ହାଡ଼ଫୁଟି କାହିଁକି ହୁଏ? ଏହାର ସଂକ୍ରମଣକୁ କେମିତି ରୋକିପାରିବା? ସେ ବିଷୟରେ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା।
- କାହିଁକି ହୁଏ ହାଡ଼ଫୁଟି?
- ହାଡ଼ଫୁଟି ସଂକ୍ରମଣକୁ କେମିତି ରୋକିବେ?
- ହାଡ଼ଫୁଟିର ପରୀକ୍ଷଣ
- ହାଡ଼ଫୁଟିର ଚିକିତ୍ସା
- ହାଡ଼ଫୁଟିକୁ ନେଇ ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ
- ହାଡ଼ଫୁଟିକୁ ରୋକିବା ପାଇଁ ଟିକା
- ଡାକ୍ତରଙ୍କ ପରାମର୍ଶ
ହାଡ଼ଫୁଟି ବା ଚିକେନ୍ ପକ୍ସ ଭୂତାଣୁ ଜନିତ ସଂକ୍ରାମକ ରୋଗ। ହାଡ଼ଫୁଟି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିକୁ ଏହି ରୋଗ ସଂକ୍ରମଣ ହେବାର ଭୟ ରହିଥାଏ। ତେବେ ଥରେ ହାଡ଼ଫୁଟି ସଂକ୍ରମଣ ହୋଇଥିଲେ ଜୀବନ ଭିତରେ ଆଉଥରେ ସଂକ୍ରମଣ ହେବାର ଆଶଙ୍କା ବହୁତ କମ୍ ବା ସଂକ୍ରମଣ ହୁଏ ନାହିଁ ବୋଲି କହିଲେ ଚଳିବ।
ସାଧାରଣତଃ ମୁହଁ, ଛାତି ଓ ପିଠିରେ ଛୋଟ ଛୋଟ ଫୋଟକା ଭଳି ବାହାରିଥାଏ। ହାଡ଼ଫୁଟି ହେଲେ ଜ୍ଵର, ଦେହ ହାତ ବିନ୍ଧା ଭଳି ଲକ୍ଷଣ ଦେଖାଦିଏ।
କାହିଁକି ହୁଏ ହାଡ଼ଫୁଟି? (Causes of Chickenpox in Odia)
ହର୍ପିସ୍ ଜୋଷ୍ଟର ଭୂତାଣୁ ଯୋଗୁଁ ହାଡ଼ଫୁଟି ହୋଇଥାଏ। ସାଧାରଣତଃ ହାଡ଼ଫୁଟି ଜଣକଠାରୁ ଆଉ ଜଣକୁ ଡେଇଁଥାଏ। ଏହି ଭୂତାଣୁ ବାୟୁ ଦ୍ଵାରା ବ୍ୟାପିଥାଏ। ହାଡ଼ଫୁଟି ହୋଇଥିବା ରୋଗୀର କଫ ବା ଛିଙ୍କରୁ ବାହାରୁଥିବା ଡ୍ରପ୍ଲେଟ୍ ଆଉ ଜଣେ ସୁସ୍ଥ ଲୋକ ସଂସ୍ପର୍ଶରେ ଆସେ, ତେବେ ହାଡ଼ଫୁଟି ହୋଇପାରେ। ଏହାଛଡ଼ା ହାଡ଼ ଫୁଟି ଯୋଗୁଁ ଶରୀରରେ ହୋଇଥିବା ଫୋଟକା ସଂସ୍ପର୍ଶରେ ଜଣେ ସୁସ୍ଥ ଲୋକ ଆସିଲେ ତାକୁ ମଧ୍ୟ ହାଡ଼ଫୁଟି ହେବାର ସମ୍ଭାବନା ଥାଏ।
ହାଡ଼ଫୁଟି ସଂକ୍ରମଣକୁ କେମିତି ରୋକିବେ? (Stay away from Chickenpox Infection in Odia)
ହାଡ଼ଫୁଟିର ଚିକିତ୍ସା ଅପେକ୍ଷା ଏହାର ସଂକ୍ରମଣକୁ କିପରି ରୋକି ହେବ, ସେନେଇ ଧ୍ୟାନ ଦେବା ଅଧିକ ଜରୁରୀ। ହାଡ଼ଫୁଟି ହୋଇଥିବା ବ୍ୟକ୍ତି ଏକ ସ୍ୱତନ୍ତ୍ର ଘରେ ଅଲଗା ରହିବା ଓ ଖାଇବା ଦରକାର। କାରଣ ଏହା ଜଣକ ଦେହରୁ ଅନ୍ୟ ଜଣକୁ ବ୍ୟାପିଥାଏ, ତେଣୁ ରୋଗୀ ଅଲଗା ରହିଲେ ଓ ଖାଇଲେ ଏହି ଭୂତାଣୁ ଅନ୍ୟ କାହାକୁ ବ୍ୟାପିବ ନାହିଁ। ରୋଗୀର ଶରୀରରୁ ଫୋଟକା ଯିବା ପରେ ସେ ସ୍ଥାନକୁ ପରିଷ୍କାର ରଖିବା ଦରକାର।
ଜଣେ ବ୍ୟକ୍ତିଙ୍କୁ ଥରେ ହାଡ଼ଫୁଟି ହୋଇଥିଲେ ଆଉ ଥରେ ହେବାର ଆଶଙ୍କା ବହୁତ କମ୍।
ହାଡ଼ଫୁଟିର ପରୀକ୍ଷଣ (Diagnosis of Chickenpox in Odia)
ହାଡ଼ଫୁଟି ସାଧାରଣତଃ ଲକ୍ଷଣରୁ ଜଣାପଡ଼ିଥାଏ। ହେଲେ ପିସିଆର୍ ପରୀକ୍ଷା କରି ଭଲ ଭାବରେ ଜାଣି ହୁଏ ହାଡ଼ଫୁଟି ବାବଦରେ।
ହାଡ଼ଫୁଟିର ଚିକିତ୍ସା (Treatment of Chickenpox in Odia)
ହାଡ଼ଫୁଟି ସଂକ୍ରମଣ ହେବାର ୧୦ରୁ ୨୧ ଦିନ ପରେ ଲକ୍ଷଣ ପରିଲିକ୍ଷିତ ହୋଇଥାଏ। ହାଫଫୁଟିର ପ୍ରଥମ ଲକ୍ଷଣ ହେଉଛି ଶରୀରରେ ଫୋଟକା ଭଳି ହେବା। ଫୋଟକା ହେବା ସଙ୍ଗେ ସଙ୍ଗେ ବା ଦୁଇ ଦିନ ଭିତରେ ଜ୍ଵର, ଦେହହାତ ବିନ୍ଧା ହୋଇଥାଏ। ୫୦-୬୦ ପ୍ରତିଶତ ଲୋକଙ୍କର ହାଡ଼ଫୁଟି ବିନା କୌଣସି ଚିକିତ୍ସାରେ ୧୦ ଦିନ ଭିତରେ ଭଲ ହୋଇଯାଏ। କିନ୍ତୁ, ହାଡ଼ଫୁଟି ହୋଇଥିବା ଲୋକଙ୍କୁ ଜ୍ୱର ହେଉଥିବାରୁ ଜ୍ଵର ପାଇଁ ଔଷଧ ଦିଆଯାଏ। ବର୍ତ୍ତମାନ ରୋଗୀଙ୍କୁ ଆଣ୍ଟିଭାଇରାଲ ଔଷଧ, ଅଏଣ୍ଟମେଣ୍ଟ ଦିଆଯାଏ। ଏହାସହ କେତେକ କ୍ଷେତ୍ରରେ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଏ।
୫ ପ୍ରତିଶତ କ୍ଷେତ୍ରରେ ହାଡ଼ଫୁଟି ଯୋଗୁଁ ବେଳେ ବେଳେ ନିମୋନିଆ, ମସ୍ତିଷ୍କ ସଂକ୍ରମଣ ହୋଇପାରେ। ତେଣୁ ରୋଗୀର ସମସ୍ୟାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ।
ହାଡ଼ଫୁଟିକୁ ନେଇ ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (Avoid superstitions about Chickenpox in Odia)
ହାଡ଼ଫୁଟିକୁ ନେଇ ସବୁଆଡ଼େ ଅନ୍ଧବିଶ୍ଵାସ ରହିଛି। ଲୋକେ ଭାବନ୍ତି ଦେହରେ ଠାକୁର ଆସିଛି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଚିକେନ ପକ୍ସ ଗୋଟେ ଭୂତାଣୁ ଜନିତ ରୋଗ। ତେଣୁ ପ୍ରାଥମିକ ଅବସ୍ଥାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଲେ ଅଳ୍ପ ଦିନରେ ଏହା ଭଲ ହୋଇଯିବ। ତେଣୁ ହାଡ଼ଫୁଟିକୁ ଠାକୁର ଆସିଛି ନ ଭାବି ଏହାର ଚିକିତ୍ସା କରାଇବା ଦରକାର।
ହାଡ଼ଫୁଟିକୁ ରୋକିବା ପାଇଁ ଟିକା (Vaccines to prevent Chickenpox in Odia)
୧୯୯୫ରୁ ହାଡ଼ଫୁଟି ଭୂତାଣୁ ସୃଷ୍ଟି ହୋଇଛି। ଆଜିକାଲି ହାଡ଼ଫୁଟିର ଟିକା ସବୁଆଡ଼େ ମିଳୁଛି ଓ ସମସ୍ତେ ଏହାର ଟିକା ନେଇପାରିବେ। ଯଦି ପରିବାରରେ ଜଣେ ସଦ୍ୟସ୍ୟଙ୍କୁ ହାଡ଼ଫୁଟି ହୁଏ, ତେବେ ପରିବାରର ଅନ୍ୟ ସଦସ୍ୟ ତୁରନ୍ତ ହାଡ଼ଫୁଟିର ଟିକା ନେବା ଦରକାର।
ଡାକ୍ତରଙ୍କ ପରାମର୍ଶ (Doctor Advice in Odia)
ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ସମସ୍ତ ପ୍ରକାର ଭୂତାଣୁ ସଂକ୍ରମିତ କରିଥାଏ। ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ଅଛି, ତେବେ ଘରେ କାହାକୁ ବି ହାଡ଼ଫୁଟି ହୋଇଥିଲେ, ଆପଣଙ୍କୁ ହେବାର ସମ୍ଭାବନା ବହୁତ କମ୍।
ସଠିକ୍ ସମୟରେ ଖାଇଲେ, ସଡିକ୍ ସମୟରେ ଶୋଇଲେ ଓ ବ୍ୟାୟାମ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ ଓ ହାଡ଼ଫୁଟି କ’ଣ କୌଣସି ପ୍ରକାର ଭୂତାଣୁ ସଂକ୍ରମିତ ହେବ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Chickenpox based on the interview with Dr Sangram Keshari Mahapatra.