କରୋନା ଭାଇରସ (COVID – 19), ଏହାର ସଂକ୍ରମଣ, ଚିକିତ୍ସା ଓ ଏହାକୁ ମୁକାବିଲା କରିବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର… (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍ ଟିମ୍ – www.swasthya.plus)
(୧) କରୋନା ଭାଇରସ କ’ଣ?
କରୋନା ଭାଇରସ୍ ଏକ ଭୂତାଣୁ, ଯାହାକି ମଣିଷ ଏବଂ ଅନ୍ୟ କେତେକ ପ୍ରାଣୀଙ୍କଠାରେ ଦେଖାଯାଏ। ଏହା ପ୍ରଥମେ ଚୀନର ଉହାନ ସହରରେ ୨୦୧୯, ଡିସେମ୍ବରରେ ଦେଖାଦେଇଥିଲା। କରୋନା ଭାଇରସ ପରିବାରର ବିଭିନ୍ନ ପ୍ରକାର ଭୂତାଣୁ ରହିଛି। ତେବେ ବର୍ତ୍ତମାନ ସାରା ପୃଥିବୀରେ ଯେଉଁ କରୋନା ଭାଇରସ ମହାମାରୀର ରୂପ ନେଇଛି ତା’ର ନାଁ ପ୍ରଥମେ ଦିଆଯାଇଥିଲା ନୋଭେଲ କରୋନା ଭାଇରସ। ବର୍ତ୍ତମାନ ଏହାକୁ COVID-19 ନାଁରେ ନାମିତ କରାଯାଇଛି।
(୨) ବିଶ୍ୱ ମହାମାରୀ ବା ପାନ୍ଡେମିକ୍ କ’ଣ?
ଚୀନରୁ ଆରମ୍ଭ ହୋଇ ପୃଥିବୀର ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିବା କରୋନା ଭାଇରସ ପୃଥିବୀ ପାଇଁ ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ଦେଶର ହଜାର ହଜାର ସାଧାରଣ ଜନତା କରୋନାରେ ସଂକ୍ରମିତ ହେବା ଫଳରେ ଏହା ଏକ ଜାତୀୟ ବିପତ୍ତିର ରୂପ ନେଇଛି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହାକୁ ବିଶ୍ୱ ମହମାରୀ ବା ପାନ୍ଡେମିକ୍ ବୋଲି ଘୋଷଣା କରିଛି।
(୩) କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇପାରେ।
ଏହାର ପ୍ରଭାବରେ ଜଣେ ବ୍ୟକ୍ତି ଧଇଁସଇଁ ହେବା ବା ଅମ୍ଳଜାନ ଅଭାବ ଭଳି ଦେଖିବାକୁ ମିଳିଥାଏ। ତେବେ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ୍ କି ନୁହେଁ ତାହା ନିର୍ଦ୍ଧାରିତ ପରୀକ୍ଷା କରିବା ପରେ ହିଁ ସୁନିଶ୍ଚିତ କରାଯାଇପାରିବ।
କରୋନା ଭାଇରସ କିପରି ବ୍ୟାପେ?
ଥଣ୍ଡା ରୋଗ ସୃଷ୍ଟି କରୁଥିବା ଅନ୍ୟ ଯେ କୌଣସି ଭାଇରସ ପରି କରୋନା ଭାଇରସ ଜଣେ ବ୍ୟକ୍ତିଠାରୁ ଅନ୍ୟ ପାଖକୁ ସଂକ୍ରମିତ ହୋଇଥାଏ। ବିଶେଷକରି, ସଂକ୍ରମିତ ବ୍ୟକ୍ତିଙ୍କ ମୁହଁର ଲାଳ, ଛିଙ୍କ, କାଶ, ବା ସିଂଘାଣୀ ମାଧ୍ୟମରେ ଏହା ଅନ୍ୟ ଜଣକ ଶରୀରରେ ପ୍ରବେଶ କରିଥାଏ। କାଶ ବା ଛିଙ୍କ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ପାଟି ଓ ନାକରୁ ବାହାରୁଥିବା ଡ୍ରପଲେଟ୍ ଦେଇ କରୋନା ଭାଇରସ ବାହାରକୁ ଆସିଥାଏ।
ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛୁଇଁବା ଫଳରେ କରୋନା ଭାଇରସ ଏଭଳି ପରୋକ୍ଷ ମାଧ୍ୟମ ଦେଇ ଅନ୍ୟ ଜଣକୁ ମଧ୍ୟ ପ୍ରବେଶ କରିପାରେ।
ଲକ୍ଷଣ ଦେଖାଯାଉନଥିଲେ ବି ଭାଇରସ ଅନ୍ୟକୁ ସଂକ୍ରମିତ କରିଥାଏ କି?
କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ। ତେବେ ପ୍ରଶ୍ନ ଉଠେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନାର କୌଣସି ପ୍ରଭାବ ଦେଖାଯାଉନଥିଲେ ସେହି ସମୟରେ ତାଙ୍କଠାରୁ ସଂକ୍ରମଣ ଆଉ ଜଣକ ପାଖକୁ ଯାଇପାରେ କି?
ଏହାର ଉତ୍ତର ହେଉଛି ହଁ। ଅର୍ଥାତ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାର ଗୁରୁତର ଲକ୍ଷଣ ଦେଖାଯିବା ପୂର୍ବରୁ ମଧ୍ୟ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ହେଉଛି ଯେ କୌଣସି ବ୍ୟକ୍ତିଙ୍କଠାରେ ସର୍ଦ୍ଦି, ଜ୍ୱର ଏବଂ ଲଗାତାର କାଶ ଓ ଛିଙ୍କର ଲକ୍ଷଣ ଦେଖାଗଲେ ତାଙ୍କଠାରୁ ଦୂରତା ବଜାୟ ରଖନ୍ତୁ।
କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?
- ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ।
- କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ପାଖରେ ରୁମାଲ୍ ନଥିଲେ ମୁହଁକୁ କହୁଣିରେ ଢାଙ୍କି କାଶନ୍ତୁ।
- ହାତକୁ ନିୟମିତ ବ୍ୟବଧାନରେ ସାବୁନ୍ ବା ସାନିଟାଇଜରରେ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭଲକରି ଧୁଅନ୍ତୁ।
- ଆଖି, ପାଟି ଓ ନାକରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
- ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରି ଥଣ୍ଡାର ଶିକାର ହୋଇଥିବା ରୋଗୀଙ୍କୁ ଆବଶ୍ୟକ ଔଷଧ ଦିଅନ୍ତୁ।
- ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ସରକାର ଜାରି କରିଥିବା କରୋନା ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍ କରନ୍ତୁ।
- ତେବେ କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍ କରନ୍ତୁ।
(୪) କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?
ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ ।
କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ।
ସାମାଜିକ ଦୂରତା ଓ ପରିଚ୍ଛନ୍ନତା
- ଆପଣଙ୍କ ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ କାହା ସହିତ ହାତ ମିଳାନ୍ତୁ ନାହିଁ।
- ଘରେ ବା ବାହାରେ କାହାର ସର୍ଦ୍ଦି, ଜ୍ଵର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୨-୩ ମିଟର ଦୂରତା ରକ୍ଷା କରନ୍ତୁ।
- ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ଭଲକରି ହାତ ଧୁଅନ୍ତୁ।
- ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ।
- ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍, କମ୍ପ୍ୟୁଟର କିବୋର୍ଡ ଆଦିକୁ ଅନ୍ୟ ସହ ବ୍ୟବହାର କରନ୍ତୁ ନାହିଁ।
- ଅତ୍ୟାବଶ୍ୟକ ଜିନିଷ ପାଇଁ ପ୍ରତିଦିନ ବାହାରକୁ ନଯାଇ ଦୁଇ ବା ତିନି ଦିନରେ ଥରେ ଅଳ୍ପ ସମୟ ପାଇଁ ଯାଆନ୍ତୁ। ବାହାରକୁ ଗଲାବେଳେ ସବୁଠି ସାମାଜିକ ଦୂରତା ବଜାୟ ରଖନ୍ତୁ।
- ଘରେ ଏବଂ ଅଫିସରେ ଆପଣ ବ୍ୟବହାର କରୁଥିବା ଜିନିଷ ପରିଷ୍କାର ପରିଚ୍ଛନ କରି ରଖନ୍ତୁ।
ସାମାଜିକ ଦୂରତା ଓ ପରିଚ୍ଛନ୍ନତା ହେଉଛି କରୋନା ମୁକାବିଲାର ସବୁଠାରୁ ବଡ଼ ପଦକ୍ଷେପ।
ବାରମ୍ବାର ହାତ ଧୋଇଲେ କାରୋନା ହେବ ନାହିଁ କି?
କରୋନା ଭାଇରସର ମୁକାବିଲା ବେଳେ ପ୍ରଥମ ପଦକ୍ଷେପ ହେଉଛି ନିୟମିତ ବ୍ୟବଧାନରେ ହାତ ଧୋଇବା। କାରଣ ଆମେ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ଜନିଷରେ ହାତ ଲଗାଇଥାଉ। ବିଭିନ୍ନ ଜିନିଷ ବା ସରଫେସ୍ରେ ଯଦି କରୋନା ଭାଇରସ ଭଳି କୌଣସି ଭୂତାଣୁ ଲାଗି ରହିଥାଏ ତେବେ ତାହା ହାତ ଦେଇ ଆମ ଶରୀରରେ ପ୍ରବେଶ କରିଥାଏ।
ତେଣୁ ହାତକୁ ସାବୁନ ବା ସାନିଟାଇଜରରେ ଧୋଇଲେ ହାତରେ ଲାଗିଥିବା କୌଣସି ଭୂତାଣୁର ମୃତ୍ୟୁ ଘଟିଥାଏ।
କେମିତି ହାତ ଧୋଇବେ?
- ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ।
- ହାତ ଧୋଇଲା ବେଳେ ସାବୁନ, ହ୍ୟାଣ୍ଡ ଓ୍ୱାସ ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।
- ପ୍ରଥମେ ହାତକୁ ପାଣିରେ ସମ୍ପୂର୍ଣ୍ଣ ଭିଜାଇ ଦିଅନ୍ତୁ। ଏହାପରେ ସାବୁନକୁ ହାତରେ ଘଷନ୍ତୁ। ଯଦି ଆପଣ ହ୍ୟାଣ୍ଡ ଓ୍ୱାସ ବା ସାନିଟାଇଜର ବ୍ୟବହାର କରୁଛନ୍ତି ତେବେ ଆବଶ୍ୟକ ପରିମାଣର ତରଳ ନିଅନ୍ତୁ ଯାହା ଆପଣଙ୍କ ହାତ ପାଇଁ ଯଥେଷ୍ଟ ହେବ।
- ଅନ୍ତତଃ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।
- ସାଧାରଣତଃ ରନିଙ୍ଗ୍ ଓ୍ୱାଟର ବା ପାଇପ ପାଣିରେ କିମ୍ବା ହାତରେ ପାଣି ଢାଳି ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।
- ହାତ ଧୋଇବା ପରେ ହାତକୁ ଭଲ ଭାବେ ପରିଷ୍କାର କପଡ଼ାରେ ପୋଛି ଶୁଖାଇ ଦିଅନ୍ତୁ।
ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ହେବ ନାହିଁ କି?
ଡାକ୍ତରଙ୍କ କହିବା କଥା ହେଲା ଯେ କୌଣସି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ତେବେ କରୋନା ସଂକ୍ରମିତ ବା କରୋନା ଆଶଙ୍କା କରାଯାଉଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର।
ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳିଥାଏ। ସାଧାରଣ ସର୍ଜିକାଲ ମାସ୍କ ହେଉ ବା ଏନ୍ ୯୫ – ଆବଶ୍ୟକ ହେଲେ ହିଁ ମାସ୍କ ପିନ୍ଧନ୍ତୁ। ତେବେ ଯେଉଁମାନେ ଜରୁରୀ କାରଣରୁ ଯାତ୍ରା କରୁଛନ୍ତି ସେମାନେ ନିଜର ତଥା ଅନ୍ୟର ସୁରକ୍ଷା ପାଇଁ ଯାତ୍ରା ସମୟରେ ମାସ୍କ ପିନ୍ଧିପାରନ୍ତି।
ସ୍ୱାସ୍ଥ୍ୟକର୍ମୀମାନେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ତେବେ କି ପ୍ରକାର ମାସ୍କ ପିନ୍ଧିବେ ଏବଂ କିପରି ମାସ୍କ ବାନ୍ଧିବେ ସେ ବାବଦରେ ଆପଣ ଆବଶ୍ୟକ ପ୍ରୋଟୋକଲ୍ ବା ଧାରା ଜାଣିବା ଦରକାର।
ମାସ୍କ କେମିତି ବାନ୍ଧିବେ?
କେବଳ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣରୁ ଯେ ନିଜକୁ ରକ୍ଷା କରି ହେବ ଏକଥା ଭାବିବା ଭୁଲ। କାରଣ ଠିକ ଭାବେ ମାସ୍କର ବ୍ୟବହାର କରି ନଜାଣିଲେ ଏଥରୁ କୌଣସି ଫାଇଦା ମିଳିନଥାଏ।
ଆସନ୍ତୁ ଜାଣିବା ମାସ୍କ ବାନ୍ଧିବେ କିପରି?
- ମାସ୍କ ବାନ୍ଧିବା ପୂର୍ବରୁ ପ୍ରଥମେ ହାତକୁ ସାବୁନ୍ ଭଲ ଭାବରେ ଧୁଅନ୍ତୁ କିମ୍ବା ହାଣ୍ଡ୍ ସାନିଟାଇଜର୍ରେ ପୋଛନ୍ତୁ।
- ଏହାପରେ ମାସ୍କକୁ ମୁହଁରେ ବାନ୍ଧନ୍ତୁ। ବାନ୍ଧିବା ପରେ ନାକ ପାଖରେ ଥିବା ମେଟାଲ ଷ୍ଟ୍ରିପକୁ ଟାଇଟ୍ କରନ୍ତୁ।
- ମାସ୍କକୁ ଭଲ ଭାବରେ ସାଇଜ୍ କରନ୍ତୁ, ଯେପରି ମାସ୍କ ମୁହଁ ଭିତରେ ଫାଙ୍କା ରହିବ ନାହିଁ।
- ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
- ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍କୁ କାଢ଼ନ୍ତୁ, ତୁରନ୍ତ ଡଷ୍ଟବିନ୍ରେ ପକାନ୍ତୁ ଓ ହାତକୁ ସାବୁନରେ ଧୁଅନ୍ତୁ।
(୫) ସ୍ୱାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ କି?
ହଁ। ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସହିତ ସିଧାସଳଖ ସଂପର୍କରେ ଆସୁଥିବାରୁ ସେମାନଙ୍କୁ କରୋନା ଭାଇରସ ସଂକ୍ରମଣର ଅଧିକ ଆଶଙ୍କା ଥାଏ। ତେଣୁ ଡାକ୍ତର, ନର୍ସ ବା ଅନ୍ୟ ସେବା ପ୍ରଦାନକାରୀ କର୍ମଚାରୀମାନେ କରୋନା ପରିଚାଳନା ବେଳେ କ’ଣ କ’ଣ ପଦକ୍ଷେପ ନେବେ ସରକାର ସେଥିପାଇଁ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିଛନ୍ତି।
(୬) କରୋନା ଭାଇରସ କେତେ ସମୟ ସକ୍ରିୟ ରହେ?
କରୋନା ଭାଇରସ ଜଣେ ସଂକ୍ରମିତ ବ୍ୟକ୍ତର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ କରିଥାଏ। ଏହି ପ୍ରବେଶ ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କ ବା ଛେପ ସଂସ୍ପର୍ଶରେ ଆସୁଥିବା ଜଣେ ସୁସ୍ଥ ବ୍ୟକ୍ତି ଏହି ଭୂତାଣୁର ଶିକାର ହୋଇପାରନ୍ତି।
ଆସନ୍ତୁ ଜାଣିବା କରୋନା ଭାଇରସ କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ବା ଜୀବନ୍ତ ରହିପାରେ:
- ତମ୍ବା ପୃଷ୍ଠରେ ସାଢ଼େ ୩ ଘଣ୍ଟା।
- କାଠ ବା ପ୍ଲାଇ ପୃଷ୍ଠରେ ୯ ଘଣ୍ଟା।
- ଲୁହା ପୃଷ୍ଠରେ ୧୩ ଘଣ୍ଟା।
- ପ୍ଲାଷ୍ଟିକରେ ୧୬ ଘଣ୍ଟା।
(୭) ଏଟିଏମ୍, ଟଙ୍କା ପଇସା, ପସ୍ ବା ସ୍ୱାଇପିଂ ମେସିନ, ମଲ୍ରେ ବ୍ୟବହୃତ ଟ୍ରଲି ଦେଇ କରୋନା ଭାଇରସ ବ୍ୟାପି ପାରେ କି?
ହଁ। କାରଣ ଏହିସବୁ ସର୍ବସାଧାରଣ ସ୍ଥାନ ବା କାର୍ଯ୍ୟ ବେଳେ ଆମେ ଅନ୍ୟମାନେ ବ୍ୟବହାର କରିଥିବା ଜିନିଷ ସଂସ୍ପର୍ଶରେ ଆସୁ। ତେଣୁ ଜଣେ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ଜିନିଷ ଅନ୍ୟମାନେ ବ୍ୟବହାର କଲେ ପ୍ଲାଷ୍ଟିକ, ଲୁହା, ଆଲୁମିନିୟମ ବା ଏଭଳି କୌଣସି ପୃଷ୍ଠ ଦେଇ କରୋନା ଭାଇରସ ସୁସ୍ଥ ବ୍ୟକ୍ତିଙ୍କ ପାଖକୁ ସଂକ୍ରମିତ ହୋଇପାରେ।
(୮) ସେଲଫ୍ ବା ହୋମ୍ କ୍ୱାରେନ୍ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?
ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍ ବା ହୋମ୍ କ୍ୱାରେନ୍ଣ୍ଟାଇନ।
ସେଲଫ୍ ବା ହୋମ୍ କ୍ୱାରେନ୍ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍ ପରିବାର ବା ନିଜ ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା।
ଯଦି ଆପଣ କୌଣସି କରୋନା ସଂକ୍ରମିତ ବା କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥାନ୍ତି ଏବଂ ଆପଣ ସୁସ୍ଥ ଅଛନ୍ତି ତେବେ ମଧ୍ୟ ଆପଣଙ୍କୁ ସେଲଫ୍ କ୍ୱାରେନ୍ଣ୍ଟାଇନ ନେବା ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କେବଳ ସେତିକି ନୁହେଁ, ସରକାର ଜାରି କରିଥିବା ନିୟମ ଅନୁଯାୟୀ ଏହା ଆପଣଙ୍କୁ ପାଳନ କରିବାକୁ ପଡ଼ିବ।
କେହି ବିଦେଶରୁ ଆସିଥିଲେ, ସରକାର ଜାରି କରିଥିବା ହେଲପ୍ଲାଇନ୍ ନମ୍ବର ୧୦୪ରେ କଲ୍ କରି କିମ୍ବା www.covid19.odisha.gov.in ପୋର୍ଟାଲ୍ ଜରିଆରେ ପଂଜୀକରଣ କରିବାକୁ ହେବ। ତା’ ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେନ୍ଣ୍ଟାଇନରେ ରହିବାକୁ ପଡ଼ିବ।
ହୋମ୍ କ୍ୱାରେନ୍ଣ୍ଟାଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଦି ଜଣଙ୍କଠାରେ କରୋନା ଭାଇରସ ରହିଥାଏ ତାହା ଯେପରି ଆଉ କାହାକୁ ସଂକ୍ରମିତ ନହେବ।
ଏପରିକି ଯଦି ଜଣେ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥାଏ ତେବେ ମଧ୍ୟ ସେ ସେଲଫ୍ କ୍ୱାରେନ୍ଣ୍ଟାଇନରେ ରହିବା ଜରୁରୀ। କାରଣ ଏହାଫଳରେ ତାଙ୍କ ମାଧ୍ୟମରେ ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମଣ କରିପାରିବ ନାହିଁ।
ସେଲଫ୍ ଆଇସୋଲେସନ କ’ଣ?
ସେଲଫ୍ ଆଇସୋଲେସନ ହେଉଛି ସେଲଫ୍ କ୍ୱାରେଣ୍ଟାଇନର ପରବର୍ତ୍ତୀ ଅବସ୍ଥା। ଅର୍ଥାତ୍ ଏହି ଅବସ୍ଥାରେ ଜଣକୁ ଗୋଟିଏ ରୁମ୍ ଭିତରେ ଏକ ପ୍ରକାର ଆବଦ୍ଧ ତଥା ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି ରହିବାକୁ ହେବ।
କେଉଁ ପରିସ୍ଥିତିରେ ଜଣେ ସେଲ୍ଫ ଆଇସୋଲେସନ କରିବା ଆବଶ୍ୟକ?
- ଯଦି ଜଣଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉଛି।
- ଯଦି କେହି କରୋନା ପରୀକ୍ଷା ପାଇଁ ନମୁନା ପଠାଇଛନ୍ତି ଏବଂ ଫଳାଫଳ ଜାଣିବା ପାଇଁ ଅପେକ୍ଷା କରିଛନ୍ତି।
- ଯଦି କାହାଠାରେ କରୋନା ପଜିଟିଭ୍ ବାହାରିଛି।
କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?
- ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ।
- କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ପାଖରେ ରୁମାଲ୍ ନଥିଲେ ମୁହଁକୁ କହୁଣିରେ ଢାଙ୍କି କାଶନ୍ତୁ।
- ହାତକୁ ନିୟମିତ ବ୍ୟବଧାନରେ ସାବୁନ୍ ବା ସାନିଟାଇଜରରେ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭଲକରି ଧୁଅନ୍ତୁ।
- ଆଖି, ପାଟି ଓ ନାକରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
- ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରି ଥଣ୍ଡାର ଶିକାର ହୋଇଥିବା ରୋଗୀଙ୍କୁ ଆବଶ୍ୟକ ଔଷଧ ଦିଅନ୍ତୁ।
- ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ସରକାର ଜାରି କରିଥିବା କରୋନା ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍ କରନ୍ତୁ।
ତେବେ କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍ କରନ୍ତୁ।
(୯) ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?
ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାମିଲା କରନ୍ତୁ।
କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ ସେବା ଭାବେ ବର୍ତ୍ତମାନ ଯେଉଁ କାର୍ଯ୍ୟାଳୟରେ କର୍ମଚାରୀମାନେ କାମ କରୁଛନ୍ତି ସେମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି।
ବର୍ତ୍ତମାନ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଛଡ଼ା ସରକାରଙ୍କ ବିଭିନ୍ନ ଜରୁରୀକାଳୀନ ସେବା ବିଭାଗ, ପୋଲିସ, ମିଡିଆ ଏବଂ ଅନ୍ୟ କ୍ଷେତ୍ର ଭିତରେ ବ୍ୟାଙ୍କିଙ୍ଗ୍, ଟେଲିକମ୍ ଆଦି ଖୋଲା ରହିଛି। ଏଭଳି ଜାତୀୟ ବିପତ୍ତି ସମୟରେ ସେମାନେ ଆମର ଲାଇଫ୍ଲାଇନ୍ ହୋଇପାରିଛନ୍ତି।
ଆସନ୍ତୁ ଜାଣିବା ଆପଣ ନିଜ କାର୍ଯ୍ୟାଳୟକୁ ପରିଚାଳନା କଲାବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ:
- ଅଫିସର ସମ୍ପୂର୍ଣ୍ଣ ପରିସର ସଫା ସୁତରା ରଖନ୍ତୁ।
- ଅଫିସରେ କାମ କରୁଥିବା ସମସ୍ତ କର୍ମଚାରୀ ବା ଅଫିସକୁ ଆସୁଥିବା ଭିଜିଟରମାନେ ପ୍ରବେଶ ବେଳେ ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ।
- ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରନ୍ତୁ।
- ସହକର୍ମୀଙ୍କ ସହ ହାତ ମିଳାନ୍ତୁ ନାହିଁ। ଏପରିକି କାମ କଲାବେଳେ ପରସ୍ପରଠାରୁ ପ୍ରାୟ ୨ ମିଟର ଦୂରତା ରକ୍ଷା କରନ୍ତୁ।
- କୌଣସି କର୍ମଚାରୀଙ୍କର ଥଣ୍ଡା ଜ୍ୱର ବା କାଶ ହେଉଥିଲେ ତାଙ୍କୁ ଛୁଟିରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ କିମ୍ବା ଘରୁ କାମ କରିବାକୁ କହନ୍ତୁ।
- ଯେତେଦୂର ସମ୍ଭବ ଅଧିକାଂଶ କର୍ମଚାରୀଙ୍କୁ ଘରୁ କାମ କରିବାର ବ୍ୟବସ୍ଥା କରନ୍ତୁ।
- ଯେଉଁ କର୍ମଚାରୀ ନ ଆସିଲେ ଚଳିବ ତାଙ୍କୁ ଛୁଟି ଦେଇଦିଅନ୍ତୁ।
- ୪ ବା ୫ ଜଣରୁ ଅଧିକ ଲୋକ ଏକାଠି ବସି ମିଟିଂକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। ମିଟିଂ ବେଳେ ସାମାଜିକ ଦୂରତା ସୁନିଶ୍ଚିତ କରନ୍ତୁ।
- କୌଣସି କର୍ମଚାରୀ କରୋନା ପ୍ରଭାବିତ ଅଞ୍ଚଳକୁ ବା ଡାକ୍ତରଖାନାକୁ ଯିବା ଆସିବା କରୁଥିଲେ ଆବଶ୍ୟକ ପ୍ରୋଟୋକଲ୍ ସୁନିଶ୍ଚିତ କରନ୍ତୁ।
- ଲାପ୍ଟପ୍, କିବୋର୍ଡ ବା ମୋବାଇଲ ଫୋନ୍ ପରସ୍ପର ସହ ସେୟାର କରନ୍ତୁ ନାହିଁ।
- କରୋନା ପ୍ରଭାବିତ ଅଞ୍ଚଳ ବା ଡାକ୍ତରଖାନା ସହ ସଂପୃକ୍ତ କର୍ମଚାରୀଙ୍କ ମନୋବଳ ଟାଣ କରି ରଖନ୍ତୁ। ସେମାନଙ୍କ ସହ ଫୋନରେ ବା ଅନ୍ୟ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିହୋଇ ରହନ୍ତୁ। ସେମାନଙ୍କ ଛୋଟ ବଡ଼ ସମସ୍ୟାକୁ ଶୁଣନ୍ତୁ ଏବଂ ତାହାର ସମାଧାନକୁ ସୁନିଶ୍ଚିତ କରନ୍ତୁ।
- ୨୪ ଘଣ୍ଟିଆ ଅଫିସ ଚାଲୁ ଥିଲେ ଦେଖନ୍ତୁ ଯେପରି ରିଲିଭର୍ ବ୍ୟବସ୍ଥା ଠିକ୍ରେ ଚାଲିଛି। ତେଣୁ କାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଥିଲେ ତାଙ୍କର ମାନସିକ ଅବସ୍ଥା ଏବଂ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
- ଅଫିସରେ ପିଇବା ପାଣି ସହ ବିସ୍କୁଟ୍ ବା ସେହଭଳି କିଛି ଶୁଖିଲା ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ।
କଂପାନିର ମୁଖ୍ୟ ବା ଟିମ୍ ଲିଡର ଏସବୁ ବିଷୟ ନିଜେ ପାଳନ କରିବା ସହ ଦେଖିବା ଦରକାର ଯେ ଅଫିସରେ ଏବଂ ଫିଲ୍ଡରେ କାମ କରୁଥିବା ସବୁ ସଦସ୍ୟ ଏହା ପାଳନ କରୁଛନ୍ତି। ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ।
(୧୦) କରୋନା – କେତେ ସତ, କେତେ ମିଛ
ଗରମ ପାଣିରେ ଗାଧୋଇଲେ କୋରୋନା ସଂକ୍ରମଣରୁ ରକ୍ଷା ମିଳେ?
ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ ରହିଥାଏ। ତେଣୁ ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇଲେ ଶରୀରର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହୁଏ ନାହିଁ। ବରଂ ଆପଣ ଅଧିକ ଗରମ ପାଣିରେ ଗାଧୋଇଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇପାରେ।
କରୋନା ଭାଇରସରୁ ବଞ୍ଚିବା ପାଇଁ ଗରମ ପାଣିରେ ଗାଧୋଇବା ଅପେକ୍ଷା ନିୟମିତ ସାବୁନରେ ହାତ ଧୁଅନ୍ତୁ। ଏହା କଲେ ଆପଣଙ୍କ ହାତରେ ଯଦି କୌଣସି ଭୂତାଣୁ ରହିଥାଏ ତାହା ମରିଯିବ।
ରସୁଣ କରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ?
ଭୁଲ କଥା। ରସୁଣ ହେଉଛି ଏପରି ଏକ ଖାଦ୍ୟ ଉପାଦାନ ଯେଉଁଥିରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଥାଏ। ତେବେ ଏହା ଖାଇଲେ ଯେ କରୋନା ଭାଇରସ ପ୍ରଭାବରୁ ରକ୍ଷା ମିଳିଥାଏ ତାହା ଭାବିବା ଭୁଲ। ରସୁଣର ବିଭିନ୍ନ ଔଷଧୀୟ ଗୁଣ ରହିଛି। କିନ୍ତୁ କରୋନା ଭୂତାଣୁ ସହ ରସୁଣର କିଛି ସଂପର୍କ ଥିବାର ଡାକ୍ତରୀ ପ୍ରମାଣ ନାହିଁ।
ଗରମ ଜଳବାୟୁରେ କରୋନା ଭାଇରସ୍ର ପ୍ରଭାବ ପଡ଼େ ନାହିଁ?
ଗରମ ଜଳବାୟୁରେ କୋରୋନା ଭାଇରସ୍ର ପ୍ରଭାବ ପଡ଼େନି ବୋଲି କେହି କେହି ଭାବନ୍ତି। କିନ୍ତୁ ଏହା ଏକ ଭୁଲ ଧାରଣା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗରମ ଏବଂ ଥଣ୍ଡା ଉଭୟ ଜଳବାୟୁରେ COVID-19 ଭୂତାଣୁ ସଂକ୍ରମିତ ହୋଇପାରେ|
ତେଣୁ ଭାରତରେ ଏବେ ଗ୍ରୀଷ୍ମୠତୁ ହୋଇଥିବାରୁ କରୋନାର ପ୍ରଭାବ ପଡ଼ିବ ନାହିଁ ବୋଲି ଯଦି କେହି କହୁଛନ୍ତି ତାଙ୍କ କଥାରେ ବିଶ୍ୱାସ କରନ୍ତୁ ନାହିଁ।
ମଶାଙ୍କ ମାଧ୍ୟମରେ କରୋନା ସଂକ୍ରମଣ ବ୍ୟାପିଥାଏ କି?
ମଶା ମାଧ୍ୟମରେ ମ୍ୟାଲେରିଆ ଓ ଫାଇଲେରିଆ ଭଳି ରୋଗ ବ୍ୟାପି ଥାଏ। ତେବେ ପ୍ରଶ୍ନ ଉଠୁଛି ଯେ ମଶା ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି କି? ନା। ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ ଅନୁଯାୟୀ, ମଶାମାନଙ୍କ ଦ୍ୱାରା କୋଭିଡ୍ ଭୂତାଣୁ ସଂକ୍ରମଣ ହେବା ନେଇ କୌଣସି ପ୍ରମାଣ ମିଳିନାହିଁ।
ମାଂସ ଖାଇଲେ କ’ଣ କୋରୋନା ବ୍ୟାପିବ?
କରୋନା ବ୍ୟାପିବା ପରେ ଅନେକ ଲୋକ ମାଛ, ମାଂସ ଓ ଅଣ୍ଡା ଖାଇବା ନେଇ ପ୍ରଶ୍ନ କରୁଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସବୁ ଖାଦ୍ୟ ମାଧ୍ୟମରେ ସିଧାସଳଖ ଭାବେ କରୋନା ଭୂତାଣୁ ବ୍ୟାପିବାର ସେପରି କିଛି ପ୍ରମାଣ ନାହିଁ। ତେବେ ଆମ ଦେଶରେ ଅନେକ ସମୟରେ ଯେପରି ଅପରିଷ୍କାର ପରିବେଶ ଭିତରେ ମାଛ, ମାଂସ ବିକ୍ରି ହୋଇଥାଏ। ସେହି ପ୍ରକ୍ରିୟାରେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କୁ ଡେଇଁବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଖାଦ୍ୟ ବଜାରରୁ କିଣି ଆଣିବା ବେଳେ ତଥା ଘରେ ପ୍ରସ୍ତୁତ କଲା ବେଳେ ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ଦରକାର।
ଗୃହ ପାଳିତ ପଶୁଙ୍କ ମାଧ୍ୟମରେ କରୋନା ବ୍ୟାପିଥାଏ କି?
ଗୃହପାଳିତ ପଶୁ ଯେପରିକି ବିଲେଇ ଏବଂ କୁକୁରଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେଉଥିବାର କିଛି ପ୍ରମାଣ ନାହିଁ।