୋ ଥାଇରଏଡ୍‌ ଅଛି ବା ନାହିଁ। ପରୀକ୍ଷା ବେଳେ ଯଦି T3, T4 କମ୍ ଅଛି ଏବଂ TSH ଅଧିକ ଅଛି, ତେବେ ଏହାକୁ ପ୍ରାଇମେରୀ ହାଇପୋ-ଥାଇରଏଡିଜମ୍ କୁହାଯାଏ।

କିଛି ଲୋକଙ୍କର ଥାଇରଏଡ୍‌ର କୌଣସି ଲକ୍ଷଣ ନ ଥାଇପାରେ କିନ୍ତୁ ପରୀକ୍ଷାରେ TSH ୪ରୁ ୧୦ ମଧ୍ୟରେ ରହିଛି, ତେବେ ତାହାକୁ ସ୍ପଟ୍‌ନିକାଲ ହାଇପୋ ଥାଇରଏଡଜିମ୍‌ କୁହାଯାଏ।

thyroidism

ହାଇପୋ-ଥାଇରଏଡଜିମ୍‌ର ଚିକିତ୍ସା (Hypothyroidism Treatment in Odia)

ଯଦି କୌଣସି ବ୍ୟକ୍ତିଙ୍କର TSH ବହୁତ ଅଧିକା ଅଛି ,ତାଙ୍କୁ ସଙ୍ଗେ ସଙ୍ଗେ ଔଷଧ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଥାଏ। କିଛି କ୍ଷେତ୍ରରେ TSH ୧୦ରୁ କମ୍‌ ଥିଲେ ମଧ୍ୟ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ। TSH ୧୦ରୁ କମ୍‌ ଥିଲେ ଥାଇରଏଡ୍‌ ପେରୋକ୍ସାଇଡ୍‌ ଆଣ୍ଟିବଡି ପରୀକ୍ଷା କରାଯାଏ, ଯଦି ଥାଇରଏଡ୍‌ ପେରୋକ୍ସାଇଡ୍‌ ଆଣ୍ଟିବଡି ଅଧିକା ଅଛି ତାହେଲେ ଔଷଧ ଖାଇବାକୁ ନିହାତି ଆବଶ୍ୟକ।

ଯଦି ଜଣେ ମହିଳାଙ୍କର ସପ୍ଟନିକାଲ ହାଇପୋ ଥାଇରଏଡିଜମ୍ (TSH ୧୦ରୁ କମ୍) ଥାଏ, ତେବେ ଓଭାରିରେ ପିଲା ରହିବାର ସମ୍ଭାବନା ବହୁତ କମ୍‌। ଏଭଳି କ୍ଷେତ୍ରରେ ମା’କୁ ଥାଇରଏଡ୍‌ ମେଡିସିନ୍‌ ଖାଇବାକୁ ଦିଆଯାଏ।

ଯେହେତୁ ଥାଇରଏଡ୍‌ ଗ୍ରନ୍ଥି ଥାଇରଏଡ୍‌ ହରମୋନ୍‌ ତିଆରି କରିବା ଥରେ ବନ୍ଦ କଲେ ଜୀବନସାରା ଆଉ ତିଆରି କରିପାରେ ନାହିଁ। ତେଣୁ ଜୀବନସାରା ହାଇପୋ ଥାଇରଏଡ୍‌ ଥିବା ଲୋକକୁ ହରମୋନ୍‌ ମେଡିସିନ୍‌ ଖାଇବାକୁ ପଡ଼ିଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଭୟ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on types, symptoms, and treatment of Hypothyroidism, based on the interview with Professor Dr Abhay Kumar Sahoo, Senior Consultant, Endocrinology.