କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କେମିତି କରିବେ? ଏଥିପାଇଁ କ’ଣ ଖାଇବା ଦରକାର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା।
- କୋଲେଷ୍ଟ୍ରୋଲ କେମିତି ବଢେ଼?
- କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ?
- କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତା
- ଡାକ୍ତରଙ୍କ ପରାମର୍ଶ
ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ମଧୁମେହ, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ।
ଚର୍ବିଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ ସ୍ତର ବଢ଼ିଥାଏ ଏବଂ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଟ୍ରାଇଗ୍ଲିସେରାଇଡ୍ରେ ପରିଣତ ହୋଇଥାଏ।
ସକାଳୁ ଖାଲିପେଟରେ କିମ୍ବା ୮-୧୦ ଘଣ୍ଟାର ଉପବାସ ପରେ ଲିପିଡ୍ ପ୍ରୋଫାଇଲ୍ର ପରୀକ୍ଷା କରିବା ଦରକାର।
କୋଲେଷ୍ଟ୍ରୋଲ୍ ଦୁଇ ପ୍ରକାରର
HDL – ଭଲ କୋଲେଷ୍ଟ୍ରୋଲ୍ – ଏହାର ସ୍ତର ଅଧିକ ରହିବା ଆମ ସ୍ଵାସ୍ଥ୍ୟ ପାଇଁ ଭଲ।
LDL – ଖରାପ କୋଲେଷ୍ଟ୍ରୋଲ – ଏହାର ସ୍ତର କମ୍ ରହିବା ସ୍ଵାସ୍ଥ୍ୟ ପାଇଁ ଭଲ।
ଆମେ ଖାଉଥିବା ପ୍ରାଣୀଜାତୀୟ ଖାଦ୍ୟ ଯେପରିକି ମଟନ, ମାଛ, ଦୁଗ୍ଧ ଜାତୀୟ ଖାଦ୍ୟରୁ କୋଲେଷ୍ଟ୍ରୋଲ ଆସିଥାଏ। ତାହାଛଡ଼ା ଉଦ୍ଭିଦ ଉତ୍ପାଦର ଫ୍ୟାଟି ଏସିଡ୍ରୁ ଯକୃତରେ କୋଲେଷ୍ଟ୍ରୋଲ ତିଆରି ହୁଏ।
କୋଲେଷ୍ଟ୍ରୋଲ ବିଭିନ୍ନ ଷ୍ଟେରୋଏଡ୍ ହରମୋନ୍, ଭିଟାମିନ୍ ଡି ଏବଂ କୋଷ ମେମ୍ବ୍ରନ୍ର ଏକ ଅଂଶ। ଯେତେବେଳେ ଏହାର ସ୍ତର ଅଧିକ ହୋଇଯାଏ, ସେତେବେଳେ ଏହା ବିଭିନ୍ନ ରକ୍ତନଳୀରେ ଜମା ହୋଇଯାଏ ଏବଂ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ। ଫଳରେ ହୃତଘାତ ଓ ପକ୍ଷାଘାତ ହେବାର ଆଶଙ୍କା ଥାଏ।
କୋଲେଷ୍ଟ୍ରୋଲ କେମିତି ବଢେ଼? (How does Cholesterol rise in Odia)
ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଲେ, ଯେଉଁମାନଙ୍କର ଡାଏବେଟିସ୍ ଅଛି, ଯେଉଁମାନଙ୍କର ଥାଇରଏଡ୍ ଅଛି ସେମାନଙ୍କଠାରେ କୋଲେଷ୍ଟ୍ରୋଲ ବଢ଼ିଥାଏ। ଏହାଛଡ଼ା ଯେଉଁ ଲୋକଙ୍କର ହୃଦ୍ଘାତ ହୋଇଛି, ବ୍ରେନ୍ ଷ୍ଟ୍ରୋକ୍ ହୋଇଛି, କରୋନାରି ଆର୍ଟେରୀ ଡିଜିଜ୍, ମଧୁମେହ ଅଛି, ତେବେ ଏଭଳି କ୍ଷେତ୍ରରେ କୋଲେଷ୍ଟ୍ରୋଲ ପାଇଁ ଔଷଧ ଆରମ୍ଭ କରିବା ଜରୁରୀ। କୋଲେଷ୍ଟ୍ରୋଲ ସ୍ତର ବଢ଼ିନଥିଲେ ମଧ୍ୟ ଔଷଧ ଖାଇବା ଦ୍ଵାରା ଲାଭ ମିଳିଥାଏ।
କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ? (How to control Cholesterol in Odia)
କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଉପାୟ ହେଉଛି ଖାଦ୍ୟରେ ନିୟନ୍ତ୍ରଣ, ବ୍ୟାୟାମ ଓ ଔଷଧ ସେବନ କରିବା। ଆଜିକାଲି ଲୋକଙ୍କର ଶାରୀରିକ ପରିଶ୍ରମ କରିବା କମିଗଲାଣି। ତେଣୁ, ଏଭଳି କ୍ଷେତ୍ରରେ ଖାଦ୍ୟରେ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ।
ପ୍ରାୟ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ, କେଉଁ ତେଲ ଖାଇବା ଓ କେତେ ମାତ୍ରାରେ ଖାଇବା। ହେଲେ କେଉଁ ତେଲ ଖାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେତେ ମାତ୍ରାରେ ତେଲ ଖାଦ୍ୟରେ ବ୍ୟବହାର କରିବା ତାହା ଜରୁରୀ। ଖାଦ୍ୟରେ ସବୁବେଳେ ତେଲର ମାତ୍ରା କମ୍ କରିବା ଜରୁରୀ। ବର୍ତ୍ତମାନ ବିନା ତେଲରେ ରୋଷେଇ କରିବା ପାଇଁ ବିଭିନ୍ନ ପ୍ରଣାଳୀ ବାହାରୁଛି, ଯାହା ଆପଣ ବ୍ୟବହାର କରିପାରିବେ।
ଆମେ ଖାଦ୍ୟରେ ଯେଉଁ ତେଲ ବ୍ୟବହାର କରୁ, ତାହା ସାଧାରଣତଃ ଉଦ୍ଭିଦରୁ ମିଳିଥାଏ। ତେଣୁ ସମସ୍ତ ପ୍ରକାର ତେଲରେ କୋଲେଷ୍ଟ୍ରୋଲ୍ ନାହିଁ। କିନ୍ତୁ, ତାହା ଆମର ଦେହରେ ଯାଇ ଯକୃତରେ କୋଲେଷ୍ଟ୍ରୋଲ ତିଆରି କରିଥାଏ। ତେଲ ମଧ୍ୟରେ ସବୁଠାରୁ ଭଲ ହେଉଛି ଅଲିଭ୍ ଅଏଲ୍। ହେଲେ ଅଲିଭ ଅଏଲ୍କୁ ଛଣାଛଣି କରିବା ପାଇଁ ବ୍ୟବହାର କରାଯାଇନ ଥାଏ। ଏହାଦ୍ଵାରା ଅଲିଭ୍ ଅଏଲ୍ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ। ଭାରତୀୟ ଖାଦ୍ୟ ପ୍ରଣାଳୀରେ କୌଣସି ଖାଦ୍ୟକୁ ଛାଣି କରି ଖାଇବା, ଅଧିକ ତେଲରେ ରାନ୍ଧିକରି ଖିଆଯାଏ।
ରାଇସ୍ବ୍ରାନ୍, ବାଦାମ୍ ଓ ସୋରିଷ ତେଲକୁ ଯେତେ କମ୍ ପରିମାଣରେ ବ୍ୟବହାର କରିପାରିବା ସେତେ ଭଲ। ଏହାସହ ଗୋଟିଏ ପ୍ରକାର ତେଲକୁ ସବୁଦିନ ବ୍ୟବହାର ନ କରି ଭିନ୍ନ ଭିନ୍ନ ତେଲକୁ ଭିନ୍ନ ଭିନ୍ନ ଦିନରେ କମ୍ ପରିମାଣରେ ବ୍ୟବହାର କରିବା ଦରକାର। ଖାଦ୍ୟରେ ଘିଅର ସେବନ ଯେତେ କମ୍ କରିପାରିବା ତାହା ସେତେ ଭଲ।
ଏହାଛଡ଼ା ଛଣାଛଣି ଓ ଅଧିକ ତେଲର ବ୍ୟବହାରକୁ କମ୍ କରିବାକୁ ପଡ଼ିବ। ପ୍ରତିଦିନ ଗଜାମୁଗ, ଗଜାବୁଟ, ସିଝା ବୁଟ ବା ଛୋଲେ, ଫଳମୂଳ, ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ।
ଆମିଷରେ ମଟନ୍ ଖାଆନ୍ତୁ ନାହିଁ। ସମୁଦ୍ର ମାଛ, ଚୂନା ମାଛ ଖାଇବା ଜରୁରୀ। କାରଣ ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍ ରହୁଛି, ଯାହା ଭଲ କୋଲେଷ୍ଟ୍ରୋଲକୁ (HDL)କୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ସାଧାରଣତଃ ଆମେ ମାଛକୁ ଛାଣୁ ବା ଭାଜି କରି ଖାଇଥାଉ। ଏହା କରିବା ଦ୍ୱାରା ମାଛରେ ତେଲ ମିଶିଯାଏ, ଯାହା ଶରୀରକୁ ଯାଇଥାଏ। ଅଣ୍ଡାର ଧଳା ଅଂଶକୁ ଖାଇବା ଦରକାର କେଶର ଖାଇବା ଅନୁଚିତ।
କୋଲେଷ୍ଟ୍ରୋଲ ଔଷଧକୁ ନିୟମିତ ଖାଇବା ଜରୁରୀ। ଔଷଧ ଆରମ୍ଭ କରିବା ପରେ ୩ରୁ ୬ ମାସ ଭିତରେ ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା କରିବାର ଆବଶ୍ୟକତା ରହିଛି।
କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତା (Complications of High Cholesterol in Odia)
ଯେଉଁ ଲୋକଙ୍କର କୋଲେଷ୍ଟ୍ରୋଲ ବଢ଼ିଥାଏ, ସେମାନଙ୍କର ମୋଟାପଣ ଥାଏ, ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ମଧ୍ୟ ଅଧିକ ହୁଏ। ଏହା ଭବିଷ୍ୟତରେ ହୃଦ୍ଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ କରାଇଥାଏ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ପ୍ରତିଦିନ ବ୍ୟାୟାମ କରିବା ଜରୁରୀ।
୪୫ ମିନିଟ୍ରୁ ଗୋଟେ ଘଣ୍ଟା ଚାଲିବା ଜରୁରୀ।
ଖାଦ୍ୟରେ ସଞ୍ଜମ ରଖିବା।
ସବୁଜ ପନିପରିବା ଖାଇବା।
ତେଲର ମାତ୍ରା କମ୍ କରିବା।
ଦରକାର ପଡ଼ିଲେ ଔଷଧ ସେବନ କରିବା।
ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟପ୍ଲସ୍’ ସହିତ ଡାକ୍ତର ବିନୟ ଭୂଷଣ ବିଣାକାରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on How to control cholesterol, in Odia language, is based on an extensive interview with Cardiologist Dr Binaya Bhusan Binakar.