ଆଜିର ଶିଳ୍ପବହୁଳ ଯୁଗରେ ଆମେ ନାନାଦି ପ୍ରକାରର ପରିବେଶଜନିତ ପ୍ରଦୂଷଣ ସମସ୍ୟାରେ ପୀଡ଼ିତ ହୋଇଥାଉ। ଶ୍ୱାସକ୍ରିୟା ଦ୍ୱାରା ଦୂଷିତ ବାୟୁ ଶରୀର ମଧ୍ୟକୁ ଯାଇ ଫୁସ୍‌ଫୁସ୍‌ର ବିଶେଷ କ୍ଷତି କରାଇଥାଏ। ଆସନ୍ତୁ ଜାଣିବା କିପରି ଏହି ଦୂଷିତ ବାୟୁ ଆମର ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇଥାଏ ଓ କିପରି ଆମେ ଏହା କବଳରୁ ମୁକ୍ତି ପାଇବା।

lungs

ବଞ୍ଚିବା ପାଇଁ ଶ୍ୱାସକ୍ରିୟା ଅତ୍ୟନ୍ତ ଆବଶ୍ୟକ। ଆମେ ନିଃଶ୍ୱାସ ପ୍ରଶ୍ୱାସରେ ଯେଉଁ ବାୟୁ ଗ୍ରହଣ କରୁ ତାହା ଆଲ୍‌ଭିଓଲି ବା ବାୟୁଥଳୀକୁ ଯାଏ। ଯେ କୌଣସି ପ୍ରତିରୋଧ ବାୟୁ ଯଦି ଏହି ଥଳୀ ଦେଇ ପ୍ରବେଶ କରେ ଓ ବାହାରେ ତାହା ହେଲେ ଶ୍ୱାସକ୍ରିୟାରେ ବାଧା ଉପୁଜେ। ପ୍ରଶ୍ୱାସରେ ଗ୍ରହଣ କରୁଥିବା ବାୟୁରୁ ଅମ୍ଳଜାନ ଆଲ୍‌ଭିଓଲିକୁ ଯାଇ ରକ୍ତରେ ମିଶି ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟେଙ୍ଗକୁ ଯାଇଥାଏ। ରକ୍ତ ପ୍ରତ୍ୟାବର୍ତ୍ତନ କାଳରେ ଅଙ୍ଗାରକାମ୍ଳକୁ ଆଲ୍‌ଭିଓଲି ମଧ୍ୟକୁ ନେଇଆସେ। ଏଣୁ ଆମେ ଯେତେବେଳେ ନିଃଶ୍ୱାସ ଛାଡୁ ଅଙ୍ଗାରକାମ୍ଳ ଶ୍ୱାସକ୍ରିୟା କାଳରେ ଆଲ୍‌ଭିଓଲି ଦ୍ୱାରା ଯିବା ଆସିବା କରିଥାଏ। ଶ୍ୱାସକ୍ରିୟା ଦ୍ୱାରା ବକ୍ଷ ଗହ୍ୱରର ମାଂସପେଶୀ ଚଳପ୍ରଚଳ ହୋଇଥାଏ। ଆଲ୍‌ଭିଓଲିଗୁଡ଼ିକ ଛୋଟଛୋଟ ରକ୍ତ ଆଧାର ଦ୍ୱାରା ଆଚ୍ଛାଦିତ ନାସା ଗ୍ରସନୀ ସହ ସଂଯୁକ୍ତ ନଳୀକୁ ଶ୍ୱାସନଳୀ କୁହାଯାଏ। ଶ୍ୱାସନଳୀ ଦ୍ୱାରା ବାୟୁ ଫୁସ୍‌ଫୁସ୍‌ ମଧ୍ୟକୁ ଯାଇ ଛାଣି ହୋଇଥାଏ। ବକ୍ଷ ଗହ୍ୱରର ମଧ୍ୟସ୍ଥଳରେ ହୃତ୍‌ପିଣ୍ଡର ଉଭୟ ପାର୍ଶ୍ୱରେ ପଞ୍ଜରାସ୍ଥି ମଧ୍ୟରେ ଏକ ପତଳା ଆବରଣ ଦ୍ୱାରା ଢାଙ୍କିହୋଇ ରହିଥିବା ରବର ଭଳି ଥଳୀ ଦ୍ୱୟକୁ ଫୁସ୍‌ଫୁସ୍‌ ବୋଲି କୁହାଯାଏ। ଏହା ଆକାରରେ ଦେଖିବାକୁ ମଞ୍ଜି ଆକୃତିର। ଫୁସ୍‌ଫୁସ୍‌ ଯୋଡ଼ିକ ବାୟୁଥଳୀ ଦ୍ୱାରା ନିର୍ମିତ। ଏହା ଛାତି ମଧ୍ୟର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ ପଞ୍ଜରା ଦ୍ୱାରା ରକ୍ଷା ପାଇଥାଏ।

Lungs Cancer

ଫୁସ୍‌ଫୁସ୍‌କୁ ଢାଙ୍କି ଥିବା ଝିଲ୍ଲୀକୁ ଆବରଣକାରୀ ଝିଲ୍ଲୀ କୁହାଯାଏ। ଏହି ଆବରଣ ମଧ୍ୟରେ ଏକ ସ୍ଥାନ ରହିଛି, ଯେଉଁଠାରେ କି ଫୁସ୍‌ଫୁସ୍‌ରେ କୌଣସି ସଂକ୍ରମଣ ବା କ୍ଷତ ହେଲେ ତରଳ ପଦାର୍ଥ, ପୂଜ ବା ରକ୍ତ ସଂଗୃହୀତ ହୋଇପାରେ। ଫୁସ୍‌ଫୁସ୍‌କୁ ପବନ ପହଞ୍ଚାଉଥିବା ନଳୀର ସଂକ୍ରମଣକୁ ଶ୍ୱାସନଳୀ ସଂକ୍ରମଣ ବୋଲି କୁହାଯାଏ। ଏହା ହେଲେ ସଶବ୍ଦ କାଶ ହେବା ସହ ପ୍ରାୟତଃ କଫ ପଡେ। ଶ୍ୱାସନଳୀ ସଂକ୍ରମଣ ସାଧାରଣତଃ ଭୂତାଣୁ ଦ୍ୱାରା ହୋଇଥାଏ। ଏହି ସଂକ୍ରମଣ ଏକ ସପ୍ତାହରୁ ଅଧିକ ରୁହେ। ଭଲ ନ ହେଲେ ବ୍ୟକ୍ତିଠାରେ ନିମୋନିଆ ଲକ୍ଷଣ ଦେଖାଦିଏ। ଫୁସ୍‌ଫୁସ୍‌ ତନ୍ତୁଗୁଡ଼ିକ ଇଲାଷ୍ଟିକ୍ ସଦୃଶ। ଏଗୁଡ଼ିକ ଧୂମପାନ ବା ଅତ୍ୟଧିକ ଧୂଳି ଧୂଆଁ ପରିବେଶ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହା ସଂକ୍ରମିତ ହେଲେ ପ୍ରଚୁର ଧଳା କଫ ସହ କାଶ ହୁଏ। ପ୍ରାୟତଃ ଜ୍ୱର ହୁଏନି। ଶ୍ୱାସଳନୀର ପତଳା ଶାଖାର ବାଧା ଯୋଗୁ ଫୁସ୍‌ଫୁସ୍‌ରେ ଘା’ ହୁଏ। ପୂଜ ଫୁସ୍‌ଫୁସ୍‌ରୁ ବୋହି ଆସି କଫ ଆକାରରେ କାଶ ଦ୍ୱାରା ବାହାରିଥାଏ। ଏହା ଏକ ମାରାତ୍ମକ ଅବସ୍ଥା। ସଂକ୍ରମଣ ହେଲେ ସମୁଦାୟ ଫୁସ୍‌ଫୁସ୍‌ରୁ ଗାଢ ହଳଦିଆ ଓ ଗନ୍ଧଯୁକ୍ତ କଫ ବାହାରେ। ତୀବ୍ର ବେଗରେ ହୃଦ୍‌ସ୍ପନ୍ଦନ ହୁଏ।

ମିଳିମିଳା, ଧଇଁକାଶ, ଫ୍ଲୁ, ଶ୍ୱାସନଳୀ ସଂକ୍ରମଣ, ଶ୍ୱାସରୋଗ ଇତ୍ୟାଦି ଶ୍ୱାସ ସମ୍ବନ୍ଧୀୟ ରୋଗ ହେବା ପରେ ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥାଏ। ଏହା ପିଲାମାନଙ୍କ ପାଇଁ ବିଶେଷ ମାରାତ୍ମକ। ଏହା ହେଲେ ଜୋର୍ ବା ହାଲ୍‌କା ନିଃଶ୍ୱାସ ନେବା, ନିଃଶ୍ୱାସ ବେଳେ ନାକ ବନ୍ଦ ହୋଇପଡ଼ିବା, ହଳଦିଆ, ସବୁଜ କିମ୍ବା ସାମାନ୍ୟ ରକ୍ତ ମିଶା କାଶ ହୁଏ। କାଶିବା ବା ଦୀର୍ଘ ନିଃଶ୍ୱାସ ନେବା ବେଳେ ଛାତି ଯନ୍ତ୍ରଣା ବୃଦ୍ଧିପାଏ। ବ୍ୟକ୍ତି ଅତ୍ୟଧିକ ରୋଗୀଣା ହୁଏ। ଥଣ୍ଡାଜନିତ ଘା’ ମୁହଁ ବା ଓଠ ଫଟା ହୋଇପାରେ। କଳକାରଖାନା ଓ ଧୂମପାନ ସଂସ୍ପର୍ଶରେ ଆସୁଥିବା ଲୋକମାନେ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ହେବାର ଆଶଙ୍କା ଦେଖାଦେଇଥାଏ। ସାଧାରଣତଃ ୫୦-୬୦ ବର୍ଷର ଅଧିକାଂଶ ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍‌ କର୍କଟ ହୋଇଥାଏ। ତେବେ ଫୁସ୍‌ଫୁସ୍‌ କର୍କଟ ରୋଗର ଅଧିକାଂଶ କାରଣ ମଧ୍ୟରୁ ଧୂମପାନ ମୁଖ୍ୟ କାରଣ। ଯେଉଁ ବ୍ୟକ୍ତି ଦିନକୁ ୨ ପ୍ୟାକେଟ୍ କରି ୨ ବର୍ଷ ଯାଏ ସିଗାରେଟ୍ ପିଏ ତାକୁ ଫୁସ୍‌ଫୁସ୍‌ କର୍କଟର ଅଧିକ ଆଶଙ୍କା ଥାଏ। ଫୁସ୍‌ଫୁସ୍‌ କର୍କଟ ବ୍ୟକ୍ତି କାଶିବା ବେଳେ କଷ୍ଟ ପାଏ, ତା’ର କଫରେ ରକ୍ତପଡେ, ଶ୍ୱାସକ୍ରିୟାରେ ଅସୁବିଧା ଦେଖାଦିଏ। ଶ୍ୱାସକ୍ରିୟା ବେଳେ ସଁ ସଁ ଶବ୍ଦ ଶୁଣାଯାଏ। ସଂକ୍ରମଣ ହେଲେ ଜ୍ୱର ହୋଇଥାଏ।

breathing

ଫୁସ୍‌ଫୁସ୍‌ର ପ୍ରକୃତ ବାୟୁଗ୍ରହଣ କ୍ଷମତା ମିନିଟକୁ ୮-୧୦ ଥର। କିନ୍ତୁ ଅଭ୍ୟାସ ଦ୍ୱାରା ଏହାର ସମୟାବଧି ବୃଦ୍ଧି ପାଇଥାଏ। ଏଣୁ ସମ୍ପୂର୍ଣ୍ଣ ଭାବେ ଲମ୍ବ ହୋଇ ଶୋଇଯାଇ ୧ ମିନିଟ୍‌ରେ ୧୫ରୁ ୧୬ ଥର ବାୟୁ ଗ୍ରହଣ କରନ୍ତୁ। ଦୈନିକ ଆମେ ପ୍ରାୟ ୧୦,୦୦୦ ଲିଟର ବାୟୁ ଅଣୁ ଶ୍ୱାସକ୍ରିୟାରେ ଗ୍ରହଣ କରିଥାଉ। ଆମ ଶରୀରର ନିଜସ୍ୱ ଏୟାର କ୍ଲିନିଂ ପ୍ରଣାଳୀ ଓ ପ୍ରତିରକ୍ଷାତ୍ମକ କୌଶଳ ରହିଛି, ଯେଉଁ କାର୍ଯ୍ୟ କି ନାସିକା କେଶରୁ ଆରମ୍ଭ ହୋଇଥାଏ। ଏହି କେଶ ଦ୍ୱାରା ଶ୍ୱାସକ୍ରିୟା ବେଳେ ବହୁଳ ପରିମାଣର ଧୂଳିକଣା ଛାଣି ହୋଇଥାଏ। ଏକାଧିକ ପରିମାଣର ଉତ୍ତେଜକ ପଦାର୍ଥ ଯୋଗୁଁ ସାମାନ୍ୟ ଛିଙ୍କ ହୋଇଥାଏ।

ଫୁସ୍‌ଫୁସ୍‌ ଜନିତ ରୋଗରେ ଭିନ୍ନ ଭିନ୍ନ ପ୍ରକାରର ମେଡିସିନ୍ ବ୍ୟବହାର କରାଯାଇଥାଏ। ରୋଗୀକୁ ପ୍ରଚୁର ପାଣି ପିଇବାକୁ ଦେବା ସହ ଗରମ ବାମ୍ଫ ଘ୍ରାଣ କରିବାକୁ ହେଲେ କାଶ ସହଜ ହେବା ସହ କଫ ନରମ ହୋଇଥାଏ। ଫୁସ୍‌ଫୁସୀୟ କର୍କଟ ପାଇଁ ଧୂମପାନ ନ କରିବା ଏକମାତ୍ର ପ୍ରତିଷେଧକ ପନ୍ଥା।