କାହିଁକି ହୁଏ ବନ୍ଧ୍ୟାଦୋଷ? କେମିତି ଏହାର ଚିକିତ୍ସା କରାଯାଏ? ଏନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ମାତୃତ୍ୱ ଲାଭ ହେଉଛି ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ। ହେଲେ, ବନ୍ଧ୍ୟାତ୍ୱ କାରଣରୁ ମହିଳାମାନେ ଏହି ସୁଖ ପ୍ରାପ୍ତିରୁ ବଞ୍ଚିତ ହୋଇଥା’ନ୍ତି। ଭାରତରେ ବନ୍ଧ୍ୟାଦୋଷ ସମସ୍ୟା ଏତେ ସାଧାରଣ ଯେ, ପ୍ରତି ୬ ଜଣ ଦମ୍ପତ୍ତିଙ୍କ ମଧ୍ୟରେ ଜଣେ ବନ୍ଧ୍ୟାଦୋଷ ସମସ୍ୟାରେ ପୀଡ଼ିତ। ପୂର୍ବ କାଳରେ ଲୋକେ ବନ୍ଧ୍ୟାଦୋଷ ପାଇଁ ମହିଳାମାନଙ୍କୁ ଦାୟୀ କରିଥା’ନ୍ତି। ହେଲେ ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ।

ସାଧାରଣତଃ ଜଣେ ମହିଳା ସ୍ୱାମୀଙ୍କ ସହିତ ୧୨ ମାସ ପର୍ଯ୍ୟନ୍ତ କୌଣସି ଗର୍ଭନିରୋଧକ ଉପାୟ ନ ଆପଣାଇ ସହବାସ କରିବା ପରେ ଗର୍ଭଧାରଣ କରିନପାରିଲେ ତାଙ୍କର ବନ୍ଧ୍ୟାଦୋଷ (ବନ୍ଧ୍ୟାତ୍ୱ/ ଇନ୍‌ଫର୍ଟିଲିଟି) ରହିଛି ବୋଲି କୁହାଯିବ। କିନ୍ତୁ, ୩୫ ବର୍ଷ ଅତିକ୍ରମ କରିଥିବା ମହିଳା ଓ ୪୦ ବର୍ଷ ବୟସ ଅତିକ୍ରମ କରିଥିବା ପୁରୁଷ ୬ମାସ ପର୍ଯ୍ୟନ୍ତ ସହବାସ କରିବା ପରେ ବି ଗର୍ଭଧାରଣ କରି ନ ପାରନ୍ତି, ତେବେ ତାଙ୍କର ବନ୍ଧ୍ୟାଦୋଷ ରହିଛି ବୋଲି କୁହାଯାଏ।

ଆଜିକାଲିରା ବିଶୃଙ୍ଖଳିତ ଜୀବନଶୈଳୀ, ଖରାପ ଖାଦ୍ୟାଭାସ, ମାନସିକ ଚାପ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ବନ୍ଧ୍ୟାତ୍ୱ ସମସ୍ୟା ଅଧିକ ଦେଖାଦେଉଛି।

infertility

ମହିଳା ବନ୍ଧ୍ୟାଦୋଷର କାରଣ (Causes of female infertility in Odia)

ମହିଳା ବନ୍ଧ୍ୟାଦୋଷର ବିଭିନ୍ନ କାରଣ ରହିଛି। ଜନ୍ମରୁ ଗର୍ଭାଶୟ ନଥିଲେ (ୟୁଟେରାଇନ୍‌ ଆନୋମଲି), ଜନ୍ମରୁ ଟ୍ୟୁବାଲ୍‌ ବ୍ଲକେଜ୍‌ ଥିଲେ, ଗର୍ଭାଶୟ ଦୁଇ ଭାଗ ହୋଇଥିଲେ (ବାଇକର୍ନୁଏଟ୍‌ ୟୁଟେରସ୍‌) ଓ ଗର୍ଭାଶୟର ଗୋଟିଏ ଫାଳ ବିକଶିତ ହୋଇଥିଲେ (ୟୁନିକର୍ନୁଏଟ୍‌ ୟୁଟେରସ୍‌) ମହିଳା ବନ୍ଧ୍ୟାଦୋଷର କାରଣ ପାଲଟେ।

ପିସିଓଏସ୍‌: ଏହାଛଡ଼ା ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ (ପିସିଓଏସ୍‌) କାରଣରୁ ମଧ୍ୟ ମହିଳାଙ୍କର ବନ୍ଧ୍ୟାଦୋଷ ହୋଇପାରେ।

ଏଣ୍ଡୋମେଟ୍ରିଓସିସ୍‌: ଏହାସହ ଏଣ୍ଡୋମେଟ୍ରିଓସିସ୍‌ ଯୋଗୁଁ ମଧ୍ୟ ବନ୍ଧ୍ୟାଦୋଷ ହୋଇପାରେ। ପ୍ରତି ୧୦ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଏଣ୍ଡୋମେଟ୍ରିଓସିସ୍‌ ସମସ୍ୟା ହୋଇଥାଏ। ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏପରି ଏକ ସ୍ଥିତି ଯେଉଁଥିରେ ଗର୍ଭାଶୟର ଆଭ୍ୟନ୍ତରରେ ଉପସ୍ଥିତ ଏଣ୍ଡୋମାଟ୍ରିଆଲ୍‌ ତନ୍ତୁ ଗର୍ଭାଶୟ ବାହାରେ ବୃଦ୍ଧି ପାଇଥାଏ। ଏହାଯୋଗୁଁ ମାସରେ ଏକାଧିକ ଥର ରକ୍ତସ୍ରାବ ହେବା ସହିତ ଅଧିକ ପରିମାଣରେ ରକ୍ତସ୍ରାବ ହୋଇ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ଡିମ୍ବବାହିନଳୀ ଅବରୋଧ ହୋଇଯାଏ।

ଫାଇବ୍ରଏଡ୍: ଏହାକୁ ଗର୍ଭାଶୟର ଟ୍ୟୁମର ବୋଲି ମଧ୍ୟ କୁହାଯାଏ।ଗର୍ଭାଶୟ ଭିତରେ ଓ ଏହାର ଚାରିପାଖରେ ଅସ୍ୱାଭାବିକ ଭାବେ ଏହି ଟ୍ୟୁମର ବୃଦ୍ଧି ହେବା ଯୋଗୁଁ ଫାଇବ୍ରଏଡ୍‌ ସମସ୍ୟା ସୃଷ୍ଟି ହୋଇଥାଏ, ଯାହାକୁ ସବ୍‌ମ୍ୟୁକସ୍‌ ଫାଇବ୍ରଏ୍ୟଡ୍‌ ବୋଲି କୁହାଯାଏ। ଫାଇବ୍ରଏଡ୍‌ କାରଣରୁ ବେଳେବେଳେ ଡିମ୍ବବାହିନଳୀ ଅବରୋଧିତ ହେବାରୁ ନିଷେଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଏହାବ୍ୟତୀତ ଫାଇବ୍ରଏଡ୍‌ ସମସ୍ୟା ଯୋଗୁଁ ନିଃସପ୍ତ ବୀଜଟି ଗର୍ଭାଶୟର ଭିତର ସ୍ତରରେ ନିଜକୁ ସଂଲଗ୍ନ କରିବାରେ ମଧ୍ୟ ବିଫଳ ହୋଇଥାଏ। ଏହାଯୋଗୁଁ ବନ୍ଧ୍ୟାତ୍ୱ ଓ ଗର୍ଭପାତ ମଧ୍ୟ ହୋଇଥାଏ।

ମାନସିକ ଚାପ: ଆଜିକାଲିର ଜୀବନଶୈଳୀ ହେଉଛି ବନ୍ଧ୍ୟାତ୍ୱର ମୁଖ୍ୟ କାରଣ। ବର୍ତ୍ତମାନ ଲୋକେ ବିବାହ ଅଧିକ ବୟସରେ କରୁଛନ୍ତି, ଅଧିକ ବୟସରେ ସନ୍ତାନ ଜନ୍ମର ଯୋଜନା କରୁଛନ୍ତି। ବୟସ ବୃଦ୍ଧି ସହିତ ମହିଳାଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। 

ଡିମ୍ବବାହୀ ନଳୀ ଗର୍ଭଧାରଣରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ। ପୁରୁଷ ଶୁକ୍ରାଣୁ ଯେତେବେଳେ ମହିଳାଙ୍କ ଗର୍ଭାଶୟକୁ ଯାଏ, ଦୁଇପଟେ ଦୁଇଟା ଫେଲୋପିଆନ୍‌ ଟ୍ୟୁବ୍‌ ଦେଇ ଯାଏ। ଡିମ୍ବାଶୟରୁ ଡିମ୍ବାଣୁ କ୍ଷରଣ ହେବା ପରେ ଏହା ଡିମ୍ବବାହୀନଳୀ ଦେଇ ଗତି କରିଥାଏ ଯେଉଁଠାରେ ପୁରୁଷ ଶୁକ୍ରାଣୁ ସହିତ ଏହାର ମିଳନ ହୋଇଥାଏ। ପୁଣି ଏହି ନଳୀ ବାଟରେ ନିଃସପ୍ତ ବୀଜଟି ଗର୍ଭାଶୟରେ ପହଞ୍ଚି ଥାଏ ଓ ସେଠାରେ ଭ୍ରୁଣ ଭାବେ ବଢ଼ିବାକୁ ଲାଗେ। କ୍ଲାମାଇଡିଆ ସଂକ୍ରମଣରେ କିମ୍ବା ଟ୍ୟୁବର କୁଲୋସିସ୍‌ରେ ଯଦି ଡିମ୍ବବାହୀ ନଳୀ ଅବରୋଧ ହୁଏ, ତେବେ ଫର୍ଟିଲାଇଜେସନ୍ ହୋଇପାରିନଥାଏ। ତେଣୁ ଯେତେଥର ଚେଷ୍ଟା କଲେ ବି ଗର୍ଭଧାରଣ ହୋଇପାରିବ ନାହିଁ। ଏଥିପାଇଁ HSG ପରୀକ୍ଷା କରାଯାଏ।

smoking

ପୁରୁଷ ବନ୍ଧ୍ୟାଦୋଷର କାରଣ (Causes of male infertility in Odia)

ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ମଦ୍ୟପାନ, ଗୁଟ୍‌ଖା ଓ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ପୁରୁଷ ବନ୍ଧ୍ୟାଦୋଷ ହେଉଛି।

ବର୍ତ୍ତମାନ କମ୍‌ ବୟସରୁ ବହୁ ଲୋକ ମଧୁମେହରେ ପୀଡ଼ିତ ହେଉଛନ୍ତି। ମଧୁମେହ ଯୋଗୁଁ ଶୁକ୍ରାଣୁର ପରିମାଣ, ଶୁକ୍ରମାଣୁ ଗତି ମଧ୍ୟ କମିଯାଏ।

ସବୁବେଳେ ବିଭିନ୍ନ ପ୍ରକାରର ମାନସିକ ଚାପ ମଧ୍ୟରେ କାମ କରୁଥିବା ପୁରୁଷଙ୍କଠାରେ ବନ୍ଧ୍ୟାତ୍ୱ ଖୁବ୍‌ ବେଶି।

କେମିତି ଜାଣିବେ ବନ୍ଧ୍ୟାଦୋଷ? (Diagnosis of infertility in Odia)

ବନ୍ଧ୍ୟାଦୋଷ ସମସ୍ୟା ଜାଣିବା ପାଇଁ ପ୍ରଥମେ ମହିଳାଙ୍କର ଋତୁସ୍ରାବ ଅନିୟମିତତା ହେଉଛି କି ନାହିଁ ଜାଣିବାକୁ ପଡ଼ିଥାଏ। ଯଦି ଋତୁଚକ୍ରରେ ଅନିୟମିତତା ହେଉଛି, ତେବେ ଥାଇରଏଡ୍‌, ପ୍ରୋଲାକ୍‌ଟିନ୍‌, ଅଲଟ୍ରାସାଉଣ୍ଡ, FSH – LH ହରମୋନ୍‌ ପରୀକ୍ଷା କରାଯାଏ। ଏଥିରୁ ଜଣାପଡ଼ିଥାଏ ଯେ, ଋତୁସ୍ରାବ କାହିଁକି ଅନିୟମିତତା ହେଉଛି।

ଯଦି ମହିଳାଙ୍କର ମାସିକ ଋତୁଚକ୍ରରେ କୌଣସି ସମସ୍ୟା ନାହିଁ, ତେବେ ଅଲଟ୍ରାସାଉଣ୍ଡ, HSG ଏବଂ ପୁରୁଷଙ୍କର ସିମେନ୍‌ ଆନାଲିସିସ୍‌ କରାଯାଏ। ପୁରୁଷ ଦୁଇରୁ ତିନି ଦିନ ଧରି ସହବାସ ନ ରଖି ସିମେନ୍‌ ଆନାଲିସିସ୍‌ କରିବା ଦ୍ୱାରା ଶୁକ୍ରାଣୁର ପରିମାଣ, ଶୁକ୍ରାଣୁର ଗତି ସଠିକ୍‌ ଭାବରେ ଜଣାପଡ଼ିଥାଏ।

ଏହାଛଡ଼ା ମହିଳାଙ୍କ ଅଲଟ୍ରାସାଉଣ୍ଡ କରି ଗର୍ଭାଶୟରେ ଟ୍ୟୁମର ବା ଗର୍ଭାଶୟର କୌଣସି ସମସ୍ୟାର ପରୀକ୍ଷା କରାଯାଏ।

infertility

ବନ୍ଧ୍ୟାଦୋଷର ଚିକିତ୍ସା (Treatment of infertility in Odia)

ବନ୍ଧ୍ୟାଦୋଷର କାରଣକୁ ଅନୁଯାୟୀ ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ। ଯଦି ମହିଳାଙ୍କର ପିସିଓଏସ୍‌ ଅଛି, ତେବେ ତାଙ୍କୁ ଓଜନ କମ୍‌ କରିବାକୁ କୁହାଯାଏ, ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଏ, ଭିଟାମିନ୍‌ ଡି, ମେଲାଟୋନିନ୍‌, ଫୋଲିକ୍‌ ଏସିଡ୍‌ ଆଦି ଔଷଧ ସେବନ କରିବାକୁ ଦିଆଯାଏ। ଫଳରେ ମହିଳାଙ୍କର ଋତୁସ୍ରାବ ଠିକ୍‌ ଭାବରେ ହୋଇପାରିବ।

ଏଣ୍ଡୋମେଟ୍ରିଓସିସ୍‌ ସମସ୍ୟା ଥିଲେ ବା ଗର୍ଭାଶୟରେ ଚାରିପାଖରେ ସିଷ୍ଟ ଥିଲେ, ତାହାକୁ ବାହାର କରାଯାଇପାରିବ। ଯଦି ଟ୍ୟୁବ୍‌ ବା ଡିମ୍ବବାହୀ ନଳୀରେ ଅବରୋଧ ଅଛି, ତେବେ ଲାପ୍ରୋସ୍କୋପି ଦ୍ୱାରା ଏହି ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ। ଫାଇବ୍ରଏଡ୍‌ ଥିଲେ ଚିକିତ୍ସା କରାଯାଇପାରିବ।

ଡାକ୍ତରଙ୍କ ଟିପ୍ସ (Doctor’s Advice in Odia)

ଶୀଘ୍ର ବିବାହ କରନ୍ତୁ, ଶୀଘ୍ର ସନ୍ତାନ ଜନ୍ମର ଯୋଜନା କରନ୍ତୁ। ଭଲ ଡାକ୍ତରଙ୍କ ସହ ପରାମର୍ଶ କରି ବନ୍ଧ୍ୟାଦୋଷର କାରଣ ଜାଣି ଏହାର ଚିକିତ୍ସା କରିପାରିବେ। ପ୍ରଜନନ କରିବା ପାଇଁ କୃତ୍ରିମ ପଦ୍ଧତି ମଧ୍ୟ ରହିଛି। ଏହା ସେତେବେଳେ କରାଯାଏ, ଯେତେବେଳେ ଡିମ୍ବବାହୀ ନଳୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ।

କେତେକ କ୍ଷେତ୍ରରେ ଡିମ୍ବବାହୀ ନଳୀରେ କିଛି ସମସ୍ୟା ନଥାଏ କିନ୍ତୁ ମହିଳାଙ୍କର ଗର୍ଭଧାରଣ ହୋଇପାରୁ ନାହିଁ, ସେତେବେଳେ ପୁରୁଷଙ୍କର ଶୁକ୍ରାଣୁ ନେଇ ମହିଳାଙ୍କ ଗର୍ଭାଶୟରେ ରଖିଦିଆଯାଏ, ଯାହାକୁ ଇଣ୍ଟ୍ରାୟୁଟେରାଇନ୍‌ ଇନ୍‌ସେମିନେସନ୍‌ ବୋଲି କୁହାଯାଏ।

ଅନେକ କ୍ଷେତ୍ରରେ ପୁରୁଷଙ୍କର ଶୁକ୍ରାଣୁ ହୋଇପାରେ ନାହିଁ ଫଳରେ ଦମ୍ପତି ସନ୍ତାନ ଜନ୍ମ କରିପାରନ୍ତି ନାହିଁ। ହେଲେ ବର୍ତ୍ତମାନ ଉନ୍ନତମାନର ପଦ୍ଧତି ଯେପରିକି ଟେଫ୍‌ନା, ପେସା, ଟେସା, ମିଶା ଜରିଆରେ ଶୁକ୍ରାଣୁ ବାହାର କରିପାରିବା ଏବଂ ସେମାନେ ସନ୍ତାନ ଲାଭ କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜିଏସଏସ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes & treatment of Infertility, in Odia language, is based on an extensive interview with obstetrician and gynecologist Dr GSS Mohapatra.